ଭୁବନେଶ୍ୱର – ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ ମାନଙ୍କ ଦରମା ଓ ଭତ୍ତା ବୃଦ୍ଧି କୁ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ତା ବିରୋଧ କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀ , ବାଚସ୍ପତି, ଉପବାଚସ୍ପତି , ମନ୍ତ୍ରୀଗଣ, ବିରୋଧି ଦଳର ନେତା , ସରକାରୀ ମୁଖ୍ୟସଚେତକ ଏବଂସମସ୍ତ ବିଧାୟକ ମାନଙ୍କର ଦରମା ଓ ଭତ୍ତା ତିନିଗୁଣ ବୃଦ୍ଧି ହୋଇଛି। ଏହି ପ୍ରସ୍ତାବକୁ ବିଜେଡି, ବିଜେପି, କଂଗ୍ରେସ ଏକାଠି ହୋଇ ସର୍ମଥନ କରିଥିବା ବେଳେ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ତା ଏହାକୁ ବିରୋଧ କରିଛନ୍ତି।
ସେ କହିଛନ୍ତି ଯେ ରାଜ୍ୟରେ ଶ୍ରମିକ,କର୍ମଚାରୀ , ଶିକ୍ଷକ ମାନେ ଦୁଃଖ ଭିତରେ ଅଛନ୍ତି। ଶ୍ରମଜୀବୀ ଓ ମୁଲିଆ ମାନଙ୍କ ଦାବିକୁ ସରକାର ପ୍ରତ୍ୟାଖାନ କରୁଥିବା ବେଳେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧିକୁ ସିପିଏମ ବିରୋଧ କରିବ। ତୁରନ୍ତ ଏହି ନିଷ୍ପତିକୁ ପ୍ରତ୍ୟାହାର କରାନଗଲେ ବିଧାନସଭା ଭିତରେ ଓ ବାହାରେ ଗଣତାନ୍ତ୍ରିକ ମାଧ୍ୟମରେ ସଂଗ୍ରାମ ଜାରି ରହିବ।
ସୂଚନାଯୋଗ୍ୟ ଓଡ଼ିଶା ବିଧାନସଭାର ସଦସ୍ୟ, ବାଚସ୍ପତି, ଉପ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମାନଙ୍କ ଦରମା ଓ ଭତ୍ତା ବହୁଗୁଣା ବୃଦ୍ଧିକୁ ନେଇ ସବୁଆଡ଼େ ଆଲୋଚନା। ସଦସ୍ୟମାନେ ଏହା ଯଥାର୍ଥ ବୋଲି ଦାବି କରୁଥିବା ବେଳେ ସାଧାରଣରେ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଆଲୋଚନା ବେଶ୍ ଜୋର ଧରିଛି। ମଙ୍ଗଳବାର ବିଧାନସଭାର ଶୀତ ଅଧିବେଶନ ବନ୍ଦ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାୟକ ଓ ଅନ୍ୟମାନଙ୍କ ଦରମା/ଭତ୍ତା ଏବଂ ପୂର୍ବତନ ବିଧାୟକମାନଙ୍କ ପେନସନ୍/ଭତ୍ତା ବୃଦ୍ଧି ନେଇ ବିଧେୟକ ଗୃହରେ ଉପସ୍ଥାପନ କରାଯାଇଥିଲା। ଦଳମତ ନିର୍ବିଶେଷରେ ସବୁ ବିଧାୟକ ଏହାକୁ ସମର୍ଥନ ଜଣାଇଥିଲେ। ବିଧେୟକ ଆଗତ ହେବା ପୂର୍ବରୁ ଏବଂ ପରେ ଶାସକ, ବିରୋଧୀ ସମସ୍ତେ ବେଶ୍ ଉତ୍ସାହିତ ଥିଲେ। ତେବେ ଏହାକୁ ନେଇ ସାଧାରଣରେ ଆରମ୍ଭ ହୋଇଛି ଚର୍ଚ୍ଚା ଓ ଆଲୋଚନା। ଓଡ଼ିଶା ବିଧାନସଭାର ସଦସ୍ୟ ଓ ଅନ୍ୟମାନଙ୍କ ଦରମା/ଭତ୍ତା ଏବେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ହୋଇଛି।
ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ରାଜ୍ୟର ବିଧାୟକଙ୍କୁ ପଛରେ ପକାଇଛି ଓଡ଼ିଶା। ଓଡ଼ିଶା ପଛକୁ ଝାଡ଼ଖଣ୍ଡର ବିଧାୟକ ଦ୍ବିତୀୟ ସର୍ବାଧିକ ଦରମା ପାଉଛନ୍ତି। ଝାଡ଼ଖଣ୍ଡର ବିଧାୟକଙ୍କୁ ମାସିକ ୨ ଲକ୍ଷ ୯୦ ହଜାର ଟଙ୍କା ଦରମା ମିଳୁଥିବା ବେଳେ ମହାରାଷ୍ଟ୍ର ଓ ତେଲଙ୍ଗାନାର ବିଧାନସଭାର ସଦସ୍ୟମାନଙ୍କୁ ଅଢ଼େଇ ଲକ୍ଷ, ଉତ୍ତର ପ୍ରଦେଶର ବିଧାୟକଙ୍କୁ ୨ ଲକ୍ଷ ୯୬ ହଜାର ଟଙ୍କା ଦରମା ମିଳୁଛି। ଓଡ଼ିଶାର ବିଧାୟକଙ୍କୁ ଦରମା ଓ ଭତ୍ତା ବାବଦରେ ୩ ଲକ୍ଷ ୪୫ ହଜାର ଟଙ୍କା ମିଳିବ। କେରଳ ବିଧାନସଭାର ସଦସ୍ୟଙ୍କୁ ଦ୍ବିତୀୟ ସର୍ବନିମ୍ନ ଦରମା ଓ ଭତ୍ତା ମାସିକ ୭୦ ହଜାର ଟଙ୍କା ମିଳୁଥିବାବେଳେ ସବୁଠାରୁ କମ୍ ତ୍ରିପୁରା ବିଧାୟକଙ୍କ ଦରମା ମାସିକ ମାତ୍ର ୫୦ହଜାର ରହିଛି। ସେହିପରି ଦିଲ୍ଲୀର ବିଧାୟକମାନଙ୍କୁ ୧ ଲକ୍ଷ ୨୫ ହଜାର ଟଙ୍କା ଦିଆଯାଉଛି। ପ୍ରାୟ ୮ ବର୍ଷ ଧରି ଓଡ଼ିଶା ବିଧାନସଭାରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ
ଦରମା/ଭତ୍ତା ବୃଦ୍ଧି ପାଇଁ ଦାବି ହୋଇ ଆସୁଥିଲା। ଏହାକୁ ନେଇ ଓଡ଼ିଶା ବିଧାନସଭାର ସଦସ୍ୟମାନେ ଯୁକ୍ତି ବାଢ଼ିଛନ୍ତି ଯେ ବର୍ଦ୍ଧିତ ଦରଦାମ ପରିପ୍ରେକ୍ଷୀରେ ସ୍ବଳ୍ପ ଦରମାରେ ଚଳିବା ବହୁତ କଷ୍ଟକର ହେଉଥିଲା। ନିର୍ବାଚନମଣ୍ଡଳୀର ଲୋକଙ୍କ କଥା ବି ବୁଝିବାକୁ ପଡୁଛି। ତେଣୁ ଦରମା ଓ ଭତ୍ତା ବୃଦ୍ଧି ଜରୁରୀ ଥିଲା ବୋଲି କୁହାଯାଇଛି।



