ମହାକବି ଜୟଦେବ ଓ ଗୀତଗୋବିନ୍ଦ
ସୁରେନ୍ଦ୍ରନାଥ ପାଣିଗ୍ରାହୀ
ମହାକବି ଜୟଦେବ ପ୍ରାଚୀନ ସଂସ୍କୃତ ସାହିତ୍ୟର ଜଣେ ଶ୍ରେଷ୍ଠ କବି ଏବଂ ତାଙ୍କ ଦ୍ବାରା ପ୍ରଣୀତ ‘ଶ୍ରୀ ଗୀତଗୋବିନ୍ଦ’ ବିଶ୍ବ ସାହିତ୍ୟର ଏକ ଅମୂଲ୍ୟ ଗ୍ରନ୍ଥ। ଏହାର କାବ୍ୟିକ ମହିମା, ଅପୂର୍ବ ସାଙ୍ଗୀତିକତା ଓ କାନ୍ତକୋମଳ ପଦାବଳୀ ପାଶ୍ଚାତ୍ୟ ପଣ୍ଡିତ, ବିଦ୍ବାନମାନଙ୍କୁ ମନ୍ତ୍ରବିମୁଗ୍ଧ କରି ରଖିଛି। ଆକାରରେ କ୍ଷୁଦ୍ର ହେଲେ ହେଁ ସମଗ୍ର ବିଶ୍ବର ଧର୍ମ, ଦର୍ଶନ, ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ ଉପରେ ଏହାର ପ୍ରଭାବ ଅସୀମ। ପ୍ରାଚୀନ ଐତିହ୍ୟ, ପରମ୍ପରା ଓ ସାଂସ୍କୃତିକ ଭାବଧାରାକୁ ଏହା ଋଦ୍ଧିମନ୍ତ କରିଛି। ଓଡ଼ିଶାରେ ‘ଗୀତଗୋବିନ୍ଦ’ କେବଳ ଏକ ଧର୍ମଗ୍ରନ୍ଥ, ଅଭିନବଦର୍ଶନ ଗ୍ରନ୍ଥ ବା କଳାସ୍ଥାପତ୍ୟ ସ୍ମାରକୀ ଗ୍ରନ୍ଥ ଭାବେ ନୁହେଁ, ସମଗ୍ର ଭାରତବର୍ଷର ସାଧାରଣ ଜନତାର ଧର୍ମଧାରଣାକୁ ମହୀୟାନ କରିଛି।
କବି ଜୟଦେବ ଥିଲେ ଏକାଧାରରେ ଜଣେ କବି, ପଣ୍ଡିତ ଓ ସଙ୍ଗୀତଜ୍ଞ। ତାଙ୍କର ଜନ୍ମସ୍ଥାନ ସମ୍ପର୍କରେ ‘ଗୀତଗୋବିନ୍ଦ’ର ତୃତୀୟ ପଂକ୍ତିରେ ଉଲ୍ଲେଖ ଅଛି- ‘କେନ୍ଦୁବିଲ୍ବ-ସମୁଦ୍ରସମ୍ଭବ ରୋହିଣୀ ରମଣେନ।’ ଏଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ, କବି କେନ୍ଦୁବିଲ୍ବ ବା କେନ୍ଦୁଲିରେ ଜନ୍ମଗ୍ରହଣ କରିଥିଲେ। ଏହା ସଂପ୍ରତି ଓଡ଼ିଶାର ପୁରୀ ଜିଲାର ବାଲିପାଟଣା ଥାନା ଅନ୍ତର୍ଗତ। ଭକ୍ତକବି ରାମଦାସ ତାଙ୍କର ‘ଦାର୍ଢ଼୍ୟତା ଭକ୍ତି’ରେ କବିଙ୍କ ଜନ୍ମସ୍ଥାନ କେନ୍ଦୁଲି ବୋଲି ଉଲ୍ଲେଖ କରିଛନ୍ତି।
‘ଜନମ କେନ୍ଦୁବିଲ୍ବଗ୍ରାମେ ବ୍ରାହ୍ମଣ ଜୟଦେବ ନାମେ।
ରଚିଲା ଅପୂର୍ବ ପ୍ରବନ୍ଧ ନାମ ଯେ ଶ୍ରୀଗୀତଗୋବିନ୍ଦ।’
ଗଜପତି ପ୍ରତାପରୁଦ୍ରଙ୍କ ସମକାଳୀନ କବି ମାଧବ ପଟ୍ଟନାୟକ ‘ବୈଷ୍ଣବଲୀଳାମୃତ’ ଗ୍ରନ୍ଥରେ ଜୟଦେବଙ୍କ ସମ୍ପର୍କରେ ଲେଖିଛନ୍ତି-
‘ବିପ୍ର ଯେ ଜୟଦେବ ନାମ କ୍ଷେତ୍ରବରକୁ ଆଗମନ।
କେନ୍ଦୁଲି ଶାସନ ତା ଗ୍ରାମ ପ୍ରାଚୀ ନଦୀତଟେ ପୁଣ।’
ଅତୀତରେ ବିହାର, ବଙ୍ଗଳା ସମେତ କେତେକ ରାଜ୍ୟର କବି ଓ ଆଲୋଚକ ଜୟଦେବ ଯେ ଓଡ଼ିଶାର କବି ନୁହନ୍ତି, ପ୍ରମାଣିତ କରିବାକୁ ବହୁ ଚେଷ୍ଟା କରିଛନ୍ତି। ଡ. ସୁନୀଲ କୋଠାରୀ, ଡ. କପିଳ ବାତ୍ସାୟନ, ଡ. ପର୍ଶୁରାମ ଚତୁର୍ବେଦୀ, ବି.କ୍ରିଷ୍ଣାରାଓ, ଭି. ସିଗେଲ, ଏମ୍. ସୂର୍ଯ୍ୟନାରାୟଣ ଶାସ୍ତ୍ରୀ ପ୍ରମୁଖ ବିଦ୍ବାନ ଏବଂ ଓଡ଼ିଶାର ଡ. ସତ୍ୟନାରାୟଣ ରାଜଗୁରୁ, ନୀଳମଣି ମିଶ୍ର, ଡ. କାହ୍ନୁଚରଣ ମିଶ୍ର, କେଦାରନାଥ ମହାପାତ୍ର ପ୍ରମୁଖ ବହୁ ଗବେଷକ ଏ କ୍ଷେତ୍ରରେ ନିଜ ନିଜର ଅଭିମତ ପ୍ରକାଶ କରି ଜୟଦେବ ଯେ ଓଡ଼ିଶାର କବି ସ୍ପଷ୍ଟ ଭାବେ ପ୍ରମାଣିତ କରିଯାଇଛନ୍ତି। ଓଡ଼ିଶାର ମହାକବି ଜୟଦେବ।
କବିଙ୍କ ଜନ୍ମ ସମ୍ବତ୍ସର ସମ୍ପର୍କରେ ଅଦ୍ୟାବଧି ନିର୍ଦିଷ୍ଟ ପ୍ରମାଣ କିଛି ମିଳିନାହିଁ। ଟୀକାକାର ଗଙ୍ଗସମ୍ରାଟ ରାଘବ ଦେବ ଓ କାମାର୍ଣ୍ଣବ ଦେବ (୧୧୫୬-୧୧୭୦)ଙ୍କ ସମକାଳୀନ ସେ ଥିବା ଜଣାଯାଏ। ପବିତ୍ର ଅକ୍ଷୟତୃତୀୟା ଦିନ କବି ଜନ୍ମଗ୍ରହଣ କରିଥିବା ବିଶ୍ବାସ କରାଯାଏ। ଏହି ପବିତ୍ର ଦିବସରେ ହିଁ ଦେଶର ସର୍ବତ୍ର କବିଙ୍କ ପୁଣ୍ୟ ଜନ୍ମତିଥି ପାଳନ କରାଯାଉଛି।
କବି ଜୟଦେବଙ୍କ ‘ଗୀତଗୋବିନ୍ଦ’ ଏକ ଅନନ୍ୟ ତଥା ଅସାଧାରଣ ଗୁଣସମ୍ପନ୍ନ କାବ୍ୟଗ୍ରନ୍ଥ। ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଇତିହାସରେ ଏହାର ସ୍ଥାନ ଶୀର୍ଷରେ। କାବ୍ୟଶାସ୍ତ୍ର ପରମ୍ପରା ଅନୁଯାୟୀ ଏହା ଏକ ମହାକାବ୍ୟ। ଶ୍ରୀଗୋବିନ୍ଦଙ୍କ ଉପଲକ୍ଷେ ଏହାକୁ ଗାନ କରାଯାଉଥିବାରୁ ‘ଗୀତଗୋବିନ୍ଦ’ ନାମରେ ଏହା ବିଖ୍ୟାତ। ଏଥିରେ ୨୪ଟି ଗୀତ ଓ ୭୨ଟି ଶ୍ଳୋକ ରହିଛି। ଏହାର କାବ୍ୟ ନାୟକ ଶ୍ରୀକୃଷ୍ଣ ଓ ନାୟିକା ଶ୍ରୀରାଧା। କାବ୍ୟ ନାୟକଙ୍କ ବିଭିନ୍ନ ଅବସ୍ଥା ଅନୁସାରେ ଗ୍ରନ୍ଥର ସର୍ଗଗୁଡ଼ିକୁ ସାମୋଦ ଦାମୋଦର, ଅକ୍ଳେଶ କେଶବ, ମୁଗ୍ଧ ମଧୁସୂଦନ, ସ୍ନିଗ୍ଧ ମଧୁସୂଦନ, ସାକାୟଂ ପୁଣ୍ଡରୀକାକ୍ଷ, ଧନ୍ୟ ବୈକୁଣ୍ଠ ପ୍ରଭୃତି ନାମରେ ନାମିତ।
‘ଗୀତଗୋବିନ୍ଦ’ ଏକ ପବିତ୍ର ଗ୍ରନ୍ଥ- ପବିତ୍ରତା ଓ ଧାର୍ମିକତାରେ ଏହା ପରିପୂର୍ଣ୍ଣ। ଶ୍ରୀକୃଷ୍ଣଙ୍କୁ ଆଧାର କରି ବିଶେଷକରି ‘ଗୀତଗୋବିନ୍ଦ’ର ଅନୁକରଣରେ ବହୁ ଗ୍ରନ୍ଥ ପରବର୍ତ୍ତୀ କାଳରେ ରଚିତ ହୋଇଥିଲେ ହେଁ କୌଣସି ଗ୍ରନ୍ଥ ଏହାର ସମକକ୍ଷ ହୋଇପାରିନାହିଁ। କେବଳ ଓଡ଼ିଶା ନୁହେଁ; ସମଗ୍ର ଭାରତ ଓ ଦେଶ ବାହାରେ ଏହା ବିଶେଷ ଆଦୃତ ହୋଇଛି। ଭାରତ ବାହାରେ ପାଶ୍ଚାତ୍ୟ ପଣ୍ଡିତମାନେ ‘ଗୀତଗୋବିନ୍ଦ’ର ଭୂୟସୀ ପ୍ରଶଂସା କରିଛନ୍ତି। ଜର୍ମାନୀ ଗବେଷକ ଡ. ଏମ୍. ଭିଣ୍ଟାରନିଜ୍ ଏ ସମ୍ପର୍କରେ ମତ ଦେଇ ଲେଖିଛନ୍ତି ଯେ, ‘ଏହା ସତ୍ୟ ଯେ, ଭାରତରେ ଶ୍ରେଷ୍ଠତମ ପ୍ରତିଭା ସମ୍ପନ୍ନ କବି ରୂପେ ଜୟଦେବ ପରିଚିତ। ବାସ୍ତବରେ ସେହି ସଙ୍ଗୀତ ଜନସାଧାରଣଙ୍କ ମନରେ ଅପୂର୍ବ ଆନନ୍ଦ ସୃଷ୍ଟି କରୁଛି ଏବଂ ଏହା ଭାରତ କାହିଁକି ବିଦେଶରେ ମଧ୍ୟ ପ୍ରଶଂସିତ।’
‘ଗୀତଗୋବିନ୍ଦ’ର ପ୍ରଥମ ଟୀକା ‘ଭାବ ବିଭବିନୀ’ ଉତ୍କଳୀୟ ପଣ୍ଡିତ ଉଦୟାଚାର୍ଯ୍ୟଙ୍କ ଦ୍ବାରା ରଚିତ ହେବା ସଙ୍ଗେ ସଙ୍ଗେ ପଚାଶ ଗୋଟି ପ୍ରମାଣିତ ଟୀକା ସର୍ବଭାରତୀୟ ସ୍ତରରେ ପ୍ରଣୀତ ହୋଇଥିଲା। ପୃଥିବୀର ବହୁ ଭାଷାରେ ଏହା ଅନୂଦିତ ହୋଇଛି। ବାସ୍ତବିକ ଏହାର ପଟାନ୍ତର ନାହିଁ। ଭାରତର କୌଣସି ଅଞ୍ଚଳର କବି ଜୟଦେବଙ୍କ ପରି ପ୍ରତିଭା ଓ ସମ୍ମାନର ଅଧିକାରୀ ହୋଇପାରିନାହାନ୍ତି। ‘ଗୀତଗୋବିନ୍ଦ’ ସମଗ୍ର ଭାରତବର୍ଷରେ ଏକମାତ୍ର ଗ୍ରନ୍ଥ ଯାହାକି ଧର୍ମ ମତ ନିର୍ବିଶେଷରେ ପୂଜିତ ହେଉଛି। ଏହାର ବିକଳ୍ପ ନାହିଁ। ଯେଉଁମାନେ ଏ ଦିଗରେ ପ୍ରଚେଷ୍ଟା କରିଛନ୍ତି, ସେମାନେ ସ୍ବୟଂ ଜଗନ୍ନାଥଙ୍କ ଦ୍ବାରା ଅପମାନିତ ହୋଇଛନ୍ତି। ‘ଗୀତଗୋବିନ୍ଦ’ର ଅନୁକୃତିରେ ଗଜପତି ପୁରୁଷୋତ୍ତମ ଦେବ ‘ଅଭିନବ ଗୀତଗୋବିନ୍ଦମ୍’ ରଚନା କରିଥିଲେ। ଅବଶ୍ୟ ଏହାର ପ୍ରକୃତ ସ୍ରଷ୍ଟା ଥିଲେ କବିଚନ୍ଦ୍ର ଦିବାକର ମିଶ୍ର। ଜଗନ୍ନାଥଙ୍କ ମନ୍ଦିରରେ ଏହି ଗ୍ରନ୍ଥ ପାଠକୁ ଗଜପତି ପ୍ରଚଳନ କରିଥିଲେ; କିନ୍ତୁ ସ୍ବୟଂ ଜଗନ୍ନାଥ ପ୍ରଭୁ ଉକ୍ତ ପ୍ରଥାକୁ ନାପସନ୍ଦ କରି ‘ଗୀତଗୋବିନ୍ଦ’ ପ୍ରତ୍ୟହ ତାଙ୍କ ନିକଟରେ ପାଠ କରିବା ପାଇଁ ରାଜାଙ୍କୁ ସ୍ବପ୍ନାଦେଶ ଦେଇଥିବା କିମ୍ବଦନ୍ତୀ ରହିଛି।
ମହାକବି ଜୟଦେବଙ୍କ ‘ଗୀତଗୋବିନ୍ଦ’ର ପ୍ରଭାବ ଭାରତର ବିଭିନ୍ନ କବିଙ୍କ ଉପରେ ପଡ଼ିଥିଲା। କେବଳ ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତି ନୁହଁ, ଓଡ଼ିଶାର କଳା, ସ୍ଥାପତ୍ୟ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିଛି। ଯାହାକି ପ୍ରାଚୀନ କାଳର ମଠ, ମନ୍ଦିରର ପ୍ରସ୍ତର ଗାତ୍ରରେ ଆମେ ଦେଖି ଆସିଛୁ। ଜଗନ୍ନାଥ କୃଷ୍ଣ ଭାବେ ପୂଜିତ ହେବା ପରମ୍ପରା ଜୟଦେବଙ୍କ ପରବର୍ତ୍ତୀ କାଳରେ ଓଡ଼ିଶାରେ ବିଶେଷ ଭାବେ ପରିଦୃଷ୍ଟ ହୋଇଥିଲା। ଯାହାକି ବଙ୍ଗଳା କିମ୍ବା ବିହାରରେ ଦେଖା ଦେଇନଥିଲା।
ଓଡ଼ିଶାରେ ନିର୍ମିତ ମଠ, ମନ୍ଦିରମାନଙ୍କରେ ବିଶେଷତଃ ବ୍ରହ୍ମେଶ୍ବର, ରାଜାରାଣୀ, ଲିଙ୍ଗରାଜ ମନ୍ଦିର ପ୍ରଭୃତିରେ ନୃତ୍ୟରତା ନର୍ତ୍ତକୀମାନଙ୍କର ସ୍ଥାପତ୍ୟ ସବୁ ଦେଖିବାକୁ ମିଳିଥାଏ। ସେ ସବୁର କ୍ରମବିକାଶ ହିଁ ‘ଗୀତଗୋବିନ୍ଦ’ ଗାନରେ ପ୍ରତିଫଳିତ ହୋଇଛି। ଜୟଦେବଙ୍କ ପରବର୍ତ୍ତୀ କାଳରେ ନିର୍ମିତ କୋଣାର୍କ ମନ୍ଦିରରେ ତାହା ସ୍ପଷ୍ଟ ଭାବେ ପ୍ରକାଶ ପାଇଛି। ‘ଗୀତଗୋବିନ୍ଦ’ର ଦ୍ବାଦଶ ସର୍ଗରେ ଉଲ୍ଲେଖ ଅଛି ଯେ, ଗାନ୍ଧର୍ବ କଳା ଅନୁସରଣ କରିବାକୁ ହେଲେ ଏହାକୁ ପଠନ କରିବାକୁ ହେବ। ସାହିତ୍ୟ, କଳା, ସ୍ଥାପତ୍ୟ ବ୍ୟତିରେକ ପଟ୍ଟବସ୍ତ୍ର ସମେତ ଅନ୍ୟାନ୍ୟ ବସ୍ତୁରେ ଗ୍ରନ୍ଥଟିର ପ୍ରଭାବ ପଡ଼ିଛି।
ଖଣ୍ଡୁଆ- ସ୍ମରଗରଳ ଖଣ୍ଡନଂ ମମଶିରସି ମଣ୍ଡନଂ ଦେହି ପଦପଲ୍ଲବ ମୁଦାରମ୍। ପହରଣ- ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ପୀତବସନ ବନମାଳୀ। ଶାଢ଼ି- ଯମୁନାତୀର ବାନୀର ନିକୁଞ୍ଜେ ମନ୍ଦ ମାସିତମ୍।
ଭାଷା ଓ ପ୍ରସଙ୍ଗ ଦୃଷ୍ଟିରୁ ‘ଗୀତଗୋବିନ୍ଦ’ର ଶ୍ରେଷ୍ଠତା ସମଗ୍ର ବିଶ୍ବରେ ଅନସ୍ବୀକାର୍ଯ୍ୟ। ସଂସ୍କୃତ ଭାଷା ଜାଣି ନଥିବା ବ୍ୟକ୍ତିଟିଏ ବି ଏହାର ସରଳ, କୋମଳ ଓ ଲଳିତ ପଦାବଳୀରେ ମୁଗ୍ଧ ହୋଇ ପଡ଼ିଥାଏ। ତାର ମନପ୍ରାଣ ତନ୍ମୟ ହୋଇଯାଏ। ଏହା ନୃତ୍ୟନାଟିକା ବା ସଙ୍ଗୀତରେ କେବଳ ସୀମିତ ରହିନାହିଁ। ବୃହତ୍ତର ଭାବରେ ଭାରତୀୟ ସାହିତ୍ୟ, ସାରଳାଙ୍କ ‘ମହାଭାରତ’, ଦୀନକୃଷ୍ଣ ଦାସଙ୍କ ‘ରସକଲ୍ଲୋଳ’, ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣି’, କବିସୂର୍ଯ୍ୟ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ ବା ଏହିଭଳି ଶହଶହ ଗ୍ରନ୍ଥରେ ‘ଗୀତଗୋବିନ୍ଦ’ର ପ୍ରଭାବ ବିଦ୍ୟମାନ। ମହାକବି ଜୟଦେବ ଓଡ଼ିଶାର। ତାଙ୍କର କାବ୍ୟ ପ୍ରତିଭା କିନ୍ତୁ ସମଗ୍ର ବିଶ୍ବକୁ ଛୁଇଁଛି। ତେଣୁ ସେ ସମଗ୍ର ବିଶ୍ବର ମହାକବି ଭାବେ ଆଦୃତ। ‘ଗୀତଗୋବିନ୍ଦ’ ବିଶ୍ବର ଏକ ଶ୍ରେଷ୍ଠ ଧର୍ମଗ୍ରନ୍ଥ- ଯୁଗ ଯୁଗ ଧରି ଏହି ଚିରନ୍ତନ ସତ୍ୟ ଉଦ୍ଘୋଷିତ ହେଉଥିବ।
ଖାରବେଳନଗର, ୨ୟ, ବ୍ରହ୍ମପୁର, ଗଞ୍ଜାମ
Comments are closed.