ମିଟୁ ହତ୍ୟାକାଣ୍ଡ, ୩ ଅଭିଯୁକ୍ତ ଗିରଫ
ସମ୍ବଲପୁର: ଗତ ରବିବାର ରାତ୍ର ପ୍ରାୟ ୮ଟା ସମୟରେ ମୋଦିପଡା ଦେଉଳବନ୍ଧ ନିବାସୀ ଭୀମସେନ ଗୁରୁ ଓରଫ ମିଟୁ ଫାର୍ମରୋଡ ସଞ୍ଜିବନୀ ହସ୍ପିଟାଲ ନିକଟସ୍ଥ ବୁଡୁ ଚାହା ଦୋକାନରେ ଚାହା ପିଉଥିବା ବେଳେ ମରାଣାନ୍ତକ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ସମ୍ବଲପୁର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ପୁଲିସ ଶିଘ୍ର ଧରିବାର ଏକ ଚ୍ୟାଲେଞ୍ଜର ବିଷୟ ହୋଇଥିଲା। ହତ୍ୟାକାଣ୍ଡ ଘଟିବା ପରେ ଟାଉନ ଥାନା ପୁଲିସ ମାମଲା ନଂ ୪୯୫/୨୦୨୦ ରୁଜୁ କରି ଦୁଇଟି ସ୍ୱତନ୍ତ୍ର ଦଳ ଗଠନ କରି ଅଭିଯୁକ୍ତ ମାନଙ୍କୁ ଧରିବାର ପ୍ରୟାସ ଜାରି ରଖିଥିଲା। ହତ୍ୟାକାଣ୍ଡ ଘଟିବା ପରେ ଚେରୁଆପଡା ଅଞ୍ଚଳରେ ଏକ ଗୁପ୍ତସ୍ଥାନରେ ଅଭିଯୁକ୍ତ ମାନେ ଆତ୍ମଗୋପନ କରିଥିବା ବେଳେ କିନ୍ତୁ ପୁଲିସର ସାମାନ୍ୟ ବିଳମ୍ବ ଯୋଗୁଁ ସେମାନେ ଖସି ପଳାଇବାରେ ସମର୍ଥ ହେବାରୁ ପୁଲିସ ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ମଙ୍ଗଳବାର ପ୍ରାତଃ ସମୟରେ ପୁଲିସ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଚେରୁଆପଡା ନିବାସୀ ଦିଲୁ ବେହେରା (୨୯), ସାଗର କର୍ମକାର (୨୪) ଏବଂ ଦିନେଶ ନେପାକ (୨୬) ଙ୍କୁ ଓଡିଶା ଓ ଛତିଶଗଡ ସୀମାଞ୍ଚଳ ଲୁହୁରାଚଟ୍ଟୀର ତାବବେଡା ଅଞ୍ଚଳରୁ ଧରିବାରେ ସଫଳ ହୋଇଛି ବୋଲି ଭାରପ୍ରାପ୍ତ ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି।
ଏହି ଘଟଣା ସର୍ମ୍ପକରେ ସମ୍ବଲପୁର ପୁଲିସ ତରଫରୁ ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ପଣ୍ଡା କହିଛନ୍ତି ଯେ, ଉଭୟ ମୃତ ଓ ଅଭିଯୁକ୍ତ ମାନଙ୍କର ଅପରାଧିକ ପୃଷ୍ଠଭୂମି ରହିଛି। ସେମାନଙ୍କର ମଧ୍ୟରେ କୌଣସି କାରଣରୁ ପୂର୍ବ ଶତ୍ରୁତା ରହିଥିବାରୁ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ସାଗର କର୍ମଚାରଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ କେବଳ ଟାଉନ ଥାନାରେ ୪ଟି ମାମଲା ଯଥା ମାମଲା ନଂ ୩୨୪/୨୦୧୫, ୨୨୧/୨୦୧୬, ୨୧୧/୨୦୨୦ ଏବଂ ୨୬୧/୨୦୨୦ ରହିଛି। ସେହିଭଳି ଦିନେଶ ନେପାକଙ୍କ ନାମରେ ମଧ୍ୟ ଟାଉନ ଥାନାରେ ୩ଟି ମାମଲା ଯଥା ମାମଲା ନଂ ୨୩୦/୨୦୧୫, ୧୦୬/୨୦୧୮ ଏବଂ ୩୧୩/୨୦୨୦ ରହିଛି। ତେବେ ଅଭିଯୁକ୍ତ ଦିଲୁ ବେହେରାଙ୍କ ନାମରେ ରହିଥିବା ପୂର୍ବ ଅପରାଧିକ ରେକର୍ଡ ଏବେ ଖୋଜା ଚାଲିଛି। ଏହି ମାମଲାରେ ଅଧିକ ସୂଚନା ଦେଇ ଭାରପ୍ରାପ୍ତ ଏସପି ପଣ୍ଡା କହିଛନ୍ତି ଯେ, ଅଭିଯୁକ୍ତ ମାନେ ଏକ ଛୁରୀ ସାହାର୍ଯ୍ୟରେ ହତ୍ୟା କରିଥିବା ବେଳେ ତାହା ମଧ୍ୟ ପୁଲିସ ଜବତ କରିଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଦିଲୁ ବେହେରା ଓଡିଶା ଓ ଛତିଶଗଡ ସୀମାଞ୍ଚଳ ଲୁହୁରାଚଟ୍ଟୀ ଅଞ୍ଚଳର ମୂଳ ନିବାସୀ ହୋଇଥିବାରୁ ସେମାନେ ହତ୍ୟା କରିବା ପରେ ସେଠାକୁ ପଳାଇ ଯାଇ ଆତ୍ମଗୋପନ କରିଥିଲେ। ଏହି ମାମଲାକୁ ସମ୍ବଲପୁର ପୁଲିସ ସ୍ୱତନ୍ତ୍ର ରିପୋର୍ଟ ଭାବରେ ବିବେଚନା କରି ସମସ୍ତ ପ୍ରକାରର ଫୋରସୋନିକ ଓ ସାଇନ୍ଟିଫିକ ଯାଞ୍ଚ ପ୍ରକ୍ରିୟା ପୁଲିସ ପକ୍ଷରୁ ପୂରଣ କରି ସାରିଛି। ଅଭିଯୁକ୍ତ ମାନେ ଯେଭଳି କୋର୍ଟରେ ଦୋଷୀ ସାବ୍ୟସ୍ତ ହେବେ ସେଥିପାଇଁ ଏହି ମାମଲାର ତଦନ୍ତ ଓ ପ୍ରମାଣ ଗୁଡିକୁ ଏକତ୍ରିତ କରାଯାଇ ଶିଘ୍ରରୁ ଅତି ଶିଘ୍ର ଚାର୍ଜସିଟ କୋର୍ଟରେ ଦାଖଲ କରାଯିବ ବୋଲି ଭାରପ୍ରାପ୍ତ ଏସପି ଅମରେଶ ପଣ୍ଡା କହିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ସମସ୍ତ ପ୍ରକ୍ରିୟା ପୂରଣ କରାଯାଇ କୋର୍ଟ ଚାଲାଣ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ତପନ କୁମାର ମହାନ୍ତି, ଟାଉନ ଥାନାଧିକାରୀ ରମେଶ ଦୋରା, କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକ, ଏସଆଇ ଅମର ହୋତା ସମେତ ଅନ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଗତ ଜୁନ ୬ ତାରିଖରୁ ଡିଆଇଜି ଏବଂ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ପଦ ଖାଲି ରହିଥିବାରୁ ଭାରପ୍ରାପ୍ତ ବ୍ୟବସ୍ଥାରେ ଚାଲୁ ରହିଛି। ଯାହାକି ଏବେ ଅପରାଧି ମାନଙ୍କୁ ବେଶ ସୁହାଉଥିବାର ପରିଲକ୍ଷିତ ହେଉଛି। ନିୟମିତ ଭାବରେ ସମ୍ବଲପୁର ଜିଲା ବିଶେଷତଃ ସହରରେ ହତ୍ୟାକାଣ୍ଡ, ଛୁରା ମାଡ, ନିଶା କାରବାର ଆଦି ବିଭିନ୍ନ ପ୍ରକାରର ଅପରାଧିକ ଗତିିବିଧି ବେଶ ବୃଦ୍ଧି ପାଉଥିବା ବେଳେ ପୁଲିସ କିନ୍ତୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସପକ୍ଷରେ ନ ଥିବା ଭଳି ଲାଗୁଛି ବୋଲି ସହରବାସୀ ଅଭିଯୋଗ କରୁଛନ୍ତି। ଏଣୁ ଜିଲା ସମେତ ସମ୍ବଲପୁର ସହରର ଆଇନ ବ୍ୟବସ୍ଥାକୁ ସୁଦୃଢ଼ କରି ଜନତାଙ୍କୁ ଭୟମୁକ୍ତ ବାତାବରଣ ପ୍ରଦାନ କରିବା ପାଇଁ ସବୁ ମହଲରୁ ଦାବି ହେଉଛି।
Comments are closed.