www.samajalive.in
Friday, December 12, 2025
15.1 C
Bhubaneswar

ମୁମ୍ବଇର ବ୍ୟାଟିଂ ବିଫଳ; ୬ଷ୍ଠ ବିଜୟ ସହ ୩ୟ ସ୍ଥାନରେ ଲକ୍ଷ୍ନୌ

ଲକ୍ଷ୍ନୌ: ଆଇପିଏଲ୍‌ରେ ମଙ୍ଗଳବାର ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ। ବୋଲରଙ୍କ ସଫଳତା ବଳରେ ମୁମ୍ବଇ ଇଣ୍ଡିଆନ୍‌ସକୁ ୪ ୱିକେଟ୍‌ରେ ଲକ୍ଷ୍ନୌ ପରାସ୍ତ କରିଛି। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ନିହାଲ ୱଧେରା ଓ ଟିମ୍ ଡେଭିଡ୍‌ଙ୍କ ଲଢ଼ୁଆ ଇନିଂସ ବଳରେ ମୁମ୍ବଇ ଇଣ୍ଡିଆନ୍‌ସ ୭ ୱିକେଟ୍‌ରେ ୧୪୪ ରନ୍‌ କରିଥିଲା। ମୁମ୍ବଇ ସଂଘର୍ଷକରି ମ୍ୟାଚ୍‌କୁ ଶେଷ ଓଭର ପର୍ଯ୍ୟନ୍ତ ନେଇଥିଲେ ହେଁ ଜିତି ପାରିନଥିଲା। ମାର୍କସ ଷ୍ଟଇନିସ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୪ଟି ବଲ୍‌ ବାକିଥାଇ ୬ ୱିକେଟ୍‌ ହରାଇ ଲକ୍ଷ୍ନୌ ବିଜୟୀ ହୋଇଥିଲା। ୧୦ମ ମ୍ୟାଚ୍‌ରେ ୬ଷ୍ଠ ବିଜୟ ପରେ ଲକ୍ଷ୍ନୌ ୩ୟ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ୫ ଥର ଆଇପିଏଲ୍‌ ଚମ୍ପିଆନ୍‌ ମୁମ୍ବଇ ୧୦ମ ମ୍ୟାଚ୍‌ରେ ୭ମ ପରାଜୟ ଭୋଗି ଚିନ୍ତାରେ ପଡ଼ିଯାଇଛି।
୧୪୫ ରନ୍‌ର ବିଜୟଲକ୍ଷ୍ୟ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ପାଇଁ ସହଜ ମନେ ହେଉଥିଲେ ହେଁ ପ୍ରଥମ ଓଭରରେ ଘରୋଇ ଦଳ ୱିକେଟ୍‌ ହରାଇଥିଲା। ଇମ୍ପାକ୍ଟ ଖେଳାଳି ଭାରତୀୟ ୧୯ ବର୍ଷରୁ କମ୍ ବିଶ୍ବକପ୍‌ ଦଳର ସଦସ୍ୟ ଅର୍ସିନ୍ କୁଲକର୍ଣ୍ଣି ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ୩ ଓଭରରୁ ୧୧ ରନ୍‌ ହୋଇଥିବା ବେଳେ ୪ର୍ଥ ଓଭରରୁ ଅଧିନାୟକ କେ.ଏଲ୍‌. ରାହୁଲ ଓ ମାର୍କସ ଷ୍ଟଇନିସ୍‌ ଆକ୍ରମଣ କରିଥିଲେ। ଦୁହେଁ ୨ୟ ୱିକେଟ୍‌ ପାଇଁ ୫୮ ରନ୍‌ ଯୋଡ଼ିବା ପରେ ରାହୁଲ ଆଉଟ୍‌ ହୋଇଥିଲେ। ରାହୁଲ ୨୨ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୮ ରନ୍‌ କରିଥିଲେ। ୯୯ ରନ୍‌ ସ୍କୋର୍‌ରେ ଦୀପକ ହୁଡା ୧୮ ବଲ୍‌ରୁ ୨ଟି ଚୌକା ସହ ୧୮ ରନ୍‌କରି ବିଦାୟ ନେଇଥିଲେ। ବିସ୍ଫୋରକ ଇନିଂସ ଖେଳିଥିବା ଅଷ୍ଟ୍ରେଲୀୟ ମାର୍କସ ଷ୍ଟଇନିସ୍‌ ୪୫ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୬୨ ରନ୍‌କରି ବିଦାୟ ନେଇଥିଲେ। ଆଷ୍ଟନ୍ ଟର୍ଣ୍ଣର ୫ ଓ ଆୟୁଷ ବଦୋନି ୬ ରନ୍‌କରି ଆଉଟ୍‌ ହୋଇଥିଲେ। ନିକୋଲାସ୍ ପୁରନ୍‌ ୧୪ ରନ୍‌ରେ ଅପରାଜିତ ରହି ଦଳକୁ ଜିତାଇଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍‌ ନେଇଥିଲେ।
ଟସ୍ ଜିତି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଫିଲ୍‌ଡିଂ କରିଥିଲା। ମୁମ୍ବଇ ଇଣ୍ଡିଆନ୍‌ସ ପ୍ରାରମ୍ଭିକ ବିପର୍ଯ୍ୟୟ ଭୋଗି ମାତ୍ର ୨୭ ରନ୍‌ରେ ଦଳର ୪ ପ୍ରମୁଖ ବ୍ୟାଟ୍‌ସମ୍ୟାନଙ୍କ ୱିକେଟ୍‌ ହରାଇଥିଲା। ସେମାନଙ୍କ ମଧ୍ୟରେ ଭାରତୀୟ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଦଳର ୪ ସଦସ୍ୟ ଥିଲେ। ରୋହିତ ଶର୍ମା ୪ ରନ୍‌କରି ବିଦାୟ ନେଇଥିଲେ। ସୂର୍ଯ୍ୟକୁମାର ଯାଦବ ଗୋଟିଏ ଛକାମାରି ୧୦ ରନ୍‌କରି ବିଦାୟ ନେଇଥିଲେ। ତିଳକ ବର୍ମା ୭ ରନ୍‌ କରି ପାରିଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ପରେ ଓପ୍‌ନର ଈଶାନ୍ କିଷନ୍ ଓ ନିହାଲ ୱଧେରା ୫ମ ୱିକେଟ୍‌ ପାଇଁ ୫୩ ରନ୍‌ ଯୋଡ଼ିଥିଲେ। ୧୪ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ଜଗିରଖି ବ୍ୟାଟିଂ କରିଥିବା ଈଶାନ୍ କିଷନ ୩୬ ବଲ୍‌ରୁ ୩ଟି ଚୌକା ସହ ମାତ୍ର ୩୨ ରନ୍‌ କରିଥିଲେ। ପରେ ୱଧେରା ଓ ଟିମ୍ ଡେଭିଡ୍‌ଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁଁ ଶେଷ ୬ ଓଭରରୁ ମୁମ୍ବଇ ୬୪ ରନ୍‌ କରି ପାରିଥିଲା। ନିହାଲ ୱଧେରା ୪୧ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୬ ରନ୍‌ କରିଥିଲେ। ଅଷ୍ଟ୍ରେଲିଆର ଟିମ୍ ଡେଭିଡ୍‌ ବିସ୍ଫୋରକ ବ୍ୟାଟିଂକରି ୧୮ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୫ ରନ୍‌କରି ଅପରାଜିତ ଥିଲେ। ମୋହ୍‌ସିନ ଖାଁ ୨ଟି ୱିକେଟ ନେଇଥିଲେ। ଏହି ମ୍ୟାଚ୍‌ରେ ଫେରିଥିବା ଫାଷ୍ଟବୋଲର ମୟଙ୍କ ଯାଦବ ୩.୧ ଓଭରରୁ ୩୧ ରନ୍‌ଦେଇ ଗୋଟିଏ ୱିକେଟ୍‌ ନେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories