ମହାଭାରତ ମହାକାବ୍ୟରେ ସାମ, ଦଣ୍ଡ, ଭେଦ, ନୀତି
ସୁଲୋଚନା ଦାସ
ରାଷ୍ଟ୍ରର ଶାସନ ବିଧି ସମ୍ପର୍କରେ ମହାଭାରତରେ ବହୁତ କଥା କୁହାଯାଇଛି। ଗୋଟେ ଗୁୁରୁତ୍ବପୂର୍ଣ୍ଣ ନିର୍ଦେଶ ଅନୁଯାୟୀ, ସାମ, ଦଣ୍ଡ, ଭେଦ ଓ ନୀତି ହେଉଛି ଶାସନ ବ୍ୟବସ୍ଥାର ଚାରିଟି ଦୁର୍ଗ। ଯାହା ରାଜ୍ୟକୁ ସୁରକ୍ଷିତ ରଖିଥାଏ ଓ ଶାସକଙ୍କୁ ନିରଙ୍କୁଶ ଶାସନ କରିବାପାଇଁ ସମର୍ଥ କରେ। ଏହି ଚାରିଦୁର୍ଗର ଯଥାର୍ଥ ସୁରକ୍ଷା ବିନା ସୁଶାସନ ସମ୍ଭବ ନୁହେଁ। ଅପରପକ୍ଷରେ ରାଜ୍ୟ ବିପତ୍ତିର ସମ୍ମୁଖୀନ ହୋଇଥାଏ।
ମହର୍ଷି ବ୍ୟାସଦେବ ଥିଲେ ତ୍ରିକାଳଦର୍ଶୀ। ସମାଜ ଓ ରାଷ୍ଟ୍ର ସମ୍ପର୍କରେ ତାଙ୍କ ପୁରୋଦୃଷ୍ଟିର ପଟାନ୍ତର ନାହିଁ। ତାଙ୍କ ବିଚାରରେ ‘ସାମ’ ଅର୍ଥ ସମାନତା। ରାଜା ବା ଶାସକ ପ୍ରତ୍ୟେକ ପ୍ରଜା ବା ନାଗରିକଙ୍କୁ ସମଦୃଷ୍ଟିରେ ଦେଖିବା ଏକାନ୍ତ ବିେଧୟ। କାରଣ ପ୍ରଜାକୁଳ ହେଉଛନ୍ତି ଶାସକଙ୍କର ପରିବାର। ପ୍ରାଜ୍ଞ ଭୀଷ୍ମଦେବ ମହାରାଜ ଯୁଧିଷ୍ଠିରଙ୍କୁ ଶାନ୍ତିପର୍ବରେ ରାଜଧର୍ମ ଶିକ୍ଷାଦେବାବେଳେ ରାଜାଙ୍କର ବ୍ୟକ୍ତିତ୍ବ ପ୍ରତି ଅଧିକ ଗୁରୁତ୍ବ ଦେଇଛନ୍ତି। ‘ଗର୍ଭଧାରିଣୀ ଯେପରି ନିଜର ମତାନୁଯାୟୀ ଇଷ୍ଟକୁ ପରିତ୍ୟାଗ କରି ଯହିଁରେ ସନ୍ତାନରର ମଙ୍ଗଳ ହୁଏ, ତାହା କରିଥାଏ, ତାଦୃଶ କାର୍ଯ୍ୟାନୁଷ୍ଠାନ କରିବା ରାଜାଙ୍କର କର୍ତ୍ତବ୍ୟ। ହେ କୁରୁଶ୍ରେଷ୍ଠ, ଯେଉଁ ଯେଉଁ କାର୍ଯ୍ୟ କଲେ ପ୍ରଜାମଣ୍ଡଳର ମଙ୍ଗଳ ହୁଏ, ତୁମେ ନିଜେ ପ୍ରିୟ ଅଭିଳାଷକୁ ପରିତ୍ୟାଗ କରି ସୁଦ୍ଧା, ସର୍ବଦା ସେହି କାର୍ଯ୍ୟ ସମ୍ପାଦନ ପୂର୍ବକ ଧର୍ମାନୁବର୍ତ୍ତୀ ହେବ।’ (ଶାନ୍ତି ପର୍ବ, ଅଧ୍ୟାୟ ୫୨, ୩୬, ପୃଷ୍ଠା ୨୧୦, ଅନୁବାଦ ଗୋବିନ୍ଦ ଚନ୍ଦ୍ର ମହାପାତ୍ର)
ଏଣୁ ରାଜାଙ୍କର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ହେଲା ପ୍ରଜାପାଳନ। ଏହା ହିଁ ରାଜଧର୍ମର ପ୍ରଥମ ଦୁର୍ଗ। ରାଜା ଯଥାର୍ଥ ଭାବରେ ରାଜ୍ୟର ପ୍ରଜାମାନଙ୍କୁ ସମଭାବାପନ୍ନ ହୋଇ ପାଳନ ନକଲେ ପ୍ରଜାସମୂହର ସ୍ବତ୍ବାଧିକାର, ଧନଜୀବନ କେବଳ ଅସୁରକ୍ଷିତ ରହିବ ନାହିଁ ବରଂ ଅଧର୍ମ ବ୍ୟାପି ଯିବ।
ପିତାମହ ଭୀଷ୍ମ କହିଛନ୍ତି- ଶାସକ ଯଦି ସୁଶାସନ ନଦିଅନ୍ତି, ତେବେ ସମସ୍ତ ନାଗରିକ, ନାରୀ, ନ୍ୟାୟ ବିଚାର, ବୃଦ୍ଧ ପିତାମାତା, ଆଚାର୍ଯ୍ୟ, ଅତିଥି, ଗୁରୁଗଣ ଓ ଜନ ସମୁଦାୟଙ୍କ ଜୀବନ ବିପନ୍ନ ହୋଇଥାଏ। ଶାସକ ହେଉଛନ୍ତି ଅଗ୍ନି, ସୂର୍ଯ୍ୟ, ମୃତ୍ୟୁ, ନୈଶ୍ରବଣ ଓ ଯମଙ୍କ ସଦୃଶ। ଅର୍ଥାତ୍ ନିଜର ତେଜ ଓ ଉପଯୁକ୍ତ ବିଚାର ଦ୍ବାରା ପାପୀମାନଙ୍କୁ ନାଶ କରନ୍ତି ବୋଲି ସେ ‘ପାବକ’, ପ୍ରକୃତି ଓ ପ୍ରଜାକୁଳର ସୁରକ୍ଷାକାରୀ ହୋଇଥିବାରୁ ‘ଭାସ୍କର’, ଅଧାର୍ମିକମାନଙ୍କ ନିଗ୍ରହ ଯୋଗୁଁ ‘ଯମ’, ଉପକାରୀମାନଙ୍କୁ ଯଥାର୍ଥ ପୁରସ୍କୃତ କରି ଅପକାରୀମାନଙ୍କୁ ଦଣ୍ଡବିଧାନ କରନ୍ତି ବୋଲି ‘ନୈଶ୍ରବଣ’, ରାଷ୍ଟ୍ରବିରୋଧୀ ଦୋଷୀକୁ ମୃତ୍ୟୁଦଣ୍ଡ ଦେଉଥିବା ହେତୁ ‘ମୃତ୍ୟୁ’- ଏପରି ସଂଜ୍ଞାକୁ ଲାଭ କରି ନରପତିମାନେ ଯଶସ୍ବୀ ହୋଇଥାନ୍ତି ଓ ଅମର ଶାଶ୍ବତ ପଦ ଲାଭ କରିଥାନ୍ତି।
‘ଦଣ୍ଡ’ ହେଉଛି ଶାସନ ବ୍ୟବସ୍ଥାର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ଦୁର୍ଗ। ପ୍ରତ୍ୟେକ ନାଗରିକ ନ୍ୟାୟ ପାଇବାର ହକ୍ଦାର। ନ୍ୟାୟ ବିଡ଼ମ୍ବିତ ହେଲେ ସେ ଦୁର୍ଗଟି ଭୁଶୁଡ଼ି ଯିବ। ରାଜ୍ୟରେ ଅରାଜକତା ବ୍ୟାପିଯିବ। ମହାଭାରତରେ ଦ୍ରୌପଦୀଙ୍କ ଲାଞ୍ଛନା ହିଁ ମହାଭାରତ ଯୁଦ୍ଧର ମୁଖ୍ୟ କାରଣ। ସଂପ୍ରତି ନାରୀ କେବଳ ଲାଞ୍ଛିତା, ନିର୍ଯାତିତା ହେଉନାହିଁ ବରଂ ସମାଜରେ ନାନା କ୍ଷେତ୍ରରେ ଅସାମାଜିକ ବ୍ୟକ୍ତିମାନଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଇବା ଲକ୍ଷ୍ୟ କରାଯାଉଛି। ମାନବାଧିକାର ଏକ ଗୁରୁତ୍ବପୂର୍ଣ୍ଣ କଥା; କିନ୍ତୁ ଅନେକ ସମୟରେ ଦେଖାଯାଉଛି ଏହାର ଦ୍ବାହିଦେଇ ଅନେକ ଅପରାଧୀଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଉଛି; କିନ୍ତୁ ଶାସନ ବ୍ୟବସ୍ଥାରେ ଦଣ୍ଡବିଧାନ ପ୍ରତି ଗୁୁରୁତ୍ବ ଦିଆନଗଲେ ସୁଶାସନ କୁଶାସନରେ ପରିଣତ ହେବ। ସତ୍ୟ, ଧର୍ମ, ନ୍ୟାୟ- ଯାହା ମାନବର ଶ୍ରେଷ୍ଠ ସଂପଦ, ରାଜ୍ୟର ତଥା ଶାସନ ବ୍ୟବସ୍ଥାର ନାଭିକେନ୍ଦ୍ର, ତାହା ଅଚିରେ ଧୂଳିସାତ୍ ହୋଇଯିବ। ଭୀଷ୍ମଦେବଙ୍କ ମତରେ ଗୋସଂପଦ, ଜନସଂପଦ, ଅରଣ୍ୟସଂପଦ, ଖଣିଜସଂପଦ, ଜଳସଂପଦ ତଥା ପ୍ରକୃତିର ସୁରକ୍ଷା ରାଜାଙ୍କର ପ୍ରଧାନ କର୍ତ୍ତବ୍ୟ। ଏମାନଙ୍କୁ ପୀଡ଼ା ଦେଉଥିବା, ଅନ୍ୟାୟ ଆଚରଣ କରୁଥିବା, ନିର୍ଯାତନା ଦେଉଥିବା, ନାନା ପ୍ରକାର ହିଂସା ଆଚରଣ କରୁଥିବା ବ୍ୟକ୍ତିଙ୍କୁ କଠୋରରୁ କଠୋରତର ଦଣ୍ଡ ବିଧାନ କରିବା ଆବଶ୍ୟକ। ଧର୍ମ, ନ୍ୟାୟ, ସତ୍ୟ ବିଡ଼ମ୍ବିତ ହେଲେ ସେ ରାଜ୍ୟର ଶ୍ରୀ ଅଚିରେ ଧୂଳିସାତ୍ ହୁଏ। କହିବାବାହୁଲ୍ୟ ମହାଭାରତ ଏହାର ଶ୍ରେଷ୍ଠ ଉଦାହରଣ। ଶାନ୍ତିପର୍ବରେ ‘ନୀତି’ ଓ ‘ନ୍ୟାୟଶାସ୍ତ୍ର’ର ବିଶଦ ବର୍ଣ୍ଣନା ରହିଛି। ତାଙ୍କ ମତରେ ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ କରିବା ଶାସନବ୍ୟବସ୍ଥାର ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା। ତା’ ନହେଲେ ରାଜ୍ୟରେ ଅରାଜକତା ବ୍ୟାପିଯିବ। ନାଗରିକମାନଙ୍କର ଧନ, ଜୀବନ ବିପନ୍ନ ହେବ।
ଶାସନ ବ୍ୟବସ୍ଥାର ଅନ୍ୟ ଦୁର୍ଗଟି ହେଉଛି ‘ଭେଦ’। ଅର୍ଥାତ୍ ଶାସକ ଗୁପ୍ତଚର ମାଧ୍ୟମରେର ରାଜ୍ୟର ଆଭ୍ୟନ୍ତରୀଣ ସ୍ଥିତି ସମ୍ପର୍କରେ ସଚେତନ ହେବା ବିଧେୟ। ଆଭ୍ୟନ୍ତରୀଣ ଆଇନଶୃଙ୍ଖଳା, ପ୍ରଜା ବା ନାଗରିକମାନଙ୍କର ଶାସକଙ୍କ ପ୍ରତି ଥିବା ମନୋଭାବ, ଆଖପାଖ ପଡ଼ୋଶୀ ରାଜ୍ୟର ଶାସକମାନଙ୍କର କାର୍ଯ୍ୟକଳାପ, ସର୍ବୋପରି ଗୃହଶତ୍ରୁ ଓ ବହିଃଶତ୍ରୁମାନଙ୍କ ସମ୍ପର୍କରେ ଗୁପ୍ତଚରମାନଙ୍କଠାରୁ ଠିକ୍ ତଥ୍ୟ ସଂଗ୍ରହ କରିବା ଶାସକଙ୍କ କର୍ତ୍ତବ୍ୟ। ତଦନୁସାରେ ସେ ନିଜର ସିଦ୍ଧାନ୍ତ ଓ ପଦକ୍ଷେପ ଗ୍ରହଣ କରିବା ଉଚିତ। ପ୍ରାଚୀନ କାଳରେ ରାଜା ବା ଶାସକମାନେ ସେଥିପାଇଁ ଅନ୍ଧାରିବିଜେ ହୋଇ ତଥ୍ୟ ସଂଗ୍ରହ କରୁଥିଲେ। ଲୋକମତକୁ ପ୍ରାଧାନ୍ୟ ଓ ଗୁରୁତ୍ବ ନଦେଇ, ଶାସକ ଯଦି ନିଜ ବ୍ୟକ୍ତିଗତ ସ୍ବାର୍ଥପାଇଁ ସିଦ୍ଧାନ୍ତ ଗ୍ରହଣ କରନ୍ତି, ତା’ହେଲେ ଏ ଦୁର୍ଗଟି ଭୁଶୁଡ଼ି ପଡ଼ିବ। ବହିଃ ଶତ୍ରୁ ଆକ୍ରମଣ କରିବାକୁ ଥିଲେ, ଏହି ଗୁପ୍ତଚରମାନେ ଠିକ ଖବର ଦେଲେ, ଶାସକ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। ଏଣୁ ଭେଦନୀତି ହେଉଛି ରାଜ୍ୟ ସୁରକ୍ଷାର ଏକ ମହତ୍ତ୍ବପୂର୍ଣ୍ଣ ବ୍ୟବସ୍ଥା। ଏହାରି ମାଧ୍ୟମରେ ଗୋଟିଏ ନିର୍ଦିଷ୍ଟ ସ୍ଥାନରେ ଥାଇ ମଧ୍ୟ ରାଜା ସମସ୍ତ ଗୁପ୍ତଖବର ପାଇପାରିବେ ଓ ତଦନୁଯାୟୀ କର୍ମପନ୍ଥା ସ୍ଥିର କରିବେ।
ଶାସନ ବ୍ୟବସ୍ଥାର ଅନ୍ୟତମ ଦୁର୍ଗ ହେଉଛି ନୀତି। ନୀତିର ଅର୍ଥକୁ ପିତାମହ ଭୀଷ୍ମ ଆଦର୍ଶ ଭାବରେ ବିଚାର କରିଛନ୍ତି। ତାଙ୍କ ବିଚାରରେ ଶାସକଙ୍କର ସମସ୍ତ କାର୍ଯ୍ୟକଳାପ ଆଦର୍ଶ ସ୍ଥାନୀୟ ହେବା ଏକାନ୍ତ ବାଞ୍ଛନୀୟ। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ କେବଳ ଶାସନମୁଖ୍ୟ ନୁହନ୍ତି, ଶାସନ କ୍ରିୟାରେ ଭାଗ ନେଉଥିବା ସମସ୍ତ ବ୍ୟକ୍ତି ବା ନେତାଙ୍କର କାର୍ଯ୍ୟ ଯଦି ଆଦର୍ଶ ସ୍ଥାନୀୟ ନୁହେଁ, ତେବେ ପ୍ରଜାମାନେ ବା ନାଗରିକମାନେ ଅନ୍ଧଭାବରେ ସେମାନଙ୍କୁ ଅନୁସରଣ କରିବେ। ଏହା ରାଜ୍ୟର ମଙ୍ଗଳ ସାଧନ ନକରି ବରଂ ବିପର୍ଯ୍ୟୟ ଆଡ଼କୁ ଆଗେଇ ନେବ। ଆଦର୍ଶ ରାଜା ବା ଶାସକଙ୍କୁ ରାଜ୍ୟର ନାଗରିକମାନେ ସର୍ବାନ୍ତଃକରଣରେ ଅନୁସରଣ କରିଥାନ୍ତି। କାରଣ କୁହାଯାଇଛି- ‘ରାଜାନୁଗତ ଧର୍ମ’। ରାଜା ଯାହା ଆଚରଣ କରନ୍ତି, ତାହାକୁ ସର୍ବସାଧାରଣ ଅନ୍ତଃକରଣରେ ଗ୍ରହଣ କରିଥାନ୍ତି। ରାଜା ବା ଶାସକ ଆଦର୍ଶଚ୍ୟୁତ ହୋଇ ଅଧର୍ମର ପଥକୁ ବାଛିନିଅନ୍ତି, ତେବେ ସେ ନୀତିର ଦୁର୍ଗଟି ମଧ୍ୟ ଧରାଶାୟୀ ହୋଇଯିବ।
ସଂପ୍ରତି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଶାସନ େକ୍ଷତ୍ରରେ ଲୋକ ସାଧାରଣଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରାଷ୍ଟ୍ରର ସାର୍ବଭୌମତ୍ବକୁ କେବଳ ଶାସନମୁଖ୍ୟ ରକ୍ଷା କରିବେ ଓ ଜନସାଧାରଣ ଭୋଗବିଳାସରେ କାଳାତିପାତ କରିବେ, ଏପରି ଭାବିବା ଗର୍ହିତ ଅପରାଧ। ନାଗରିକମାନେ ଯେପରି ଅଧିକାର ଉପଭୋଗ କରିବେ, ସେପରି ଦାୟିତ୍ବ ମଧ୍ୟ ନିର୍ବାହ କରିବେ। ରାଷ୍ଟ୍ରପ୍ରତି, ଜାତି ପ୍ରତି ସେମାନଙ୍କର ନୈତିକ ଦାୟିତ୍ବ ରହିଛି। କେବଳ ଶାସନମୁଖ୍ୟ ଆଦର୍ଶ ଆଚରଣ କରିବେ ଓ ଅନ୍ୟ ନାଗରିକମାନେ ଅନ୍ୟାୟ, ଅନୀତି, ଅଧର୍ମ ପଥରେ ଚାଲିବେ- ଏପରି ଭାବିବା ଅର୍ଥ ନିଜ ଦେଶ, ରାଷ୍ଟ୍ର, ମାତୃଭୂମିକୁ ଧ୍ବଂସର ରସାତଳକୁ ଠେଲିଦେବା। ଭାରତବର୍ଷର ସମ୍ବିଧାନ ନାଗରିକମାନଙ୍କ ଧନଜୀବନ ସୁରକ୍ଷା, ଆଇନଶୃଙ୍ଖଳା ରକ୍ଷା ପ୍ରଭୃତି ବହୁ ଗୁରୁତ୍ବପୂର୍ଣ୍ଣ ଭାର ଶାସକ ଓ ଶାସନବ୍ୟବସ୍ଥାକୁ ଅର୍ପଣ କରିଥିବାବେଳେ, ନାଗରିକମାନଙ୍କର ମଧ୍ୟ ଉପଯୁକ୍ତ ଭାବରେ ଦେଶର ସ୍ବାର୍ଥ ଓ ହିତ ପାଇଁ ଚିନ୍ତା କରିବା ଉଚିତ। ତା’ ନହେଲେ ପରିଣାମ କେବେ ବି ଶୁଭଙ୍କର ହେବନାହିଁ।
ପ୍ରାଚୀନ ମହାନ ଗ୍ରନ୍ଥ, ନୀତିଶାସ୍ତ୍ର, ପୁରାଣ, ମହାକାବ୍ୟ ପ୍ରଭୃତିରେ ଏହାର ଭୂରିଭୂରି ଉଦାହରଣ ରହିଛି। ନାଗରିକ ଓ ଶାସକ ଉଭୟଙ୍କୁ ଚିନ୍ତା କରିବା କଥା ଯେ ବ୍ୟକ୍ତିଗତ ସ୍ବାର୍ଥ, ସୁଖ, ଭୋଗବିଳାସ, କ୍ଷମତାଲିପ୍ସା ପାଇଁ ରାଷ୍ଟ୍ରର ସମୂହସ୍ବାର୍ଥକୁ ବଳିଦେବା ଉଚିତ କି ଏକ ସୁଷ୍ଠୁ, ବଳିଷ୍ଠ, ସୁନ୍ଦର, ଆଦର୍ଶ ସ୍ଥାନୀୟ ରାଷ୍ଟ୍ରଗଠନରେ ଅଂଶୀଦାର ହେବା- ଏ କଥା ବିଚାର କରିବାର ସମୟ ଆଜି ଉପସ୍ଥିତ।
Comments are closed.