‘ସମାଜ’ ପ୍ରଭାବ : ଏସଡିଏ ନକଲି କାଗଜପତ୍ର ମାମଲାରେ ପ୍ଲାନିଂ ମେମ୍ବର ଗିରଫ
ଗୋଟିଏ ଦିନ ରିମାଣ୍ଡରେ ଆସିଥିଲା ଲକ୍ଷ୍ମୀନାରାୟଣ ସାମଲ
ସମ୍ବଲପୁର : ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (ଏସଡିଏ) ରେ ହୋଇଥିବା ଜାଲିଆତି ଘଟଣା ସମ୍ପର୍କରେ ଗତ ୪ ତାରିଖରେ ଦୈନିକ ଖବର କାଗଜ ‘ସମାଜ’ରେ ଖବର ପ୍ରକାଶନ ପରେ ସମ୍ବଲପୁର ପୁଲିସ କ୍ରିୟାଶୀଳ ହୋଇ ଏହାର ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କୁ ଗୁରୁବାର ଅପରାହ୍ନରେ ଗିରଫ କରିଛି । ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (ଏସଡିଏ) ରେ ଗୃହ ନିର୍ମାଣ ପାଇଁ ଆବଶ୍ୟକ ବିଲ୍ଡିଂ ପ୍ଲାନ ଅନୁମତି ପ୍ରଦାନ ପାଇଁ ଜାଲିଆତି କରି କୋଟି କୋଟି ଟଙ୍କା ହରିଲୁଟ କରିଥିବା ଘଟଣାରେ ସମ୍ବଲପୁର ପୁଲିସ ଶ୍ରୀମତୀ ମହାପାତ୍ରଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ଏସଡିପିଓ କାର୍ଯ୍ୟାଳୟରେ ଆଜି ସନ୍ଧ୍ୟା ସମୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଅଲବିନସ କେରକେଟା ସୂଚନା ଦେଇ କହିଛନ୍ତି ଯେ, ଗତ ୧ ତାରିଖରେ ଅଇଁଠାପାଲି କରମଟୁଲି ନିବାସୀ ଦେବରାଜ ସାହୁ ତାଙ୍କର ଗୃହର ପ୍ଲାନିଂ ପାସ କରିବା ନାମରେ ୨ ଲକ୍ଷ ୬୦ ହଜାର ଟଙ୍କାର ଠକେଇର ଶିକାର ହୋଇଥିବାର ଅଭିଯୋଗ କରିଥିଲେ। ଏଣୁ ମାମଲା ସଂଖ୍ୟା ୩୬୯/୨୩, ଆଇପିସି ଧାରା ୪୨୦/ ୪୬୮/ ୪୭୧/ ୩୪ ଆଇପିସି ଅନୁଯାୟୀ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିଲା। ପୀଡିତ ବ୍ୟକ୍ତି ଶ୍ରୀ ସାହୁଙ୍କର କାଈଁଶିର ମୌଜାରେ ଏକ ଜମି ରହିଥିବାରୁ ସେଠାରେ ଏକ ଗୃହ ନିର୍ମାଣ କରିବା ପାଇଁ ଏପ୍ରିଲ ମାସରେ ଆର୍କିଟେକ ମାନସ ଚଇନି ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଏସଡିଏରେ ଆବେଦନ କରିଥିଲେ। ମାନସ ଚଇନିଙ୍କ ଜରିଆରେ ଶ୍ରୀ ସାହୁ ଏସଡିଏର ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ସହିତ ସାକ୍ଷାତକାର ହୋଇଥିଲା ଏବଂ ସେ ତାଙ୍କୁ ପ୍ଲାନିଂ ସେକ୍ସନର ଲକ୍ଷ୍ମୀନାରାୟଣ ସାମଲଙ୍କ ସହିତ ଦେଖା କରିବାକୁ କହିଥିଲେ। କିରାଣୀ ସାମଲ ଓ ମାନସ ଚଇନି ଏକ ହାତ ଲେଖା ସ୍ଲିପ ଦେଇ ଗୃହର ପ୍ଲାନିଂ ପାସ କରିବା ପାଇଁ ୨ ଲକ୍ଷ ୫୯ ହଜାର ୨୩୪ ଟଙ୍କା ଲାଗିବ ବୋଲି କହି ଦେଇଥିଲେ । ଦେବରାଜ ସାହୁ ଏହି ଟଙ୍କା ସେ ଅନ୍ ଲାଇନ କିମ୍ବା ଚେକ ମାଧ୍ୟମରେ ପଇଠ କରିବେ ବୋଲି କହିବାରୁ ସେମାନେ ଏହା ନଗଦରେ ଦେବାକୁ କହିଥିଲେ। ଏଣୁ ପରେ ପୀଡିତ ବ୍ୟକ୍ତି ୨ ଲକ୍ଷ ୬୦ ହଜାର ଟଙ୍କା ନଗଦ ପ୍ଲାନିଂ ପାସ କରିବା ପାଇଁ ସାମଲ ଓ ଚଇନିଙ୍କୁ ପ୍ରଦାନ କରି ଏହାର ରସିଦ ଦାବି କରିଥିଲେ। ତେବେ ସେମାନେ ତାଙ୍କୁ କୌଣସି ରସିଦ ନ ଦେଇ ପ୍ଲାନିଂ ମେମ୍ବରଙ୍କ ଦ୍ୱାରା ଦସ୍ତଖତ ଦେଇ ଘର ନକ୍ସା ପାସ କରିଥିବାର କାଗଜପତ୍ର ଅଭିଯୋଗକାରୀଙ୍କୁ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ କାର୍ଯ୍ୟାଳୟ ଖର୍ଚ୍ଚ ବାବଦରେ ଆହୁରୀ ୨୫ ହଜାର ଟଙ୍କା ଅଭିଯୁକ୍ତ ମାନେ ଅଭିଯୋଗକାରୀଙ୍କ ଠାରୁ ନେଇଥିଲେ। ତେବେ ଏସଡିଏର ନକ୍ସା କାଗଜପତ୍ର କେଳେଙ୍କେରୀ ସମ୍ପର୍କରେ ଜାଣିବା ପରେ ସେ କାର୍ଯ୍ୟାଳୟକୁ ଯାଇ ପାଇଥିବା କାଗଜପତ୍ର ଯାଞ୍ଚ କରିବାରୁ ତାହା ନକଲି ଥିବାର ଜଣାପଡିଥିଲା। ଏଣୁ ସେ ଅଇଁଠାପାଲି ଥାନାରେ ଅଭିଯୋଗ କରିଥିଲେ।
ଅପରପକ୍ଷରେ ପୁଲିସ ତଦନ୍ତ ସମୟରେ ଜଣାପଡିଛି ଯେ, ୨୦୨୧ ମସିହା ଠାରୁ ଅଫ୍ ଲାଇନରେ ନକ୍ସା ପାସ କରିବାର ପ୍ରକ୍ରିୟାକୁ ବନ୍ଦ କରାଯାଇ ସମସ୍ତ କାର୍ଯ୍ୟକୁ ଅନ୍ ଲାଇନ କରାଯାଇଛି । ତେବେ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ସହିତ ଲକ୍ଷ୍ମୀନାରାୟଣ ସାମଲ, ମାନସ ଚଇନି ଓ ଅନ୍ୟ ଅଭିଯୁକ୍ତ ମାନେ ନିଜର ସ୍ୱାର୍ଥ ସାଧନ ନିମନ୍ତେ ସରକାରୀ ନିୟମକୁ ଅଣଦେଖା କରି ପୁରୁଣା ତାରିଖ ଯଥା ୨୦୨୩ ମସିହାରେ ୨୦୧୯ ମସିହାର ତାରିଖ ଦେଇ ନକଲି କାଗଜପତ୍ର କରି ଆବେଦନକାରୀଙ୍କୁ ଦେଉଥିଲେ । ଏହି ଘଟଣାରେ ପୁଲିସ ୨ ଲକ୍ଷ ୫୯ ହଜାର ୨୩୪ ଟଙ୍କା ହସ୍ତଲେଖା ସ୍ଲିପ, ପ୍ଲାନିଂ ମେମ୍ବର ଶ୍ରୀମତୀ ମହାପାତ୍ରଙ୍କ ଦସ୍ତଖତ ସମ୍ବଳିତ ଏସଡିଏସର ସାର୍ଟିଫିକେଟ ଓ ମାନସ ଚଇନିଙ୍କ ଦ୍ୱାରା ନିର୍ମିତ ଏକ ମ୍ୟାପ ଜବତ କରାଯାଇଛି । ପ୍ଲାନିଂ ସଦସ୍ୟ ଶ୍ରୀମତୀ ମହାପାତ୍ରଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇ ଆଜି ଅଦାଲତକୁ ଚାଲାଣ କରାଯାଇଛି । ଏହି ମାମଲାରେ ପ୍ଲାନିଂ ସେକ୍ସନର କିରାଣୀ ଲକ୍ଷ୍ମୀନାରାୟଣ ସାମଲ ପୂର୍ବରୁ ଜେଲରେ ଥିବା ବେଳେ ଆର୍କିଟେକ ମାନସ ଚଇନି ଫେରାର ଚାଲୁଛି । ଏହି ଘଟଣାରେ ଇତି ମଧ୍ୟରେ କ୍ଷେତରାଜପୁର ଥାନାରେ ୨ଟି, ଅଇଁଠାପାଲି ଥାନାରେ ୨ଟି, ଟାଉନ ଥାନାରେ ୩ଟି, ଧନୁପାଲି ଥାନାରେ ଗୋଟିଏ ଓ ବୁର୍ଲା ଥାନାରେ ୨ଟି ମାମଲା ସମେତ ସମୁଦାୟ ୧୦ଟି ମାମଲା ରୁଜୁ କରାଯାଇ ସାରିଛି ଏବଂ ଘଟଣାର ତଦନ୍ତ ଚାଲୁଛି । ଅପରପକ୍ଷରେ କ୍ଷେତରାଜପୁର ଥାନାରେ ରୁଜୁ ହୋଇଥିବା ମାମଲାରେ କିରାଣୀ ଲକ୍ଷ୍ମୀ ନାରାୟଣ ସାମଲଙ୍କୁ ଏକ ଦିନିଆ ରିମାଣ୍ଡରେ ଅଣାଯାଇ ପଚରାଉଚୁରା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଅତିରିକ୍ତ ଏସପି ଅଲବିନସ କେରକେଟା କହିଛନ୍ତି।
ସୂଚନାଯୋଗ୍ୟ ଯେ, ନକଲି ବିଲ୍ଟିଂ ପ୍ଲାନ ପାସ କରିବା ନାମରେ ପୁଲିସ ଏହି ଠକ ଦଳରେ ମୁଖ୍ୟ କାର୍ପଟଦାର ତଥା ଏସଡିଏର କିରାଣୀ ଲକ୍ଷ୍ମୀ ନାରାୟଣ ସାମଲ ଓରଫ ବୁଲୁ (୩୨), ଷ୍ଟେନୋ ସୁଧାଂଶୁ କିଶୋର ପତି (୫୯), କାଈଁଶିର ନିବାସୀ ଅଜୟ ବେହେରା (୪୭), ବଡମାଳ ନିବାସୀ ବିକାଶ ଜଗତ (୩୬) ଓ କୁଲୁଥକାନୀ ନିବାସୀ ଡମ୍ବରୁଧର ତ୍ରିପାଠୀ (୪୦) ଙ୍କୁ ପୁଲିସ ଗିରଫ କରି ଅଦାଲତକୁ ଚାଲାଣ କରିଛି। ସେମାନଙ୍କ ନିକଟରୁ ପୁଲିସ ଅନେକ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର, ନକଲି ଷ୍ଟାମ୍ପ, ସିଲ, ୨ଟି କାର (ଓଡି – ୧୫ – ଭି – ୭୦୪୦ ଏବଂ ଓଡି – ୧୫ – ପି – ୦୩୨୭), ଗୋଟିଏ ବାଇକ (ଓଡି – ୧୫ – ଏସ – ୮୬୪୩), ଜମି କାଗଜପତ୍ର, ୫ଟି ମୋବାଇଲ ଫୋନ, ଗୋଟିଏ କମ୍ପ୍ୟୁଟର ସେଟ, ଏକ ଲାପଟଫ ସହିତ ବିଭିନ୍ନ ବ୍ୟାଙ୍କରେ ରହିଥିବା ୩ କୋଟି ୩୧ ଲକ୍ଷ ୯୭ ହଜାର ୨୨୭ ଟଙ୍କା ଆକାଉନ୍ଟ ଗୁଡିକୁ ସିଜ କରିଛି । ଇତି ମଧ୍ୟରେ ଏସଡିଏର ଅନ୍ୟ ଜଣେ କର୍ମଚାରୀ ଜୀବନ କୃଷ୍ଣ ବେହେରାଙ୍କ ନାମରେ ମଧ୍ୟ ଅଇଁଠାପାଲି ଥାନାରେ ଅଭିଯୋଗ ହୋଇଥିବାରୁ ୩୬୭/୨୦୨୩ ଏକ ମାମଲା ରୁଜୁ ହୋଇଥିବା ବେଳେ ଆହୁରୀ ଖୋଳତାଡ କରାଗଲେ ଏହି ଘୋଟାଲାର ମାଷ୍ଟର ମାଇଣ୍ଡ ଓ ଧଳା ହାତୀ ଗୁଡିକର ଅସଲି ଚେହେରା ସମ୍ମୁଖକୁ ଆସିବ ବୋଲି ସହରବାସୀ ଦାବି କରୁଛନ୍ତି ।
Comments are closed.