ପାକିସ୍ତାନବାସୀ କରୋନା ସଂକ୍ରମଣକୁ ଗୁରୁତ୍ବ ଦେଉ ନାହାନ୍ତି : ଅଖତର

କରାଚି : କରୋନା ଭାଇରସ୍‌ ସଂକ୍ରମଣ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପାକିସ୍ତାନବାସୀ ଏହାକୁ ଗୁରୁତ୍ବ ନେଉନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର।
ୟୁ ଟ୍ୟୁବ୍‌ରେ ଏକ ଭିଡିଓ ଜାରି କରି ଅଖତର ଦର୍ଶାଇଛନ୍ତି ସ୍ପେନ, ଜର୍ମାନୀ, ଇଟାଲୀ, ଆମେରିକା, ଇଂଲଣ୍ଡ ପରି ଉନ୍ନତ ଦେଶମାନେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ ବ୍ୟାପକ ଚେଷ୍ଟା ଚଳାଇଥିବା ବେଳେ ଆଶାନୁରୂପ ସଫଳତା ହାସଲ କରିବାରେ ବିଫଳ ହୋଇଛନ୍ତି। ବିଶ୍ବରେ ୩ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବେଳେ ୧୩ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି। ସାମାଜିକ ଦୂରତ୍ବ ବଜାୟ ରଖିବା ସହ ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ଲୋକଙ୍କୁ ବିଭିନ୍ନ ଦେଶର ସରକାର ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ପରାମର୍ଶ ଦିଆଯାଉଥିବା ବେଳେ ପାକିସ୍ତାନରେ ଏହାର ଓଲଟା ଦେଖିବାକୁ ମିଳିଛି। ପାକିସ୍ତାନବାସୀ କରୋନା ସଂକ୍ରମଣକୁ ଗୁରୁତ୍ବ ନ ଦେଇ ପିକ୍‌ନିକ୍‌ କରିବା ଭଳି ସମୟ ଅତିବାହିତ କରୁଛନ୍ତି। ସେ ଏକ କାମରେ ବାହାରକୁ ଯାଇଥିଲେ। ଯଥାଶୀଘ୍ର କାମ ସାରି ଘରକୁ ଫେରି ଆସିଲେ। କିନ୍ତୁ ରାସ୍ତାଘାଟରେ ସେ ଯାହା ଦେଖିଲେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଗୋଟିଏ ବାଇକ୍‌ରେ ୩/୪ଜଣ ବସି ପିକ୍‌ନିକ୍‌ କରିବାକୁ ଯାଉଥିବା ବେଳେ ଗୋଟିଏ ଦୋକାନରେ ଅନେକ ଲୋକ ଏକତ୍ରିତ ହୋଇ ଖାଇବା ସହ ଖୁସିଗପ କରୁଥିବା ଦେଖିଥିଲେ। କରୋନା ଭାଇରସ୍ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ପରାମର୍ଶ ଦେଇଥିବା ବେଳେ ଜନସାଧାରଣ ଏହାକୁ ଅଣଦେଖା କରିବା ଯୋଗୁଁ ଆଗାମୀଦିନରେ ପାକିସ୍ତାନରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ସେ ମତ ଦେଇଛନ୍ତି। ପାକିସ୍ତାନ​‌େ​‌ର କ’ଣ ପାଇଁ ବର୍ତ୍ତମାନ ସୁଦ୍ଧା ହୋଟେଲ୍‌, କ୍ଲବ ଖୋଲା ରହିଛି ତାହା ବୁଝା ପଡୁନାହିଁ ବୋଲି ଅଖତର କହିଛନ୍ତି। ଭାରତରେ ତାଲା ବନ୍ଦ ପରିସ୍ଥିତିକୁ ଲୋକେ ଗ୍ରହଣ କରି କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପାକିସ୍ତାନ ସରକାର ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଖତର୍‌ ଦାବି କରିଛନ୍ତି।

Comments are closed.