www.samajalive.in
Thursday, December 11, 2025
23.1 C
Bhubaneswar

ନେହେରୁ, ଇନ୍ଦିରା ଭୋଟ ଚୋରି କରିଥିଲେ: ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ଆଲୋଚନା ହୋଇଛି। ଆଲୋଚନାରେ ଭାଗ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର)କୁ ନେଇ ବିରୋଧୀ ଦଳଗୁଡିକ ମିଥ୍ୟା ପ୍ରଚାର ଚଳାଇଛନ୍ତି। ବିରୋଧୀ ଦଳଗୁଡିକ ନିଜର ନିର୍ବାଚନ ଫାଇଦା ପାଇଁ ନିର୍ବାଚନ ଆୟୋଗଙ୍କୁ ନିନ୍ଦିତ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ନିର୍ବାଚନ ଆୟୋଗ ଯେଉଁ ଏସ୍‌ଆଇଆର ପ୍ରକ୍ରିୟା ଚଳାଇଛନ୍ତି ତଦ୍ଦ୍ବାରା ଅନୁପ୍ରବେଶକାରୀ ଓ ନକଲି ଭୋଟର ବାଦ୍ ପଡିବେ। ଅନୁପ୍ରବେଶକାରୀ ଓ ନକଲି ଭୋଟରଙ୍କୁ ଆଧାର କରି ବିରୋଧୀ ଦଳ କ୍ଷମତାସୀନ ହେବାକୁ ଚେଷ୍ଟା ଚଳାଇଛି। ଅନୁପ୍ରବେଶକାରୀଙ୍କୁ ଯିଏ ନିଜର ଭୋଟ ବ୍ୟାଙ୍କ କରିଛି ସେହିମାନେ ହିଁ ଏସଆଇଆରକୁ ବିରୋଧ କରୁଛନ୍ତି। କଂଗ୍ରେସ ଶାସିତ ସରକାର ୧୯୫୨ ଓ ୨୦୦୪ରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ କରିଥିଲା। ସେତେବେଳେ ଏହାକୁ କେହି ବିରୋଧ କରି ନଥିଲେ।
ନିର୍ବାଚନ ଅନିୟମିତତା ବା ଭୋଟ୍ ଚୋରି ପ୍ରସଙ୍ଗରେ ଜବାବ ଦେଇ ଶାହା କହିଥିଲେ ଭୋଟ୍ ଚୋରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଅମଳରୁ ଆରମ୍ଭ ହୋଇ ଇନ୍ଦିରା ଗାନ୍ଧୀ ଓ ବର୍ତ୍ତମାନର ସୋନିଆ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଲାଗି ରହିଛି। ଭୋଟ ଚୋରିର ତିନିଟି ଉଦାହରଣ ଦେଇ ସେ କହିଥିଲେ ଯେ କଂଗ୍ରେସ ପ୍ରେସିଡେନ୍ସି ନିର୍ବାଚନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୨୮ଟି ଭୋଟ ପାଇଥିବାବେଳେ ଜବାହରଲାଲ ନେହେରୁ ୨ଟି ଭୋଟ ପାଇଥିଲେ। ମାତ୍ର ପଟେଲଙ୍କ ପରିବର୍ତ୍ତେ ନେହେରୁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଦ୍ବିତୀୟରେ ଇନ୍ଦିରା ଗାନ୍ଧୀଙ୍କ ରାୟବରେଲି ନିର୍ବାଚନକୁ ୧୯୭୫ ମସିହାରେ ଆହ୍ଲାବାଦ ହାଇକୋର୍ଟ ଅବୈଧ ଘୋଷଣା କରିଥିଲେ। ଏପରି କି ତାଙ୍କୁ ୬ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ। ମାତ୍ର ଇନ୍ଦିରା ଗାନ୍ଧୀ ନିଜ ନିର୍ବାଚନକୁ ବୈଧ କରିବା ଲାଗି ନିର୍ବାଚନ ଆଇନରେ ସଂଶୋଧନ କରିଥିଲେ। ସଂଶୋଧିତ ଆଇନ ଅନୁଯାୟୀ ସୁପ୍ରିମକୋର୍ଟ ଇନ୍ଦିରାଙ୍କ ନିର୍ବାଚନକୁ କାଏମ ରଖିଥିଲେ। କଂଗ୍ରେସ ଓ ଗାନ୍ଧୀ ପରିବାରର ଏହି ଭୋଟ ଚୋରି ଏବେ ମଧ୍ୟ ଲାଗି ରହିଛି। କାରଣ ଭାରତର ନାଗରିକ ନ ଥାଇ ସୋନିଆ ଗାନ୍ଧୀ ନିଜକୁ ଭାରତୀୟ ଭୋଟର ଭାବେ ତାଲିକାଭୁକ୍ତ କରିଥିଲେ। ଏହି ବିବାଦକୁ ନେଇ ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ସୋନିଆଙ୍କୁ ନୋଟିସ୍ ଜାରି କରିଛନ୍ତି। ସୋନିଆ ୧୯୬୮ରେ ରାଜୀବ ଗାନ୍ଧୀଙ୍କୁ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ପରେ ୧୯୮୩ରେ ସେ ଭାରତର ନାଗରିକତ୍ବ ଗ୍ରହଣ କରିଥିଲେ। ମାତ୍ର ୧୯୮୦-୮୧ରେ ସୋନିଆଙ୍କ ନାମ ଭାରତର ଭୋଟର ତାଲିକାରେ ସ୍ଥାନ ପାଇଥିଲା। ସୋନିଆଙ୍କ ନାମ ଭୋଟର ତାଲିକାରେ ଏପରି ସ୍ଥାନିତ କରାଯିବାକୁ ତତ୍କାଳୀନ କଂଗ୍ରେସ ସରକାରର ଭୋଟ ଚୋରି ସହିତ ସମାନ ବୋଲି ଶାହା କହିଛନ୍ତି। ମାତ୍ର କଂଗ୍ରେସ କହିଛି ଯେ ସୋନିଆଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୂକ୍ତ ସତ୍ତ୍ବେ ସେ ଭୋଟ ଦେଇ ନଥିଲେ। ତେଣୁ ଏହା ଭୋଟ ଚୋରି ନୁହେଁ।
ଶାହା ଆଜି ଲୋକସଭାରେ ନିଜର ତର୍କ ଉପସ୍ଥାପନ କରୁଥିବା ସମୟରେ ରାହୁଲ ଗାନ୍ଧୀ ବାଧା ସୃଷ୍ଟି କରିଥିଲେ। ଭୋଟ ଚୋରି ଉପରେ ବିତର୍କ କରିବାକୁ ରାହୁଲ ଆହ୍ବାନ ଦେଇଥିଲେ। ମାତ୍ର ଶାହା କହିଥିଲେ ଯେ ମୁଁ କ’ଣ କହିବି ତା’ ଉପରେ ରାହୁଲ ନିଷ୍ପତ୍ତି ନେଇପାରିବେ ନାହିଁ। ମଁୁ କ’ଣ କହିବି ତାହା ମୁଁ ନିର୍ଦ୍ଧାରଣ କରିବି। ରାଜ୍ୟସଭାରେ ଦ୍ବିତୀୟ ଦିନ ପାଇଁ ବନ୍ଦେ ମାତରମ୍‌ ଉପରେ ଆଲୋଚନା ହୋଇଛି। ବିଜେପି ସଦସ୍ୟମାନେ ଗୃହରେ ବନ୍ଦେ ମାତରମ୍‌ର କେତେକ ପଦ ଆବୃତ୍ତି କରିଥିଲେ। ରାଜ୍ୟସଭାରେ ମଧ୍ୟ ବିରୋଧୀ ସଦସ୍ୟମାନଙ୍କ କକ୍ଷ ତ୍ୟାଗ ଦେଖିବାକୁ ମିଳିଥିଲା।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories