ପେଡ୍ରୋ ସ୍ପେନର ନୂଆ ପ୍ରଧାନମନ୍ତ୍ରୀ

0

ମାଦ୍ରିଦ : ଦୁର୍ନୀତି ଅଭିଯୋଗକୁ ନେଇ ସ୍ପେନ ପ୍ରଧାନମନ୍ତ୍ରୀ ମାରିଆନୋ ରାଜୋୟ ଗାଦିଚ୍ୟୁତ ହୋଇଛନ୍ତି। ତାଙ୍କ ସ୍ଥାନରେ ବିରୋଧୀ ଦଳ ନେତା ପେଡ୍ରୋ ସାନଚେଜ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଦୁର୍ନୀତି ଅଭିଯୋଗକୁ ନେଇ ମାରିଆନୋଙ୍କ ବିରୋଧରେ ପାର୍ଲାମେଣ୍ଟରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। ଅନାସ୍ଥା ପ୍ରସ୍ତାବରେ ମାରିଆନୋ ପରାସ୍ତ ହେବାରୁ ପ୍ରଧାନମନ୍ତ୍ରୀ ପଦରୁ ବିତାଡିତ ହୋଇଛନ୍ତି। ୩୫୦ ସଦସ୍ୟ ବିଶିଷ୍ଟ ସ୍ପେନ ପାର୍ଲାମେଣ୍ଟର ୧୮୦ ସଦସ୍ୟ ପ୍ରଧାନମନ୍ତ୍ରୀ ମାରିଆନୋଙ୍କ ବିରୋଧରେ ଭୋଟ ଦେଇଥିଲେ। ଯାହାକି ଆବଶ୍ୟକ ଭୋଟ ଠାରୁ ମାତ୍ର ୪ଟି ଅଧିକ। ମାରିଆନୋଙ୍କ ଶାସକ ଦଳ କଞ୍ଜରଭେଟିଭ୍‍ ପପୁଲାର ପାର୍ଟି ପାଖରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଥିବା ସତ୍ତ୍ବେ ଦୁର୍ନୀତି ଅଭିଯୋଗକୁ ନେଇ ଦଳୀୟ ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଭୋଟ ଦେଇଥିଲେ। ମାରିଆନୋ ଅନାସ୍ଥା ପ୍ରସ୍ତାବରେ ପରାସ୍ତ ହେବା ପରେ ମୁଖ୍ୟ ବିରୋଧୀ ଦଳ ସ୍ପାନିସ ସୋସାଲିଷ୍ଟ ୱକର୍ସ ପାର୍ଟି (ପିସୋ) ନେତା ପେଡ୍ରୋ ସାନଚେଜ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପେଡ୍ରୋଙ୍କ ନେତୃତ୍ୱ ସୋସାଲିଷ୍ଟ ପାର୍ଟି ପାଖରେ ୩୫୦ ଆସନ ବିଶିଷ୍ଟ ପାର୍ଲାମେଣ୍ଟରେ ମାତ୍ର ୮୪ଟି ଆସନ ରହିଛି। ତେଣୁ ସେ ପ୍ରଧାନମନ୍ତ୍ରୀ ହେବାକୁ ଅନ୍ୟ କେତେକ ବିରୋଧୀ ଦଳ ଅଗଣତାନ୍ତ୍ରିକ ବୋଲି ଦର୍ଶାଇଛନ୍ତି। ସ୍ପେନ ଗଣତନ୍ତ୍ରରେ ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ଅନାସ୍ଥା ପ୍ରସ୍ତାବ ଦ୍ୱାରା ବରଖାସ୍ତ ହୋଇଛନ୍ତି।

Leave A Reply