ବିଶ୍ୱକପ ସୁଟିଂ: ଅଞ୍ଜୁମ ଓ ଅପୂର୍ବୀଙ୍କୁ ଅଲିମ୍ପିକ ଯୋଗ୍ୟତା

0

ନୂଆଦିଲ୍ଲୀ : ଦୁଇ ଭାରତୀୟ ମହିଳା ସୁଟର ଅଞ୍ଜୁମ ମୋଦଗିଲ ଓ ଅପୂର୍ବୀ ଚାନ୍ଦିଲା ୨୦୨୦ ଟୋକିଓ ଅଲିମ୍ପିକ୍‍ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି। ଦକ୍ଷିଣ କୋରିଆର ଚାଙ୍ଗ୍‍ୱନ୍‍ଠାରେ ଚାଲିଥିବା ଆଇଏସଏସଏଫ୍‍ ବିଶ୍ୱକପ ସୁଟିଂ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରିଥିବା କାରଣରୁ ସେମାନେ ଏହି ସୌଭାଗ୍ୟଲାଭ କରିଛନ୍ତି। ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଅଞ୍ଜୁମ ୨୪୮.୪ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ରୌପ୍ୟପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଦକ୍ଷିଣ କୋରିଆର ଦୁଇ ସୁଟର ହାନା ଇମ୍‍ଙ୍କୁ (୨୫୧.୧) ଓ ୟୁନିହା ଜୁଙ୍ଗ୍‍ଙ୍କୁ (୨୨୮) ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜପଦକ ମିଳିଛି। ଅପରପକ୍ଷରେ ଅପୂର୍ବୀ ଚାନ୍ଦିଲା ଏହି ଇଭେଣ୍ଟରେ ୨୦୭ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ଅପୂର୍ବୀ ବ୍ରୋଞ୍ଜପଦକରୁ ବଞ୍ଚିତ ହୋଇଥିଲେ ସୁଦ୍ଧା ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିପାରିଛନ୍ତି। ଏହି ଇଭେଣ୍ଟ ପାଇଁ ଗୋଟିଏ ଦେଶର ଦୁଇଜଣ ସୁଟର ଅଲିମ୍ପିକ ଯୋଗ୍ୟତା ହାସଲ କରିବାର ବ୍ୟବସ୍ଥା ରହିଛି। ସୂଚନାଯୋଗ୍ୟ ଚଳିତ ପ୍ରତିଯୋଗିତାର ୧୫ଟି ଇଭେଣ୍ଟରେ ୬୦ ଜଣ ସୁଟରଙ୍କୁ ଅଲିମ୍ପିକ ଯୋଗ୍ୟତା ହାସଲର ସୁଯୋଗ ମିଳିବ ବୋଲି ଜଣାପଡିଛି। ଅପରପକ୍ଷରେ ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟ ଫାଇନାଲରେ ଭାରତର ଦୀପକ କୁମାର ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି।

Leave A Reply