ରାଜ୍ୟସଭାର ପୃଷ୍ଠଭୂମି ଓ ଉପାଦେୟତା

ରାମଚନ୍ଦ୍ର ପଣ୍ଡା, ପୂର୍ବତନ ଉପବାଚସ୍ପତି, ଓଡ଼ିଶା ବିଧାନସଭା

ଆମ ସମ୍ବିଧାନ ରଚୟିତାମାନେ ଅତ୍ୟନ୍ତ ଜ୍ଞାନୀ, ଦୂରଦ୍ରଷ୍ଟା ଓ ରାଷ୍ଟ୍ର ଭକ୍ତ ଥିଲେ। ସେମାନେ ଭିନ୍ନ ଭିନ୍ନ ରାଜନୈତିକ ମତବାଦ ଓ ଆଦର୍ଶର ଅନୁଗାମୀ ଥିଲେ ହେଁ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥାର କ୍ରମବର୍ଦ୍ଧିଷ୍ଣୁ ବିକାଶ ପାଇଁ ସେମାନଙ୍କ ଦ୍ୱାରା ନିର୍ମିତ ଭାରତର ସମ୍ବିଧାନ ବିବିଧ ଗଣତାନ୍ତ୍ରିକ ପରମ୍ପରାର ସମାହାର ଥିଲା। ସଂସଦୀୟ ପ୍ରଣାଳୀକୁ ସଶକ୍ତ କରିବା ପାଇଁ ଲୋକସଭା ଓ ରାଜ୍ୟସଭା ଭଳି ଦୁଇଟି ପ୍ରତିନିଧି ସଭା ଗଠନ ଦିଗରେ ସେମାନଙ୍କ ନିଷ୍ପତ୍ତି ଅତ୍ୟନ୍ତ ଦୂରଦୃଷ୍ଟି ସମ୍ପନ୍ନ ଥିଲା। ବ୍ରିଟିଶ ପ୍ରଣୀତ ୧୯୧୯ ଭାରତୀୟ ଆଇନ୍ ଯେଉଁଥିରେ ସଂଘୀୟ ବ୍ୟବସ୍ଥା ଓ କ୍ଷମତା ବଣ୍ଟନର ରୂପରେଖ ରହିଥିଲା, ରାଜ୍ୟସଭାର ଜନ୍ମ ଦିଗରେ ତାହା ମୌଳିକ ପୃଷ୍ଠଭୂମି ଯୋଗାଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ସମ୍ବିଧାନ ପ୍ରଣେତାମାନେ ଦେଶର ରାଜନୈତିକ, ସାଂସ୍କୃତିକ ଓ ଭାଷାଗତ ବିବିଧତାକୁ ଅବଲୋକନ କରି ଆମେରିକାର ସିନେଟ୍ ଓ ଇଂଲଣ୍ଡର ହାଉସ୍ ଅଫ୍ ଲର୍ଡସ୍ ଢାଞ୍ଚାରେ ଭାରତର ସଂସଦୀୟ ପ୍ରଣାଳୀରେ ପ୍ରାନ୍ତୀୟ ପ୍ରତିନିଧି ସଭା ବା ଦ୍ବିତୀୟ ସଂସଦ ନିର୍ମାଣ କରିଛନ୍ତି। ହାଉସ୍ ଅଫ୍ ଲର୍ଡସ୍‌ର ଜନ୍ମ ୧୧ଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା, ଯାହା ପ୍ରଥମେ ସମ୍ଭ୍ରାନ୍ତ ବ୍ୟକ୍ତି, ଧର୍ମଗୁରୁ, ସମ୍ରାଟଙ୍କ ମନ୍ତ୍ରୀଙ୍କୁ ନେଇ ଏକ ଔପଚାରିକ ପରାମର୍ଶ ପରିଷଦ ରୂପେ କାର୍ଯ୍ୟ କରିଥିଲା ଯାହା ୧୬-୧୭ଶ ଶତାବ୍ଦୀର ମଧ୍ୟଭାଗରେ ପାର୍ଲାମେଣ୍ଟର ଦ୍ବିତୀୟ ସଂସଦ ରୂପେ ବିକଶିତ ହେଲା। ଇଂଲଣ୍ଡର ଏହି ଦ୍ବିତୀୟ ସଂସଦ ପାର୍ଲାମେଣ୍ଟରେ ଗୃହୀତ ସମସ୍ତ ଆଇନର ତନ୍ନତନ୍ନ ପରୀକ୍ଷଣ ଦ୍ବାରା ପରିମାର୍ଜିତ କରିଥାଏ ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ସ୍ୱାଧୀନତାପ୍ରାପ୍ତି ବେଳେ ଭାରତରେ ବ୍ରିଟିଶ୍ ଶାସନାଧୀନ ୧୭ ରାଜ୍ୟ ସମେତ ୫୬୫ଟି ରାଜୁଡ଼ା ଶାସନ ସାଙ୍ଗକୁ ଧାର୍ମିକ, ଭାଷା ଓ ସଂସ୍କୃତି ଦିଗରୁ ବିଭିନ୍ନତାରେ ଭରି ରହିଥିଲା। ବିବିଧତା ମଧ୍ୟରେ ଏକତା ଓ ସମନ୍ୱୟ ଆଣିବା ପାଇଁ ପ୍ରାନ୍ତଗୁଡ଼ିକର ସ୍ୱରକୁ ପ୍ରଭାବୀ କରି ସଙ୍ଘୀୟ ଢାଞ୍ଚାର ବିକାଶ ପାଇଁ ଲୋକସଭା ସାଙ୍ଗକୁ ରାଜ୍ୟସଭା ଗଠନ କରାଗଲା। ସମ୍ବିଧାନ ପ୍ରଣୟନ ପରେ ରାଜ୍ୟସଭା ଗଠିତ ହେଲା ଯାହାର ସଭ୍ୟ ସଂଖ୍ୟା ୨୫୦ରେ ସୀମିତ ଥିଲା। ସେଥିମଧ୍ୟରୁ ୧୨ ଜଣ ସଦସ୍ୟ ମନୋନୀତ ଓ ଅନ୍ୟମାନେ ରାଜ୍ୟମାନଙ୍କ ଦ୍ୱାରା ୬ ବର୍ଷ ପାଇଁ ନିର୍ବାଚିତ ହେବା ବ୍ୟବସ୍ଥା ରହିଅଛି। ଏହି ଦ୍ୱିତୀୟ ସଂସଦ ବା ରାଜ୍ୟସଭା କେବେ ଭାଙ୍ଗିବାର ବ୍ୟବସ୍ଥା ନାହିଁ, ଯାହା ରାଜ୍ୟକୁ ଚିରକାଳୀନ ପ୍ରତିନିଧିତ୍ବ କରୁଥିବା ଏକ ସଂସଦୀୟ ସଭା। ଲୋକସଭାକୁ ପ୍ରତିନିଧିମାନେ ସାବାଳକ ଭୋଟାଧିକାର ମାଧ୍ୟମରେ ବିଭିନ୍ନ ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହେଉଥିବା ବେଳେ ୨୮ଟି ରାଜ୍ୟର ବିଧାନସଭାର ସଭ୍ୟ/ସଭ୍ୟାମାନେ ରାଜ୍ୟସଭାକୁ ପ୍ରତିନିଧି ନିର୍ବାଚିତ କରିଥା’ନ୍ତି। ସମ୍ବିଧାନ ପ୍ରଣୟନ ସମୟରେ ରାଜ୍ୟସଭାର ସଦସ୍ୟତା ପାଇଁ ସମ୍ପୃକ୍ତ ବ୍ୟକ୍ତି ସମ୍ପୃକ୍ତ ରାଜ୍ୟର ବାସିନ୍ଦା ହେବା ନେଇ ଥିବା ବ୍ୟବସ୍ଥାକୁ ୨୦୦୩ରେ ଉଠାଇ ଦିଆଯିବାର ଯଥାର୍ଥତା ବିରୁଦ୍ଧରେ ପ୍ରଶ୍ନ ଉଠିଛି ଓ ଏହା ସମ୍ବିଧାନ ନିର୍ମାତାମାନଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟର ପରିପନ୍ଥୀ ବୋଲି ମନେ କରାଯାଉଛି। ରାଜ୍ୟସଭା ପ୍ରଦେଶ ପ୍ରାଧାନ୍ୟ ପ୍ରତିନିଧି ସଭା ରୂପେ ନିର୍ମାଣ କରାଯାଇଥିଲା, ତେଣୁ ଏହା ଉପରେ ପୁନଃ ବିବେଚନା ଦାବିର ବାସ୍ତବତା ରହିଅଛି। ତା.୨୮.୦୭.୧୯୪୭ ଓ ୦୩.୦୭.୧୯୪୯ରିଖରେ ସମ୍ବିଧାନ ସଭାରେ ରାଜ୍ୟସଭାର ଉପାଦେୟତା ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଏଥିରେ ବହୁ ସଦସ୍ୟ ଅଂଶଗ୍ରହଣ କରି କେତେକ ଏହାକୁ ଅନାବଶ୍ୟକ ବିଧି ପ୍ରକୋଷ୍ଠ ରୂପେ ମତ ରଖିଥିଲେ ତ ଆଉ କେତେକ ମାନ୍ୟବର ସଦସ୍ୟ ସଂସଦୀୟ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥାର ସୁପରିଚାଳନା ପାଇଁ ରାଜ୍ୟସଭା ପ୍ରତିଷ୍ଠା ସପକ୍ଷରେ ମତ ରଖିଥିଲେ। ଆଇନ ପ୍ରଣୟନ କ୍ଷେତ୍ରରେ ରାଜ୍ୟସଭାରେ ବରିଷ୍ଠମାନଙ୍କ ବୌଦ୍ଧିକ ଓ ବିଶେଷ ଜ୍ଞାନ ଚିଠା ଆଇନଗୁଡ଼ିକୁ ପରିମାର୍ଜିତ ଓ ଅଧିକ ଗ୍ରହଣୀୟ ହେବାରେ ଉପାଦାନ ଯୋଗାଇବ ବୋଲି ବହୁ ସଦସ୍ୟ ମତ ରଖିଥିଲେ । ସଦସ୍ୟ ଏସ୍. ଏଲ୍. ସାକ୍ସେନା ରାଜ୍ୟସଭା ଭଳି ଦ୍ୱିତୀୟ ପ୍ରତିନିଧି ସଭାର ଉପାଦେୟତା ଉପରେ ପ୍ରଶ୍ନ ଉଠାଇଥିବାବେଳେ, ନାସିରୁଦ୍ଦିନ୍ ଅହମ୍ମଦ ଦ୍ୱିତୀୟ ପ୍ରତିନଧି ସଭା, ଆଇନ ନିର୍ମାଣ କ୍ଷେତ୍ରକୁ ଗାମ୍ଭୀର୍ଯ୍ୟ ଓ ବୌଦ୍ଧିକ ଶକ୍ତି ପ୍ରଦାନରେ ସହାୟକ ହେବ ବୋଲି ମତ ରଖିଥିଲେ। ସଦସ୍ୟ ଶ୍ରୀ ଗୋପାଳସ୍ୱାମୀ ଆୟାଙ୍ଗାରଙ୍କ ମତ ଥିଲା ଯେ ଆଇନ ନିର୍ମାଣ କ୍ଷେତ୍ରରେ ରାଜ୍ୟସଭା ସାମୟିକ ରାଜନୈତିକ ଉନ୍ମାଦନାରୁ ମୁକ୍ତ ରହି ଆଲୋଚନା ଓ ତର୍କକୁ ଗାମ୍ଭୀର୍ଯ୍ୟ ଯୋଗାଇ ଆଇନକୁ ଅଧିକ ଗ୍ରହଣୀୟ କରିବା ଦିଗରେ ସହାୟକ ହେବ । ଜ୍ଞାନୀ ଓ ଅନୁଭୂତିସମ୍ପନ୍ନ ନାଗରିକ ଯେଉଁମାନେ ସକ୍ରିୟ ରାଜନୀତି ଦୌଡ଼ରେ ନିଜକୁ ଖାପ ଖୁଆଇପାରିବେ ନାହିଁ ସେହିଭଳି ବ୍ୟକ୍ତିବିଶେଷଙ୍କୁ ରାଜ୍ୟସଭାରେ ନିଆଗଲେ ଆଇନ ପ୍ରଣୟନ କ୍ଷେତ୍ରରେ ସେମାନଙ୍କ ଅମୂଲ୍ୟ ପରାମର୍ଶ ଦେଶ ପାଇପାରିବ ବୋଲି ଶ୍ରୀ ଗୋପାଳସ୍ୱାମୀ ଆୟାଙ୍ଗାର ମତ ରଖିଥିଲେ। ବାସ୍ତବରେ ବିଗତ ୭୦ ବର୍ଷ ଇତିହାସ ଅନୁଭୂତିରୁ ଦେଖାଯାଉଛି ଯେ, ରାଜନୈତିକ ଚାପ ଉନ୍ମାଦନା ମୁକ୍ତ ସଂସଦୀୟ ଆଲୋଚନା ପାଇଁ ଆମ ରାଜ୍ୟସଭାର ଅବଦାନ ଅତୁଳନୀୟ। ସ୍ୱାଧୀନତା ପରବର୍ତ୍ତୀ ଦୁଇ ଦଶନ୍ଧିରେ ବିଭିନ୍ନ ଚିଠା ଆଇନ୍ ଉପରେ ବିତର୍କ ଘଣ୍ଟା ଘଣ୍ଟା ଧରି ହେଉଥିଲା। ଆଜି ତ’ ଏଭଳି ଦୃଶ୍ୟ ଦେଖିବାକୁ ମିଳୁନାହିଁ, କିଛି ମିନିଟ୍ ମଧ୍ୟରେ ଆଇନ ଗୃହୀତ ହୋଇଯାଉଥିବା ନେଇ ବରାବର ସମ୍ବାଦ ପ୍ରକାଶ ପାଉଛି। ଆଇନ, ଅର୍ଥନୀତି, ସମାଜ, ବିଜ୍ଞାନ, ରାଜନୀତି କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ବରିଷ୍ଠମାନେ ସାଧାରଣତଃ ରାଜ୍ୟସଭାକୁ ନିର୍ବାଚିତ ହେବାର ପରମ୍ପରା ସମ୍ବିଧାନ ପ୍ରଣୟନ ପରେ ଆରମ୍ଭ ହୋଇଥିଲା। ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯଥା- ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍, ଡ଼କ୍ଟର ଜାକିର୍ ହୁସେନ୍, ଡ଼କ୍ଟର ବି. ଆର୍. ଆମ୍ବେଦକର, ବିଚାରପତି ହିଦାୟତୁଲ୍ଲା, ଆର୍. ଭେଙ୍କଟରମଣ, ଶୀଳଭଦ୍ର ୟାଜୀ, ବିଭୁଧେନ୍ଦ୍ର ମିଶ୍ର, ଭୂପେଶ ଗୁପ୍ତା, ସି. କେ. ଦପ୍ତରୀ, ପ୍ରଣବ ମୁଖାର୍ଜୀ, ଏଲ୍. କେ. ଆଡଭାନୀ, ମନୁଭାଇ ସାହା, ପିଲୁ ମୋଦି, ଅଲାଡ଼ି କୃଷ୍ଣସ୍ୱାମୀ, ଅଟଳ ବିହାରୀ ବାଜପେୟୀଙ୍କ ଭଳି ବରିଷ୍ଠ ନେତାମାନେ ଏହି ସଭାର ସଭ୍ୟପଦ ଅଳଙ୍କୃତ କରି ଦେଶର ସଂସଦୀୟ ଗରିମାମୟ ଇତିହାସକୁ ସମୃଦ୍ଧ କରି ଗଣତନ୍ତ୍ରକୁ ପରିପକ୍ୱ କରିବା ଦିଗରେ ଅମୂଲ୍ୟ ଅବଦାନ ରଖି ଯାଇଛନ୍ତି । ରାଜ୍ୟସଭା ଓ ଲୋକସଭା ଉଭୟ ଆମ ସଂସଦୀୟ ବ୍ୟବସ୍ଥାରେ ଅଭିନ୍ନ ଅଙ୍ଗ ଓ ପରସ୍ପରର ପରିପୂରକ ।

ଶାସନ ପାଇଁ ଅର୍ଥ ମଞ୍ଜୁରୀ କରିବା ଲୋକସଭାର ମୂଳ ଅଧିକାର । ଏହାକୁ ବାଦ୍ ଦେଲେ ସଂସଦୀୟ ଗଣତନ୍ତ୍ରର ସୁପରିଚାଳନା ପାଇଁ ଆମ ସମ୍ବିଧାନ, ରାଜ୍ୟସଭା ଉପରେ ବହୁ ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରିଛି । ଅର୍ଥ ବିଲ୍‌କୁ ବାଦ୍ ଦେଲେ ଅନ୍ୟ ସବୁ ଆଇନ୍ ଉପରେ ପ୍ରସ୍ତାବ ଉଭୟ ସଦନର ଯେ କୌଣସିଟିରେ ଆନୀତ ହୋଇପାରେ। ଏହା ବ୍ୟତୀତ ସମ୍ବିଧାନର ୩୧୨ ଧାରାରେ ନୂଆ ସର୍ବଭାରତୀୟ ସେବା ସୃଷ୍ଟି ଦିଗରେ ରାଜ୍ୟସଭାକୁ ସ୍ୱତନ୍ତ୍ର ଅଧିକାର ଦିଆଯାଇଅଛି। ରାଜ୍ୟଗୁଡ଼ିକୁ ପ୍ରଦତ୍ତ ଥିବା ବିଷୟ ଉପରେ, ଜାତୀୟ ସ୍ୱାର୍ଥକୁ ନେଇ ଆଇନ୍ ପ୍ରଣୟନ ପାଇଁ ସମ୍ବିଧାନରେ ଧାରା ୨୪୯ରେ ରାଜ୍ୟସଭାରେ ପ୍ରସ୍ତାବ ଗ୍ରହଣ କରାଯିବା ଜରୁରୀ ଅଟେ। ଲୋକସଭା ଭଙ୍ଗ ହୋଇଥିବାବେଳେ ସମ୍ବିଧାନର ଧାରା ୩୫୨, ୩୫୬ ଓ ୩୬୦ରେ ଅନ୍ତର୍ଭୁକ୍ତ ବିଷୟରେ ଯେଉଁଥିରେ ରାଷ୍ଟ୍ରପତି ଶାସନ ଅନ୍ତର୍ଭୁକ୍ତ ଏ ସବୁ ବିଷୟ ଉପରେ ରାଜ୍ୟସଭାର ମଞ୍ଜୁରୀ ନିତାନ୍ତ ଜରୁରୀ। କେନ୍ଦ୍ରସ୍ତରରେ ରାଜ୍ୟସଭା ଭଳି, ୭ଟି ରାଜ୍ୟରେ ବିଧାନ ପରିଷଦ କାର୍ଯ୍ୟକରୁଛି ଯାହା ରାଜ୍ୟର ଆଇନ ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାଏ। ବିଭିନ୍ନ ଚିଠା ଆଇନ୍ ଗୃହୀତ ହେବା ଦିଗରେ ରାଜ୍ୟସଭାରେ ଆଲୋଚନା ବହୁ ଦୃଷ୍ଟିକୋଣରୁ ମାର୍ଗଦର୍ଶନକାରୀ ପ୍ରତିପାଦିତ ହୋଇଥାଏ। ଲୋକସଭାରେ ଗୃହୀତ ଚିଠା ଆଇନର ରୂପରେଖ ଉପରେ ରାଜ୍ୟସଭାରେ ପରିମାର୍ଜିତ, ପରିଭାଷିତ ଓ ସଂଶୋଧିତ ହେବା କ୍ଷେତ୍ରରେ ତାହା ପୁଣି ଲୋକସଭାକୁ ଫେରି ପୁନଃ ଗୃହୀତ ପ୍ରକ୍ରିୟା ଅତିକ୍ରମ କରିଥାଏ ।

ରାଜ୍ୟସଭା ରାଜନୈତିକ ଥଇଥାନ ନୁହେଁ ବରଂ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ପ୍ରଧାନ ସ୍ତମ୍ଭ ରୂପେ ସୁରକ୍ଷିତ ରହିବା ସଂସଦୀୟ ପ୍ରଣାଳୀ ଦୃଷ୍ଟିକୋଣରୁ ଜରୁରୀ। ସ୍ୱାଧୀନତା ପରେ ବିଭିନ୍ନ କେନ୍ଦ୍ର ସରକାର ରାଜ୍ୟର ଆଇନ୍ କ୍ଷେତ୍ରରେ କ୍ରମେ ଅନଧିକାର ପ୍ରବେଶ ନେଇ ଅଭିଯୋଗ ବୃଦ୍ଧି ପାଉଥିବା ବେଳେ ରାଜ୍ୟଗୁଡ଼ିକର ସ୍ୱାର୍ଥର ସ୍ୱତନ୍ତ୍ରତା ରକ୍ଷା ପାଇଁ ରାଜ୍ୟସଭାର ଉପାଦେୟତା ବର୍ତ୍ତମାନ ପରିପ୍ରେକ୍ଷୀରେ ଅଧିକ ବଢ଼ିଯାଇଛି କାରଣ ସଂଘୀୟ ବ୍ୟବସ୍ଥା ଓ ସଂସଦୀୟ ଗଣତନ୍ତ୍ର ଆମ ସମ୍ବିଧାନର ମୂଳଭିତ୍ତି। ଦେଶରେ ପ୍ରତ୍ୟେକ ବ୍ୟବସ୍ଥାରେ ଅଧଃପତନ ଦେଖାଦେଇଛି, ଯେଉଁଥିପାଇଁ ରାଜନେତା ଓ ଦେଶର ନାଗରିକ ସମପରିମାଣରେ ଦାୟୀ । ଏହି ଅଧଃପତନ ପାଇଁ ଆମ ସଂବିଧାନ କିମ୍ବା ଆମ ସଂାବିଧାନିକ ଅନୁଷ୍ଠାନ ଦାୟୀ ନୁହନ୍ତି। ଗଣତନ୍ତ୍ରକୁ ଲୋକ ଭାଗୀଦାରିରେ ପରିଣତ କରିବା ଦିଗରେ ଓ କ୍ଷେତ୍ରୀୟ ଆଶା ଆକାଙ୍‌କ୍ଷାର ପ୍ରତିଫଳନ ପାଇଁ ବିଭିନ୍ନ ରାଜ୍ୟର ଆର୍ଥିକ ଓ ସ୍ବତନ୍ତ୍ର ସମସ୍ୟାଗୁଡିକର ପ୍ରତିକାର ଦିଗରେ ଏହି ସଂସଦର ପିଟିସନ କମିଟି ବା ଅନ୍ୟ କୌଣସି ଉପଯୁକ୍ତ କମିଟି ଦ୍ବାରା ରାଜ୍ୟ ସରକାର, ପଞ୍ଚାୟତ ପ୍ରତିନିଧି ଓ ସମାଜସେବୀ ମାନଙ୍କଠାରୁ ମତାମତ ସଂଗ୍ରହ କରି କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥିତ କରାଗଲେ ଏହି ମହାନ ପ୍ରାନ୍ତୀୟ ସଂସଦ ତାର ମୌଳିକ ଭୂମିକା ଓ ଲକ୍ଷ୍ୟକୁ ସାକାର କରିପାରିବ। ବିଶ୍ବରେ ଗଣତନ୍ତ୍ର ଶହ ଶହ ବର୍ଷର ପ୍ରଚେଷ୍ଟା ଓ ସଂସ୍କାର ଦ୍ବାରା ବିକଶିତ ହୋଇଛି। ନୂତନ ସଂସ୍କାର ପାଇଁ କେଉଁଠି ବାରଣ ରହିଛି। ତେଣୁ କ୍ଷଣିକ ଉନ୍ମାଦନାର ବଶବର୍ତ୍ତୀ ହୋଇ କୌଣସି ଅନୁଷ୍ଠାନର ଉପାଦେୟତା ଉପରେ ପ୍ରଶ୍ନ ଉଠାଯିବା ପରିବର୍ତ୍ତେ ନାଗରିକ ସଚେତନତାର ବିକାଶ କରାଯାଇ ବ୍ୟବସ୍ଥାର ପରିଚାଳନାରେ ଶୁଦ୍ଧତା, ନିଷ୍ଠା ଓ ସଂସ୍କାର ଆଣିବା ଦିଗରେ ଲୋକମତ ସୃଷ୍ଟି କରାଯିବା ଦେଶର ଗଣତନ୍ତ୍ର ପାଇଁ ମଙ୍ଗଳଦାୟକ ।

Comments are closed.