nua o banner

ଲୋକସଭା ନିର୍ବାଚନରେ ଲିଙ୍ଗଗତ ଅସମାନତା, ପ୍ରଥମ ଦୁଇ ପର୍ଯ୍ୟାୟରେ ମାତ୍ର ୮% ମହିଳା ପ୍ରାର୍ଥୀ

BSKY banner  750×100

ନୂଆଦିଲ୍ଲୀ: ସଂସଦ ଓ ବିଧାନସଭାରେ ମହିଳାଙ୍କ ନିମନ୍ତେ ୩୩% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସଂସଦରେ ଆଇନ ପ୍ରଣୟନ କରାଯାଇଛି। ଆଗାମୀ ୨୦୨୯ ଲୋକସଭା ନିର୍ବାଚନ ଠାରୁ ଏହି ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ମାତ୍ର ଚଳିତ ଲୋକସଭା ନିର୍ବାଚନରେ ଦେଖାଯାଇଥିବା ଲିଙ୍ଗଗତ ଅସମାନତା ସଂସଦରେ ତିଆରି ହୋଇଥିବା ମହିଳା ସଂରକ୍ଷଣ ଆଇନର ବାସ୍ତବତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ଦୁଇ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ଏହି ଦୁଇ ପର୍ଯ୍ୟାୟରେ ମୋଟ ୨୮୨୩ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି। ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୮% ଅର୍ଥାତ୍ ୨୩୫ଜଣ ହେଉଛନ୍ତି ମହିଳା। ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା କମ୍ ରହିବା ରାଜନୈତିକ ଦଳଗୁଡିକର ଲିଙ୍ଗଗତ ଭେଦଭାବକୁ ସୂଚାଉଛି।

କାରଣ ରାଜନୈତିକ ଦଳଗୁଡିକ ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ପ୍ରାର୍ଥୀ କରିବାକୁ ଗୁରୁତ୍ବ ଦେଉଛନ୍ତି। ତାମିଲନାଡୁର ସମସ୍ତ ୩୯ଟି ଆସନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଥିବାବେଳେ ୭୬ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି। ଯାହାକି ରାଜ୍ୟର ମୋଟ ପ୍ରାର୍ଥୀଙ୍କ ସଂଖ୍ୟାର ୮%। କେରଳର ୨୦ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବାବେଳେ ଏଥିରେ ୨୪ଜଣ ମହିଳା ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି। ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନରେ ୨୦୦ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ଏହି ଦୁଇ ପର୍ଯ୍ୟାୟ ପାଇଁ କଂଗ୍ରେସ ୪୪ଜଣ ମହିଳା ପ୍ରାର୍ଥୀ ଦେଇଥିବାବେଳେ ବିଜେପି ୬୯ଜଣ ମହିଳା ପ୍ରାର୍ଥୀ ଦେଇଛି।

ଲୋକସଭା ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା କମ୍ ରହିବାକୁ ନେଇ ରାଜନୈତିକ ସମୀକ୍ଷକ ଓ ସାମାଜିକ କର୍ମୀମାନେ ରାଜନୈତିକ ଦଳଗୁଡିକୁ ସମାଲୋଚନା କରିଛନ୍ତି। ସମୀକ୍ଷକମାନେ କହିଛନ୍ତି ଯେ ରାଜନୈତିକ ଦଳଗୁଡିକ ଅଧିକରୁ ଅଧିକ ମହିଳାଙ୍କୁ ନିର୍ବାଚନ ଲଢିବା ଲାଗି ଟିକଟ ଦେବା ଦରକାର। ରାଜନୈତିକ ଦଳଗୁଡିକ ନିଜର ଦଳୀୟ ବ୍ୟବସ୍ଥା ମଧ୍ୟରେ ମହିଳାଙ୍କ ନିମନ୍ତେ ସଂରକ୍ଷଣ ସୁବିଧା କରିବା ଦରକାର। ଆଗାମୀ ତିନି ପର୍ଯ୍ୟାୟ ନିର୍ବାଚନରେ ଲିଙ୍ଗଗତ ଅସମାନତା ପ୍ରତି ରାଜନୈତିକ ଦଳଗୁଡିକ ଗୁରୁତ୍ବ ଦେବେ​‌ ବୋଲି ସମୀକ୍ଷକମାନେ ଆଶା ବ୍ୟକ୍ତ କରିଛନ୍ତି।

Comments are closed.