ଆଠଗଡ କଲେଜରେ ସଂସ୍କୃତ ସପ୍ତାହ ଉଦ୍ଯାପିତ
ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଆନୁକୁଲ୍ୟରେ ୩ଦିନ ଧରି ଚାଲିଥିବା ସଂସ୍କୃତ ସପ୍ତାହ ଉଦ୍ଯାପିତ ହୋଇଯାଇଛି। ଆଠଗଡର ୫ଟି କଲେଜ ଗୋପବନ୍ଧୁ ବିଜ୍ଞାନ କଲେଜ, ଗୋପବନ୍ଧୁ ମହିଳା ସ୍ନାତକ କଲେଜ, ଗୋପବନ୍ଧୁ କନିଷ୍ଠ ମହିଳା କଲେଜ, କଖଡି କଲେଜ ଏବଂ ଖୁଣ୍ଟୁଣୀସ୍ଥିତ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ମଙ୍ଗଳବାର ଏହାକୁ ଉଦ୍ଘାଟନ କରିଥିଲେ। ଅଧ୍ୟକ୍ଷ ଡଃ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମଧ୍ୟପ୍ରଦେଶ ଅମରକଣ୍ଟକସ୍ଥିତ ଜାତୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡଃ ନରୋତ୍ତମ ଗାଆଣ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସଂସ୍କୃତ ବିଭାଗର ପୂର୍ବତନ ପ୍ରଫେସର ପ୍ରତିଭା ମଞ୍ଜରୀ ରଥ ଓ ସମ୍ମାନିତ ଅତିଥି ଭାବେ ଏହି କଲେଜର ପୂର୍ବତନ ସଂସ୍କୃତ ପ୍ରାଧ୍ୟାପିକା ପ୍ରଭାତୀ କୁମାରୀ ଦେବୀ ଯୋଗଦେଇ ସଂସ୍କୃତ ଭାଷାର ମହତ୍ତ୍ୱ, ମଣିଷ ଜୀବନରେ ବେଦାର ଆବଶ୍ୟକତା ଓ ପ୍ରଭାବ ସଂପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ କଲେଜର ସଂସ୍କୃତ ଅଧ୍ୟାପିକା ଡଃ ସୁରେଖା ଦାସ ସଂସ୍କୃତ ସପ୍ତାହ ପାଳନର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ଏହା ଛାତ୍ରଛାତ୍ରୀଙ୍କ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ ବୋଲି ମତବ୍ୟକ୍ତ କରିଥିଲେ । ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ଅଞ୍ଜନ କୁମାର ନନ୍ଦ, ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ ବକ୍ତୃତା ଓ ଗୀତ ଆବୃତ୍ତି ପ୍ରତିଯୋଗିତାରେ ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ, ନିବନ୍ଧ ପ୍ରତିଯୋଗିତାରେ ସେହି କଲେଜର ଶୁଭଲକ୍ଷ୍ମୀ ରାଉତ, ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାରେ ଗୋପବନ୍ଧୁ ବିଜ୍ଞାନ କଲେଜର ଛାତ୍ରୀ ପ୍ରତ୍ୟାଶା ରଣା ପ୍ରଥମ ସ୍ଥାନ ଏବଂ ରସପ୍ରଶ୍ନ ପ୍ରତିଯୋଗିତାରେ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ପ୍ରାରମ୍ଭରେ ଅଧ୍ୟାପକ ସୌମ୍ୟରଞ୍ଜନ ଦାଶ, ବେଦପାଠ ଓ ଶାନ୍ତିପାଠ କରିଥିବାବେଳେ ଶେଷରେ ଅଧ୍ୟାପିକା ଦେବଯାନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.