ଦକ୍ଷିଣ ଚୀନ ସାଗରରେ ଆମେରିକୀୟ ଯୁଦ୍ଧ ଜାହାଜ

0

ବେଜିଂ : ବିବାଦୀୟ ଦକ୍ଷିଣ ଚୀନ ସାଗରରେ ରବିବାର ଆମେରିକାର ଦୁଇଟି ଯୁଦ୍ଧ ଜାହାଜକୁ ଦେଖିବାକୁ ମିଳିଛି। ଚୀନ ଦଖଲରେ ଥିବା ଦ୍ୱୀପ ନିକଟରେ ଏହି ଦୁଇ ଯୁଦ୍ଧ ଜାହାଜ ଅତିକ୍ରମ କରିଛନ୍ତି। ଏହି ସାମୁଦ୍ରିକ ଅଞ୍ଚଳକୁ ନେଇ ତାଇୱାନ ଏବଂ ଚୀନ ମଧ୍ୟରେ ବିବାଦ ଲାଗିରହିଛି। ମାତ୍ର ଚୀନ ବିବାଦୀୟ ସାମୁଦ୍ରିକ ଅଞ୍ଚଳକୁ ନିଜର ବୋଲି ଦାବି କରିଆସୁଛି। ଉତ୍ତରକୋରିଆକୁ ଚୀନ ଭିତରିଆ ସହଯୋଗ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରି ଆସୁଥିଲାବେଳେ ଏବେ ଯୁଦ୍ଧ ଜାହାଜ ପଠାଇ ଶକ୍ତି ପ୍ରଦର୍ଶନ କରିଛନ୍ତି ବୋଲି କୁହାଯାଉଛି। ଆମେରିକାର ଏଭଳି ଗୀତିବିଧି ଚୀନ ସହ ତାର ସମ୍ପର୍କକୁ ପ୍ରଭାବିତ କରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ମୁକ୍ତ ଜାହାଜ ପରିଚାଳନା ନୀତି ଆଧାରରେ ଦକ୍ଷିଣ ଚୀନ ସାଗରକୁ ଯୁଦ୍ଧ ଜାହାଜ ପଠାଯାଇଥିବା ଆମେରିକା ପକ୍ଷରୁ କୁହାଯାଉଛି। ଚୀନର ପାରାସେଲ, ଟ୍ରି, ଲିଙ୍କୋଲନ, ଟ୍ରିଟୋନ୍‍ ଏବଂ ଉଡ଼ି ଦ୍ୱୀପ ନିକଟରେ ଆମେରିକାର କ୍ଷେପଣାସ୍ତ୍ରବାହୀ ଯୁଦ୍ଧ ଜାହାଜ ‘ହିଗିନ୍‍ସ’ ଏବଂ ‘ଆଣ୍ଟିଏଟାମ’ ଅଭ୍ୟାସ କରିଥିବା ଏବଂ ପାରାସେଲଠାରୁ ମାତ୍ର ୧୨ ନ୍ୟୁଟିକାଲ ମାଇଲ ଦୂରରେ ଏହି ଦୁଇ ଯୁଦ୍ଧ ଜାହାଜ ଅତିକ୍ରମ କରିଥିଲେ ବୋଲି ଚୀନ ପକ୍ଷରୁ କୁହାଯାଇଛି। ଉଲ୍ଲେଖ ଯେ ଉଡ଼ି ଦ୍ୱୀପରେ ଚୀନ କ୍ଷେପଣାସ୍ତ୍ର ନିରୋଧୀ ସିଷ୍ଟମ ଏବଂ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କ୍ଷେପଣାସ୍ତ୍ର ମୁତୟନ କରିଥିବା ମଇ ୧୨ରେ ଏକ ଉପଗ୍ରହ ଉତ୍ତୋଳିତ ଚିତ୍ର (ସାଟେଲାଇଟ୍‍ ଚିତ୍ର)ରୁ ଜାଣିବାକୁ ମିଳିଥିଲା। ଏହା ପୂର୍ବରୁ ଦକ୍ଷିଣ ଚୀନ ସାଗରରେ ଚୀନ ବୋମା ବର୍ଷଣକାରୀ ବିମାନ ମୁତୟନ କରିଥିଲା।
ପ୍ରକାଶଯୋଗ୍ୟ ଯେ, ଦକ୍ଷିଣ ସାଗର ଉପରେ ଚୀନ ନିଜ ଅଧିକାର ସାବ୍ୟସ୍ତ କରିଆସୁଥିବାବେଳେ ତାଇୱାନ, ଫିଲିପାଇନ୍ସ, ବୃନି, ମାଲେସିଆ ଏବଂ ଭିଏତନାମ ମଧ୍ୟ ଦାବି ଉପସ୍ଥାପନ କରିଆସୁଛନ୍ତି। ଏହାକୁ ନେଇ ଦକ୍ଷିଣ ଚୀନ ସାଗର ବିବାଦୀୟ ହୋଇ ରହିଛି।

Leave A Reply