ପୋଷ୍ୟ ପିତା ପ୍ରସ୍ତାବ

ପ୍ରଦୀପ ମହାପାତ୍ର

ଦୀର୍ଘ କାଳରୁ ପୋଷ୍ୟ ସନ୍ତାନ ପ୍ରଥା ପ୍ରଚଳିତ ଥିଲା, ତେବେ ‘ପୋଷ୍ୟ ପିତା’ ପ୍ରସ୍ତାବ ପରିବର୍ତ୍ତିତ ପାରିବାରିକ ଆଙ୍ଗିକରେ ଏକ ବିସ୍ମୟକର ଉଚ୍ଚାରଣ। ଚୀନରେ ଜଣେ ୮୫ ବର୍ଷ ବୟସ୍କ ବରିଷ୍ଠ ନାଗରିକ ପାରିବାରିକ ସଦସ୍ୟଙ୍କ ଅନୁପସ୍ଥିତିରେ ନିଜକୁ ପୋଷ୍ୟ ପିତା ରୂପେ ସମର୍ପଣ କରିବାଲାଗି ସର୍ବସାଧାରଣରେ ବିଜ୍ଞପିତ କରିଥିଲେ। ଏହି ଘଟଣାଟି ସାମାଜିକ ଗଣମାଧ୍ୟମରେ ପ୍ରଚ଼ାରିତ ହେବା ପରେ ଦେଶବିଦେଶର ଗଣମାଧ୍ୟମରେ ବହୁଳ ଚର୍ଚ୍ଚିତ ହୋଇଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ‘ଦି ୱାଶିଂଟନ ପୋଷ୍ଟ’ରେ ପ୍ରକାଶିତ ବିବରଣୀ ଅନୁଯାୟୀ ଚୀନର ଟିଆନଜିନ ସହରରେ ହାନ ଜିଚ଼େଙ୍ଗ ନାମକ ଜଣେ ଅବସରପ୍ରାପ୍ତ କର୍ମଚ଼ାରୀ ବସବାସ କରୁଥିଲେ। ତାଙ୍କରି ତିନିଗୋଟି ପୁତ୍ରଙ୍କ ମଧ୍ୟରୁ ଜଣେ ନିଯୁକ୍ତି ଉଦ୍ଦେଶ୍ୟରେ କାନାଡ଼ା ଚ଼ାଲିଯାଇଥିବାବେଳେ ଭିନ୍ନ ସହରରେ ଅବସ୍ଥାପିତ ଅନ୍ୟ ଦୁଇଜଣ ତାଙ୍କ ସହ ସଂପର୍କ ରଖୁନଥିଲେ। ହାନଙ୍କ ପତ୍ନୀଙ୍କ ମୃତ୍ୟୁପରେ ସେ ଏକୁଟିଆ ହୋଇଗଲେ।

ହାନ ଏକ ବିଜ୍ଞାନ ଗବେଷଣା କେନ୍ଦ୍ରରେ କର୍ମଜୀବନ ସାରି ଅବସର ଗ୍ରହଣ ପରେ ମାସିକ ପ୍ରାୟ ୬୫ ହଜାର ଟଙ୍କା ପେନସନ ପାଉଥିଲେ । ସେ ସୁସ୍ଥ ସବଳ ଥିଲେ, ସାଇକଲ ମାରି ବଜାରସଉଦା କରୁଥିଲେ । ରନ୍ଧାବଢ଼ାରେ କୌଣସି ଅସୁବିଧା ନଥିଲା । ତେବେ ବୟସ ବୃଦ୍ଧି ସଙ୍ଗେ ନିଃସଙ୍ଗତା ଅସହ୍ୟ ହୋଇପଡ଼ିଲା। ପାଖ ପଡ଼ୋଶୀ ନିଜନିଜ ପାରିବାରିକ ଜଞ୍ଜାଳରେ ବ୍ୟସ୍ତଥିବା ହେତୁ ଦିନ ଦିନ ଧରି କାହା ସହିତ ସାମାନ୍ୟ କଥୋପକଥନ ମଧ୍ୟ ସଂଭବପର ହୋଇପାରୁ ନଥିଲା।

ଡ଼ିସେମ୍ୱର ୨୦୧୭ରେ ଏକ ଅଜବ ଖିଆଲ ହାନଙ୍କ ମୁଣ୍ଡକୁ ଜୁଟିଲା । ତାଙ୍କୁ ପୋଷ୍ୟ ପିତାରୂପେ ଗ୍ରହଣ କରିବା ନିମନ୍ତେ ପ୍ରସ୍ତାବ ବିଜ୍ଞାପନ ଆକାରରେ ହାତରେ ଲେଖି ସହରର ବସଷ୍ଟାଣ୍ଡ, ଦୋକାନବଜାର କାନ୍ଥରେ ଲଟକାଇବାକୁ ଲାଗିଲେ। ହାନଙ୍କ ମନରେ ଭୟ ଆସିଯାଇଥିଲା ଯେ ସେ ଏକୁଟିଆ ରହୁଥିବା ହେତୁ ମରିଗଲେ ତତ୍କାଳ ତାଙ୍କର ଶବ ସତ୍କାର ହୋଇ ପାରିବ ନାହିଁ । ତେଣୁ ଉତ୍ତର-ବାର୍ଦ୍ଧକ୍ୟରେ କେହି ଜଣେ ଅନ୍ତରଙ୍ଗଙ୍କ ସାନ୍ନିଧ୍ୟରେ ସେ ବଞ୍ଚିବାକୁ ଚ଼ାହୁଁଥିଲେ।

ଚୀନରେ ପର୍ଯ୍ୟାପ୍ତ ନହେଲେ ବି ବାର୍ଦ୍ଧକ୍ୟ ସେବା ପ୍ରଦାନ କରିବା ନିମନ୍ତେ କିଛି ସଂଖ୍ୟକ ନର୍ସିଂହୋମର ସୁବିଧା ରହିଛି ଓ ହାନ ନିଜ ପେନ୍‌ସନ ପଇସା ଉପଯୋଗରେ ନର୍ସିଂହୋମରେ ଭର୍ତ୍ତି ହୋଇପାରିଥାନ୍ତେ; କିନ୍ତୁ ସେ ନର୍ସିଂହୋମ ଯିବାକୁ ଚ଼ାହୁଁ ନଥିଲେ । କେହି ଜଣେ ଦୟାଳୁ ତାଙ୍କୁ ପୋଷ୍ୟ ପିତାରୂପେ ଗ୍ରହଣ କରିନେବ ଏବଂ ବାକିତକ ଜୀବନ ଦେଖାଶୁଣାକରି ମୃତ୍ୟୁପରେ ଉଚ଼ିତ ଢ଼ଙ୍ଗରେ ଶବ ସତ୍କାର କରିବ ବୋଲି ତାଙ୍କରି ଆଶା ଥିଲା । ହାନଙ୍କ ବିଜ୍ଞାପନ ଜଣେ ମହିଳାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଦିନେ ଦୋକାନ କାନ୍ଥରେ ହାନ ବିଜ୍ଞାପନ ଲଟକାଉଥିବାର ଫଟୋ ଉତ୍ତୋଳନକରି ମହିଳା ଜଣକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କଲେ। ତତ୍‌କ୍ଷଣାତ୍‌ ସ୍ଥାନୀୟ ୱେବ ଟେଲିଭିଜନ ହାନଙ୍କଠାରୁ ସାକ୍ଷାତକାର ନେଇ ତାଙ୍କରି ଜୀବନ, ଆଶାଆକାଙ୍‌କ୍ଷା ସଂପର୍କରେ ପ୍ରସାରଣ କଲେ। କ୍ରମଶଃ ଜାତୀୟ ଓ ଆନ୍ତର୍ଜାତିକ ଗଣମାଧ୍ୟମରେ ହାନଙ୍କ ପୋଷ୍ୟ ପିତା ପ୍ରସଙ୍ଗ ଚର୍ଚ୍ଚିତ ହେଲା ।
ବିସ୍ତୃତ ପ୍ରଚ଼ାର ସତ୍ତ୍ୱେ ହାନଙ୍କ ପୋଷ୍ୟ ପିତା ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରି ନଥିଲା । ଜଣେ ଦେଶାନ୍ତରୀ ଶ୍ରମିକ, ହାନଙ୍କୁ ପୋଷ୍ୟ ପିତାରୂପେ ଗ୍ରହଣ କରିବାକୁ ରାଜି ହୋଇଥିଲେ; କିନ୍ତୁ ତାଙ୍କରି ସାମାଜିକ ସ୍ଥିତି ବିଚ଼ାରକୁ ନେଇ ହାନ ମନା କରିଦେଇଥିଲେ । ଜଣେ ଆଇନ ଛାତ୍ରୀ ଜିଆଙ୍ଗ ଜିଙ୍ଗ ଓ ଅନ୍ୟ ଜଣେ ସାମରିକ କର୍ମଚ଼ାରୀ କୁଇଙ୍କ ସହ ଟେଲିଫୋନରେ ବନ୍ଧୁତା ସ୍ଥାପନ ହେଲା । ସେମାନେ ମାସରେ ଥରେ ଅଧେ ତାଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ହେଉଥାନ୍ତି ।

ମାର୍ଚ୍ଚ ୨୦୧୮ରେ ହାନ ଅସୁସ୍ଥ ହୋଇପଡ଼ିଲେ। ସେ ମାର୍ଚ୍ଚ ୧୩ରେ ଜିଆଙ୍ଗକୁ ଫୋନ କଲେ; କିନ୍ତୁ କୌଣସି କାରଣରୁ ଜିଆଙ୍ଗ ଟେଲିଫୋନ ଉଠାଇ ପାରିଲେ ନାହିଁ ଓ ତା’ପରେ ସେ କୁଇଙ୍କୁ ଫୋନ କଲେ। କୁଇ ଟିଆନଜିନ ସହରରେ ପହଞ୍ଚି ହାନଙ୍କୁ ହସପିଟାଲକୁ ନେଲେ। ମାର୍ଚ୍ଚ ୧୭ରେ ହାନଙ୍କ ମୃତ୍ୟୁ ଘଟିଲା । ହାନ ଭୟକରୁଥିଲେ ସେ ଏକାକୀ ଘରେ ମରିଯିବା ପରେ ​‌େ‌କହି ଜାଣିପାରିବେ ନାହିଁ; କିନ୍ତୁ ତାଙ୍କ ବିଜ୍ଞାପନ ଓ ତଜ୍ଜନିତ କୁଇଙ୍କ ସହ ବନ୍ଧୁତା କାରଣରୁ ସେଭଳି ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିଲା ।

ଏପ୍ରିଲ ପ୍ରଥମ ସପ୍ତାହରେ ହାନଙ୍କ ଟେଲିଫୋନ ନମ୍ୱରରେ ଜିଆଙ୍ଗ ଟେଲିଫୋନ କରିବା ଅବସରରେ ହାନଙ୍କ ପୁତ୍ର କହିଲେ ଯେ ତାଙ୍କ ବାପାଙ୍କ ୧୭ ମାର୍ଚ୍ଚରେ ତିରୋଧାନ ଘଟିଛି। ହାନଙ୍କ ମୃତ୍ୟୁର ଦୁଇ ସପ୍ତାହ ପରେ ତାଙ୍କରି ବସ୍ତିର ନାଗରିକ କମିଟି ଏ ସଂପର୍କରେ ଜାଣିଲେ ଓ କୁଇଙ୍କଠାରୁ ଖବର ପାଇ କାନାଡ଼ାରେ ଅବସ୍ଥାପିତ ହାନଙ୍କ ପୁତ୍ର ଆସି ଅ‌େ‌ନ୍ତ୍ୟଷ୍ଟି କ୍ରିୟା ସମାପନ କଲେ । ହାନଙ୍କ ପଡ଼ୋଶୀମାନେ କହିଲେ ଯେ ସେମାନେ କିଛି ଦିନ ଧରି ହାନଙ୍କ ଅନୁପସ୍ଥିତି ବାରିଥିଲେ, କିନ୍ତୁ କେହି ଏ ସଂପର୍କରେ ଅନୁସନ୍ଧାନ କରିନଥିଲେ ।

ହାନଙ୍କ ପୋଷ୍ୟ ପିତା ସଂପର୍କରେ ବିଜ୍ଞପ୍ତିକୁ ନେଇ ତାଙ୍କରି ପୁତ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ତାଙ୍କର କହିବା ଅନୁଯାୟୀ ହାନ ଆରାମଦାୟକ ପରିବେଶରେ ବାର୍ଦ୍ଧକ୍ୟ ବିତାଇଛନ୍ତି । ଏଭଳି ଘଟଣା ସର୍ବତ୍ର ଘଟୁଛି ଓ ଗଣମାଧ୍ୟମ ତାଙ୍କରି ପିତାଙ୍କ ବିଜ୍ଞାପନ ସଂପର୍କରେ ଚର୍ଚ୍ଚା କରି ଅଯଥା ଗୁରୁତ୍ୱ ଦେଇଥିବାରୁ ସେଥିନେଇ ମଧ୍ୟ ବିଷୋଦ୍‌ଗାର କରିଥିଲେ ; କିନ୍ତୁ ହାନଙ୍କ ବିଜ୍ଞାପନ ଓ ଗଣମାଧ୍ୟମରେ ପ୍ରସାରଣ ଯେ କୁଇଙ୍କ ଭଳି ଜଣେ ସ୍ନେହୀ ସ୍ୱେଚ୍ଛାସେବୀଙ୍କୁ ତାଙ୍କରି ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ କରାଇପାରିଥିଲା ସେହି କଥା ବୁଝିପାରି ନଥିଲେ।

ଚୀନରେ ବରିଷ୍ଠ ନାଗରିକ ଜନସଂଖ୍ୟା ୨୦୫୦ ବେଳକୁ ୫୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଚୀନରେ ବର୍ଦ୍ଧିଷ୍ଣୁ ବରିଷ୍ଠ ନାଗରିକଙ୍କ ଉତ୍ତର-ବାର୍ଦ୍ଧକ୍ୟରେ ନିଃସଙ୍ଗ ଜୀବନର ମୁକାବିଲା କରିବା ନିମନ୍ତେ ସାମାଜିକସ୍ତରରେ ବାର୍ଦ୍ଧକ୍ୟ ସେବାଜନିତ ଭିତ୍ତିଭୂମି ପ୍ରତିଷ୍ଠା ଜରୁରୀ ହୋଇପଡ଼ିଛି। ଚୀନର ଉଦାହରଣ ପଡ଼ୋଶୀ ଭାରତ ପାଇଁ ମଧ୍ୟ ପ୍ରଯୁଜ୍ୟ। ଆମ ଦେଶରେ ପାରିବାରିକ ଆଙ୍ଗିକ ଭାଙ୍ଗିପଡୁଥିବାବେଳେ ନିକଟ ଭବିଷ୍ୟତରେ ହାନଙ୍କ ଉଦାହରଣର ଅଭାବ ରହିବ ନାହିଁ।

ଆର୍ଥିକ ସ୍ୱଚ୍ଛଳତା ସତ୍ତ୍ୱେ ଉତ୍ତର-ବାର୍ଦ୍ଧକ୍ୟରେ ନିଃସଙ୍ଗତା। ସେଥିରୁ ନିସ୍ତାର ପାଇବା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ପାଶ୍ଚାତ୍ୟ ଜଗତରେ ବିକଶିତ ଅବସର ବିହାରରେ ପୁନର୍ବାସ ଢାଞ୍ଚା ପ୍ରତି ବରିଷ୍ଠ ନାଗରିକମାନେ ବିମୁଖ ହେଉଥିବା ଅବସରରେ ସେମାନଙ୍କ ବାସସ୍ଥାନରେ ଜିଆଙ୍ଗ, କୁଇଙ୍କ ଭଳି ଯୁବ ସ୍ୱେଚ୍ଛାସେବୀଙ୍କ ମହତ୍‌ ଅବଦାନକୁ ସୂଚ଼ାରୁରୂପେ ପରିଚ଼ାଳିତ କରିବା ନିମନ୍ତେ ପ୍ରଯୁକ୍ତି କଳାକୌଶଳ ସମୃଦ୍ଧ ଭିତ୍ତିଭୂମି ପ୍ରତିଷ୍ଠାର ଆବଶ୍ୟକତା ଅନୁଭୂତ ହୁଏ ।

Comments are closed.