ଗର୍ଭବତୀ ଆଇନ ଛାତ୍ରୀଙ୍କୁ ପରୀକ୍ଷା ପାଇଁ ଉପସ୍ଥାନରେ କୋହଳତା ଦେବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜନୈକ ଦ୍ୱିତୀୟ ବର୍ଷ ଏଲଏଲବି ଛାତ୍ରୀଙ୍କୁ ପରୀକ୍ଷା ଲାଗି ଉପସ୍ଥାନରେ କୌଣସି କୋହଳତା ଦେବାକୁ ସୁପ୍ରିମକୋର୍ଟ ବୁଧବାର ମନା କରିଛନ୍ତି। ୨୭ବର୍ଷୀୟା ଉକ୍ତ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା କାରଣରୁ ନିୟମିତ ଶ୍ରେଣୀକୁ ଆସି ପାରି ନଥିଲେ। ଫଳରେ ତାଙ୍କର ଉପସ୍ଥାନ ହାର କମ୍ ରହିଥିଲା। ଉପସ୍ଥାନ ହାର କମ୍ ଥିବା କାରଣରୁ ତାଙ୍କୁ ସେମିଷ୍ଟର ପରୀକ୍ଷା ଦେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମତି ଦେଇ ନଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ଛାତ୍ରୀ ଜଣଙ୍କ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ସୋମବାର ଦିଲ୍ଲୀ ହାଇକୋର୍ଟ ଛାତ୍ରୀଙ୍କ ପିଟିସନକୁ ଅଗ୍ରାହ୍ୟ କରିଦେଇଥିଲେ। ପରେ ସେ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ବୁଧବାର ବିଚାରପତି ଏ ଏମ୍ ଖାନୱିଲକର ଓ ବିଚାରପତି ନବୀନ ସିହ୍ନାଙ୍କୁ ନେଇ ଗଠିତ ପୀଠ ଛାତ୍ରୀଙ୍କ ଆବେଦନର ଶୁଣାଣି କରିଥିବାବେଳେ ଉପସ୍ଥାନରେ କୌଣସି କୋହଳତା ଦେବାକୁ ମନା କରିଥିଲେ। ହାଇକୋର୍ଟ ତାଙ୍କ ଶୁଣାଣି କାଳରେ କହିଥିଲେ ଯେ ବାର କାଉନସିଲ ଅଫ ଇଣ୍ଡିଆ (ବିସିଆଇ) ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ନିୟମ ଅନୁଯାୟୀ ନ୍ୟାୟିକ ଶିକ୍ଷା କ୍ଷେତ୍ରରେ ଉପସ୍ଥାନରେ କୋହଳତା ଦିଆଯାଇ ପାରିବ ନାହିଁ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ଯୁକ୍ତିରେ କହିଥିଲେ ଯେ ଏଲଏଲବି ଏକ ବୃତ୍ତିଗତ ପାଠ୍ୟକ୍ରମ ହୋଇଥିବାରୁ ଏଥିରେ ନିୟମିତ ଉପସ୍ଥାନ ବାଧ୍ୟତାମୂଳକ। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଆଶିଷ ବୀରମାଣି ଓ ହିମାଂଶୁ ଧୁପେର କହିଥିଲେ ଯେ ଗର୍ଭଧାରଣ କାରଣରୁ ତାଙ୍କ ମହକିଲ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡିଥିଲେ। ତେଣୁ ସେ ନିୟମିତ ଶ୍ରେଣୀରେ ଉପସ୍ଥିତ ରହିପାରି ନଥିଲେ। ଛାତ୍ରୀଙ୍କ ଯୁକ୍ତିଙ୍କୁ ଅଦାଲତ ଯଥାର୍ଥ ଦର୍ଶାଇ ଥିଲେ ମଧ୍ୟ ବିସିଆଇ ନିୟମ ଆଧାରରେ କୌଣସି କୋହଳତା ଦେବାକୁ ମନା କରିଥିଲେ। ୨୦୧୬ରେ ମହିଳା ଜଣଙ୍କ ଆଇନ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ପରବର୍ତ୍ତୀ ସମୟରେ ଗର୍ଭଧାରଣ କରିବା ଓ ସନ୍ତାନ ଜନ୍ମ ଦେବାକୁ ନେଇ ସେ ଶ୍ରେଣୀରେ ଦୁଇମାସ ପାଇଁ ଅନୁପସ୍ଥିତ ରହିଥିଲେ। ଫଳରେ ସେ ସର୍ବନିମ୍ନ ୭୦% ଉପସ୍ଥାନ ହାସଲ କରିପାରି ନଥିଲେ।