ଶିକୁଳୀରେ ବନ୍ଧା ପଡିଛି ୯ ବର୍ଷ ନାବାଳକର ଜୀବନ, ପରିବାର ଲୋକେ ଦହଗଞ୍ଜ

0

୯-୧୦ ବର୍ଷ ପିଲାଟିଏ ଖେଳିବା, ବୁଲିବା, ପାଠ ପଢ଼ିବାର କଥା। ହେଲେ ଏଇ ବୟସର ପିଲାଟି ପାଇଁ ଯେ ପରିବାର ଲୋକେ ଦହଗଞ୍ଜ ହେଉଥିବେ, ତାହା ନ ଦେଖିଲେ ବିଶ୍ବାସ କରିହୁଏନାହିଁ। ଗୁଜରାଟର ସୁରତ୍ ନିବାସୀ ହେଉଛନ୍ତି ଅଟୋଚାଳକ ଦେବଜୀ ପରମାର। ପରିବାର କହିଲେ ମା’ ସୀତା ବେହନ୍, ପତ୍ନୀ ଗୌରୀବେହନ୍ ଓ ୯ ବର୍ଷର ପୁଅ ଶୁଭମ୍ ପରମାର। ପୁଅ ଶୁଭମ୍ ପାଇଁ ଏହି ପରିବାର ଆଜି ଚର୍ଚ୍ଚା ପରିସରକୁ ଆସିଛି। କାରଣ ହେଉଛି ଏ ବୟସରେ ମଧ୍ୟ ପୁଅକୁ ସେମାନେ ଘରେ ଦଉଡ଼ିରେ ବାନ୍ଧି ରଖୁଛନ୍ତି।

କାରଣ ପୁଅ କାହାକୁ ଚିହ୍ନି ପାରୁନାହିଁ କିମ୍ବା ତା’ର କିଛି ମନେ ରହୁନାହିଁ। ଶୁଭମ୍ ବର୍ଷକର ହେବା ପରେ ତାଙ୍କ ମା’ ହିଁ ପ୍ରଥମେ ପୁଅର ଏହି ରୋଗ ଠଉରାଇଥିଲେ। ଡାକ୍ତରଙ୍କ ପାଖକୁ ତୁରନ୍ତ ଚିକିତ୍ସା ପାଇଁ ଯିବା ପରେ ମଧ୍ୟ ରୋଗ ବଢ଼ିଥିଲା ବରଂ କମିନଥିଲା। ଡାକ୍ତରୀ ଭାଷାରେ ​‌ସେ ନନ୍-ରେସପନସିଭ୍ ଏପିଲେପ୍ସି ରୋଗରେ ଆକ୍ରାନ୍ତ। ପିଲାଟି ଘରୁ ପଦାକୁ ବାହାରୁଛି ସତ ହେଲେ ଫେରିବା ବାଟ ଜାଣିପାରୁନାହିଁ। ଏହି କାରଣରୁ ଶୁଭମଙ୍କୁ ଦଉଡ଼ିରେ ବାନ୍ଧି ରଖାଯାଉଛି। ଶୁଭମଙ୍କ ଜେଜେମା’ ମନଦୁଃଖରେ କହିଛନ୍ତି, ନାତିର ଜନ୍ମରେ ଖୁବ୍ ଖୁସି ହୋଇଥିଲେ ସେ। ହେଲେ ଏଭଳି ଏକ ଜଟିଳ ରୋଗରେ ଆକ୍ରାନ୍ତ ଜାଣିବା ପରେ ତାଙ୍କ ଖୁସି ମଉଳିଯାଇଛି।

Leave A Reply