କଇଁଛ ଓ ଡଲଫିନ ସୁରକ୍ଷା ପାଇଁ ସମୁଦ୍ର ମୁହାଣରେ ସଚେତନତା ଶିବିର

ଧାମରା : ବିଶ୍ୱରେ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ ଏବଂ ବିରଳ ପ୍ରଜାତିର ବଟଲ ନୋଜଇର ୱାଡି ଡ଼ଲଫିନ ମାନଙ୍କ ସୁରକ୍ଷା ଏବଂ ଉପକୁଳ ସମୁଦ୍ର ତଟର ବେଳାଭୂମିକୁ ପରିଷ୍କାର ରଖିବା ପାଇଁ ଭଦ୍ରକ ଏସିଏଫ ସୁମିତ ମହାନ୍ତିଙ୍କ ତତ୍ୱାବଧାନରେ ଚାନ୍ଦବାଲି ରେଞ୍ଜ ଅଫିସର ସୁଶାନ୍ତ ବାଗଙ୍କ ଉପସ୍ଥିତରେ ଏକ ସୁରକ୍ଷା ଶିବିର ଚନ୍ଦନୀପାଳ ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି। ଧାମରାଇ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମାନେ ସଙ୍ଗଠିତ ଭାବେ ଚନ୍ଦନୀପାଳ ବେଳାଭୂମିରେ ପହଞ୍ଚିବା ପରେ ବେଳା ଭୂମି ସଫେଇ କରିଥିଲେ। ପରେ ଏହି ଅଂଚଳରେ ଜନସାଧାରଣଙ୍କ ନିମନ୍ତେ ଅଲିଭ ରିଡଲେ କଇଁଛ ଏବଂ ଡ଼ଲଫିନ ମାନଙ୍କ ସୁରକ୍ଷା ପାଇଁ ଏକ ବିଶାଳ ରାଲିରେ ପ୍ଲା କାର୍ଡ ଧରି ସୁରକ୍ଷା ସମ୍ବଳିତ ସ୍ଲୋଗାନ ଦେଇ ଅଂଚଳ ପରିକ୍ରମା କରିବା ସହ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ପରେ ଏସିଏଫଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହେବା ସହ ଉପସ୍ଥିତ ବ୍ୟକ୍ତି ବିଶେଷ କଇଁଛ ଏବଂ ଡ଼ଲଫିନଙ୍କ ସୁରକ୍ଷା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ହୋଇଥିବା କାର୍ଯ୍ୟକ୍ରମରେ ମତ୍ସ୍ୟଜିବି, ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ, ବନକର୍ମଚାରୀ ସାମୁଦ୍ରିକ ଜୀବ ମାନଙ୍କ ସୁରକ୍ଷା ଦିଗରେ ଶପଥ ପାଠ କରିଥିଲେ ।
Comments are closed.