www.samajalive.in
Tuesday, December 9, 2025
26.1 C
Bhubaneswar

ରାଗିଙ୍ଗ୍‌: ଏକ ମାନସିକ ଓ ସାମାଜିକ ବ୍ୟାଧି

ଦେଶର ସୁପ୍ରସିଦ୍ଧ ଶିକ୍ଷାନୁଷ୍ଠାନ କଲକାତାସ୍ଥିତ ଯାଦବପୁର ବିଶ୍ବବିଦ୍ୟାଳୟରେ ଆଲୋଚନା ଏବେ ସମଗ୍ର ଦେଶରେ । ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ଆସିଥିବା ପ୍ରଥମବର୍ଷର ଛାତ୍ର ଛାତ୍ରାବାସର ଦ୍ୱିତୀୟ ମହଲାରୁ ଖସି ମୃତ୍ୟୁବରଣ କରିଛନ୍ତି। କୈଶୋର ଓ ଯୌବନର ସନ୍ଧିକ୍ଷଣରେ ଉପନୀତ ସରଳ ନିଷ୍ପାପ ଛାତ୍ର ସ୍ୱପ୍ନଦୀପ କୁଣ୍ଡୋଙ୍କର ମୃତ୍ୟୁ ରାଗିଙ୍ଗ୍ ଯୋଗୁଁ ହୋଇଛି ବୋଲି ପୁଲିସ କହିଛି। ଘଟଣାରେ ଛ’ ଜଣ ବରିଷ୍ଠ ପଠନରତ ଛାତ୍ର ଏବଂ ଛ’ ଜଣ ପୁରାତନ ଛାତ୍ର ଗିରଫ ହୋଇଛନ୍ତି। ଘଟଣାଟି ଦେଶର ଶିକ୍ଷାନୁଷ୍ଠାନମାନଙ୍କରେ ଉତ୍କଟ ରାଗିଙ୍ଗ୍ ସମସ୍ୟାକୁ ପୁଣି ଥରେ ଚର୍ଚ୍ଚାର ପରିଧିକୁ ଆଣିଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁ.ଜି.ସି.)ର ରିପୋର୍ଟ ଅନୁସାରେ ୨୦୨୧ ମସିହାରେ ଭାରତରେ ୫୧୧ଟି ଅତି ସାଂଘାତିକ ରାଗିଙ୍ଗ୍‌ ମାମଲାର ଅଭିଯୋଗ ଆସିଥିଲା। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଓଡ଼ିଶା ଏବଂ ତାମିଲନାଡୁ ରାଗିଙ୍ଗରେ ଦେଶର ପ୍ରଥମ ପାଞ୍ଚ ରାଜ୍ୟ। ୨୦୨୨ ମସିହାରେ ଓଡ଼ିଶାରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ବଲାଙ୍ଗିର ଭେଷଜ ମହାବିଦ୍ୟାଳୟ ଏବଂ ଯାଜପୁର ପଲିଟେକ୍‌ନିକ ମହାବିଦ୍ୟାଳୟରେ ରାଗିଙ୍ଗ୍‌ର ଶିକାର ଛାତ୍ରୀମାନେ ଆତ୍ମହତ୍ୟା କରିଥିଲେ।
ଯାଦବପୁର ବିଶ୍ବବିଦ୍ୟାଳୟର କୁଳାଧିପତି ବିଶ୍ୱବିଦ୍ୟାଳୟ ପରିସରରେ ରାଗିଙ୍ଗ୍ ରୋକିବା ପାଇଁ ଭିଡିଓ ଆନାଲିଟିକ୍ସ, ଇମେଜ ମାପିଙ୍ଗ୍, ଅଟୋମେଟିକ୍ ଟାର୍ଗେଟ୍ ରିଆକ୍ସନ୍ ପରି ଅତ୍ୟାଧୁନିକ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟଙ୍କୁ ଅନୁରୋଧ କରିଛନ୍ତି ଯାହା ରାଗିଙ୍ଗ୍‌ର ମାନସିକତା ରଖୁଥିବା ଛାତ୍ରଙ୍କୁ ଧରି ପାରିବ। ଇସ୍ରୋ ଅଧୀନରେ ଥିବା ହାଇଦ୍ରାବାଦସ୍ଥିତ ସଂସ୍ଥା ଆଡଭାନ୍ସଡ୍ ଡେଟା ପ୍ରୋସେସିଙ୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏହି କାମ କରିବାରେ ସାହାଯ୍ୟ କରିବ।
ରାଗିଙ୍ଗ୍‌ ମୂଳତଃ ଏକ ପାଶ୍ଚାତ୍ୟ ଧାରା। ମହାନ ଭାରତୀୟ ଶିକ୍ଷାବ୍ୟବସ୍ଥା କେବେହେଲେ ଏପରି କୁତ୍ସିତ ପ୍ରବୃତ୍ତିର ଉତ୍ପତ୍ତିସ୍ଥଳ ହୋଇ ପାରିବନି। ଇଂରେଜ ଶାସନ ଆସିବା ପରେ ଭାରତରେ ଏହା ନିର୍ଯାତନାର ଏକ ମାଧ୍ୟମ ଭାବରେ ଆରମ୍ଭ ହେଲା। ଇତିହାସରୁ ଜଣାଯାଏ ଅଷ୍ଟମ ଶତାବ୍ଦୀରେ ଗ୍ରୀକ ଅଲିମ୍ପିକ୍ସରୁ ରାଗିଙ୍ଗ୍‌ର ଆରମ୍ଭ ହୋଇଥିଲା। ଏହା ଆମେରିକା ଓ ୟୁରୋପ ମହାଦେଶର ଶିକ୍ଷାନୁଷ୍ଠାନଗୁଡିକରେ ଅଷ୍ଟାଦଶ ଶତାବ୍ଦୀରେ ଆରମ୍ଭ ହେଲା। ରାଗିଙ୍ଗ୍‌ରେ ପ୍ରଥମ ମୃତ୍ୟୁ ୧୮୭୩ ମସିହାରେ ଆମେରିକାର କର୍ଣ୍ଣେଲ୍ ବିଶ୍ୱବିଦ୍ୟାଳୟରେ ହୋଇଥିବାର ଜଣାଯାଏ। ବିଶ୍ବଯୁଦ୍ଧ ସମୟରେ ସୈନ୍ୟବାହିନୀରେ ରାଗିଙ୍ଗ୍‌ର ରୋମଟାଙ୍କୁରା କାହାଣୀ ଶୁଣିବାକୁ ମିଳେ। ବର୍ତ୍ତମାନ ଭାରତୀୟ ଉପମହାଦେଶର ଅନେକ ଦେଶରେ ଏହା ଅଧିକ ଦେଖାଯାଉଛି ଏବଂ ଦିନକୁ ଦିନ ଏହାର ସଂଖ୍ୟା ବଢିବଢି ଚାଲିଛି। ରାଗିଙ୍ଗ୍ ନୂଆ ପୁରୁଣା ଭିତରେ ପରସ୍ପରକୁ ଜାଣିବାର, ସ୍ନେହ ସୌହାର୍ଦ୍ଦ୍ୟ ବଢ଼ିବାର, ଘର ଠାରୁ ଦୂରରେ ରହୁଥିବା ପିଲାମାନଙ୍କ ଭିତରେ ସୁଖଦୁଃଖ ବାଣ୍ଟିବାର,ଥଟ୍ଟାମଜା ଉଦ୍ଦେଶ୍ୟରେ ହୋଇଥାଏ। ଗୀତ ଗାଇବା;କୁକୁର କୁକୁଡ଼ା,ଗଧ ପରି ବୋବାଇବା, ବେଙ୍ଗ ପରି ଡେଇଁବା, ବୁଢ଼ାବୁଢ଼ୀ ପରି ବେଶ ହେବା ଇତ୍ୟାଦିରେ ଏହା ଆଗେ ସୀମିତ ରହୁଥିଲା । ଧୀରେଧୀରେ ଏହା ହିଂସାତ୍ମକ ହୋଇ ଉଠିଲା। ସବୁ ସଂସ୍କାର ଭୁଲି ବୁଦ୍ଧିଭ୍ରଷ୍ଟ ପିଲାମାନେ ନିଜର ଶକ୍ତି ଓ ପତିଆରା ଦେଖାଇବା ପାଇଁ ଅଗ୍ରହଣୀୟ ବ୍ୟବହାର ଓ ଅଶ୍ଳୀଳ ଆଚରଣ ଦେଖାଇବାକୁ ଲାଗିଲେ। ସ୍ୱପ୍ନଦୀପଙ୍କୁ ପ୍ରବଳ ମାଡ଼ ଦିଆଯିବା ସହିତ ଉଲଗ୍ନ କରି ସମସ୍ତଙ୍କ ଆଗରେ ଚଲା ଯାଇଥିଲା। ଅତି ଛୋଟ ବୟସର ହୋଇ ନ ଥିବା ପିଲାମାନଙ୍କର ଏମିତି ବିକୃତ ମାନସିକତା ଓ ହିଂସ୍ର ବ୍ୟବହାର ଅଚିନ୍ତନୀୟ। ଭାବିଲେ ମନ ଘୃଣା,ଦୁଃଖ ଓ କ୍ଷୋଭରେ ଭରିଯାଏ।
ଡାକ୍ତରୀ ଓ ଇଞ୍ଜିନିୟରିଂ ପରି ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ରାଗିଙ୍ଗ୍‌ ବହୁଳ ମାତ୍ରାରେ ଦେଖାଯିବା ସହିତ ଅଧିକ ଆକ୍ରମକ ହୋଇଥାଏ। ବରିଷ୍ଠ ଛାତ୍ରମାନେ ଏହାକୁ ନିଜର ଅଧିକାର ବୋଲି ଭାବି ନିଅନ୍ତି। ଅନ୍ୟର ପୀଡ଼ାରେ ଆନନ୍ଦ ଲାଭ କରୁଥିବା ମନ ଛୋଟମୋଟ ଅପମାନ ବା କଷ୍ଟରେ ସନ୍ତୁଷ୍ଟ ହୁଏନି। ଅନେକ ସମୟରେ ମାନସିକ ଓ ଶାରୀରିକ ପୀଡ଼ା ଏତେ ପ୍ରବଳ ହୁଏ ଯେ ପିଲା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରନ୍ତି। ଅନେକ ସମୟରେ ଏହାର ବିରୋଧ କରୁଥିବା ପିଲା ହତ୍ୟାର ଶିକାର ହୁଏ। ୧୯୯୬ ମସିହାରେ ତାମିଲନାଡୁର ରାଜା ମୁଥୟା ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ପି ନବରସୁଙ୍କୁ ଅଶାଳୀନ ବ୍ୟବହାର ସହିତ ଜୋତା ଚାଟିବାକୁ କୁହାଗଲା। ସେ ଏହାର ବିରୋଧ କଲେ। ଦୁଇ ଦିନ ପରେ ତାଙ୍କ ଶରୀରର ଅଙ୍ଗ ବିଭିନ୍ନ ଜାଗାରେ ମିଳିଲା। ଏହାକୁ ରାଗିଙ୍ଗ ପରର ହତ୍ୟାକାଣ୍ଡ ବୋଲି ପୁଲିସ କହିଲେ। ଦେଶର ପ୍ରଥମ ରାଜ୍ୟ ଭାବେ ତାମିଲନାଡୁ ୧୯୯୭ ମସିହାରେ ରାଗିଙ୍ଗ ନିରୋଧ ଆଇନ ପ୍ରଣୟନ କରିଥିଲା।
୨୦୦୧ ମସିହାରେ ରାଗିଙ୍ଗ୍‌ର ଅର୍ଥ ନିରୂପଣ କରି ଉଚ୍ଚତମ ନ୍ୟାୟାଳୟ କହିଥିଲେ ଯେ ନୂଆ ବା ତଳଶ୍ରେଣୀର ଛାତ୍ରମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ବିପରୀତ ପ୍ରଭାବ ପକେଇବା ପରି ଲିଖିତ ବା ମୌଖିକ ବାର୍ତ୍ତା, ଅଶ୍ଳୀଳ ଅଙ୍ଗଭଙ୍ଗୀ, ଧମକଚମକ, ସେମାନଙ୍କର ରାଗ, ବିରକ୍ତି, କଷ୍ଟ, କ୍ଷତି, ସର୍ବସମ୍ମୁଖରେ ଲଜ୍ଜା ବା ଅପମାନ ସୃଷ୍ଟି କଲାଭଳି ବ୍ୟବହାର ରାଗିଙ୍ଗ୍‌ର ଅନ୍ତର୍ଭୁକ୍ତ। ୨୦୦୯ ମସିହାରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଅବସରପ୍ରାପ୍ତ ନି‌େ​‌ର୍ଦଶକ କେ. ରାଘବନ୍‌ଙ୍କ ଅଧ୍ୟକ୍ଷତାରେ ରାଗିଙ୍ଗ୍ ରୋକିବା ଉଦ୍ଦେଶ୍ୟରେ ଏକ କମିଟି ଗଠନ କରିଥିଲେ। କମିଟିର ସୁପାରିସ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁ.ଜି.ସି.) ଏକ ମାର୍ଗଦର୍ଶିକା ଜାରି କରିଥିଲେ। ପ୍ରତ୍ୟେକ ଛାତ୍ର/ଛାତ୍ରୀ କଲେଜରେ ଭର୍ତ୍ତି ହେଲାବେଳେ ରାଗିଙ୍ଗ୍‌ରେ ଲିପ୍ତ ରହିବେନି ବୋଲି ଫର୍ମ ପୂରଣ କରି ଲିଖିତାକାରରେ ପ୍ରତିଶ୍ରୁତି ଦେବାକୁ ବାଧ୍ୟ।ପ୍ରତି ଶିକ୍ଷାନୁଷ୍ଠାନରେ ଯେପରି ରାଗିଙ୍ଗ୍‌ ନ ହେବ ସେଥିପାଇଁ କମିଟି ଓ ରାଗିଙ୍ଗ୍‌ ସ୍କ୍ୱାଡ୍ ଗଠନ କରାଯାଇଛି; କିନ୍ତୁ ଏସବୁକୁ ଯଦି ସର୍ବାନ୍ତଃକରଣରେ ପାଳନ କରାନଯାଏ ତା’ହେଲେ କିଛି ଲାଭ ହେବ ନାହିଁ। ଲିଖନ ଓ ପାଳନର ସୁଦୃଶ୍ୟ ପ୍ରଭେଦ ଯୋଗୁଁ ରାଗିଙ୍ଗ୍‌ ସମସ୍ୟା ଦିନକୁ ଦିନ ଉଗ୍ର ହୋଇ ଚାଲିଛି।
୨୦୧୬ ମସିହାରେ ୟୁ.ଜି.ସି କରିଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତର ଶିକ୍ଷାନୁଷ୍ଠାନମାନଙ୍କରେ ୪୦% ପିଲା ରାଗିଙ୍ଗ୍‌ର ଶିକାର ଏବଂ ସେଥିରୁ କେବଳ ୮.୬% ଅଭିଯୋଗ କରନ୍ତି। ଏହାର କାରଣ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଅଭିଯୋଗକୁ ଗ୍ରହଣ କରନ୍ତିନି କିମ୍ବା ସେଥିପ୍ରତି କର୍ଣ୍ଣପାତ କରନ୍ତିନି। ଏହା ବଡ଼ ଓ ସାନଙ୍କ ଭିତରେ କେଉଁ ଯୁଗରୁ ଚାଲି ଆସୁଥିବା ପ୍ରଥା ଭାବରେ ଗ୍ରହଣ କରି ନିଅନ୍ତି। ବରିଷ୍ଠ-କନିଷ୍ଠ ପରିଚୟ ଆଦାନପ୍ରଦାନ ଆଳରେ ହିଂସ୍ର ଆଚରଣକୁ ସହ୍ୟ କରି ବା ଅନୁଷ୍ଠାନର ସମ୍ମାନରେ ଆଞ୍ଚ ଆସିବ ବୋଲି କର୍ତ୍ତୃପକ୍ଷ ଘଣ୍ଟ ଘୋଡ଼ାଇ ରାଗିଙ୍ଗ୍‌କୁ ପ୍ରଶ୍ରୟ ଦେଇଥାଆନ୍ତି। ଦ୍ୱିତୀୟତଃ, ଅଭିଯୋଗ କରି ଅଧିକ ବିଭ୍ରାଟ ଭିତରକୁ ପଶି କର୍ତ୍ତୃପକ୍ଷ ଓ ବଡ଼ ପିଲାମାନଙ୍କର ରୋଷର ଶିକାର ହେବାକୁ ନୂଆ ପିଲାମାନେ ଇଚ୍ଛା କରନ୍ତିନି। ନିଜର ଜୀବନ ଓ ଭବିଷ୍ୟତ ନଷ୍ଟ ହେବା ଭୟରେ ସେମାନେ ସବୁ ସହି ନୀରବ ରହିବାକୁ ଶ୍ରେୟ ମଣନ୍ତି। ଆଙ୍ଗୁଳି ପଶୁପଶୁ ବାହୁ ପ୍ରବେଶ ପରି ଏହି ସବୁ କାରଣ ଭବିଷ୍ୟତରେ ଅଘଟଣ ଘଟାଇ ଥାଏ। ଅମୂଲ୍ୟ ନିଷ୍ପାପ ଜୀବନ ଅକାଳରେ ଝଡ଼ିଯାଏ।
ଅନେକ ରାଗିଙ୍ଗ୍‌ ଘଟଣାରେ ଧନୀ ଓ କ୍ଷମତାଶାଳୀ ପରିବାରର ପିଲାମାନେ ଜଡ଼ିତ ଥିବାରୁ ଅନୁଷ୍ଠାନ ଏପରି ଘଟଣାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ଦ୍ବାରା ରାଗିଙ୍ଗ୍‌ରେ ଲିପ୍ତ ଛାତ୍ରମାନଙ୍କର ସାହସ ବଢ଼ିଥାଏ। ରାଗିଙ୍ଗ୍‌କୁ ରୋକିବା ପାଇଁ ପ୍ରଥମ ଆବଶ୍ୟକତା ଭାବରେ କର୍ତ୍ତୃପକ୍ଷ ଶିକ୍ଷାନୁଷ୍ଠାନରେ ରାଗିଙ୍ଗ୍ ହେଉଛି ଏବଂ ଏହା ଏକ ମାନସିକ ବ୍ୟାଧି ବୋଲି ଗ୍ରହଣ କରିବା ଉଚିତ। ତାହାହେଲେ ସେମାନେ ସମସ୍ୟାର ସମାଧାନ କରିବାର ଆଗ୍ରହ ରଖିବେ। ଜାତି-ଧର୍ମ-ବର୍ଣ୍ଣ- ସାମାଜିକସ୍ତର ନିର୍ବିଶେଷରେ ରାଗିଙ୍ଗ୍‌ରେ ଲିପ୍ତ ଛାତ୍ରଛାତ୍ରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରି ଦୃଷ୍ଟାନ୍ତମୂଳକ ଶାସ୍ତିବିଧାନ କଲେ ଏହାକୁ ରୋକାଯାଇ ପାରିବ। ଏହା ସହିତ ଲୋକେ ବୁଝିବା ଉଚିତ ଯେ ରାଗିଙ୍ଗ୍‌ର ମୂଳ କାରଣ ପରିବାରର ବ୍ୟବହାର ଓ ସଂସ୍କାର ଏବଂ ସାମାଜିକ ମୂଲ୍ୟବୋଧରେ ନିହିତ। ତେଣୁ ଏହି ସମସ୍ୟା ସମାଧାନର ଦାୟିତ୍ବ କେବଳ ଶିକ୍ଷାନୁଷ୍ଠାନର ନୁହେଁ। ଏହା ଏକ ସାମାଜିକ ଦାୟିତ୍ବ,ଏକ ସାମୂହିକ ଦାୟିତ୍ବ। ଏହି ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କର ମିଳିତ ସହଯୋଗ ଆବଶ୍ୟକ।

ସୁଜାତା ପ୍ରହରାଜ
ଭୁବନେଶ୍ବର ଦୂରଭାଷ: ୮୨୪୯୭୦୫୪୨୧

Hot this week

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

Related Articles

Popular Categories