ବିଶ୍ୱନାଥ ପଶାୟତ: ସାଧାରଣ ଜନତାର ସେନାପତି

ଦେବସ୍ନାନ ଦାସ

ମଣିଷ ତା’ ଜୀବନ କାଳରେ କେତେଦିନ ବଞ୍ଚିବ ତାହା ତା’ପାଇଁ ବଡ଼କଥା ନୁହେଁ। ଏହି ଜୀବନକାଳରେ ଦେଶ, ଦଶ ପାଇଁ ସେ କ’ଣ କରିପାରୁଛି ତାହା ତା’ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆଜନ୍ମ ଦେଶ ସେବକ, ବିପ୍ଳବୀ, ଓଡ଼ିଶା ସାମ୍ୟବାଦ ଆନ୍ଦୋଳନର ଅନ୍ୟତମ ଅଗ୍ରଦୂତ, ସୁସାହିତ୍ୟିକ, ସଙ୍ଗଠକ, ଆଇନଜୀବୀ, ସଫଳ ସମ୍ପାଦକ ଭାବେ ବିଶ୍ୱନାଥ ପଶାୟତ ନିଜ ସ୍ୱଳ୍ପ ଜୀବନକାଳରେ ତାଙ୍କ ବହୁମୁଖୀ ପ୍ରତିଭା ପାଇଁ ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିଛନ୍ତି।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷାରେ ସେ ଥିଲେ ପବିତ୍ର ବ୍ୟକ୍ତିତ୍ୱ। ବିଶ୍ୱନାଥ ପଶାୟତ ଥିଲେ ଜମିଦାର ପରିବାରର ପ୍ରତିନିଧି ଓ ଆଭିଜାତ୍ୟର ପ୍ରତୀକ। ସେ ସମସ୍ତ ଆଭିଜାତ୍ୟ ଓ ଜମିଦାରୀ ସଂସ୍କୃତିକୁ ତ୍ୟାଗ କରି ସେ ହେଲେ ସର୍ବହରାର ନେତା। ସେ ଥିଲେ ବିପ୍ଳବୀ ଓ ସାମ୍ୟବାଦ ଆଦର୍ଶର ପୂଜାରୀ; କିନ୍ତୁ ବିପ୍ଳବ ନାମରେ ସେ କାହାର ଆଦର୍ଶ ଓ ସ୍ୱାଧୀନତାରେ ହସ୍ତକ୍ଷେପ କରୁନଥିଲେ। ସାମ୍ୟବାଦର ଦ୍ୱାହିଦେଇ ଜାତୀୟ ଏକତା ଓ ସାମାଜିକ ସଂହତି ପ୍ରତି ସମସ୍ୟା ସୃଷ୍ଟି କରୁନଥିଲେ। ସେ ଥିଲେ ସଫଳ ଆଇନଜୀବୀ ଯେତେବେଳେ ତାଙ୍କ ନାମ ବିଚାରପତି ପଦ ପାଇଁ ସୁପାରିସ କରାଯିବାର ପ୍ରଶ୍ନ ଉଠିଲା, ସେ ବିନମ୍ରତା ସହ ତାହା ପ୍ରତ୍ୟାଖ୍ୟାନ କରିଥିଲେ। ଏହିସବୁ ଘଟଣା ତାଙ୍କ ଜୀବନକୁ କେବଳ ମହନୀୟ କରିଛି ତା’ ନୁହେଁ ତାଙ୍କ ପବିତ୍ର ବ୍ୟକ୍ତିତ୍ୱ ସତେ ଯେପରି ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ହୋଇଥିଲା।

prayash

ନବଯୁଗ ସାହିତ୍ୟ ସଂସଦର ସେ ଥିଲେ ପ୍ରମୁକ ବିନ୍ଧାଣୀ। ଏହାର ପ୍ରାଣ ସଞ୍ଚାରକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ବିୟୋଗ ପରେ ଏହି ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ “ଆଧୁନିକ” ପତ୍ରିକାକୁ କିଛିକାଳ ପ୍ରକାଶନ କରି ବଞ୍ଚାଇ ରଖିଥିଲେ।

ତାଙ୍କ ବ୍ୟସ୍ତବହୁଳ ରାଜନୈତିକ କାର୍ଯ୍ୟକ୍ରମ ଓ ଆଇନବୃତ୍ତି ତାଙ୍କ ସାରସ୍ୱତ ସାଧନା ପ୍ରତି କେତେବେଳେ ପ୍ରତିବନ୍ଧକ ସୃଷ୍ଟି କରି ନଥିଲା। ଏହି ଜୀବନରୁ ପାଇଥିବା ବିପୁଳ ଅଭିଜ୍ଞତାକୁ ନିଜ ଲେଖନୀରେ ରୂପଦେଇ ସେ ଯେଉଁ ସାରସ୍ୱତ କୃତୀ ସୃଷ୍ଟି କରିଛନ୍ତି ତାହା ଆଜି ମଧ୍ୟ ଓଡ଼ିଆ ସାରସ୍ୱତ ଦିଗବଳୟରେ ଉଦ୍‍ଭାସିତ ହେଉଛି। ନିଜ ରାଜନୈତିକ କାର୍ଯ୍ୟକ୍ରମରେ ସେ ରୁଷ ଭ୍ରମଣ ଯାଇଥିଲେ ସେହି ଅନୁଭୁତିକୁ ନେଇ ରଚନା କଲେ “ରୁଷ ଭ୍ରମଣ”। ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର ମନୋରଞ୍ଜନ ଦାସ ବିଶ୍ୱନାଥ ପଶାୟତଙ୍କ ସହଯୋଗୀ ଓକିଲ ଭାବେ କାର୍ଯ୍ୟ କରିଥିଲେ। ମନୋରଞ୍ଜନ ଦାସ ତାଙ୍କ ଆତ୍ମଜୀବନୀରେ ବିଶ୍ୱନାଥ ପଶାୟତଙ୍କ ବହୁମୁଖୀ ପ୍ରତିଭା ଓ ସାରସ୍ୱତ ସାଧନା ସମ୍ପର୍କରେ ଉଚ୍ଚମତ ପ୍ରକାଶ କରିଛନ୍ତି। ସେ ଆଇନବୃତ୍ତିକୁ ସ୍ୱାଧୀନଚେତା ଓ ସ୍ୱାଭିମାନର ସଙ୍କେତ ଭାବେ ବିବେଚନା କରୁଥିଲେ। ଏହାକୁ ଜନସାଧାରଣଙ୍କ ସେବା ଅନ୍ୟର ଦୁଃଖ ଲାଘବର ଶ୍ରେଷ୍ଠ ଅସ୍ତ୍ରଭାବେ ବ୍ୟବହାର କରିଥିଲେ। ନିଖିଳ ଉତ୍କଳ ଆଇନଜୀବୀ ସଂଘର ସେ ଥିଲେ ଅନ୍ୟତମ ପ୍ରତିଷ୍ଠାତା। ନିଜ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ଥିଲେ ଏହାର ସମ୍ପାଦକ। ତାଙ୍କ ସୁପୁତ୍ର ବିଚାରପତି ଅରିଜିତ ପଶାୟତ ଯେତେବେଳେ ଇଞ୍ଜିନିୟରିଂ ପଢ଼ିଲେ ସେ ପୁଅର ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିନଥିଲେ। କିନ୍ତୁ ପୁଅକୁ ଆଇନବୃତ୍ତିର ମହାର୍ଘ୍ୟ ଦିଗ ପ୍ରତି ବୁଝାଇ କହିଥିଲେ ଜଣେ ପ୍ରଥମଶ୍ରେଣୀ ଇଞ୍ଜିନିୟର ହେବା ଅପେକ୍ଷା ତୃତୀୟ ଶ୍ରେଣୀର ଆଇନଜୀବୀ ହେବା ଶ୍ରେୟସ୍କର। ପିତାଙ୍କ ପ୍ରେରଣାରେ ବିଚାରପତି ପଶାୟତ ସରକାରୀ ଇଞ୍ଜିନିୟରିଂ କଲେଜରୁ ପାଠଛାଡ଼ି ଆଇନ ଶିକ୍ଷାରେ ଯୋଗଦେଲେ। ପୁଅକୁ ଆଇନ ବୃତ୍ତିରେ ଯୋଗଦେବାକୁ ପ୍ରେରଣା ଦେବାର ମୂଳ ଲକ୍ଷ୍ୟ ଥିଲା ଏହାଦ୍ୱାରା ପୁଅ ସାଧାରଣ ଲୋକଙ୍କ ଅଧିକ ସେବା କରିପାରିବ। ବିଶ୍ୱନାଥଙ୍କ ଜୀବନ ସାଧାରଣ ଲୋକଙ୍କ ସେବା ପାଇଁ ନିବେଦିତ ଥିଲା। ସେହି କାରଣରୁ ତାଙ୍କୁ ସାଧାରଣ ଜନତାର ସେନାପତି କହିବା ଯଥାର୍ଥ।

kalyan agarbati

Comments are closed.