www.samajalive.in
Sunday, December 7, 2025
14.1 C
Bhubaneswar

ମହିଳା ଆଇଆଇସିଙ୍କୁ ଜୟନାରାୟଣଙ୍କ ଚାପୁଡ଼ା

ସମ୍ବଲପୁର : ପୁଣି ବିବାଦରେ ଫସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମ୍ବଲପୁରରେ ବିଜେପି ପକ୍ଷରୁ ଆଜି ବିକ୍ଷୋଭ ସମାବେଶ ଚାଲଥିବାବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମ୍ବଲପୁର ଜିଲା ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଦଳର ମହିଳା କର୍ମୀମାନଙ୍କୁ ପୁଲିସ ଦୁର୍ବ୍ୟବହାର କରୁଥିବା ଖବର ପାଇ ସେମାନଙ୍କୁ ବୁଝାସୁଝା କରିବା ପାଇଁ ଘଟଣାସ୍ଥଳକୁ ଯାଇଥିବାବେଳେ ତାଙ୍କ ଗୋଡ ଉପରକୁ ମହିଳା ଅଧିକାରୀଜଣଙ୍କ ଚଢ଼ିଯିବା ସହିତ ତାଙ୍କୁ ପ୍ରଥମେ ଧକ୍କା ଦେଇଥିବା ଜୟନାରାୟଣ ଅଭିଯୋଗ କରିଛନ୍ତି। ଘଟଣା ସଂପର୍କରେ ଆଇଆଇସି ଶ୍ରୀମତୀ ପ୍ରଧାନ ଟାଉନ ଥାନାରେ ଅଭିଯୋଗ କରିଥିବାବେଳେ ବିଜେପି ମହଳା ମୋର୍ଚ୍ଚା ପକ୍ଷରୁ ଏନେଇ ପାଲଟା ଅଭିଯୋଗ କରାଯାଇଛି। ସେହିପରି ମହିଳା ପୁଲିସ କର୍ମଚାରୀ ସଂଘ ପକ୍ଷରୁ ଉତ୍ତରାଞ୍ଚଳ ଆରଡିସିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଘଟଣାରେ ନ୍ୟାୟ ଭିକ୍ଷା କରାଯାଇଛି।
ସୂଚନାଯୋଗ୍ୟ ​ଯେ, ଆଜି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ପ୍ରତିବାଦରେ ସମ୍ବଲପୁରର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା। ଏହାର ନେତୃତ୍ୱ ନେଉଥଲେ ବିଜେପି ଜିଲା ସଭାପତି ଗିରିଶ ପଟେଲ ଏବଂ ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ଶହ ଶହ ବିଜେପି କର୍ମୀ ଉପସ୍ଥିତ ଥିଲେ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମଧ୍ୟ ମୁତୟନ ହୋଇଥିଲା। ତେବେ ସମାବେଶ ପରେ ଦାବିପତ୍ର ପ୍ରଦାନ ପାଇଁ ବିଜେପି କର୍ମୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ବିଜେପି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ସେଠାକୁ ଆସିଥିବା ଜୟନାରାୟଣ ଧନୁପାଲି ଥାନା ଆଇଆଇସିଙ୍କୁ ‘ତୁ କିଏ’ ବୋଲି କହିବାରୁ ଶ୍ରୀମତୀ ପ୍ରଧାନ ‘ଧନୁପାଲି ଆଇଆଇସି’ ବୋଲି କହିଥିଲେ। ଏହି ପରି କିଛି କଥା କଟାକଟି ମଧ୍ୟରେ ବିରୋଧୀ ଦଳ ନେତା ତାଙ୍କୁ ଚାପୁଡ଼ା ମାରିିଥିବା ଶ୍ରୀମତି ପ୍ରଧାନ ଅଭିଯୋଗ କରିଛନ୍ତି। ତେବେ ଜୟନାରାୟଣଙ୍କ କହିବା କଥା ହେଲା ତାଙ୍କୁ ପ୍ରଥମେ ଧକ୍କା ମରାଯାଇଥିଲା। ସେ କହିଛନ୍ତି ଯେ, ବିକ୍ଷୋଭ ପ୍ରଦର୍ଶନ ସମୟରେ ଆଇନ ଅମାନ୍ୟ ଆନ୍ଦୋଳନ ଚାଲିଥିଲା ଏବଂ କିଛି ମହିଳା କର୍ମୀଙ୍କୁ ପୁଲିସ ମାଡ ମାରୁଥିବାର ଅଭିଯୋଗ ଆସିଥିଲା। ତାଙ୍କର ଦେହ ଅସୁସ୍ଥ ଥିବାରୁ ସେ କିଛି ଦୂରରେ ବସିଥିଲେ। ଘଟଣା ସର୍ମ୍ପକରେ ଜାଣିବା ଏବଂ ସମସ୍ତଙ୍କୁ ବୁଝାସୁଝା କରିବା ପାଇଁ ଯାଉଥିବା ବେଳେ ଅଧିକାରୀ ଅଚାନକ ଆସି ତାଙ୍କର ଗୋଡକୁ ମାଡି ଦେଇଥିଲେ। ଏହା ପରେ ତୁ ପୁଲିସ ବିରୋଧରେ ବହୁତ ବକ ବକ କରୁଛୁ ବୋଲି କହି ନିଜର ଅଧିକାରର ଭୁଲ ଉପଯୋଗ କରି ତାଙ୍କୁ ଠେଲାପେଲା କରି ଆକ୍ରମଣ କରିଥିଲେ ବୋଲି ଜୟନାରାୟଣ କହିଛନ୍ତି।
ଏହି ଘଟଣା ସର୍ମ୍ପକରେ ଥାନାଧିକାରୀ ଅନୀତା ପ୍ରଧାନ କହିଛନ୍ତି ଯେ, ଆଜି ମୋର ଡ୍ୟୁଟି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପୁଲିସ ମୁଖ୍ୟାଳୟ ତରଫରୁ ଦିଆଯାଇଥିଲା। ବିକ୍ଷୋଭକାରୀ ମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଚେଷ୍ଟା କରିଥିବା ବେଳେ ମୋ ସମ୍ମୁଖକୁ ଅଚାନକ ବିଧାୟକ ଶ୍ରୀ ମିଶ୍ର ଆସି ଯାଇଥିଲେ। ମୁୁଁ କିଏ ବୋଲି ସେ ପଚାରିବାରୁ ମୁଁ ମୋର ପରିଚୟ ପ୍ରଦାନ କରିଥିଲି। ଅଚାନକ ସେ ଉତ୍ତେଜିତ ହୋଇ ମୋତେ ଗାଳିଗୁଲଜ କରିବା ସହିତ ମାଡ ମାରିବା ପାଇଁ କହିଥିଲେ ଏବଂ ମୋର ଗାଲକୁ ଚାପୁଡା ମାରିଥିଲେ। ଏଣୁ ମୁଁ ଏହାର ପ୍ରତିବାଦ କରିବାରୁ ତାଙ୍କର କର୍ମୀ ମାନେ ତାଙ୍କୁ ସେଠାରୁ ନେଇ ଯାଇଥିଲେ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି।
ଅପରପକ୍ଷରେ ସନ୍ଧ୍ୟାରେ ଉଭୟ ପକ୍ଷରୁ ଟାଉନ ଥାନାରେ ଏତାଲା ଦିଆଯାଇଥିବା ବେଳେ ଧନୁପାଲି ଥାନାଧିକାରୀଙ୍କ ଅଭିଯୋଗ କ୍ରମେ ୭ ପ୍ରକାରର ବିଭିନ୍ନ ଦଫା ଲଗାଇ ମାମଲା ସଂଖ୍ୟା ୬୭/୨୦୨୩ ରୁଜୁ କରାଯାଇଛି। ଅନ୍ୟ ପଟରେ ବିଜେପି ଜିଲା ସଭାନେତ୍ରୀ ଅନ୍ନପୁର୍ଣ୍ଣା ବାରିକ ବିଧାୟକ ଶ୍ରୀ ମିଶ୍ର ଙ୍କ ତରଫରୁ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏହିପରି ଭାବେ ଆରୋପ ପ୍ରତ୍ୟାରୋପ ଚାଲିଥିବାବେଳେ ଘଟଣା ସଂର୍ପକରେ ଯାଞ୍ଚ ଚାଲିଛି, ଦୋଷୀ ବି​‌ରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମ୍ବଲପୁର ଏସପି ବି. ଗଙ୍ଗାଧର ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories