ଡେସ୍କ: ଭୁବନେଶ୍ୱରରେ ଥିବା ବିଜୁ ଜନତା ଦଳର ମୁଖ୍ୟାଳୟ ତଥା ଶଙ୍ଖ ଭବନ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି। ଶଙ୍ଖ ଭବନ ନିର୍ମାଣ ହୋଇଥିବା ୪ଟି ପ୍ଲଟ୍ ମଧ୍ୟରୁ ଗୋଟିଏ ପ୍ଲଟର କିସମ ରୋଡ୍ ବା ‘ସଡ଼କ’ ଥିଲେ ବି ସେ କିସମରେ କାରସାଦି କରାଯାଇ ତାକୁ ଘରବାଡି ପ୍ଲଟ୍ରେ ବଦଳା ଯାଇ ତା ଉପରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ସମ୍ପତ୍ତିର ବଜାର ମୂଲ୍ୟ ୧୦୦ କୋଟିରୁ ଅଧିକ ଟଙ୍କା ହୋଇଥିଲା ବେଳେ ମାତ୍ର ୧୨ କୋଟି ୯୩ ଲକ୍ଷ ୯୨ ହଜାର ୧୨୩ ଟଙ୍କାରେ ଏହା ବିଜେଡିକୁ ଦିଆଯାଇଥିବା ଅଭିଯୋଗ ହୋଇଛି। ଫଳରେ ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟିଥିବା ସେ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ତଦନ୍ତ କରାଯିବ ବୋଲି କହିଛନ୍ତି ।
ତେବେ ଏହି ଅଭିଯୋଗକୁ ବିଜୁ ଜନତା ଦଳ ଖଣ୍ଡନ କରିଛି। ଦଳର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ଯେ ରାସ୍ତାକୁ ମଡ଼ାଇ ନିର୍ମାଣ ନେଇ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହା ଦୁଇଟି କ୍ୱାର୍ଟର୍ସ ମଧ୍ୟରେ ଥିବା ଉପଗଳି, ରାସ୍ତା ନୁହେଁ। ବିଏମ୍ସି, ବିଡିଏ ଅନୁମତିରେ ଓ ଉପଯୁକ୍ତ ବେଂଚ ମାର୍କ ଭାଲ୍ୟୁ ଜମା ହୋଇଛି। ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ବିଭ୍ରାନ୍ତିକର, ବିଜେପିର ଅସହିଷ୍ଣୁତାର ପରିଚୟ ବୋଲି ସେ କହିଛନ୍ତି।
ଏକ୍ସରେ ସର୍ବାଧିକ ଫଲୋଅର୍ସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ



