ଧର୍ମାନ୍ଧଙ୍କ ଧର୍ମ
ପୁଣି ଥରେ କହୁଚୁ, ମନନ କରୁଚୁ ଓ ମନେ ପକଉଚୁ ଯେ ‘ସଂସାରୋୟମତୀବ ବିଚିତ୍ରଃ’। ବଡ଼ ବିଚିତ୍ର ଏ ସଂସାର। ମାତ୍ର ଏ କଥା ନା ମନକୁ ନା ଦିହକୁ ଭେଦୁଚି। କବି ଲେଖିଲେ, ‘ଯେତେ ବୁଝାଇଲେ ଚିତ୍ତ ଆୟତ୍ତେ ମୋ ନାହିଁ ରହେ କିଞ୍ଚିତ, ଦୀନବନ୍ଧୁ ହେ କି ହେବ ଜାଣି ଉଚିତ’। ପ୍ରଭୁ ମୁଁ କ’ଣ ଉଚିତ ଅନୁଚିତ ଜାଣିନି, ତା’ ସତ୍ତ୍ବେ ଆମର ଏ ଅନ୍ଧାନୁଗତି କାରଣ ଚିତ୍ତ ଆୟତ୍ତରେ ରହୁନି। ୟେ ଅନୁଭବ ସିଦ୍ଧ ଏକ ନିଚ୍ଛକ ସତ୍ୟ। ମଣିଷର ଏ ଭୁଲାପଣ, ମୋହାନ୍ଧତା ତ ପ୍ରଭୁ ‘ମାୟା’ର ଏକ ଅଲଂଘନୀୟ ରୂପାନ୍ତର। ପ୍ରଭୁ ମାୟାର ଏ ରୂପାନ୍ତରିତ ବ୍ୟବସ୍ଥାରେ ଧର୍ମାନ୍ଧ, ଜନ୍ମାନ୍ଧ ଓ କାମାନ୍ଧ ପ୍ରଭୃତି ବହୁ ଅନ୍ଧ ଅବତାର ବେଶ୍ ଭିଡ଼ ଜମାନ୍ତି, ଖେଳ ଜମାନ୍ତି। ମାତ୍ର ସବୁ ଅନ୍ଧତ୍ବକୁ ବଳି ପଡ଼ିଛି ‘ଧର୍ମାନ୍ଧତା’। ମଦ ନ ପିଇ ନିଶା ହେଉଥିବା ଲୋକ ଏଗୁଡ଼ା। ‘ଧର୍ମ’ ତ କ’ଣ ଏମାନେ ବୁଝନ୍ତିନି, ତେଣୁ ତାଙ୍କ ବିକୃତ ବୀଭତ୍ସ ଭାବ ଯା’ କଲା। ମୋ ବାଇଧନ ତ କହିଲେ, ‘ନିଶୁଣି ବାଉଁଶ ନଇ, ଛାତ ଉପରକୁ ବାଟ ଅଟଇ ମୋ ବାଇଧନ, ଧର୍ମ ଯାକ ବାଟ କହି।’ ଜଳ ଜିନିଷକୁ ଦେଖ ଭିନ୍ନ ଜାତି ଭିନ୍ନ ନାମରେ ଡାକ ମୋ ବାଇଧନ। ପାନି, ପାଣି, ଜଳ ଏକ। ସେହିପରି ଏକ ହରି, ଆଲ୍ଲା, କୃଷ୍ଣ, ଖ୍ରୀଷ୍ଟ ନାମ ତାଙ୍କରି ମୋ ବାଇଧନ। ନାମେ କିମ୍ପା ମରାମରି?’ ‘ଧର୍ମ’ ଓ ଉପାସନା ପଦ୍ଧତି ବା ଧାରା ଦୁଇ ଭିନ୍ନ କଥା, ତତ୍ତ୍ବ। ଜଳର ଧର୍ମ ନିମ୍ନଗାମୀ, ନଈ, ହ୍ରଦ ବା କୂଅପାଣି ହିସାବରେ ତା’ର ଭିନ୍ନତା ଓ ତଦନୁଯାୟୀ ତା’ର ଗୁଣାଗୁଣ ଆରୋପ ଆଉ ଏକ ଅନ୍ଧତ୍ବ। ସେମିତି ମଣିଷ ତା ମନର ପ୍ରଭୁ ବା ଠାକୁରଙ୍କୁ ତା’ ରୁଚି ହିସାବରେ ଡାକିପାରେ।
ଏଥିପାଇଁ ସମସ୍ତଙ୍କୁ ବାଧ୍ୟ କରିବା ବା ଭିନ୍ନ ଧାରା ସୃଷ୍ଟି କରିବା ନିତାନ୍ତ ନିର୍ବୋଧତା, ମାତ୍ର ଧର୍ମ ଓ ସମ୍ପ୍ରଦାୟକୁ ଫେଣ୍ଟି ଦେଲେ ତା ଅନ୍ଧତ୍ବର ଏକ ବିଡ଼ମ୍ବିତ ନିର୍ଯାସ ବନିଯିବ। ଲାଭ ତ ଆଦୌ ନୁହଁ, କ୍ଷତି, ବିଷତୁଲ୍ୟ ସଞ୍ଚରିବ ହିଁ ସଞ୍ଚରିବ। ଧର୍ମ ବିଷୟରେ ମନୁ ସଂହିତା କହିଲେ, ‘ସଂକ୍ଷେପାତ୍ କଥ୍ୟତେ ଧର୍ମୋ, ଜନାଃ କିଂ ବିସ୍ତରେଣ ତୁ, ପରୋପକାରଃ ପୁଣ୍ୟାୟ ପାପାୟ ପରପୀଡ଼ନମ୍’। ଅର୍ଥାତ୍ ଧର୍ମ ବିଷୟରେ ବିପୁଳ ବ୍ୟାଖ୍ୟାର କି ଆବଶ୍ୟକତା? ଜନତାକୁ ସଂକ୍ଷେପରେ କହିଲେ, ‘ଧର୍ମ ବା ପୁଣ୍ୟ ହେଉଛି ତା, ଯାହା ଅନ୍ୟର ଉପକାର କରେ ଏବଂ ଅନ୍ୟକୁ କଷ୍ଟ ବା ପୀଡ଼ା ଦେଉଥିବା କାର୍ଯ୍ୟ ହେଲା ‘ଅଧର୍ମ’ ବା ‘ପାପ’। ଏଇଥିରୁ ମାପ ଧର୍ମ ଅଧର୍ମ, ପାପପୁଣ୍ୟ କ’ଣ? ତମେ କଛାମାରି ଠାକୁର ଉପାସନା କର କି ଆଉ କିଏ ଲୁଙ୍ଗି ମାରି ଠାକୁର ପୂଜା କେଲ, ତମମାନଙ୍କ ଦିହ କି ମନ କିଆଁ ଓ କେମିତି କୁଣ୍ଡେଇ ହଉଚି? ତମ ବାପା, ତା ବାପା ଅଲଗା ହେଲେ ବି ଦିହେଁ ମିତ ବସିପାରିଲ ତ, ତମ ଇଷ୍ଟ, ତମ ଠାକୁର ଅଲଗା ହେଲେ ତମେ ମାରଣା ମଇଁଷି ପରି ଫଁଫଁ କାହିଁକି ହଉଚ? ଇଏ ଧର୍ମାନ୍ଧତା, ଧର୍ମ ଆଦୌ ନୁହଁ। ଧର୍ମର ମୂଳ କି ଉପାସନାର ମୂଳ ତ ହେଲା ଭକ୍ତି। କୁହାଗଲା- ‘ଭକ୍ତ୍ୟାତୁଷ୍ୟତି କେବଳଂ ନ ଚ ଗୁଣୈ ଭକ୍ତିପ୍ରିୟୋ ମାଧବଃ।’ ସେ ଭକ୍ତିରେ, ଭାବରେ ତୋଷ ହୁଅନ୍ତି, ତମ ଗୁଣାଗୁଣ ବଡ଼ପଣରେ ଆଦୌ ନୁହଁ। ହିନ୍ଦୁମାନଙ୍କର ସନାତନ ମାନବ ଧର୍ମ, ‘ଈଶ୍ବର ଆଲ୍ଲା ତେରେ ନାମ, ସବ୍କୋ ସନମତି ଦେ ଭଗବାନ।’ ଆହେ ପଣ୍ଡିତେ, କବିରଙ୍କ ଜାତି, ଧର୍ମ କ’ଣ ଥିଲା? କାଇଁ ସେଠି ହିନ୍ଦୁ, ମୁସଲମାନ ଉଭୟଙ୍କ ଭିଡ଼ ତ ଲାଗୁଥିଲା ! ସେ ପ୍ରକୃତରେ କାହାର ଥିଲେ? ତାଙ୍କୁ ଶେଷଯାଏ ଏ ଦି’ଦଳିଆ ବୁଝି ନ ଥିଲେ। ଦଳେ କହିଲେ, ତାଙ୍କୁ କବର ଦିଆଯିବ ତ ଦଳେ କହିଲେ ତାଙ୍କୁ ଦାହ ସଂସ୍କାର କରାଯିବ। ଦି ଭାଣ୍ଡ-ଭକ୍ତଙ୍କ ମଧ୍ୟରେ ଲାଗିଲା ଲଢ଼େଇ। ତାଙ୍କ ଇଷ୍ଟ କବିରଜୀ କ’ଣ ଭାବୁଥିବେ କହିଲ ପରଲୋକରେ? ନିଜକୁ ଧିକ୍କାର କରୁଥିବେ ନା ନାଇଁ? ଶବ ଉଠାଇ ନେବାକୁ ବଳ ପ୍ରୟୋଗ ଆବଶ୍ୟକ ହେଲା। ଜଣେ ଶବ ଉପରେ ଢଙ୍କା ଯାଇଥିବା ଚାଦରକୁ ଟେକି ଦେଲା। ଆରେ ୟେ କ’ଣ? ଶବ କାଇଁ, ଖାଲି ଫୁଲ ଗୁଡ଼େ! ଦି’ପକ୍ଷ ଭିତରୁ କେତେ ଲଜ୍ଜିତ ହୋଇଥିବେ କି ନାହିଁ କେଜାଣି? ଧର୍ମାନ୍ଧେ ଦୁଇ ଦଳ ବାଣ୍ଟିନେଲେ ଆପଣା ବାଟରେ ସଂସ୍କାର ପାଇଁ। ଇୟେ ହେଲା ଏ ଅନ୍ଧମଣିଷଙ୍କ ସାମ୍ପ୍ରଦାୟିକତାର ନଗ୍ନ ଓ ଲଜ୍ଜାକର ରୂପ। ଆରେ ଅସ୍ତରଙ୍ଗ(ପୁରୀ)ରେ ଜାହାନିଆ ପୀରଙ୍କ ପୀଠ। ସେଠିକୁ ଯାଉନ, ସେଠି କିଏ ପୂଜା କରୁଛି। ସେ ଠାକୁର, ପୀର ଗୋସେଇଁ କାହାର? ନା ହିନ୍ଦୁଙ୍କର ନା ମୁସଲମାନମାନଙ୍କର? ସେଠି ଆଉ ଭୁସାଭୁସି ମରାମରି ହଉନ!!! ପୁରୀ ସମୁଦ୍ର କୂଳରେ ହରିଦାସଙ୍କ ପ୍ରଖ୍ୟାତ ସମାଧିପୀଠ ଯାହା ଏବେ ବୈଷ୍ଣବ ହିନ୍ଦୁଙ୍କ ମଠ, ତୀର୍ଥ ବନିଯାଇଛି। ଏ ହରିଦାସ ଚୈତନ୍ୟଙ୍କର ଓ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ। ମାତ୍ର ତାଙ୍କ ଜନ୍ମ ବୃତ୍ତାନ୍ତ ଖୋଜୁନ! ମୁସଲମାନ ନୁହେଁ କି ? ତାଙ୍କୁ ଏଠି ଏ ହିନ୍ଦୁଙ୍କ ସାଷ୍ଟାଙ୍ଗ ଦଣ୍ଡବତ କେମିତି କାହିଁକି? କୁଆଡ଼େ ଗଲା କଛାଫିଟା, କଛାମରା ତତ୍ତ୍ବ??
ଶ୍ରୀଜଗନ୍ନାଥଙ୍କ ଭଜନକୁ ଏତେ ପ୍ରାଣଛୁଆଁ କରି ଯେ ବୋଲିଛି, ସେ କ’ଣ ହିନ୍ଦୁଟେ?? ନା ସେ ଭକ୍ତ ସମ୍ରାଟ, ସାଲବେଗ ପୂରା ମୁସଲମାନ ରକ୍ତର। ନାଁରେ ବାଇ, ସେ ଏ ଦି ସମ୍ପ୍ରଦାୟ ମଧ୍ୟରୁ କାହାର ବି ନୁହନ୍ତି, ସେ ଜଗତ ନାଥ ଜଗନ୍ନାଥଙ୍କର। ସମ୍ରାଟ ଆକବରଙ୍କ ଦରବାରରେ ସେତେବେଳେ ଥିଲେ ଅଦ୍ଭୁତ ସ୍ବର ସମ୍ରାଟ ତାନ୍ସେନ, ତାନ୍ସେନଙ୍କ ଗୁରୁ ଥିଲେ ରାମଦାସ। ଆକବରଙ୍କ ଆଗ୍ରହରେ ସେ ତାଙ୍କ ଗୁରୁ ରାମ ଦାସଙ୍କ ସ୍ବର ଶୁଣାଇଲେ, ମାତ୍ର ଗୁରୁ ରାମ ଦାସଙ୍କ ସ୍ବର ଶୁଣି ପଥର ପାଲଟି ଗଲେ ଆକବର। କହିଲେ, ତାନ୍ସେନ, ତମ ଭଳି ସଙ୍ଗୀତଜ୍ଞ ସାରା ଭାରତରେ ନାହାନ୍ତି; ମାତ୍ର ତମ ଗୁରୁଙ୍କ ସ୍ବରରେ ଯେଉଁ ନିଶା, ଯେଉଁ ପ୍ରାଣ ଭରି ରହିଛି କାଇଁ ତମ ସ୍ବରରେ ତ ତା ନାହିଁ। ବିନମ୍ର ଭାବରେ ସ୍ମିତ ହସି ତାନ୍ସେନ କହିଲେ, ‘ଜାହାଁପନା, ମୁଁ ହିନ୍ଦୁସ୍ତାନର ମାଲିକଙ୍କୁ ତୋଷ କରିବାକୁ ଗୀତ ବୋଲୁଛି, ମାତ୍ର ମୋ ଗୁରୁ ବିଶ୍ବ ବ୍ରହ୍ମାଣ୍ଡର ମାଲିକଙ୍କୁ ତୋଷ କରିବାକୁ ବୋଲୁଛନ୍ତି। ଦି ସ୍ବର ସମାନ କେମିତି ହେବ’? ଇଏ ହେଲା ଭାରତବର୍ଷ। ହିନ୍ଦୁରାଷ୍ଟ୍ର ଅର୍ଥ ଏକ ସମ୍ପ୍ରଦାୟର ରାଷ୍ଟ୍ର ନୁହେଁ। ମାନବିକତାର, ମଣିଷବାଦର ଦେଶ। ୧୨୦୦ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ ଭିନ୍ନ ସମ୍ପ୍ରଦାୟ ଏ ଦେଶକୁ ଖଣ୍ଡାଧାରରେ ଶାସନ କଲେ। ପ୍ରାୟ ସାତଶହ ବର୍ଷ ଧରି ଏ ଦେଶ ସଂସ୍କାର, ସଂସ୍କୃତିକୁ ଏମାନେ ତ ବଦଳାଇ ପାରିଲେନି, ନିଜେ ବଦଳିଗଲେ। ଗାନ୍ଧୀ ଗୀତା ପଢ଼ୁଥିଲେ; ମାତ୍ର ସେ କ’ଣ ଧର୍ମାନ୍ଧ ଥିଲେ? ନା, ମାତ୍ର ସେ ମୁସଲମାନମାନଙ୍କୁ ଅଧିକ ସମର୍ଥନ କରି ପାକିସ୍ତାନକୁ ବିପୁଳ ଅର୍ଥ ଦେବାକୁ ସ୍ବାଧୀନ ଭାରତ ସରକାରଙ୍କ ଉପରେ ଚାପ ପକାଉଥିବା ଅଭିଯୋଗରେ ଜଣେ ତାଙ୍କୁ ହତ୍ୟା କଲେ।
ଏ ସବୁ କଥା ମନକୁ ଆସୁଛି, ମନକୁ ଆନ୍ଦୋଳିତ କରୁଛି, ଏବେ ଓଡ଼ିଶାର ଐତିହ୍ୟ ସହର ସମ୍ବଲପୁରରେ ଶ୍ରୀହନୁମାନ ଜୟନ୍ତୀ ପାଳନ ପୂର୍ବରୁ ଏକ ଶୋଭାଯାତ୍ରା ଉପରେ ଭିନ୍ନ ଏକ ସମ୍ପ୍ରଦାୟ ପକ୍ଷରୁ ଆକ୍ରମଣ କୁଆଡ଼େ ହେଲା ଖବରରେ। ତା’ପରେ ବାରୁଦ ଗଦାରେ ନିଆଁ ଝୁଲ ପଡ଼ିଲେ ଯା’ ହେବା କଥା ହେଲା। ଆରେ, ଏ ଦେଶ ପ୍ରାୟ ୭୫ବର୍ଷ ହେବ ସ୍ବାଧୀନ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ଜୟଧ୍ବଜା ଉଡ଼ାଉଛି। ମାତ୍ର ଏ ନେତାଏ ନିଜ ଭିତରେ କି ତାଙ୍କ ଭୋଟରଙ୍କ ଭିତରେ ଏ ଧର୍ମ କ’ଣ, ନିରପେକ୍ଷତା କ’ଣ, ତା ବୁଝାଇ ନାହାନ୍ତି କି ବୁଝିନାହାନ୍ତି। ବରଂ ଧର୍ମ, ସଂଖ୍ୟାଲଘୁ, ଦଳିତ ଆଦି ଗୁଡ଼େ ଦୁର୍ବୋଧ୍ୟ ଶବ୍ଦରେ ଏ ଦେଶବାସୀଙ୍କୁ ଅନ୍ଧାର ଘରେ ବାଡ଼ି ଧରେଇ ଦେଇଛନ୍ତି। ରାଜନୈତିକ ଫାଇଦା ତ ହେଉଚି; ମାତ୍ର ଏ ଦେଶ ବୁଡ଼ି ଯାଉନି ତ? ଏ ଦେଶ ବୁଡ଼ିଗଲେ ତମେ ଆଉ ରାଜନୀତି ଦଉଡ଼ିରେ ରାଜସିଂହାସନ ଦଖଲ କରିପାରିବ ତ? ସମ୍ବଲପୁର ଘଟଣାର ନିରପେକ୍ଷ ତଦନ୍ତ କିଏ କରିବ? ସମସ୍ତଙ୍କର ଚଢ଼େଇଠୁ ବଳି ଦି’ତିନି ହଳ ପକ୍ଷ। ନିରପେକ୍ଷ କିଏ? ଏ ଅମଲା ଆଜ୍ଞା ତ ‘ପକ୍ଷ’ କାରଖାନାର ଉତ୍ପାଦକ। ଏଙ୍କ ହାତରେ ଏ ନେତାଏ କ’ଣ ସେ ଜାଣନ୍ତି, ଜଗତ ବି ଜାଣେ। ଏ ଗୁଡ଼ା ସବୁ ଅଲାଜୁକ କଥା। ଆଉ ଗୋଟେ କି ତନ୍ତ୍ର ହେଲେ ବୋଧେ ଏ ‘ଧର୍ମାନ୍ଧ’ଙ୍କ ଉଦ୍ଦଣ୍ଡତା କମିବ, ଏଙ୍କ ବେଳରେ ବା କାଳରେ ନୁହଁ। ଦେଖାଯାଉ କୁ ପାଣି କୁଆଡ଼େ ଯାଉଛି। ଲାଜ ଲାଗୁଛି, ଦୁଃଖ ବି ଲାଗୁଛି। ଜୟ ଜଗନ୍ନାଥ !
Comments are closed.