ଲୁବୁରି ପ୍ରାଥମିକ ବିଦ୍ୟାଳୟ ପୁନଃ କାର୍ଯ୍ୟକ୍ଷମ ଦାବି
ସମ୍ବଲପୁର: ରାଜ୍ୟରେ ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀର ଅଭାବ ଦର୍ଶାଇ ଅନେକ ବିଦ୍ୟାଳୟଗୁଡିକୁ ମିଶ୍ରଣ କରି ଦିଆଯାଉଛି। ଫଳରେ ଅପହଞ୍ଚ ଇଲାକା ଗୁଡିକରେ ଗରିବ ଓ ଅସହାୟ ଲୋକେ ସେମାନଙ୍କର ସନ୍ତାନ ମାନଙ୍କର ପାଠପଢ଼ା ନିମନ୍ତେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଏଭଳି ଏକ ଘଟଣାରେ ସମ୍ବଲପୁର ଜିଲାର ଅଭ୍ୟନ୍ତରୀଣ ଅଞ୍ଚଳ ନାକଟିଦେଉଳ ବ୍ଲକ ଅର୍ନ୍ତଗତ ଲୁବୁରି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ସରକାର ପ୍ରାୟ ୩ କିମି ଦୂରରେ ଥିବା କୁଡାନାଳି ବିଦ୍ୟାଳୟ ସହିତ ମିଶ୍ରଣ କରି ଦେଇଛନ୍ତି। ତେବେ ସମ୍ବଲପୁର, ଅନୁଗୁଳ ଓ ଦେବଗଡ ଜିଲାର ସୀମାନ୍ତ ତଥା ଦୁର୍ଗମ ଅଞ୍ଚଳରେ ବଣପାହାଡ ଘେରା ଏହି ଗ୍ରାମର କୁନି କୁନି ପିଲାମାନେ ବିଦ୍ୟାଳୟ ଯିବାକୁ ଭୟ କରୁଛନ୍ତି। ପ୍ରାୟ ୨ ବର୍ଷ ହେବ କରୋନା ସଙ୍କଟ ଯୋଗୁଁ ବିଦ୍ୟାଳୟ ଗୁଡିକ ବନ୍ଦ ଥିବା ବେଳେ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ ଦ୍ୱାରା ଏବେ ଶିଶୁ ମାନେ ଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଲୁବୁରି ଗ୍ରାମରୁ କୁଡାନାଳି ବିଦ୍ୟାଳୟକୁ ରହିଥିବା ରାସ୍ତା ବୁଦା ଜଙ୍ଗଲରେ ପରିପୂର୍ଣ୍ଣ। ଏହି ଅଞ୍ଚଳଟି ହାତୀ ଉପଦ୍ରବ ଅଞ୍ଚଳ ହୋଇଥିବା ବେଳେ ଅଞ୍ଚଳରେ ଅନେକ ହିଂସ୍ର ବନ୍ୟ ଜନ୍ତୁ ଆଦି ବିଚରଣ କରୁଛନ୍ତି। ଗ୍ରାମର ଲୋକେ ଦିନମଜୁରିଆ ଶ୍ରେଣୀର ହୋଇଥିବାରୁ ଏକୁଟିଆ ଛୁଆ ମାନଙ୍କୁ ବିଦ୍ୟାଳୟକୁ ଛାଡିବାକୁ ସେମାନେ ମଧ୍ୟ ଭୟ କରୁଛନ୍ତି। ଏଣୁ ଗ୍ରାମବାସୀ ପିଲାମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପୁନଃ ଚାଲୁ ଦାବି କରିବା ସହିତ କୁଡାନାଳି ଉଚ୍ଚ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନଙ୍କୁ ଛାଡିବେ ନାହିଁ ବୋଲି ସ୍ଥିର କରିଛନ୍ତି। ଏଣୁ ତୁରନ୍ତ ଗ୍ରାମର ବିଦ୍ୟାଳୟରେ ପାଠପଢ଼ା ଚାଲୁ କରିବାକୁ ଗ୍ରାମବାସୀ ସମ୍ବଲପୁର ଜିଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିକଟରେ ଦାବି କରିଛନ୍ତି।
ପୂର୍ବତନ ଜିଲା ବିଜେଡି ଅଧ୍ୟକ୍ଷ ଡ. ପ୍ରମୋଦ ରଥଙ୍କ ନେତୃତ୍ୱରେ ଗ୍ରାମବାସୀ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିପନ ଷଣ୍ଢ, ଭରତ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଷଣ୍ଢ, ଧରିତ୍ରୀ ପ୍ରଧାନ, ଅଶୋକ ନାଏକ, ଅବନୀ ରାଉତ, ବନ୍ଧୁରାମ ପ୍ରଧାନ, ମମତା ପ୍ରଧାନ, ସରୋଜିନୀ ପ୍ରଧାନ, ସର୍ବେଶ୍ୱର ଦେହୁରୀ, କାନ୍ଦୁରୁ ପ୍ରଧାନ, ଲଙ୍ଗରାଜ ଦେହୁରୀଙ୍କ ସମେତ ଅନେକ ଗ୍ରାମବାସୀଙ୍କର ଦସ୍ତଖତ ଏହି ଦାବିପତ୍ରରେ ରହିଛି।
Comments are closed.