ମୁମ୍ବଇ : କରୋନା ଯୋଗୁ ଦେଶର ଘରୋଇ ପୁଞ୍ଜିବଜାରରେ କଳାବାଦଲ ଘୋଟିବାରେ ଲାଗିଛି। ଏଥିଯୋଗୁ ପ୍ରଭାବିତ ହୋଇଛି ଦେଶର ଅର୍ଥନୀତି। ପରିସ୍ଥିତି ଏଭଳି ହୋଇଛି ସମ୍ପ୍ରତି ଅର୍ଥନୀତିରେ ସୁଧାର ଆଶା କମ୍ ଦେଖାଦେଇଛି। ଫଳରେ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) ସେନ୍ସେକ୍ସରେ ୧୧୦୦ ପଏଣ୍ଟରୁ ଅଧିକ ହ୍ରାସ ଘଟିଛି। ଷ୍ଟକ ବଜାରରେ ଲାଗି ରହିଥିବା ଏଭଳି ଦୋଳାୟମାନ ସ୍ଥିତି ନିବେଶକଙ୍କ ଆଶଙ୍କାକୁ ଦ୍ବିଗୁଣିତ କରିବା ସହ କ୍ଷତି ବଢ଼ାଇ ଦେଇଛି।
ଗୁରୁବାର କାରବାର ଶେଷ ବେଳକୁ ସେନ୍ସେକ୍ସରେ ୧୧୧୪.୮୨ ପଏଣ୍ଟ ଅର୍ଥାତ୍ ୨.୯୬% ହ୍ରାସ ଘଟି ୩୬,୫୫୩.୬୦ ପଏଣ୍ଟରେ କାରବାର ଶେଷ ହୋଇଛି। ଦେଶରେ ବର୍ତ୍ତମାନ କରୋନା ସ୍ଥିତି ଏଭଳି ସ୍ତରରେ ରହିଛି ଯାହା ଫଳରେ ଅର୍ଥନୀତିରେ ସୁଧାର ସମ୍ଭାବନା କମ୍ ରହିଥିବାରୁ ଏହା ବଜାର କାରବାରକୁ ପ୍ରଭାବିତ କରିଛି। ସେହିପରି ଆଜି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୩୨୬.୩୦ ପଏଣ୍ଟ ହ୍ରାସ ଘଟି ୧୦,୮୦୫.୫୫ ପଏଣ୍ଟରେ କାରବାର ଶେଷ ହୋଇଛି। ଗୁରୁବାର କାରବାରରେ ଟେକ୍,ଅଟୋ,ଆର୍ଥିକ, ବ୍ୟାଙ୍କିଙ୍ଗ୍ ଏବଂ ଧାତବ ଆଦି କ୍ଷେତ୍ରର ଷ୍ଟକ ମୂଲ୍ୟରେ ଅଧିକ ହ୍ରାସ ଘଟିଥିଲା। ବଜାରରେ ଦେଖାଦେଇଥିବା ଏଭଳି ବୃହତ୍ ହ୍ରାସ ଯୋଗୁ ନିବେଶକଙ୍କୁ ବିଗତ ୬ କାରବାର ଦିବସରେ ୧୧ ଲକ୍ଷ ୩୧ ହଜାର କୋଟି ଟଙ୍କା ହରାଇବାକୁ ପଡିଛି।
ଅର୍ଥନୀତିରେ ସୁଧାର ନେଇ ଆଶଙ୍କା; ୧୧୦୦ ପଏଣ୍ଟରୁ ଅଧିକ ଖସିଲା ସେନ୍ସେକ୍ସ
Popular Categories



