ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ଆହ୍ବାନରେ ତିନିଦିନ ଧରି ଭୁବନେଶ୍ବର ଗାନ୍ଧୀ ମାର୍ଗଠାରେ ଚାଲିଥିବା ଅହୋରାତ୍ର ଗଣଧାରଣାକୁ ଶୁକ୍ରବାର ସ୍ଥଗିତ କରାଯାଇଛି। ବିଧାୟକ ଏବଂ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି।
ସରକାର ସବୁବର୍ଗର ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ସମସ୍ୟାକୁ ବିଚାରକୁ ନେବା ସହ ଏହାର ଏକ ସ୍ଥାୟୀ ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। କମିଟି ବୈଠକ ଖୁବ୍ଶୀଘ୍ର କରାଯାଇ ସମସ୍ତ ବର୍ଗର ଶିକ୍ଷକଙ୍କ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ, ୨୦୦୪ରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଅବସର ନେବାକୁ ଥିବା ଶିକ୍ଷକ କର୍ମଚାରୀଙ୍କୁ ପେନସନ ଓ ଅବସରକାଳୀନ ସୁବିଧା, ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ପାଳନ କରି ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରିବା, ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ, ନୂତନ ପେନସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା, ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ୍ ଇନକ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ ଆଦି ବିଭିନ୍ନ ଦାବିରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିଲେ।
ସରକାରଙ୍କ ନିର୍ଦେଶକ୍ରମେ ଏକାମ୍ର ବିଧାୟକ ବାବୁ ସିଂ ଓ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ସଭାସ୍ଥଳକୁ ଆସି ଶିକ୍ଷକଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଉଚ୍ଚସ୍ତରୀୟ କମିଟି ୧୫ ଦିନ ମଧ୍ୟରେ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ସ୍ଥଗିତ କରାଯାଇଥିବା ସମନ୍ବୟ ସମିତିର ଆବାହକ ଶ୍ରୀ ଦାଶଙ୍କ ସମେତ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା ପ୍ରମୁଖ ଜଣାଇଛନ୍ତି।
ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ
Popular Categories



