ଗୋଟିଏ ରଙ୍ଗରେ ରଙ୍ଗେଇ ହେବ ସବୁ ବିଦ୍ୟାଳୟ

0

ଭୁବନେଶ୍ୱର:ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥାରେ କେତେକ ସଂସ୍କାର ଆଣିବାପାଇଁ ଶନିବାର ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଥିବା ନୋଡାଲ ସ୍କୁଲ ଓ ଅପ୍‍ଗ୍ରେଡେଡ୍‍ ସ୍କୁଲ ଓ ଗାଁ ନାମ ଲେଖାଥିବା ସ୍କୁଲର ନାଁ ପରିବର୍ତ୍ତନ କରି ଏହାର ଏକତ୍ରୀକରଣ କରାଯିବ। ରାଜ୍ୟରେ କେତେ ନୋଡାଲ,ଅପଗ୍ରେଡେଡ ଓ ଅନ୍ୟାନ୍ୟ ନାମରେ ଥିବା ସ୍କୁଲ ରହିଛି ତାହାର ତାଲିକା ବିଭାଗକୁ ଜଣାଇବାକୁ ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି। ଏହିସବୁ ନାମ ପରିବର୍ତ୍ତନ କରି ଏଣିକି ସବୁ ପ୍ରାଥମିକ ବିଦ୍ୟାଳୟଗୁଡିକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟ ଭାବେ ନାମିତ କରାଯିବ। ଖାଲି ଏତିକି ନୁହେଁ ସବୁ ବିଦ୍ୟାଳୟଗୁଡିକ ଗୋଟିଏ ମଡେଲ ଓ ରଙ୍ଗରେ ରଙ୍ଗେଇ ହେବାପାଇଁ ମଧ୍ୟ ସ୍ଥିର ହୋଇଛି।
ସେହିପରି ରାଜ୍ୟରେ କେତେ ବିଦ୍ୟାଳୟ ୩୦ବର୍ଷ, ୪୦ବର୍ଷ ଓ ୫୦ବର୍ଷରୁ ଅଧିକ ରହିଛି ତାହାର ମଧ୍ୟ ଏକ ପୂର୍ଣ୍ଣାଙ୍ଗ ତଥ୍ୟ ଖୁବ୍‍ଶୀଘ୍ର ଦେବାକୁ ଶ୍ରୀ ମହାପାତ୍ର ଭିଡ଼ିଓ କନଫରେନ୍ସିଂ ବେଳେ ଶିକ୍ଷା ଅଧିକାରୀ ଓ ଓପେପା କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ସେହିପରି ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ୩୬ଟି ବିଦ୍ୟାଳୟରେ କୌଣସି ଗୋଟିଏ ବି ପିଲା ପାସ୍‍ କରି ନଥିବା ଘଟଣାକୁ ବିଭାଗ ଗୁରୁତର ସହ ନେଇଛି। ଏହିସବୁ ବିଦ୍ୟାଳୟରେ କେତେ ପିଲା ଥିଲେ ଏବଂ ପରୀକ୍ଷା ଫଳ କାହିଁକି ଶୂନ୍‍ ହେଲା ସେନେଇ ତଦନ୍ତ କରାଯାଇଥିଲା। ବିଭାଗକୁ ମିଳିଥିବା ରିପୋର୍ଟ ଅନୁଯାୟୀ ୨୩ଟି ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନଥିବାବେଳେ ଶିକ୍ଷକ ଅଧିକ ରହିଛନ୍ତି। ତେଣୁ ବିଦ୍ୟାଳୟ ଏକକୀକରଣ ପ୍ରକ୍ରିୟାରେ ୨୩ଟି ଉନ୍ନୀତ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶାଇ ଦିଆଯିବାକୁ ସ୍ଥିର ହୋଇଛି।
ବୈଠକର ସୂଚନା ଅନୁଯାୟୀ ରାଜ୍ୟରେ କେତେକ ବିଦ୍ୟାଳୟରେ ନିଯୁକ୍ତ ହୋଇଥିବା ସିସିଏଚ୍‍ମାନଙ୍କ ଯୋଗ୍ୟତା କାଗଜପତ୍ର ଠିକ୍‍ ନାହିଁ। ତେଣୁ ସଂପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ଯେଉଁ ସିସିଏଚ୍‍ ଜାଲ୍‍ କାଗଜପତ୍ର ଦେଇ ନିଯୁକ୍ତି ହୋଇଥିବେ ସେମାନଙ୍କୁ ବହିଷ୍କାର କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହାସହିତ ଛାତ୍ରଛାତ୍ରୀଙ୍କୁ ଜୁଲାଇ ସୁଦ୍ଧା ସାଇକଲ ବାବଦ ଅର୍ଥ ପ୍ରଦାନ କରିବା, ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ତଦାରଖକୁ କଡାକଡ଼ି କରିବା, ଶିକ୍ଷକମାନଙ୍କ ପ୍ରୋଫାଇଲ ସମୟାନୁକ୍ରମେ ତଦାରଖ କରିବା, ଆଧାରକାର୍ଡ ସଂଯୋଗ କାର୍ଯ୍ୟ ଶେଷ କରିବା ଭଳି ୩୨ଟି ଦିଗ ଉପରେ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।

Leave A Reply