ନୂଆ ବିଶ୍ବ ବ୍ୟବସ୍ଥାର ଅଗ୍ରଦୂତ ଭାରତ

ଜ୍ଞାନ ଆଧାରିତ ସଭ୍ୟତା ଭାରତ

ଏକ ଜ୍ଞାନ ଆଧାରିତ ସଭ୍ୟତା ରୂପରେ ଭାରତର ଡିଏନ୍‌ଏରେ ପ୍ରତିଭାର ଏକ ପ୍ରାକୃତିକ ଭଣ୍ଡାର ରହିଛି। ଗଣିତ, ଜ୍ୟୋତିର୍ବିଜ୍ଞାନ, ଔଷଧ, ଦର୍ଶନ ଓ ସାହିତ୍ୟ ସମେତ ଜ୍ଞାନର ବିଭିନ୍ନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅବଦାନ ରହିଛି, ଇତିହାସରୁ ଏହାର ପ୍ରମାଣ ମିଳିଥାଏ। ସଂଖ୍ୟା ସିଦ୍ଧାନ୍ତ ଓ ଗାଣିତିକ ବିଶ୍ଳେଷଣରେ ପ୍ରାଚୀନ ଭାରତୀୟ ଗଣିତଜ୍ଞଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଧୁନିକ ଗବେଷଣାକୁ ମଧ୍ୟ ପ୍ରଭାବିତ କରୁଛି। ଏକ ଜ୍ଞାନ ଆଧାରିତ ସଭ୍ୟତା ଭାବରେ ଭାରତର ଇତିହାସ, ଏହାର ସମସାମୟିକ ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ପରିଦୃଶ୍ୟକୁ ପ୍ରଭାବିତ କରୁଛି। ଏହା ଭାରତକୁ ବିଶ୍ୱ ମଙ୍ଗଳରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକାରୀ ରୂପରେ ପରିଣତ କରିଛି।
ବିଶ୍ୱ କଲ୍ୟାଣ ପାଇଁ ଜି-୨୦
ଭାରତର ଜି-୨୦ ଅଧ୍ୟକ୍ଷତାର ସମ୍ପୂର୍ଣ୍ଣ କାର୍ଯ୍ୟକାଳରେ – କାର୍ଯ୍ୟକାରୀ ଗୋଷ୍ଠୀରେ ହେଉ କିମ୍ବା ମନ୍ତ୍ରିସ୍ତରୀୟ ସଭାରେ ହେଉ – ସମସ୍ତ ଆଲୋଚନାରେ ବୃହତ୍ତର ବୈଶ୍ୱିକ କଲ୍ୟାଣ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି। ‘‘ଏକ ପୃଥିବୀ – ଏକ ପରିବାର – ଏକ ଭବିଷ୍ୟତ” ଶୀର୍ଷକ ଜି-୨୦ ବିଷୟବସ୍ତୁ ଆମର ପ୍ରାଚୀନ ମୂଲ୍ୟବୋଧ ‘ବସୁଧୈବ କୁଟୁମ୍ବକମ୍’ ଉପରେ ଆଧାରି। ଭାରତର ପ୍ରଗତି ଓ ଅଭିବୃଦ୍ଧି କେବଳ ନିଜ ଲୋକଙ୍କ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ଏହା ବାର୍ତ୍ତା ଦେଉଛି।
ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ବିଶ୍ବର ବିଶ୍ୱାସ
ଭାରତୀୟ ଅର୍ଥବ୍ୟବସ୍ଥାର ଅନ୍ତରୀଣ ଦୃଢ଼ତା ଏବଂ ସ୍ଥିରତାକୁ ବିଶ୍ୱ ସ୍ୱୀକାର କରିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭାରତକୁ ବିଶ୍ୱ ଅର୍ଥବ୍ୟବସ୍ଥାରେ ଏକ ଉଜ୍ଜ୍ୱଳ ସ୍ଥାନ ଭାବେ ଚିହ୍ନଟ କରିଛି। ଭାରତର ସାମଗ୍ରିକ ଆର୍ଥିକ ଭିତ୍ତିଭୂମି ଅତ୍ୟନ୍ତ ସୁଦୃଢ। ବିଶ୍ବ ସ୍ତରରେ ଉତ୍ତେଜନା ସତ୍ତ୍ୱେ, ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ। ଭାରତ ଏବେ ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି ଏବଂ ଖୁବ୍ ଅଳ୍ପ ସମୟ ମଧ୍ୟରେ ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବାର ସମ୍ଭାବନା ରହିଛି।
ଶିକ୍ଷାର ବାହକ ଶକ୍ତି
ଜ୍ଞାନ ଓ ଦକ୍ଷତା ମାଧ୍ୟମରେ ମାନବ ପୁଞ୍ଜି ବଢ଼ାଇବା ହେଉଛି ଭାରତର ସାମର୍ଥ୍ୟକୁ ଉପଲବ୍ଧି କରିବାର ଚାବିକାଠି। ଶିକ୍ଷା ହେଉଛି ସେହି ‘ବାହକ ଶକ୍ତି’ ଯାହା ଅଭିବୃଦ୍ଧିର ପ୍ରେରଣାକୁ ଆଗକୁ ବଢ଼ାଇବ ଏବଂ ବଜାୟ ରଖିବ। ଶିକ୍ଷା ହେଉଛି ମାତୃଶକ୍ତି ଯାହା ନାଗରିକମାନଙ୍କୁ ସଶକ୍ତ କରିବ।
ବିଷୟକୁ ଭଲ ଭାବେ ବୁଝିବା ଏବଂ ସ୍ପଷ୍ଟତା ଆଣିବା ସୁନିଶ୍ଚିତ କରିବା ଲାଗି ମାତୃଭାଷାରେ ଶିକ୍ଷାଦାନକୁ ଏନଇପିରେ ପ୍ରାଥମିକତା ଦିଆଯାଇଛି। ମାତୃଭାଷାରେ ଶିକ୍ଷା ଅନ୍ୟ ଯୋଗାଯୋଗ ଭାଷାଗୁଡ଼ିକୁ ବିଚ୍ଛିନ୍ନ କରିବ ନାହିଁ, ବରଂ ସେଗୁଡ଼ିକର ପରିପୂରକ ହେବ। ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ମାର୍ଗ ସୁଗମ ଏବଂ ସମସ୍ୟାମୁକ୍ତ ହେବ। ବିଶେଷକରି କମ୍‌ ମେଧା ସମ୍ପନ୍ନ ଛାତ୍ରଛାତ୍ରୀ ଏହାଦ୍ୱାରା ଲାଭବାନ ହେବେ।
ଉଚ୍ଚଶିକ୍ଷାର ଆନ୍ତର୍ଜାତିକୀକରଣକୁ ପ୍ରାଥମିକତା ମିଳିଛି। ଭାରତକୁ ଏକ ଶୀର୍ଷ ଅଧ୍ୟୟନ ଗନ୍ତବ୍ୟସ୍ଥଳରେ ପରିଣତ କରିବା ପାଇଁ, ଏନଇପି ୨୦୨୦ ଅନ୍ତର୍ଗତ ଅଧ୍ୟାପକ / ଛାତ୍ର ବିନିମୟ, ଗବେଷଣା ଓ ଶିକ୍ଷଣ ଭାଗିଦାରୀ ଏବଂ ବିଦେଶୀ ରାଷ୍ଟ୍ରମାନଙ୍କ ସହିତ ପାରସ୍ପରିକ ଲାଭଦାୟକ ଏମଓୟୁ ସ୍ୱାକ୍ଷର କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଇଆଇଟି – ମାଡ୍ରାସ ଏବଂ ଆଇଆଇଟି – ଦିଲ୍ଲୀ ଯଥାକ୍ରମେ ଜାଞ୍ଜିବର-ତାଞ୍ଜାନିଆ ଏବଂ ଆବୁଧାବି-ୟୁଏଇ ସେମାନଙ୍କର ବିଦେଶୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଶିଳ୍ପ-ଶିକ୍ଷାନୁଷ୍ଠାନ ସହଭାଗିତା ହେଉଛି ଏନଇପିର ଆଉ ଏକ ପ୍ରାଥମିକତା କ୍ଷେତ୍ର। ଶିକ୍ଷାନୁଷ୍ଠାନଗୁଡ଼ିକରେ ନୂଆ ଉଦ୍ଭାବନ, ବିକାଶ ଏବଂ ଗବେଷଣାକୁ ସୁଗମ କରିବା ଉଦ୍ଦେଶ୍ୟରେ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ପ୍ରତିଷ୍ଠା କରାଯାଉଛି।
ଭାରତକୁ ଏକ ଗବେଷଣା ଓ ବିକାଶ କେନ୍ଦ୍ରରେ ପରିଣତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ସରକାର କେବଳ ବ୍ୟାବସାୟିକ ସୁଗମତା ନୁହେଁ ବରଂ ଗବେଷଣାକୁ ସହଜ କରିବା ପାଇଁ ମଧ୍ୟ ପ୍ରୟାସ କରୁଛନ୍ତି।
ଏହା ବ୍ୟତୀତ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଏବଂ ୟୁରୋପର ପ୍ରମୁଖ ଦେଶମାନଙ୍କ ସହିତ ଭାରତର ଶିକ୍ଷାଗତ ଭାଗିଦାରୀ ରହିଛି ଯେଉଁଠାରେ ଭାରତର ପ୍ରତିଭା ଭଣ୍ଡାରକୁ ସ୍ୱୀକୃତି ମିଳିଛି ଏବଂ ସେମାନେ ଆମ ପ୍ରତିଭାମାନଙ୍କୁ ନେବାକୁ ଚାହୁଁଛନ୍ତି। ଗୁରୁତ୍ୱପୂର୍ଣ୍ଣ ଓ ପ୍ରଗତିଶୀଳ ପ୍ରଯୁକ୍ତି ବା କ୍ରିଟିକାଲ ଏଣ୍ଡ ଇମର୍ଜିଂ ଟେକ୍ନୋଲୋଜି (ଆଇସିଇଟି) ଉପରେ ଆଧାରିତ ଯୋଜନା ଏବଂ କ୍ୱାଡ୍ ଫେଲୋସିପ୍ ଅଧୀନରେ ଉଚ୍ଚ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରାଯାଉଛି।
ମାନକୀକରଣ ଭାରତୀୟ ଶିକ୍ଷାକୁ ବିଶ୍ୱ ଶିକ୍ଷା ସହିତ ଯୋଡ଼ିବାରେ ସାହାଯ୍ୟ କରିଥାଏ। ଏନଇପି ଅଧୀନରେ, ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ପ୍ରକାଶ ପାଇଛି। ଏଥିରେ ନିର୍ଦିଷ୍ଟ ଶିକ୍ଷଣ ମାନକ, ବିଷୟବସ୍ତୁ, ଶିକ୍ଷାଶାସ୍ତ୍ର ଏବଂ ମୂଲ୍ୟାଙ୍କନ ପାଇଁ ବ୍ୟବସ୍ଥା ରହିଛି। ଅନୁରୂପ ଭାବେ, ବିଭିନ୍ନ ପାଠ୍ୟକ୍ରମକୁ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ ପରିସରକୁ ଆଣିବା ପାଇଁ ନ୍ୟାସନାଲ କ୍ରେଡିଟ୍ ଫ୍ରେମୱାର୍କ ପ୍ରଣୟନ କରାଯାଇଛି।
ଦକ୍ଷତା ଏବଂ କୌଶଳ ବିକାଶ
ଭାରତରେ ୧୮ରୁ ୩୫ ବର୍ଷ ବୟସର ୬୦ କୋଟିରୁ ଅଧିକ ଲୋକ ବସବାସ କରନ୍ତି ଏବଂ ୬୫% ଲୋକଙ୍କ ବୟସ ୩୫ ବର୍ଷରୁ କମ୍‌। ବହୁମୁଖୀ ଏବଂ ବହୁ-କୁଶଳୀ, ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧାରା ରହିଥିବା ଯୁବ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କାର୍ଯ୍ୟବଳ ସହିତ ଜନସଂଖ୍ୟାଗତ ଲାଭାଂଶକୁ ଉପଯୋଗ କରିବା ଉପରେ ପ୍ରାଥମିକତା ଦିଆଯାଉଛି।
ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏବଂ ୧୦୦ରୁ ଅଧିକ ୟୁନିକର୍ଣ୍ଣ ସହିତ ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ଭାରତରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଦେଖିବାକୁ ମିଳିଛି। କେବଳ ମେଟ୍ରୋ ସହର ନୁହେଁ; ଟାୟାର ୨ ଟାୟାର ୩ ସହର ଏବଂ ନଗରଗୁଡ଼ିକ ଦ୍ୱାରା ଭାରତର ଉଦ୍ଭାବନ ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକ ପରିଚାଳିତ ହେଉଛି।
ବିଦ୍ୟାଳୟ ସ୍ତରରେ ଦକ୍ଷତା ବିକାଶ
ଷଷ୍ଠ ଶ୍ରେଣୀରୁ ବିଦ୍ୟାଳୟ ଶିକ୍ଷାରେ ଦକ୍ଷତା ବିକାଶକୁ ସାମିଲ କରାଯାଇଛି। ଏହା ଏବେ କ୍ରେଡିଟ୍ ଫ୍ରେମୱାର୍କର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛ। ପ୍ରଯୁକ୍ତି ଦ୍ୱାରା ପରିଚାଳିତ ଶିଳ୍ପ ପରିବେଶରେ ତିଷ୍ଠି ରହିବା ନିମନ୍ତେ ଏକ ଦକ୍ଷ କାର୍ଯ୍ୟବଳ ନିର୍ମାଣ କରିବା ପାଇଁ ସିଙ୍ଗାପୁରର ଦକ୍ଷତା ବିକାଶ ଫ୍ରେମୱାର୍କକୁ ବିଦ୍ୟାଳୟ ସ୍ତରରୁ ଗ୍ରହଣ କରାଯିବା ଏ ଦିଗରେ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ।
ଭାରତ ଏବଂ ନୂତନ ବ୍ୟବସ୍ଥା
ବିକଶିତ ନୂତନ ବ୍ୟବସ୍ଥାରେ ମାନବ ପୁଞ୍ଜିର କେନ୍ଦ୍ରୀୟ ଭୂମିକାକୁ ଭାରତ ସ୍ୱୀକୃତି ଦେଇଛି। ଶିକ୍ଷା ଓ ଦକ୍ଷତାରେ ସମ୍ପନ୍ନ ବ୍ୟକ୍ତିମାନେ ଆଜିର ଜ୍ଞାନ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ଜ୍ଞାନର କ୍ଷେତ୍ରକୁ ବିସ୍ତାର କରିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ବ୍ୟତୀତ, ଯୁଗାନ୍ତକାରୀ ଉଦ୍ଭାବନ ଓ ବୈଜ୍ଞାନିକ ଆବିଷ୍କାର ଜରିଆରେ ସେମାନେ ହିଁ କେବଳ ରାଷ୍ଟ୍ର ନିର୍ମାଣରେ ଉଲ୍ଲେଖନୀୟ ଯୋଗଦାନ ଦେଇପାରିବେ।
ଭାରତ ହେଉଛି ବିଶ୍ୱ କଲ୍ୟାଣ ପାଇଁ ଏକ ବିଶାଳ ପ୍ରୟୋଗଶାଳା। ଏକବିଂଶ ଶତାବ୍ଦୀ ଏକ ଜ୍ଞାନ ଆଧାରିତ ଶତାବ୍ଦୀ ହୋଇଥିବାରୁ ନୂତନ ଜ୍ଞାନକୌଶଳ କୌଣସି ନୂତନ ବ୍ୟବସ୍ଥାର ନେତୃତ୍ୱ ନେବ। ଭାରତ ନିଜର ବିଶାଳ ପ୍ରତିଭା ଭଣ୍ଡାର ସହିତ ଏହି ନୂତନ ବ୍ୟବସ୍ଥାକୁ ରୂପ ଦେବାରେ ଅଗ୍ରଣୀ ରାଷ୍ଟ୍ର ସାଜିବ।

ଧର୍ମେନ୍ଦ୍ର ପ୍ରଧାନ
ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର

Comments are closed.