ଏକ ବିଶୁଦ୍ଧ ଯନ୍ତ୍ରଣା

ଉପେନ୍ଦ୍ର ବିଶ୍ବାଳ

“…ଆଜ୍ଞା, ଆପଣଙ୍କ ଘରେ ତ କେହି ଝିଅ ଥିବେ ନା? ତେବେ କାହିଁକି ଝିଅଙ୍କ ନିର୍ବସ୍ତ୍ର ଦେହକୁ ନେଇ ଏମିତି ଅସନା ପରିବେଶ ତିଆରି କରୁଛନ୍ତି? ଏତେ ଅଶ୍ଳୀଳତା? କେମିତି ଆସୁଛି ଆପଣମାନଙ୍କ ମନକୁ ଏସବୁ? ନା ଆପଣମାନଙ୍କର ଅଛି ଆମ ପ୍ରତି ସାମାନ୍ୟତମ ସମ୍ମାନବୋଧ ନା ଆମ ମନର ବେଦନାକୁ ବୁଝିବାକୁ ଆପଣଙ୍କର ଅଛି ହୃଦୟ ବୋଲି କିଛି? କ’ଣ ପାଇଁ ଆପଣମାନେ ଏସବୁ କରୁଛନ୍ତି? ପଇସା ପାଇଁ? ନାରୀର ନଗ୍ନଶରୀରକୁ ନେଇ ଆପଣମାନେ କେତେବେଳେ ଚଳଚ୍ଚିତ୍ର କଲେଣି ତ ଆଉକେବେ ୱେବ୍ ସିରିଜ, ପୁଣି କେବେ ଅର୍ଦ୍ଧନଗ୍ନ ଦେହକୁ ବିଜ୍ଞପିତ କରି ବେପାର କଲେଣି। ନାରୀର ଦେହ କ’ଣ କେବଳ ସଉଦା ପାଇଁ? ତା’ପରର ପରିସ୍ଥିତି ପାଇଁ କେବେ ଚିନ୍ତା କରିଛନ୍ତି କି? ଆପଣ ତ ବେପାର କରି ଚାଲିଗଲେ; କିନ୍ତୁ ବଳି ପଡିଲେ ଆମ୍ଭେମାନେ। କେବେ ୧୩ବର୍ଷର ଝିଅ ତ ଆଉକେବେ ୮ବର୍ଷର, ଏପରି କି କେବେ ପୁଣି ୦୩ ବର୍ଷର ଝିଅ। କ’ଣ ଟିକେ ହେଲେ ବି ଲାଜ ନାହିଁ ଆପଣଙ୍କଠାରେ? ବିବେକ ବି ଟିକେ ବାଧା ଦେଉନାହଁ? ଏତେ ନିଷ୍ଠୁର, ଏତେ ନିର୍ଲଜ? ଆପଣମାନେ କଦାପି ସର୍ଜନଶୀଳ କି ସମ୍ବେଦନଶୀଳ ମଣିଷ ନୁହନ୍ତି ବରଂ ଝିଅଙ୍କ ଜୀବନ ନଷ୍ଟକାରୀ ନୃଶଂସ। ଦେଶ-ଦୁନିଆର ଶତ୍ରୁ ଆପଣମାନେ। ହାତ ଯୋଡି ଆପଣମାନଙ୍କୁ ଆଜ୍ଞା ବିନମ୍ର ପ୍ରାର୍ଥନା କରୁଛୁ, ଦୟାକରି ଏଭଳି ଛବି/ ଦୃଶ୍ୟରୁ କ୍ଷାନ୍ତ ରୁହନ୍ତୁ। ମାନସିକତା ପରିବର୍ତ୍ତନ ଆଣନ୍ତୁ। ଆମ୍ଭ ଜୀବନ ବଞ୍ଚାନ୍ତୁ” – ଲୁହ ଛଳଛଳ ଆଖି ଓ କୋହଭରା କଣ୍ଠରେ ଏହା ଥିଲା ବ୍ୟଥାତୁରା ଜଣେ ବାରବର୍ଷ ଝିଅର ଆକୁଳ ଆବେଦନ; ଯାହାକି ଘୂରି ବୁଲୁଥିଲା ସାମାଜିକ ଗଣମାଧ୍ୟମରେ ସେଦିନ।

ଝିଅଟିର କାରୁଣ୍ୟଭରା କଥା ଶୁଣିଲେ, ଦୁଃଖରେ ଦ୍ରବୀଭୂତ ହୋଇଯାଏ ପ୍ରାଣ। ଅଜାଣତରେ ଆଖିରେ ଜକେଇ ଆସେ ଲୁହ। ସତରେ କେତେ ବେଦନାଦାୟକ ଘଟଣା ! କି ନିଷ୍ଠୁର ବିଡମ୍ବନା ! ପ୍ରେକ୍ଷାଳୟ ପରଦାଠୁ ଟିଭି ପରଦା, ଯାତ୍ରା ପେଣ୍ଡାଲଠୁ ମହୋତ୍ସବ ପେଣ୍ଡାଲ,ବିଜ୍ଞାପନ ବ୍ୟାନରଠୁ ବ୍ୟବସାୟ ପ୍ରତିଷ୍ଠାନ, କରପତ୍ର-ପୋଷ୍ଟରଠୁ ପତ୍ରପତ୍ରିକା ପୃଷ୍ଠା (‘ସମାଜ’ ଏକ ଭବ୍ୟ ବ୍ୟତିକ୍ରମ) ପର୍ଯ୍ୟନ୍ତ ସବୁଠି ଆଜି ଅଜୀର୍ଣ୍ଣ ଅଶ୍ଳୀଳତାର ଅଜବ ଆସର। ବାହାରକୁ ସଭ୍ୟ ବୋଲି ଦେଖାଇ ହେଉଥିବା ଏପରି ମଣିଷମାନେ ସତରେ କେତେ ଛଳନାକାରୀ ! ନଗ୍ନ ହୋଇ ବାହାରେ ବୁଲୁଥିବା ପାଗଳ ଓ ଆମ ଭିତରେ ବିଶେଷ କିଛି ପାର୍ଥକ୍ୟ ଥିବାର ମନେହୁଏ ନାହିଁ। ପାର୍ଥକ୍ୟ କେବଳ ଏତିକି ଯେ ଛଳନାହୀନ ଭାବେ ସେ ନିଜକୁ ଘୋଷଣା କରୁଛି ପାଗଳ ବୋଲି କିନ୍ତୁ ଛଳନାର ପୋଷାକ ପିନ୍ଧି ଆମ୍ଭେ ନିଜକୁ ଘୋଷଣା କରୁଛୁ ପାଗଳ ନୁହେଁ ବୋଲି। ବୋଧହୁଏ ଏଇଥିପାଇଁ ବିଶିଷ୍ଟ ବିଦ୍ୱାନ ମାର୍କ ଟ୍ୱେନ୍, ‘ଛଳନାକାରୀ ମଣିଷମାନେ ପଶୁଙ୍କଠାରୁ ହୀନ’ ବୋଲି କହିଛନ୍ତି। ତାଙ୍କ ମତରେ -” ଅଶାଳୀନତା, ଅଶିଷ୍ଟତା, ଅଶ୍ଲୀଳତା – କେବଳ ମଣିଷଜାତି ଭିତରେ ହିଁ ଦେଖାଯାଏ, ଯେଉଁମାନେ ତା’ର ଉଦ୍ଭାବକ। ଏତିକି କୁହାଯାଇପାରେ ଯେ ଏଗୁଡ଼ିକର ଯେଉଁମାନେ ଉପାସକ, ସେମାନଙ୍କଠାରୁ ପ୍ରାଣୀମାନେ ହେଉଛନ୍ତି ଉନ୍ନତ ପ୍ରଜାତିର। କାରଣ ପ୍ରାଣୀମାନେ ଆଦ୍ୟରୁ କିଛି ଲୁଚାଇ ନଥାନ୍ତି। ତେଣୁ ସେମାନେ ନଗ୍ନତା କ’ଣ ଜାଣନ୍ତି ନାହିଁ କି ଛଳନା-ଚାତୁରୀ ବି ଜାଣନ୍ତି ନାହିଁ।” ଦୂରଦ୍ରଷ୍ଟା ମହାମତି ଚାଣକ୍ୟ ତ କହିଛନ୍ତି, “ ରତ୍ନ, ଅନ୍ନ ଓ ନାରୀ – ଏ ତିନିହେଁ ସର୍ବଦା ଯଥାସମ୍ଭବ ଢାଙ୍କି ହୋଇ ରହିବା ଉଚିତ। ଅନ୍ୟଥା ବିପଦର କାରଣ ସାଜିଥାନ୍ତି।” କାମବାସନାର ଉଗ୍ର ଉତ୍ସ ହେଉଛି ଅଶ୍ଳୀଳତା। ବାସନାର ଭୟଙ୍କର ପ୍ରଭାବ ସମ୍ବନ୍ଧେ ସତର୍କ କରିବାକୁ ଯାଇ ସନ୍ଥ କବିର ତାଙ୍କ ବିଚାରରେ କହିଛନ୍ତି, “ଜଗତର ମଙ୍ଗଳ ପାଇଁ ତୁମ୍ଭେ ଈଶ୍ୱରଙ୍କ ମହିମା କଥା କୁହ କିମ୍ବା ଶୁଣ। ଯଦି ଏହା ନ କରୁଛ ତେବେ ଖୁବ୍ ହୁସିଆର, କଦାପି କାମ ସମ୍ବନ୍ଧୀୟ କିଛି ଶୁଣ ନାହିଁ କି ପ୍ରଶ୍ରୟ ଦିଅ ନାହିଁ।” ଅଶ୍ଳୀଳତା ହେଉଛି ନୈତିକତା ଓ ଶାଳୀନତା ଉପରେ ପ୍ରଚଣ୍ଡ ପ୍ରହାର। ଅଶ୍ଳୀଳତା ହେଉଛି ଅନ୍ଧଗଳିର ଅନ୍ଧକୂପ। ବିକୃତି, ବିତ୍ପାତ, ବିନିପାତର ବିଶ୍ୱସ୍ତ ବନ୍ଧୁ।

ବିକାରଗ୍ରସ୍ତ ମଣିଷର ବିଧ୍ବଂସକାରୀ ରୂପ। ଏକ ଆସୁରିକ ଆକ୍ରମଣ। ସମାଜକୁ ଖିନଭିନ୍ କରିବାକୁ ସୈତାନୀ ଷଡଯନ୍ତ୍ର। ଫେସବୁକ୍, ଇନ୍‌ଷ୍ଟାଗ୍ରାମ, ୟୁଟ୍ୟୁବ୍ ଆଦିରେ ଅଶ୍ଳୀଳତାକୁ ନେଇ କିଛି ବି ପୋଷ୍ଟ କରିବା ବା ଚଳଚ୍ଚିତ୍ର, ୱେବ୍ ସିରିଜ ଆଦି ତିଆରି କରିବା ମାନେ – ସଂଘବଦ୍ଧ ହୋଇ ଭାରତୀୟ ସମାଜ ବ୍ୟବସ୍ଥା ଉପରେ ଆକ୍ରମଣ କରିବା। ଅର୍ଥାତ୍‌ ଭୂମିର ଗୌରବ ଗମ୍ବୁଜ ଉପରେ ଚଢ଼ି ସତ୍ୟାନାଶର ଝଣ୍ଡା ଉଡାଇବା। ଅପଶକ୍ତିଙ୍କୁ ଉତ୍ସାହିତ କରିବା। ଅନ୍ୟମାନଙ୍କ ମୁଣ୍ଡରେ ସୈତାନୀ ପଣକୁ ଉସ୍‌କାଇବା। ସନ୍ଥଙ୍କ ଅନୁଯାୟୀ “ବିବେକ ଓ ବିଳାସ ଭିତରେ ଯଦି ଭାରସାମ୍ୟ ନ ରହିଲା ତେବେ ପତନ ସୁନିଶ୍ଚିତ”। ଅଭିବ୍ୟକ୍ତିର ସ୍ବାଧୀନତା ଆଳରେ ଅଶାଳୀନତା, ଅଶ୍ଲୀଳତାକୁ ଗ୍ରହଣ କରିନେବା ଅର୍ଥ ଯାହା ଅସହନୀୟ ତାହାକୁ ସହିନେବା। ଅଭିବ୍ୟକ୍ତିର ସ୍ବାଧୀନତାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସଦ୍ୟତମ କଡା ଟିପ୍ପଣୀ (୧୩ ଜାନୁଆରୀ,୨୦୨୩) ବି ଏ ପରିପ୍ରେକ୍ଷୀରେ ବେଶ୍ ପ୍ରଣିଧାନ ଯୋଗ୍ୟ, – “ଆମ୍ଭେ ଅଭିବ୍ୟକ୍ତି ସ୍ବାଧୀନତା ଚାହୁଁ କିନ୍ତୁ ଦେଶକୁ ବହୁମୂଲ୍ୟ ଦେଇ ନୁହେଁ।” ଆହୁରି ବି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସମଗ୍ର ଭାରତ, ନିଶା ରାକ୍ଷସ କବଳରେ ଆଜି। ନିଶାର ଆଁରେ ତ ବାଳକ, କିଶୋରମାନେ ବି। ଅତ୍ୟନ୍ତ ଅସହାୟ ଅବସ୍ଥା। ‘ନିଶା’ ଆଜି ଅନେକଙ୍କୁ ନିଶାଚରରେ ପରିଣତ କରି ସାରିଲାଣି। ନିଶା ସହିତ ଥାଏ ଅଶ୍ଳୀଳତା, ଅସାମାଜିକତାର ଅନ୍ତରଙ୍ଗ ସମ୍ବନ୍ଧ। ଯେଉଁ ସମାଜରେ ନିଶାଚରଙ୍କ ସଂଖ୍ୟା ବଢିବଢି ଚାଲେ, ସେ ସମାଜର ଶେଷ ପରିଣତି ଯେ କ’ଣ, ତାହା ସମସ୍ତଙ୍କୁ ଜଣା। ସେଇଥିପାଇଁ ଦୁନିଆକୁ ସତର୍କ କରିବାକୁ ଯାଇ ଉଇଲିୟମ୍ ଟିମ୍ ବ୍ରଏନ କହିଛନ୍ତି, – “ତୁମେ ଯଦି ଅଶ୍ଲୀଳତା ପ୍ରତି ଧ୍ୟାନ ଦେଉନାହଁ କି ସେଥିପ୍ରତି ସଚେତନ ନୁହଁ, ତେବେ ତୁମେ ସତ୍ୟ ପ୍ରତି ବି ଯତ୍ନବାନ ନୁହଁ। ଅର୍ଥାତ୍‌ ତୁମେ ଅସତ୍ୟ, ଅନ୍ଧକାରର ସମର୍ଥକ।” ଆମେରିକୀୟ ବିଦ୍ୱାନ ହେନେରୀ ମିଲରଙ୍କ ଅନୁଯାୟୀ – ଅଶ୍ଳୀଳତା ଓ ନଗ୍ନତା ହିଁ ଅନ୍ଧକାରକୁ ଆମନ୍ତ୍ରଣ କରିଥାନ୍ତି। ଏଣୁ ଏହାକୁ ପ୍ରଶ୍ରୟ ଦେବା ଅନୁଚିତ। ସୂଚନା ଓ ପ୍ରଯୁକ୍ତି ବିଦ୍ୟା (୨୦୦୮) ସଂଶୋଧିତ ଆଇନ ଅନୁଯାୟୀ ଅଶ୍ଳୀଳତା ସମ୍ବନ୍ଧୀୟ କୌଣସି ଲେଖା ବା ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶନ କରିବା ଏକ ଗର୍ହିତ ଅପରାଧ।

ଏବେଏବେ ନିଶ୍ଚିନ୍ତକୋଇଲିରୁ ନୟାପଲ୍ଲୀ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଥାନାରେ ଜଣେ ମହିଳାଙ୍କ ବିରୋଧରେ ବି ଏକାଧିକ ଅଭିଯୋଗ ହୋଇଥିବାର ଜଣାଯାଏ। ସେ ଯାହା ବି ହେଉ, ଅଶ୍ଳୀଳତା ହେଉଛି ଭିନ୍ନ ଏକ ଦୈତ୍ୟରୂପ, ଯାହାକି ଅନୈତିକ କାମ ପାଇଁ ଉସକାଇ ଥାଏ ଏବଂ ଧୀରେଧୀରେ ସମାଜକୁ ଗିଳିପକାଏ। ଆମେରିକୀୟ ବିଦୁଷୀ, ସୁଲେଖିକା ଏ. ନିନ୍ ଙ୍କ ଅନୁଯାୟୀ, “ଅଶ୍ଳୀଳତାର ପରିଣତି ହେଉଛି ବିଶୁଦ୍ଧ ଯନ୍ତ୍ରଣା। ଟିକିଏ ବି ପ୍ରଶ୍ରୟ ଦେବା ଅର୍ଥ – ଅନର୍ଥ, ଅଘଟଣ ଓ ଅମଙ୍ଗଳକୁ ଆମନ୍ତ୍ରଣ କରିବା।”

Comments are closed.