ଧାମରା: ବିଜୁ ପଟ୍ଟନାୟକ ମିନି ଷ୍ଟାଡ଼ିୟମକୁ ୬ ବର୍ଷ ବିତିଲା। ତଥାପି ଏହାର ନିର୍ମାଣ କାମ ଅଧପନ୍ତରା ହୋଇ ପଡ଼ି ରହିଛି। ଅସମ୍ପୂର୍ଣ୍ଣ ଥିବା ଏହି ଷ୍ଟାଡ଼ିୟମର ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ତାହାର ଉତ୍ତର କାହାରି ପାଖରେ ନାହିଁ। ଷ୍ଟାଡ଼ିୟମ ନିର୍ମାଣ ପାଇଁ ଅର୍ଥ ବାଧକ ସାଜିବ ନାହିଁ ବୋଲି ପୂର୍ବତନ ସାଂସଦ ଓ ବିଧାୟକ ଦେଇଥିବା ପ୍ରତିଶ୍ରୁତି ଏଠାରେ ପାଣିର ଗାର ସଦୃଶ ହୋଇଛି। ଅନ୍ୟପକ୍ଷରେ କରଞ୍ଜମାଳ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଅଭୟ ଜେନା କହିଛନ୍ତି ଯେ ସେ ଏହି ପଞ୍ଚାୟତ ଦାୟିତ୍ୱରେ ଏବେ ସେ ରହିଛନ୍ତି। ବିଗତ ଦିନର କଥା କହି ପାରିବେ ନାହିଁ। ବର୍ତ୍ତମା ଏଥିପାଇଁ କିଛି ଅନୁଦାନ ଆସିନାହିଁ। ଏଥିପାଇଁ ଅନୁଦାନ ଆସିଲେ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇପାରିବ ବୋଲି ପ୍ରକାଶ କରିଛନ୍ତି।
ତେବେ ଧାମରା ଅଞ୍ଚଳର କରଞ୍ଜମାଳ ପଞ୍ଚାୟତବାସୀ ବିଜୁ ପଟ୍ଟନାୟକ ମିନି ଷ୍ଟାଡ଼ିୟମ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସ୍ଥାନୀୟ ନେତା ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି। ସାଧାରଣ ନିର୍ବାଚନରେ ଏହାର ଉଚିତ ଜବାବ ଅଞ୍ଚଳବାସୀ ଦେବେ ବୋଲି କହିଛନ୍ତି।
ଧାମରା ଅଞ୍ଚଳରେ ଥିବା କରଞ୍ଜମାଳ ପଞ୍ଚାୟତରେ ୨୦୧୮ ମସିହାରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ଦିଆଯାଇଥିଲା। ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଅର୍ଥ ବାଧକ ସାଜିବ ନାହିଁ ବୋଲି ପୂର୍ବତନ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଓ ବିଧାୟକ ବ୍ୟୋମକେଶ ରାୟ ପ୍ରତିଶ୍ରୁତି ଦେଇଥିଲେ।
ବିଧାୟକଙ୍କ ଅନୁଦାନ ପାଣ୍ଠି ଏବଂ ସାଂସଦଙ୍କ ଅନୁଦାନ ପାଣ୍ଠିରୁ ୭୦ଲକ୍ଷ ବ୍ୟୟ ଅଟକଳରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ କରାଯିବା ସହ ଚାନ୍ଦବାଲି ପଞ୍ଚାୟତ ସମିତି ଆନୁକୁଲ୍ୟରେ ଅନୁଦାନ ଆସିବାରେ କୌଣସି ବାଧକ ସୃଷ୍ଟି ହେବ ନାହିଁ ବୋଲି ପ୍ରକାଶ କରିଥିଲେ। ତେବେ ୬ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଷ୍ଟାଡିୟମ ପାଚେରୀ ନିର୍ମାଣ ସମ୍ଭବ ହୋଇପାରିନାହିଁ। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଷ୍ଟାଡ଼ିୟମର ପାଚେରୀ ନିର୍ମାଣ ପାଇଁ ୨୦ଲକ୍ଷ ଅନୁଦାନ ଆସିଥିଲା। ଠିକାଦାର ଚଞ୍ଚକତା କରି ସିଂହଭାଗ ଅର୍ଥ ହଡ଼ପ କରିଥିବାବେଳେ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ କରି ଛାଡ଼ି ଦେଇଥିବା ସୂଚନା ମିଳିଛି।



