ଏସ୍ସି/ଏସ୍ଟି ଆଇନ ଉପରେ ଜରୁରୀକାଳୀନ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଅନୁସୂଚିତ ଜାତି ଏବଂ ଜନଜାତି (ଏସ୍ସି/ଏସ୍ଟି) ଅତ୍ୟାଚାର ନିରୋଧ ଆଇନ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ରାୟର ପୁନଃସମୀକ୍ଷା ନେଇ କେନ୍ଦ୍ର ପକ୍ଷରୁ ସୋମବର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆବେଦନ କରାଯାଇଛି। କିନ୍ତୁ ଏହି ଆବେଦନ ଉପରେ ଜରୁରୀକାଳୀନ ଭିତ୍ତିରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ମନା କରିଦେଇଛନ୍ତି। ଏସ୍ଟି/ଏସ୍ସି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାଏର ହେଉଥିବା ମାମଲାରେ ଅଭିଯୁକ୍ତଙ୍କୁ ତ୍ୱରିତ୍ ଗିରଫ କରାଯାଇପାରିବ ନାହିଁ। ଡିଏସ୍ପି ପାହ୍ୟାର ଜଣେ ପୁଲିସ ଅଧିକାରୀ ଅଭିଯୋଗର ତଦନ୍ତ କରିବା ପରେ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯିବ ବୋଲି ବିଚାରପତି ଆଦର୍ଶ ଗୋଏଲ ଓ ୟୁୟୁ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ନେଇ ଦଳିତ ସଂଘର ତୀବ୍ର ଅସନ୍ତୋଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାୟର ସମୀକ୍ଷା ନିମନ୍ତେ ପିଟିସନ୍ ଦାଖଲ କରାଯାଇଛି। ଯେଉଁସବୁ କାରଣ ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ ଉପରୋକ୍ତ ରାୟ ଦେଇଛନ୍ତି ସେଥିରେ କେନ୍ଦ୍ର ସରକାର ଅସହମତି ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲମାନେ ଖଣ୍ଡପୀଠଙ୍କ ନିକଟରେ ଏହି ମାମଲାର ସମସ୍ତ ଆଇନଗତ ଯୁକ୍ତି ଉପସ୍ଥାପନ କରିବେ ବୋଲି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଏଥିସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପଛୁଆବର୍ଗଙ୍କ ସଶକ୍ତୀକରଣ ଦିଗରେ ଯତ୍ନଶୀଳ ବୋଲି ସେ ଦର୍ଶାଇଛନ୍ତି।