ଜାମ୍ମୁରୁ ହଟିଲା ୧୪୪, କାଶ୍ମୀରରେ ନିୟନ୍ତ୍ରଣରେ ସ୍ଥିତି
ଶ୍ରୀନଗର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଧେୟକକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି କ୍ରମରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଛି ଓ ଏହା କେନ୍ଦ୍ର ଶାସିିତ ଅଞ୍ଚଳରେ ପରିଣତ ହୋଇଛି। ଦୀର୍ଘ ୫ ଦିନ ପରେ ଶୁକ୍ରବାର କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ଏବେ ଧୀରେ ଧୀରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହେଉଛି। ଶୁକ୍ରବାର ସନ୍ଧ୍ୟାରେ ଜାମ୍ମୁରୁ ୧୪୪ ଧାରା ପ୍ରତ୍ୟାହାର କରାଯାଇଛି।
ଜାମ୍ମୁ ଜିଲାର ଡେପୁଟି ମାଜିଷ୍ଟ୍ରେଟ୍ ସୁଷମା ଚୌହାନ କହିଛନ୍ତି ଯେ ୧୪୪ ଧାରା ଅପସାରଣ କରାଯାଇଛି। ଶନିବାରଠାରୁ ସ୍କୁଲ କଲେଜ ଖୋଲିବାକୁ ନିର୍ଦେଶ ଦିଆଯାଇଛି। ସେପଟେ କାଶ୍ମୀରେ ସ୍ଥିତି ନିୟନ୍ତ୍ରଣରେ ଥିବା ସୂଚନା ମିଳିଛି। ସିଆରପିଏଫ ଡିଜି ରାଜୀବ ରାୟ ଭଟନାଗର ଶ୍ରୀନଗରରେ ସିଆରପିଏଫ ଟ୍ରୁପ ମୁତୟନ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଶାସନ ଶୁକ୍ରବାର ଶ୍ରୀନଗର ଓ ଆଖପାଖ ଅଞ୍ଚଳରେ କିଛି ଘଣ୍ଟା କର୍ଫ୍ୟୁ କୋହଳ କରିଥିଲା। ଶୁକ୍ରବାର କେତେକ ସରକାରୀ ଅଧିକାରୀଙ୍କ ଇଣ୍ଟରନେଟ ଏବଂ ଫୋନ୍ ସେବା କାର୍ଯ୍ୟକ୍ଷମ କରାଯାଇଥିବା ବେଳେ କିଛି ସମୟ ପାଇଁ ଶ୍ରୀନଗରରେ ବଜାର ଖୋଲାଯାଇଥିଲା। ଶୁକ୍ରବାର ଜୁମାରେ ଲୋକେ ମସଜିଦକୁ ଯାଇ ନମାଜ ପାଠ କରିଛନ୍ତି ଓ ବଜାରକୁ ଯାଇ ଦୈନନ୍ଦିନ ସଉଦାପତ୍ର କିଣିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜାମ୍ମୁ କାଶ୍ମୀରରେ ଉପସ୍ଥିତ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି।
ପ୍ରକାଶଯୋଗ୍ୟ ଯେ ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ପ୍ରସ୍ତାବ ଅଗଷ୍ଟ ୫ରେ ରାଜ୍ୟସଭାରେ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରରେ ବ୍ୟାପକ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା। ଅଗଷ୍ଟ ୪ରୁ ରାଜ୍ୟରେ ଇଣ୍ଟରନେଟ -ଫୋନ ସେବା ସହ ସ୍କୁଲ କଲେଜ ବନ୍ଦ ରହିଥିଲା ଓ ୧୪୪ ଧାରା ଜାରି କରାଯାଇଥିଲା।
Comments are closed.