www.samajalive.in
Friday, December 12, 2025
14.1 C
Bhubaneswar

ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ !

ବେଙ୍ଗାଲୁରୁ/ନୂଆଦିଲ୍ଲୀ : କଂଗ୍ରେସକୁ ପୁରୁଣା ରୋଗ ଘାରିଛି। କର୍ଣ୍ଣାଟକରେ ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ତିନି ଦିନ ହେଲା ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଚୂଡ଼ାନ୍ତ ହୋଇପାରୁନାହିଁ। ମାମଲା ବେଙ୍ଗାଲୁରୁରୁ ଦିଲ୍ଲୀ ସ୍ଥାନାନ୍ତର ହୋଇଛି। ସିଦ୍ଧର​ମୈୟା ଓ ଡି.କେ ଶିବକୁମାରଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ଦାୟିତ୍ବ ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପରେ ନ୍ୟସ୍ତ କରାଯାଇଛି। ଖଡ଼ଗେ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ସହ ବିଚାର ବିମର୍ଶ ଚଳାଇଛନ୍ତି। ତାଙ୍କ ଡାକରା ପାଇ ସିଦ୍ଧରମେ‌ୟା ଦିଲ୍ଲୀରେ ପହଞ୍ଚିଥିବାବେଳେ ଶିବକୁମାର ସୋମବାର ରାତିରେ ପହଞ୍ଚିବାର ଥିଲା; କିନ୍ତୁ ସେ ପେଟ ଯନ୍ତ୍ରଣା ହେଉଥିବା ଦର୍ଶାଇ ଦିଲ୍ଲୀ ଗସ୍ତରୁ ବିରତ ରହିଛନ୍ତି। ତାଙ୍କ ଗସ୍ତ ବାତିଲ ଯୋଗୁଁ ଦିଲ୍ଲୀସ୍ଥିତ ଖଡ଼ଗେଙ୍କ ବାସଭବନରେ ସନ୍ଦେହର କୁହୁଡ଼ି ଘୋଟିଯାଇଛି। ସୋମବାର ପୂର୍ବାହ୍ଣରେ ଶିବକୁମାର ଦାବି କରିଥିଲେ ଯେ ତାଙ୍କ ନେତୃତ୍ବରେ ଦଳ ୧୩୫ଟି ଆସନରେ ବିଜୟୀ ହୋଇଛି। ସେ ଦଳ ପାଇଁ ଅନେକ ଥର ବହୁ ତ୍ୟାଗ ସ୍ବୀକାର କରିଛନ୍ତି। ଏପରି କହି ସେ ହାଇକମାଣ୍ଡଙ୍କ ଉପରେ ପ୍ରରୋକ୍ଷ ଚାପ ପ୍ରୟୋଗ କରୁଛନ୍ତି; କିନ୍ତୁ ନେତୃତ୍ବ ମନୋନୟନ ଦାୟିତ୍ବ ହାଇକମାଣ୍ଡଙ୍କ ଉପରେ ଛାଡ଼ି ଦେଇଥିବା କହିଛନ୍ତି। ସୋମବାର ତାଙ୍କ ଜନ୍ମଦିନ ଥିବାରୁ ସେ ପରିବାର ସହିତ କଟାଇବାକୁ ଚାହୁଁଥିବା କହିଛନ୍ତି। ଏପରି ସ୍ଥିତିରେ ତାଙ୍କୁ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ପଦ ଭେଟି ମିଳିବା ନେଇ ରହିଥିବା ଆଶା ଦୂରେଇଯାଇଛି।
ଏକ ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ ସିଦ୍ଧର​ମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ଏବଂ ଶିବକୁମାରଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ସହ ଉପମୁଖ୍ୟମନ୍ତ୍ରୀ କରାଯିବା ଉପରେ ଆଲୋଚନା କରାଯାଉଛି। ଶେଷ ଖବର ଅନୁସାରେ ଏହା ଏକରକମ ଚୂଡ଼ାନ୍ତ ହୋଇଛି। ଏହା ଉପରେ ହାଇକମାଣ୍ଡ ମୋହର ଲଗାଇଥିବାବେଳେ ସିଦ୍ଧର​ମୈୟା ଧାର୍ଯ୍ୟ ଦିନରେ ଶପଥ ଗ୍ରହଣ କରିବେ। ଶିବକୁମାର ଦଳ ପ୍ରତି ଆନୁଗତ୍ୟ ବଜାୟ ରଖିବେ ବୋଲି କହିଥିବା ପ୍ରକାଶ। ଅନ୍ୟ ଏକ ସୂଚନାନୁଯାୟୀ, ଦୁଇ ଜଣଙ୍କୁ ପାଳିରେ ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ସିଦ୍ଧର​‌େ​‌ମୟା ହାଇକମାଣ୍ଡଙ୍କୁ ପ୍ରସ୍ତାବ ଦେଇଥିଲେ। ବରିଷ୍ଠତା ଆଧାରରେ ତାଙ୍କୁ ପ୍ରଥମ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ କରାଯାଉ ଏବଂ ଅନ୍ତତଃ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ତାଙ୍କୁ ଏହି ପଦରେ ରଖାଯାଉ ବୋଲି ସିଦ୍ଧର​ମୈୟା ଇଚ୍ଛା ବ୍ୟକ୍ତ କରିଥିଲେ। ଏଥିସହ ସେ ବିରୋଧୀ ଦଳ ନେତା ଭାବେ ବିଧାନସଭାରେ ବିଜେପି ବିରୋଧରେ ସଂଗ୍ରାମ କରିଥିବା ଯୁକ୍ତି ଦର୍ଶାଇଥିଲେ। ତାଙ୍କର ଏହି ପ୍ରସ୍ତାବକୁ ଶିବକୁମାର ଅଗ୍ରାହ୍ୟ କରିଦେଇଛନ୍ତି। ସେ ରାଜସ୍ଥାନ ଓ ଛତିଶଗଡ଼ର ଦୃଷ୍ଟାନ୍ତ ରଖିଛନ୍ତି। ସେ ଦୃଷ୍ଟିରୁ ହାଇକମାଣ୍ଡ ଏଠାରେ ଉକ୍ତ ଦୁଇ ରାଜ୍ୟ ପରିସ୍ଥିତିର ପୁନରାବୃତ୍ତି ଘଟାଇବାକୁ ଚାହୁଁନାହାନ୍ତି।
ଅପରପକ୍ଷରେ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ସିଂହ ବେଙ୍ଗାଲୁରୁ ଗସ୍ତ ପରେ ଖଡ଼ଗେଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ସେ ପ୍ରତି ବିଧାୟକଙ୍କ ସହ ଅଲଗା ଅଲଗା ଆଲୋଚନା କରିଥିବାବେଳେ ପସନ୍ଦର ମୁଖ୍ୟମନ୍ତ୍ରୀଙ୍କ ନାମ ଗୁପ୍ତ ବାଲଟରେ ସଂଗ୍ରହ କରିଛନ୍ତି। ବି.କେ ହରିପ୍ରସାଦ କହିଛନ୍ତି ଯେ ଗୁପ୍ତ ବାଲଟ୍‌ ମାଧ୍ୟମରେ ବିଧାୟକ ଦଳ ନେତା ମନୋନୟନ କରାଯିବ। ମୁଖ୍ୟମନ୍ତ୍ରୀ କିଏ ହେବେ ସେ ସମ୍ପର୍କରେ ​‌େ​‌କବଳ ଖଡ଼ଗେ ହିଁ କହିପାରିବେ ବୋଲି କହିଛନ୍ତି ଦଳର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଓ ରାଜ୍ୟ ପ୍ରଭାରୀ ରଣଦୀପ ସୂ‌େର୍ଯ୍ୟୱାଲା। ଖଡ଼ଗେଙ୍କ ବାସଭବନରେ ବରିଷ୍ଠ ନେତାଙ୍କ ଭିଡ଼ ଲାଗିଛି। ଏହି ସୁଯୋଗରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି। ତାଙ୍କ ସମର୍ଥକମା​​ନେ ଏହି ଦାବିରେ ରାସ୍ତାକୁ ଓହ୍ଲାଇନ୍ତି। ସେହିପରି ୧୪ଜଣ ମୁସଲମାନ ପ୍ରାର୍ଥୀ ବିଜୟୀ ହୋଇଥିବାରୁ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ମଧ୍ୟ ଜଣେ ୱାକଫ୍‌ ବୋର୍ଡ ମୁଖ୍ୟ ସାଫି ସାଦି ଦାବି କରିଛନ୍ତି। ଅନ୍ୟପଟେ ହରପନାହାଲି ଆସନରୁ ନବନିର୍ବାଚିତ ସ୍ବାଧୀନ ବିଧାୟିକା ଲତା ମଲ୍ଲିକାର୍ଜୁନ କଂଗ୍ରେସକୁ ସମର୍ଥନ ଘୋଷଣା କରିଛନ୍ତି। ସେ ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏମ୍‌.ପି ପ୍ରକାଶଙ୍କ କନ୍ୟା। ଏଥିସହ ଦଳର ଆସନ ସଂଖ୍ୟା ୧୩୭ରେ ପହଞ୍ଚିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories