www.samajalive.in
Monday, December 8, 2025
14.1 C
Bhubaneswar

ମହାମାରୀ ପରିପ୍ରେକ୍ଷୀରେ ମଧୁବାବୁଙ୍କ ପ୍ରାସଙ୍ଗିକତା

୨୮ ଏପ୍ରିଲ ୨୦୨୧ରେ ପ୍ରବାଦ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ତମ ଜନ୍ମବାର୍ଷିକ ପାଳନ ସମୟରେ ଭାରତ କୋଭିଡ ମହାମାରୀର ଦ୍ବିତୀୟ ଲହରର ସୁନାମିରେ ଭୟଙ୍କର ଭାବେ ଗ୍ରସ୍ତ। ଏହା ଏତେ ପ୍ରଳୟଙ୍କରୀ ହୋଇଛି ଯେ ବର୍ତ୍ତମାନ ଭାରତରେ କୋଭିଡ ସଂକ୍ରମିତ ଲୋକଙ୍କ ସଂଖ୍ୟା ଗୋଟିଏ ଦିନରେ ୩ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ହେଲା ବେଳେ ମୃତ୍ୟୁ ସଂଖ୍ୟା ୨୦୦୦ରୁ ଅଧିକ ହେଉଛି। କିଛି ବିଶେଷଜ୍ଞଙ୍କ ଗଣନା ଅନୁଯାୟୀ ମେ ୧ ତାରିଖ ସୁଦ୍ଧା ଭାରତରେ ପ୍ରତିଦିନ ୫ ଲକ୍ଷ ଲୋକ କୋଭିଡ ଦ୍ୱାରା ସଂକ୍ରମିତ ହେବେ ଓ ମେ ୧୫ ସୁଦ୍ଧା ତାହା ବଢି ୮ ରୁ ୧୦ ଲକ୍ଷରେ ପହଞ୍ଚିବ। ମେ ମାସ ଶେଷ ସୁଦ୍ଧା ଗୋଟିଏ ଦିନରେ ୫୦୦୦ ଲୋକଙ୍କ ମୃତ୍ୟୁ କୋଭିଡ ଦ୍ୱାରା ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନ ଭାରତରେ ପ୍ରତିଦିନ ଯେତେ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି ତାହା କୌଣସି ଦେଶରେ ହୋଇ ନଥିଲା ଓ ଏହା ଏକ ବିଶ୍ବ ରେକର୍ଡ଼। ଭାରତର ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବଇ ସମେତ ବହୁ ରାଜ୍ୟରେ ଅମ୍ଳଜାନର ଅଭାବ ଆମ ଦେଶକୁ ଶାସନ କରୁଥିବା ତୁଙ୍ଗ ନେତୃବୃନ୍ଦଙ୍କ ‘ଆତ୍ମନିର୍ଭର ଭାରତ’ ଘୋଷଣାକୁ ପରିହାସ କରୁଛି।

ମଧୁବାବୁଙ୍କ ଜନ୍ମବାର୍ଷିକ ଅବସରରେ ତାଙ୍କର କର୍ମମୟ ଜୀବନକୁ ଅଧ୍ୟୟନ କରି ଆମକୁ ଶିଖିବାକୁ ହେବ ଯେ ସେ କିପରି ହଇଜା ଓ ‘ପ୍ଲେଗ୍’ ଭଳି ମହାମାରୀର ପ୍ରତିକାର କରି ଜୀବନଜୀବିକା ରକ୍ଷା କରିବା ପାଇଁ ପଦକ୍ଷେପ ନେଇଥିଲେ। ପ୍ରାୟ ଶହେ ବର୍ଷ ତଳେ ବିଧାୟକର ଭୂମିକା ନିର୍ବାହ କରି ମଧୁବାବୁ ଲୋକଙ୍କୁ ବୁଝାଉଥିଲେ ଯେ ହଇଜା ଓ ‘ପ୍ଲେଗ୍’ କୌଣସି ଦେବୀ ବା ଦେବତାର ଅଭିଶାପରେ ଲୋକଙ୍କୁ ଆକ୍ରାନ୍ତ କରୁନଥିଲା, ବରଂ ତାହା ଜୀବାଣୁ ବା ଭୂତାଣୁ ଦ୍ୱାରା ସୃଷ୍ଟି ହୋଇ ବ୍ୟାପୁଥିଲା। ୨୩ ଫେବୃଆରୀ ୧୯୨୩ରେ ସେ କେନ୍ଦ୍ରୀୟ ବିଧାନସଭାରେ ତାଙ୍କର ଭାଷଣରେ ତତ୍କାଳୀନ ଓଡ଼ିଶାରେ ଭୟାବହ ହଇଜା ବିଭୀଷିକା ଉପରେ ଆଲୋକପାତ କରି ତୀକ୍ଷ୍ଣ ପ୍ରଶ୍ନ ବ୍ରିଟିଶ ସରକାରକୁ ପଚାରିଥିଲେ- “କାହିଁକି ବ୍ରିଟିଶ ସରକାର ଓଡ଼ିଶାର ଗ୍ରାମାଞ୍ଚଳରେ ସାଧାରଣ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାର ଉନ୍ନତି ପାଇଁ ଅଧିକ ଅର୍ଥ ବ୍ୟବସ୍ଥା କରିନାହାନ୍ତି ?” ସେ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ ଯେ “ବ୍ୟବସ୍ଥା କରାଯାଇଥିବା ଟଙ୍କାରୁ କେତେ ଟଙ୍କା ଖର୍ଚ୍ଚ କରାଯାଉଛି ଓ ତାହା ଯେପରି ଭାବେ ଖର୍ଚ୍ଚ ହେଉଛି ସେଥିରୁ କେତେ ପହଞ୍ଚୁଛି ସାଧାରଣ ଲୋକଙ୍କ ପାଖରେ, ଯେଉଁମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ ମେଡିକାଲ ସହାୟତା ଓ ସାଧାରଣ ସ୍ୱାସ୍ଥ୍ୟର ଉନ୍ନତି?” ମଧୁବାବୁ ଉପେରାକ୍ତ ପ୍ରଶ୍ନ ଓଡିଶା ଏକ ଭାଷାଭିତ୍ତିକ ପ୍ରଦେଶ ଭାବେ ସ୍ଥାପନ ହେବାର ୧୩ ବର୍ଷ ପୂର୍ବରୁ ପଚାରିଥିଲେ।

- Advertisement -

ବର୍ତ୍ତମାନର କୋଭିଡ ସଂକ୍ରମଣ ସୁନାମି ଓ ମୃତ୍ୟୁର ବିଭୀଷିକା ଆମକୁ ଚେତେଇ ଦେଉଛି ଆମର ସରକାର ଲୋକଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ସହାୟତା ପାଇଁ କେତେ ଖର୍ଚ୍ଚ କରିଛନ୍ତି। ୧୯୨୩ରେ ମଧୁବାବୁ ପଚାରିଥିବା ପ୍ରଶ୍ନର ପ୍ରାସଙ୍ଗିକତା ବହୁତ ବେଶି।

୧୯୨୩ରେ କେନ୍ଦ୍ରୀୟ ବିଧାନସଭାରେ ମଧୁବାବୁ ଦେଇଥିବା ଭାଷଣରେ ଏକଥା ମଧ୍ୟ କହିଥିଲେ ଯେ ହଇଜା ଭଳି ମହାମାରୀ ଉପରେ ଯେଉଁ ଗବେଷଣା ତଥ୍ୟ ଲୋକଲୋଚନକୁ ଆସିଥିଲା ଓ ଯେଉଁ ଜୀବାଣୁ ଦ୍ୱାରା ତାହା ପ୍ରସାର ହେଉଥିଲା ତାହା କେବଳ ସହରାଞ୍ଚଳ ମଧ୍ୟରେ ସୀମିତ ହୋଇ ରହିଥିଲା ଓ ଗ୍ରାମାଞ୍ଚଳରେ ପହଞ୍ଚି ପାରୁନଥିଲା। ଗାଁମାନଙ୍କରେ ଏହି ତଥ୍ୟ ଅଭାବରେ ଲୋକେ ଜାଣି ପାରୁନଥିଲେ କେମିତି ହଇଜା ବ୍ୟାପୁଥିଲା ଓ ଅନେକ ମୃତ୍ୟୁର କାରଣ ହେଉଥିଲା। ଫଳରେ ଗାଁ ଗହଳିରେ ଲୋକେ ହଇଜା ସଂକ୍ରମଣକୁ ଦେବଦେବୀଙ୍କ ଅଭିଶାପ ବୋଲି ଗ୍ରହଣ କରୁଥିଲେ।

ମଧୁବାବୁ ଆହୁରି ମଧ୍ୟ କହିଥିଲେ ଯେ ତତ୍କାଳୀନ ‘ସିଭିଲ ସର୍ଜନ’ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ତଥ୍ୟ ବିଷୟରେ ଅବଗତ କରୁନଥିଲେ। ଯେଉଁ ତଥ୍ୟ ହଇଜା ସନ୍ଦର୍ଭରେ ସେ ଦେଇଥିଲେ ସେହି ପ୍ରକାରର ତଥ୍ୟ କୋଭିଡର କ୍ଷିପ୍ର ପ୍ରସାରକୁ ବ୍ୟାଖ୍ୟା କରିବା ପାଇଁ ତୃତୀୟଥର ପାଇଁ ରୂପାନ୍ତର ହୋଇଥିବା କରୋନା ଭୂତାଣୁ ବିଷୟରେ ଏ ପର୍ଯ୍ୟନ୍ତ ବହୁ ବିଶେଷଜ୍ଞଙ୍କ ପାଖରେ ପହଞ୍ଚି ପାରିନାହିଁ। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଶିଷ ଝା ଲେଖିଛନ୍ତି ଯେ ଭାରତ ଏ ପର୍ଯ୍ୟନ୍ତ ଆମ ଦେଶରେ ନୂଆ ରୂପାନ୍ତର ହୋଇଥିବା କରୋନା ଭୂତାଣୁର ନୂଆ ଆନୁବଂଶିକ ଅନୁକ୍ରମ କରି ଅନ୍ତର୍ଜାତୀୟ ସ୍ତରରେ ସେହି ତଥ୍ୟକୁ ଦେଇ ନାହିଁ।

ମଧୁବାବୁ ୧୯୨୩ରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଥିଲେ ଯେ ସେହି ସମୟର ବ୍ରିଟିଶ ସରକାର ବା କୌଣସି ଉଚ୍ଚପଦସ୍ଥ କର୍ମଚାରୀ ଲୋକଙ୍କୁ ମହାମାରୀରୁ ବଞ୍ଚାଇବା ପାଇଁ ବ୍ୟବସ୍ଥା କରିନଥିଲେ। ସେ ବ୍ୟଥିତ ହୋଇ କହିଥିଲେ ଯେ ଲୋକେ ଅନୁଭବ କରିପାରୁନଥିଲେ ସରକାର ବା ସରକାରୀ କଳର ଲୋକଙ୍କ ଉପସ୍ଥିତି ଯାହାଦ୍ୱାରା ତାଙ୍କୁ ରୋଗ ଓ ମହାମାରୀ ସମୟରେ ଜରୁରୀ ସେବା ଦେଇପାରିଥାନ୍ତେ। ସେଥିପାଇଁ ସେ କହିଥିଲେ ମହାମାରୀ ସମୟରେ ସରକାର ଲୋକଙ୍କ ଜୀବନ ରକ୍ଷା ପାଇଁ ଯତ୍ନଶୀଳ ହେବା ଆବଶ୍ୟକ। ଦେଶରେ କୋଭିଡ ମହାମାରୀର ଭୟାବହ ପରିସ୍ଥିତିରେ ୧୯୨୩ରେ ମଧୁବାବୁ କହିଥିବା କଥାକୁ ଅକ୍ଷରେ ଅକ୍ଷରେ ଅନୁସରଣ କରି ଭାରତକୁ କୋଭିଡ ମହାମାରୀରୁ ବଞ୍ଚାଇବାକୁ ପଡିବ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ, ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟକୁ ଅମ୍ଳଜାନ ଯୋଗାଇ ଦେଇ ଏହି କୋଭିଡ ମହାମାରୀ ଜନିତ ବିଭୀଷିକା ସମୟରେ ‘ଯତ୍ନଶୀଳ ସରକାର’ର ଉଜ୍ଜ୍ୱଳ ଦୃଷ୍ଟାନ୍ତ ରଖି ସମଗ୍ର ଦେଶରେ ଅାଶାର ବତିଘର ଭାବେ ଉଭା ହୋଇଛନ୍ତି।

ମଧୁବାବୁ ମହାମାରୀ ସମୟରେ ବିଧାୟକଙ୍କ ଭୂମିକା ଉପରେ ମଧ୍ୟ ୧୯୨୩ରେ ତାଙ୍କର ଭାଷଣରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ସେ ବିଧାୟକ ଭାବେ ଲୋକମାନେ ଦେଉଥିବା କାରଣରୁ ବେତନ ପାଉଥିଲେ ଏବଂ ସେହି ଦୃଷ୍ଟିରୁ ତାଙ୍କର କର୍ତ୍ତବ୍ୟ ହେଲା ହଇଜା ଓ ପ୍ଲେଗ ଭଳି ମହାମାରୀଗ୍ରସ୍ତ ଲୋକଙ୍କ ପାଖକୁ ଯାଇ ସଙ୍କଟ ସମୟରେ ତାଙ୍କ ପାଖରେ ଛିଡା ହେବା। ସେ ଆହୁରି କହିଥିଲେ ଯେ ତାଙ୍କୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ ପ୍ଲେଗ ରୋଗୀଙ୍କଠାରୁ ଦୂରରେ ରହି ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ; କିନ୍ତୁ ସେ ମୃତ୍ୟୁମୁଖରେ ପଡିଥିବା ପ୍ଲେଗ ରୋଗୀଙ୍କ ପାଖକୁ ଯାଇଥିଲେ ଓ ତାଙ୍କ ପାଖରେ ବସି ତାଙ୍କର ଦୁଃଖଯନ୍ତ୍ରଣାରେ ନିଜକୁ ସହଭାଗୀ କରିଥିଲେ। ଏମିତି ବିଧାୟକ ବା ସାଂସଦ ଏହି କୋଭିଡ ମହାମାରୀ ସମୟରେ ଆମେ କେଉଁଠି ଦେଖିବାକୁ ପାଉଛୁ ?

ମଧୁବାବୁଙ୍କ ମହାମାରୀ ସମୟରେ ସେବାକାର୍ଯ୍ୟର ଉଜ୍ଜ୍ୱଳ ଦୃଷ୍ଟାନ୍ତ କୋଭିଡ ମହାମାରୀ ବିଭୀଷିକା ପରିପ୍ରେକ୍ଷୀରେ କେବଳ ଓଡିଶା ନୁହେଁ; ସମଗ୍ର ଭାରତ ଓ ବିଶ୍ୱ ପାଇଁ ଏକ ପ୍ରେରଣାର ଉତ୍ସ। ତାଙ୍କ ଜନ୍ମ ଦିନରେ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ, ତାଙ୍କର ଦୃଷ୍ଟାନ୍ତକୁ ଅନୁସରଣ କରି ଦେଶକୁ କୋଭିଡ ମହାମାରୀରୁ ରକ୍ଷା କରିବା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories