www.samajalive.in
Monday, December 15, 2025
16.1 C
Bhubaneswar

ସତ୍‌ ସାହିତ୍ୟ ସୃଷ୍ଟି ଧେୟ ହେଉ :ପ୍ରଫେସର ମନୋଜ ଦାସ

କଟକ: ଅନ୍ୟ ଦିନର ସକାଳଠାରୁ ଆଜିର ସକାଳ ଥିଲା ଅଲଗା। ଋତୁରାଜ ବସନ୍ତ ବିଦାୟ ନେଇଥିଲେ ହେଁ ଖରାର ପ୍ରକୋପ  ବଢ଼ି ନ ଥାଏ। କାଉ ଓ କୋଇଲିର ସହର କଟକରେ ଶୁଭୁଥାଏ  କୋଇଲିର କୁହୁକୁହୁ। ବିଜୁ ପଟ୍ଟନାୟକଛକସ୍ଥିତ ସାରଳା ଭବନ ପ୍ରେକ୍ଷାଳୟରେ ଆୟୋଜନ ହେଉଥାଏ ସାହିତ୍ୟ ପତ୍ରିକା “ଗୋପବନ୍ଧୁଙ୍କ ସତ୍ୟବାଦୀ’ର ବାର୍ଷିକ ସମାରୋହ, ପୁରସ୍କାର ପ୍ରଦାନ ଉତ୍ସବ ଓ  ଲେଖକ  ସମାବେଶ। ଜଣ ଜଣ କରି ଆଗମନ କରୁଥାଆନ୍ତି  ସାରଳା ମଣ୍ଡପରେ ସାହିତ୍ୟିକ, ସାହିତ୍ୟ ପ୍ରେମୀ ଓ ବିଭିନ୍ନ ବର୍ଗର ଧୀ- ଧୀମାନ ସୁଧୀ ବର୍ଗ। ସେମାନଙ୍କର ପଦଧୂଳି ପଡ଼ିବା ମାତ୍ରେ ଏହି ମାଟିରେ ଚନ୍ଦନଟିପା ଓ ଫୁଲ ଦେଇ ସ୍ୱାଗତ କରାଯାଉଥିଲା ସଭିଙ୍କୁ। ଅପୂର୍ବ ସେ ପରିବେଶ, ଭାବାବେଗ; ସତେ ଯେମିତି ମନେ ହେଉଥିଲା ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ  ଦାସଙ୍କ ଆଶୀର୍ବାଦ ଅଜାଡ଼ି ହୋଇପଡ଼ୁଛି।

ଏପ୍ରିଲ ୧ ତାରିଖ ରବିବାର ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଥିଲା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ସଭାପତିତ୍ୱରେ ଏହି ଅଭୂତପୂର୍ବ ସାରସ୍ୱତ ସମାବେଶ ଏବଂ ପୁରସ୍କାର ବିତରଣ ଉତ୍ସବ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାହିତ୍ୟିକ  ପ୍ରଫେସର ମନୋଜ ଦାସ ଏହାକୁ ଉଦ୍‍ଘାଟନ କରି କହିଥିଲେ ଆଜି ଆମ ସମାଜରେ ଆମୋଦ ଓ ଆନନ୍ଦ ପାଇଁ  ନାନା ପ୍ରକାର ଆୟାଜନର ଅଭାବ ନାହିଁ । ହେଲେ ଯାହା ମୋତେ ବିଷାଦାଚ୍ଛନ୍ନ କରିଛି ତାହା ହେଉଛି ଭାରତବର୍ଷ ବିଶ୍ୱର ବିଷାଦତମ ଦେଶ ମଧ୍ୟରେ ଅନ୍ୟତମ। ଖାଲି ବିଷାଦଗ୍ରସ୍ତ ଦେଶ ନୁହେଁ, ପୃଥିବୀର ଯେଉଁ ସୁଖୀ ଦେଶମାନଙ୍କର ତାଲିକା ଦିଆଯାଉଛି ସେଥିରେ ଭାରତର ସ୍ଥାନ ରହିଛି ୧୨୨ରେ। ଏପରି କି ପାକିସ୍ତାନ ଓ ନେପାଳ ଭଳି ଦେଶଠୁ ତଳେ ରହିଛି। ଏହି ସମୀକ୍ଷା ଆଜିର ନୁହେଁ, କ୍ରମାଗତ କିଛି ବର୍ଷ ହେଲା ପ୍ରକାଶ ପାଇଆସୁଛି ; ହେଲେ ଏଥିନେଇ କୌଣସି ବିସ୍ମୟ ବା ଚାଞ୍ଚଲ୍ୟ ନାହିଁ। ଏହା ହିଁ ଘୋର ବିଡ଼ମ୍ବନାର ବିଷୟ। ଦିନେ ମଣିଷ ଜୀବନର କିଛି ଲକ୍ଷ୍ୟ ନଥିଲା। ଏବେ ଆମେ ଅସମ୍ଭବ ଭାବେ ଅଗ୍ରଗତି କରୁଛୁ କୁହାଯାଉଥିଲେ ମଧ୍ୟ ନୈତିକତାର ଅଧୋପତ୍ତନ ଘଟିଛି । ଦୁଃଖମୟ ସ୍ଥିତିରୁ ମୁକୁଳିବାର ଉପାୟ ପାଇଁ ରାସ୍ତା ଖୋଜିଥିଲେ ଗୌତମ ବୁଦ୍ଧ।  ହେଲେ ମଣିଷକୁ ଆଷର୍କଣର ଲୋଭ ଏତେ ମତମତ୍ତ କରିରହୁଛି ଯେ ବୁଦ୍ଧଙ୍କ ବାଣୀ ବା ମାର୍ଗକୁ ନିଷ୍କ୍ରିୟ କରିଦିଆଯାଉଛି। ନା’ଆମେ ବୈଦାନ୍ତିକ ଧର୍ମ ନା ବୌଦ୍ଧ ଧର୍ମକୁ ଜାବୁଡ଼ି ପାରିଛୁ ? ବେଦାନ୍ତ ଚାର୍ବାକ୍‍  ଭୋଗବାଦରେ ଆକ୍ରାନ୍ତ।  ଆମର ଅବଚେତନରେ ଦ୍ୱନ୍ଦ୍ୱ ରହିଥିବାରୁ ବିଭ୍ରାଟ ଦେଖାଦେଉଛି। ଏଣୁ ସବୁଥିରୁ ମୁକୁଳି ଊଦ୍ଧ୍ୱର୍ଗାମୀ ହେବାକୁ ହେଲେ ପ୍ରଥମେ ବ୍ୟକ୍ତିଗତ ସ୍ତରରେ ଏବଂ ପରେ ସାମଗ୍ରିକ ସ୍ତରରେ ଆତ୍ମସମୀକ୍ଷା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ  ପ୍ରଫେସର ଦାସ  ଖବର କାଗଜର ପ୍ରଥମ ପୃଷ୍ଠାରେ ଚାଞ୍ଚଲ୍ୟକର ଖବରକୁ କିପରି ଅପେକ୍ଷା କରାଯାଉଛି ତାହାକୁ  କଟାକ୍ଷ କରି ମାନବୀୟ ନୈତିକତାର ଅଧଃପତନ ଓ ତାମସିକତାକୁ  ବିଦ୍ରୂପ କରି କରିଥିଲେ। ବିଦ୍ରୂପ ଆଜି ଆଦର୍ଶରେ ପରିଣତ ହୋଇଯାଉଥିବାରୁ କ୍ଷୋଭ ପ୍ରକାଶ କରି କହିଥିଲେ ପ୍ରତ୍ୟେକ ପ୍ରଗତି ପଛରେ ଅବାନ୍ତର ପ୍ରଶ୍ନ, ଭବିତବ୍ୟ ଓ ଅଟ୍ଟହାସ୍ୟ ଶୁଣାଯାଉଛି। ଭୁଲ ମାର୍ଗରେ ଆନନ୍ଦର ସନ୍ଧାନ କରାଯାଉଛି। ଫଳରେ ଭବିଷ୍ୟତ ଅନ୍ଧକାରମୟ ହୋଇଯାଉଛି। ସାହିତ୍ୟ ସମ୍ପର୍କରେ ସେ କହିଲେ ଏବର ଅନେକ ଲେଖକଙ୍କର ମୌଳିକ ସତ୍ୟ ପ୍ରକାଶ କରିବା ଭଳି ସାମର୍ଥ୍ୟ ନାହିଁ । କ’ଣ କଲେ ସତ୍‍ ସାହିତ୍ୟ ସୃଷ୍ଟି ହେବ ସେଥିନେଇ ନାନା ପରୀକ୍ଷାନିରୀକ୍ଷା ଜାରି ରହିଛି। ପ୍ରାଚୀନ ସାହିତ୍ୟର ପୁନର୍ଲେଖନ ଓ ନାରୀବାଦ ନାଁରେ ଯେଉଁ ଯଥେଚ୍ଛାଚାର ହେଉଛି ତାହା ଦୁର୍ଭାଗ୍ୟର ବିଷୟ। ଏ ସତ୍ତେ୍ୱ  ସତ୍‍ ସାହିତ୍ୟ ସୃଷ୍ଟି ହେଉଛି। ଲେଖକ ଚେତନା ପ୍ରତି ଜାଗରୁକ ହେଲେ ଏହା ଅଧିକ ଫଳବତୀ ହେବ । କୌଣସି ଲେଖକ କେବଳ ଦେହ, ମନ ଓ ପ୍ରାଣ ନୁହେଁ; ଆତ୍ମା ପ୍ରତି ମଧ୍ୟ ସଚେତନ ହୋଇ ଲେଖନୀ ଚାଳନା କରିବାର ଅଛି । ଆତ୍ମାନୁସନ୍ଧାନ ଲେଖକର ଧେୟ ହେଉ। ସତ୍‍ ସାହିତ୍ୟ ସୃଷ୍ଟି ପାଇଁ ସତତ ପ୍ରୟାସୀ ହେଉ।

- Advertisement -

ଅନ୍ୟତମ ବକ୍ତା ରୋଟାରି ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅଜୟ ଅଗ୍ରୱାଲ  କହିଲେ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଜ୍ଞାନକୌଶଳର ବିକାଶ  ଗତ ଦଶ ବର୍ଷ ଭିତରେ ମାନବ ସଭ୍ୟତା ଓ ମଣିଷର ଚେତନାକୁ କରାୟତ୍ତ କରିସାରିଛି। ପରିସ୍ଥିତି ଏପରି ହୋଇଛି ଯେ ଇତିମଧ୍ୟରେ ରୋବର୍ଟକୁ ମଧ୍ୟ ମାନବର ମାନ୍ୟତା ମିଳିସାରିଛି।  ମଣିଷ ଯଦି ଯନ୍ତ୍ରକବଳିତ ହୋଇଯିବ, ଅଚିରେ ତାର ଆବେଗ ଓ ସମ୍ବେଦନଶୀଳନା ଲୋକପାଇଯିବ। ଏପରି ସ୍ଥିତିରେ ମଣିଷର ଚୈତନ୍ୟକୁ ଉଦୟ କରିବାରେ ସାହିତ୍ୟ ହିଁ ମାର୍ଗଦର୍ଶନ  କରି ପାରିବ।  ରେଭେନ୍ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଖାରବେଳ ମହାନ୍ତି  ସାମାଜିକ ଗଣମାଧ୍ୟମର ଅଭ୍ୟୁଦୟ ହେବା ପରେ ମଣିଷ କିପରି ସେଥିରେ ସୁଖ ଖୋଜିଚାଲିଛି ଏବଂ ଏକ ସାମଗ୍ରୀରେ ପରିଣତ ହୋଇଯାଉଛି, ତାହାର ଅବତାରଣା କରି କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ସାମାଜିକ ଗଣମାଧ୍ୟମ ବା ଭର୍ଚୁଆଲ ଜଗତ ଏକାବେଳେ ଜଗତୀକରଣ ହୋଇଯାଇଥିବାରୁ   ମଣିଷ “ମୁଁ’ କୈନ୍ଦ୍ରିକ କାଳ୍ପନିକ ଦୁର୍ଦଶାରେ ଡୁବି ରହୁଛି

, ଯାହା ଚାହୁଁଛି ତାହା କରୁଛି। ଫଳରେ   ସେଇଠି ଯୁକ୍ତିଯୁକ୍ତ ଭାଷା ଆଉ ରହୁନାହିଁ, କେବଳ ଗୋଟିଏ ଭାଷା ତିଷ୍ଠୁଛି, ତାହା ହେଉଛି “ରାଜନୀତି’। ଅନେକାଂଶର ମିଥ୍ୟା ଖବର ପ୍ରଚାର ହେଥିବାରୁ ଏହା ସନ୍ତ୍ରାସବାଦୀ  ଆତଙ୍କରେ ପରିଣତ ହୋଇଛି। ଏଥିରୁ ସକରାତ୍ମକତା ତଥା ଉପଯୁକ୍ତ ରାସ୍ତା କେବଳ ସାହିତ୍ୟ ହିଁ ଦେଖାଇପାରିବ। ଏଥିପାଇଁ ଆତ୍ମ ଜାଗରୁକତା ଅନିବାର୍ଯ୍ୟ ।

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ କହିଲେ “ଗୋପବନ୍ଧୁଙ୍କ ସତ୍ୟବାଦୀ’ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର। ଏହା ଉତ୍କଳମଣିଙ୍କ ଆଦର୍ଶ ଓ ମାର୍ଗରେ ଚାଲିଲେ ଯାଇ ତାଙ୍କର ମୂଳଲକ୍ଷ୍ୟ ସାଧିତ ହେବ।  “ଗୋପବନ୍ଧୁ ସାହିତ୍ୟ ମନ୍ଦିର’ କୌଣସି କର୍ପୋରୋଟ ହାଉସ ଦ୍ୱାରା ପରିଚାଳିତ ନୁହେଁ। “ସମାଜ’ ଲୋକସେବକ ମଣ୍ଡଳ ହାତରେ ପଡ଼ିଥିବାରୁ ଏହା ଏକଶତ ବର୍ଷ ପୂରଣ କରିବାକୁ ଯାଉଛି। ଏବେ ଏହାର ଦାୟିତ୍ୱ  ଆହୁରି ବଢ଼ିଯାଇଛି।  ଆଗକୁ ଯିବାକୁ ହେଲେ ପରମ୍ପରା ସହିତ ନୂତନତାର ସଂଯୋଗୀକରଣ ଜରୁରୀ। ତେବେ ନୂତନତା ମୂଲ୍ୟବୋଧଭିତ୍ତିକ ହେବା ଦରକାର। ଆଧୁନିକତା ନାଁରେ ମିଥ୍ୟାଚାର ଓ ଛଦ୍ମଚାରିଦା ଚଳିବ ନାହିଁ ।  ଶ୍ରୀ ମାଲବ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଦେଶ, ଦଶ ଓ ଅନୁଷ୍ଠାନର ସାମଗ୍ରିକ ଅଭ୍ୟୁତ୍‍ଥାନ ସକାଶେ ସାହସିକ ଓ ନିର୍ଭୀକ ହୋଇ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, “ସମାଜ’ର ପ୍ରକାଶକ ଓ ମୁଦ୍ରାକର ତଥା “ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସମ୍ପାଦକ ନିରଞ୍ଜନ ରଥ କହିଥିଲେ ଓଡ଼ିଶାରେ ନିଚ୍ଛକ ସାହିତ୍ୟ ପତ୍ରିକାଟିଏର ଅଭାବକୁ ପୂରଣ କରିବା ପାଇଁ “ଗୋପବନ୍ଧୁଙ୍କ ସତ୍ୟବାଦୀ’ ପତ୍ରିକାର ପୁନଃପ୍ରକାଶ ପାଇଛି। ଏହାକୁ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସ “ସତ୍ୟବାଦୀ’ ନାମରେ ୧୯୧୫ରେ ପ୍ରକାଶ କରିଥିଲେ ଏବଂ ଏହା ଛଅ ବର୍ଷ ଧରି ପ୍ରକାଶ ପା

ଇବା ପରେ ବନ୍ଦ ହୋଇଯାଇଥିଲା। ଆଜି ପତ୍ରିକାଟି ଯେଉଁ ପର୍ଯ୍ୟାୟରେ ବି ପହଞ୍ଚିଛି, ତାହା ଆପଣମାନଙ୍କର ସହଯୋଗ, ସାହଚର୍ଯ୍ୟ ଓ ସଦିଚ୍ଛାର ଫଳପ୍ରସୂ ।

“ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ  ସାରସ୍ୱତ ସମ୍ମାନ ପ୍ରଦାନର ଆଭିମୁଖ୍ୟ ସମ୍ପର୍କରେ କହିଲେ “ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ ପ୍ରଦତ୍ତ ପୁରସ୍କାର ଓ ସମ୍ମାନର ତୁଳନା ନାହିଁ। ଏଥିରେ ଗୋପବନ୍ଧୁଙ୍କ ବିଭୂତି ଅନ୍ତର୍ଲୀନ। ପତ୍ରିକା ପୁନଃପ୍ରକାଶ ହେବାର ଅଳ୍ପଦିନ ଭିତରେ ଯେପରି ଭାବେ ଲୋକପ୍ରିୟ ହୋଇପାରିଛି ଏବଂ ସୁଧୀ ମହଲରେ ଗ୍ରହଣୀୟ ହୋଇପାରିଛି, ତାହା ବାର୍ତ୍ତା ହେଉଛି ଯେ ଭଲ ସାହିତ୍ୟର ଚାହିଦା କାଳେ କାଳେ ରହିଛି । ଯେଉଁ ଜାତି ପୂଜ୍ୟପୂଜା ପରମ୍ପରାକୁ ସମ୍ମାନ ଦେବା ଶିଖିନାହିଁ, ସେ କେବେ ଅଚିରେ ଉଧେଇ ପାରେନାହିଁ । ସେଥିରୁ ହିଁ ସେହି ଜାତି ବା ଅନୁଷ୍ଠାନର ଐତିହ୍ୟ ତଥା ଅସ୍ମିତା ନିର୍ଣ୍ଣିତ ହୁଏ।

ସମାରୋହ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଇଥିଲା। ପ୍ରଥମ ପର୍ଯ୍ୟାୟ ମୁଖ୍ୟତଃ କେନ୍ଦ୍ରୀଭୂତ ଥିଲା ପ୍ରଫେସର ମନୋଜ ଦାସଙ୍କ ଦୀକ୍ଷାନ୍ତ ଅଭିଭାଷଣ ଉପରେ  ଏବଂ ଦ୍ୱିତୀୟ ପର୍ଯ୍ୟାୟ କେନ୍ଦ୍ରୀଭୂତ ଥିଲା ପ୍ରତିଭା ପୂଜା ତଥା ପୁରସ୍କାର ପ୍ରଦାନ ଉପରେ।  ଏହି ଅବସରରେ ସାମଗ୍ରିକ ସାହିତ୍ୟ କୃତି ପାଇଁ ଡକ୍ଟର ଅର୍ଚ୍ଚନା ନାୟକଙ୍କୁ  ପ୍ରଥମ “ସତ୍ୟବାଦୀ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯାଇଥିଲା । ପୁରସ୍କାର ବାବଦରେ ତାଙ୍କୁ ନଗଦ ଏକ ଲକ୍ଷ  ଟଙ୍କାର ଚେକ, ମାନପତ୍ର ଓ ଉପଢ଼ୌକନ  ପ୍ରଦାନ କରାଯାଇଥିଲା।  ସେହିପରି  “ଗୋପବନ୍ଧୁଙ୍କ ସତ୍ୟବାଦୀ’ର ଲେଖକ ଭାବେ ପ୍ରବନ୍ଧ, କବିତା ଓ ଗଳ୍ପ ପାଇଁ ଯଥାକ୍ରମେ ଡକ୍ଟର ସୌଦାମିନୀ ନନ୍ଦ, ଡକ୍ଟର ଆଶୁତୋଷ ପରିଡ଼ା ଓ ଅରବିନ୍ଦ ଦାସ ପ୍ରତ୍ୟେକଙ୍କୁ ନଗଦ ଦଶ ହଜାର ଟଙ୍କାର ଚେକ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ୩୫୨ ପୃଷ୍ଠା ସମ୍ବଳିତ “ଗୋପବନ୍ଧୁଙ୍କ ସତ୍ୟବାଦୀ’ର ବାର୍ଷିକ ସଂଖ୍ୟାର ଶୁଭ ଉନ୍ମୋଚନ ହୋଇଥିଲା । ପ୍ରଥମ ଅଧିବେଶନର ଶେଷାର୍ଦ୍ଧରେ ମଞ୍ଚାସୀନ ‘ସମାଜ’ର କର୍ମକର୍ତ୍ତା ଦର୍ଶକାଳୟକୁ ଓହ୍ଲାଇ ଉପସ୍ଥିତ ସତ୍ୟବାଦୀର ସମସ୍ତ ଲେଖକଙ୍କୁ ଉତ୍ତରୀୟ ଓ ସ୍ମାରକୀ ଦେଇ ସମ୍ମାନିତ କରିଥିଲେ।  ଆଠଗଡ଼ସ୍ଥିତ ଜିମସାରର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ପ୍ରଫେସର ଦାସ ପ୍ରଦୀପ ପ୍ରଜ୍ୱଳିତ କରି ସମାରୋହର ଶୁଭାରମ୍ଭ କରିଥିଲେ। ଏହି ସମୟରେ ମମତା ପ୍ରିୟଦର୍ଶିନୀ ଦୀପଂଜ୍ୟୋତି ଗାନ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ରଚିତ “ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ ସାଇ ଅନୁଷ୍ଠାନର କଳାକାରଗଣ। ମଞ୍ଚରେ ସମାବିଷ୍ଟ ହୋଇଥିଲେ “ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି। ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡକ୍ଟର ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସ୍ୱାଗତ ଅଭିଭାଷଣ, କାର୍ଯ୍ୟକ୍ରମ ପରିଚାଳନା କରିବା ସହ  ମାନପତ୍ର ପାଠ କରିଥିଲେ ।  ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ତଥା ବ୍ରହ୍ମପୁର ଶାଖାର ସମ୍ପାଦକ ରାଜେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପାଞ୍ଚ ଶହରୁ ଊର୍ଦ୍ଧ୍ୱ ମାନ୍ୟଗଣ୍ୟ ସାହିତ୍ୟିକ ଓ ସାହିତ୍ୟାନୁରାଗୀ ଉପସ୍ଥିତ ଥିଲେ।

 

 

 

 

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories