ସାହିତ୍ୟିକ ପ୍ରଫେସର ପଞ୍ଚାନନ ମିଶ୍ରଙ୍କ ପରଲୋକ

ସମ୍ବଲପୁର: ପ୍ରବୀଣ ସାହିତ୍ୟିକ, କବି ଇଂରାଜୀ ପ୍ରଫେସର ଡ. ପଞ୍ଚାନନ ମିଶ୍ରଙ୍କ ୭୨ ବର୍ଷ ବୟସରେ ଶନିବାର ସକାଳେ ପରଲୋକ ହୋଇଯାଇଛି। କିଛିଦିନ ତଳେ ଦିଲ୍ଲୀରେ ତାଙ୍କର ହୃଦ୍‌ ଅ‌େସ୍ତ୍ରାପଚାର କରାଯାଇ ପେସ୍‌ମେକର୍‌ ଖଞ୍ଜା ଯାଇଥିଲା। ଆଜି ସକାଳେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ନେବା ବାଟରେ ତାଙ୍କ ଦେହାନ୍ତ ହୋଇଯାଇଛି। ନୟାଗଡ଼ ଜିଲା ଅନ୍ତର୍ଗତ ଦଶପଲ୍ଲା ଗ୍ରାମରେ ୧୯୫୦ ମସିହାରେ ଜନ୍ମିତ ଡ. ମିଶ୍ରଙ୍କ ଇଂରାଜୀ କାବ୍ୟକୃତି ‘ଦ ୱିଣ୍ଡ ଏମଙ୍ଗ୍‌ ଦ ପାଇନ୍ସ’ ଓ ‘ଲଭ୍‌ ସଙ୍ଗ୍‌ ଅଫ୍‌ ୧୯ କାଓହର୍ଡ ଗାଲ୍ସ’ ସହିତ ‘ହେ ମୋର ଅନୁଚ୍ଚାରିତ ଶବ୍ଦମାନେ’ ଓ ‘ସବ୍ୟସାଚୀର ଶୋକ’ ଓଡ଼ିଆ କବିତାଗୁଚ୍ଛ ତାଙ୍କୁ ପାଠକଙ୍କ ମଧ୍ୟରେ ଆଦୃତି ଆଣିଦେଇଥିଲା। ସେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରୁ ଶିକ୍ଷାଦାନ ଆରମ୍ଭ କରି ରାଜେନ୍ଦ୍ର ମହାବିଦ୍ୟାଳୟ, ବଲାଙ୍ଗିର ପରେ ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ଇଂରାଜୀ ପ୍ରାଧ୍ୟାପକ ଭାବରେ ୨୦୧୦ ମସିହାରେ ଅବସରଗ୍ରହଣ କରିଥିଲେ।

 

prayash

୨୦୧୨ ମସିହାରୁ ଇଂରାଜୀ କବିତା ଜରିଆରେ ତାଙ୍କ ସୃଜନ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ଓଡ଼ିଆ ପ୍ରବନ୍ଧ, ସମାଲୋଚନା ଓ କବିତା ରଚନା କ୍ଷେତ୍ରରେ ସୁନିପୁଣତା ଅର୍ଜନ କରିଥିଲେ। ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କ ୧୩ଟି କବିତା ସଂକଳନ ଓ ୫ଟି ପ୍ରବନ୍ଧ ସଂକଳନ ପ୍ରସିଦ୍ଧିକୁ ଶାଣିତ କରିଛି। ପ୍ରଫେସର ମିଶ୍ରଙ୍କୁ ୨୦୨୦ ମସିହାରେ ​ତାଙ୍କ ପ୍ରବନ୍ଧ ସଂକଳନ ‘ତାତ୍ତ୍ବିକ ଓ ପ୍ରାୟୋଗିକ ପ୍ରସଙ୍ଗ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ତା’ପୂର୍ବରୁ ତାଙ୍କୁ ସାମଗ୍ରିକ ସାହିତ୍ୟ ସାଧନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅନ୍ୟ ସାରସ୍ବତ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶନିବାର ସନ୍ଧ୍ୟାରେ ସ୍ଥାନୀୟ ରାଜଘାଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବାବେଳେ ଭଣଜା ଅସିତ ପତି ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହିତ ସମଗ୍ର ଓଡ଼ିଶାର ସାହିତ୍ୟପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି।

kalyan agarbati

Comments are closed.