www.samajalive.in
Saturday, December 13, 2025
23.1 C
Bhubaneswar

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

  • ୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି
  • ସର୍ତ୍ତ ମାନୁନାହାନ୍ତି ସଂସ୍ଥା, ଲକ୍ଷ୍ୟ ପୂରଣରେ ପଛୁଆ

ଭୁବନେଶ୍ବର : ରାଜ୍ୟରେ ବେକାରୀ ସମସ୍ୟା ଦୂର ପାଇଁ ସରକାର ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏଥିପାଇଁ ନିୟୋଜିତ ସଂସ୍ଥା ତାଲିମ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ନେଉଛନ୍ତି। ହେଲେ ତାଲିମ ପରେ ବି ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ। ରାଜ୍ୟରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ବାଟବଣା ହେବା ସହ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି। ସୂଚନା ଅନୁଯାୟୀ, ରାଜ୍ୟର ୩୦ ଜିଲାରେ ମୋଟ ୮୨ ଦକ୍ଷତା ବିକାଶ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଛି। ଏହାଛଡ଼ା ୧୩୭ଟି ବେସରକାରୀ ତାଲିମ କେନ୍ଦ୍ରଠାରେ ସରକାରୀ ସହାୟତାରେ ଯୁବକଯୁବତୀଙ୍କୁ ତାଲିମ ଦିଆଯାଉଛି। ରାଜ୍ୟର ଯୁବକଯୁବତୀଙ୍କୁ ଅଧିକରୁ ଅଧିକ ସ୍ବାବଲମ୍ବୀ ଓ ନିଯୁକ୍ତିକ୍ଷମ କରିବା ପାଇଁ ତାଲିମ କେନ୍ଦ୍ରଗୁଡ଼ିକରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସ୍‌ଡିଏ) ଦ୍ବାରା ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି। ୨୦୧୧-୧୨ରୁ ଏହି କାର୍ଯ୍ୟକ୍ରମ ଚାଲିଥିବାବେଳେ ଏଥିରେ ପଞ୍ଜିକୃତ ପ୍ରାର୍ଥୀଙ୍କ ସମସ୍ତ ତାଲିମ ଖର୍ଚ୍ଚ ସରକାର ବହନ କରିଥାନ୍ତି। ତାଲିମ ଶେଷ ହେବା ପରେ ନିଯୁକ୍ତି ପାଇଁ ଉପଯୁକ୍ତ ଶିଳ୍ପସଂସ୍ଥାକୁ ପ୍ରଶିକ୍ଷାର୍ଥୀଙ୍କ ନାମ ପଠାଯାଇଥାଏ। ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା (ପିଆଇଏ) ନିଯୁକ୍ତ କରିଥାନ୍ତି। ଏହି ସଂସ୍ଥାଗୁଡ଼ିକ ଅଧାରୁ ପାଠ ଛାଡ଼ିଥିବା ଯୁବବର୍ଗଙ୍କୁ ମନୋନୟନ କରି ସେମାନଙ୍କୁ ରୋଜଗାରକ୍ଷମ କରିବା ଉଦ୍ଦେଶ୍ୟରେ ତାଲିମ ଦେଇଥାନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା- ଯୁବବର୍ଗଙ୍କ ଦକ୍ଷତା ବିକାଶ ତାଲିମ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ତାଲିମ ପାଇବା ପରେ ଅଧିକାଂଶ ଯୁବକଯୁବତୀ ଚାକିରି ନପାଇ ବେକାର ରହୁଛନ୍ତି। ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ, ଇଭି ମେଣ୍ଟେନାନ୍ସ ଟେକ୍ନିସିଆନ, ମେସିନ ଅପରେଟର-ଇଞ୍ଜେକସନ୍ ମୋଲ୍ଡିଙ୍ଗ୍, ମେସିନ ଅପରେଟର ଆଣ୍ଡ ପ୍ରୋଗ୍ରାମର, ସିଲେଇ ମେସିନ ଅପରେଟର, ସୋଲାର ପିଭି ଇନଷ୍ଟଲର, ୱେରହାଉସ୍ ଏକ୍‌ଜିକ୍ୟୁଟିଭ୍ ଆଦି ଟ୍ରେଡ୍‌ରେ ତାଲିମ ପ୍ରଦାନ କରାଯାଉଛି। ୨୦୧୧-୧୨ରୁ ୨୦୨୫-୨୬ (ଅଦ୍ୟାବଧି) ୧୪ ବର୍ଷରେ ୧ ଲକ୍ଷ ୪୭ ହଜାର ୬୨୭ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୪୩ ହଜାର ୭୦୪ ଜଣଙ୍କୁ ନିଯୁକ୍ତି ମିଳିଛି। ଯୁବକଯୁବତୀ ତାଲିମ ପାଇଲା ପରେ ତାଲିମ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଇଚ୍ଛୁକ ପ୍ରାର୍ଥୀଙ୍କୁ ମନୋନୀତ କରି ସେମାନଙ୍କୁ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଅବସ୍ଥିତ ବିଭିନ୍ନ ବେସରକାରୀ ସଂସ୍ଥାରେ ନିଯୁକ୍ତି ପ୍ରଦାନ କରିଥାନ୍ତି। କିନ୍ତୁ ୧୪ ବର୍ଷରେ ଲକ୍ଷାଧିକ ପିଲାଙ୍କୁ ତାଲିମ ପରେ ନିଯୁକ୍ତି ନ ଦେଇ ସଂସ୍ଥାଗୁଡ଼ିକ ସର୍ତ୍ତ ଉଲ୍ଲଙ୍ଘନ କରୁଥିବା ଜଣାପଡ଼ିଛି। ତାଲିମ ପ୍ରଦାନକାରୀ ସଂସ୍ଥାଗୁଡ଼ିକର ଏପରି କାର୍ଯ୍ୟ ସମ୍ପର୍କରେ ପୂର୍ବରୁ ସିଏଜି ତାଙ୍କ ସମୀକ୍ଷା ରିପୋର୍ଟରେ ଉଲ୍ଲେଖ କରିଥିଲେ। ଚୁକ୍ତିନାମା ଅନୁଯାୟୀ, ତାଲିମର ୩ ମାସ ମଧ୍ୟରେ ସଂସ୍ଥା ଗୁଡ଼ିକ ଅତିକମ୍‌ରେ ୭୦ ପ୍ରତିଶତ ପ୍ରଶିକ୍ଷାର୍ଥୀଙ୍କୁ ଚଳନୀୟ ଦରମା ସହ ନିଯୁକ୍ତି ପ୍ରଦାନ କରିବା କଥା। ସେପ୍ଟେମ୍ବର ୨୦୧୪ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ୧୦ଟି ସଂସ୍ଥାର କାର୍ଯ୍ୟ ସମ୍ପର୍କରେ ଅଡିଟ୍‌ କରିବାବେଳେ ସିଏଜି ଜାଣିବାକୁ ପାଇଲେ ଯେ, ଏହି ସଂସ୍ଥାଗୁଡ଼ିକ ୧୮୧ଟି ବ୍ୟାଚ୍‌ରେ ୩୭୮୨ ପ୍ରାର୍ଥୀଙ୍କୁ ତାଲିମ ଦେଇଥିଲେ ଓ ସେ ବାବଦରେ ୬.୫୭ କୋଟି ଟଙ୍କା ନେଇଥିଲେ। ଏହି ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ୨୪ ପ୍ରତିଶତ (୮୯୨ ଜଣ) ନିଯୁକ୍ତି ପାଇଥିଲେ। ୧୦ଟି ସଂସ୍ଥା ୧୮୧ଟି ବ୍ୟାଚ୍‌ରେ ଦେଇଥିବା ତାଲିମ ମଧ୍ୟରୁ ୧୦୯ ବ୍ୟାଚ୍‌ (୬୦%)ର ୨,୩୧୧ ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ନ ଥିଲା। ଏହି ୧୦୯ଟି ବ୍ୟାଚ୍‌ର ତାଲିମ ପାଇଁ ସଂସ୍ଥାଗୁଡ଼ିକୁ ୩.୬୬ କୋଟି ଟଙ୍କା ଦିଆଯାଇଥିଲା। ନିଯୁକ୍ତି ଲକ୍ଷ୍ୟ ପୂରଣ ହୋଇ ନ ଥିବାରୁ ସରକାରଙ୍କ ଏହି ଟଙ୍କା ପାଣିରେ ପଡ଼ିଥିଲା।
ଅପରପକ୍ଷରେ ରାଜ୍ୟ ସରକାର ରାଜ୍ୟର ଯୁବକ ଯୁବତୀଙ୍କୁ ଅଧିକରୁ ଅଧିକ ନିଯୁକ୍ତିକ୍ଷମ ଓ ଆତ୍ମ ନିଯୁକ୍ତିକ୍ଷମ କରିବା ଲକ୍ଷ୍ୟରେ ୨୦୨୩-୨୪ରେ ନୂଆ ଓଡ଼ିଶା ନାମରେ ଏକ ଯୋଜନା ପ୍ରଣୟନ କରିଥିଲେ। ଏହି ଯୋଜନା ଅଧୀନରେ ପ୍ରତିଷ୍ଠିତ ପ୍ରଶିକ୍ଷଣକାରୀ ସଂସ୍ଥାଗୁଡ଼ିକ ସହ ସହଭାଗୀଦାରିରେ ଏମର୍ଜିଙ୍ଗ୍ ଟ୍ରେଡ୍‌ଗୁଡ଼ିକରେ ତାଲିମ ପ୍ରଦାନ କରାଯାଉଛି। ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଗତ ୩ ବର୍ଷରେ(୨୦୨୩-୨୪ରୁ ୨୦୨୫-୨୬) ମଧ୍ୟରେ ୧୨,୯୫୬ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କରି ସେମାନଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତିକ୍ଷମ କରାଯାଇଛି। ସେହିପରି ଭୁବନେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଅତ୍ୟାଧୁନିକ ଓ ଶିଳ୍ପ ଉପଯୋଗୀ ପାଠ୍ୟକ୍ରମ ଯଥା- ଏୟାର କଣ୍ଡିସନିଂ ଓ ରେଫ୍ରିଜେରେସନ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାଟ୍ରୋନିକ୍ସ, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ସର୍ଭିସେସ୍‌, ଭର୍ଟିକାଲ ଟ୍ରାନ୍ସପୋର୍ଟେସନ, ପ୍ରିସିଜନ ଇଞ୍ଜିନିୟରିଂ, ବିଉଟି ଏବଂ ୱେଲନେସ୍‌ ଆଦିରେ ୩୨୭୪ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୫୧୪ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories