ବଞ୍ଚିବାର ଆଶା ସଞ୍ଚାର ହିଁ ଚିକିତ୍ସା ବିଜ୍ଞାନର ସର୍ବୋତ୍ତମ ଉପଲବ୍ଧି

- ମୁନ୍ନା ଭାଇଙ୍କ କରୋନା ଚିକିତ୍ସା

ବଲିଉଡର ସର୍ବକାଳୀନ ଲୋକପ୍ରିୟ ଚଳଚ୍ଚିତ୍ର ତାଲିକାରେ ସ୍ଥାନିତ ‘ମୁନ୍ନାଭାଇ ଏମ୍‌ବିବିଏସ୍’(୨୦୦୩)ର ଅଗଣିତ ଦର୍ଶକମାନଙ୍କ ମଧ୍ୟରୁ ଯେଉଁମାନେ ଚଳଚ୍ଚିତ୍ର କଥାବସ୍ତୁର ସାରାଂଶ ଓ ସନ୍ଦେଶ ଉପରେ ଧ୍ୟାନ କେନ୍ଦ୍ରିତ କରିଥିବେ ସେମାନେ ଏଥିରେ ଦ୍ୱିମତ ହେବାର ନାହିଁ ଯେ ଯେଉଁଠି ଭେଷଜ ବିଜ୍ଞାନର ସୀମା ଶେଷ ହେଉଛି ସେଠାରେ ମନସ୍ତାତ୍ତ୍ୱିକ ବିଜ୍ଞାନ ଐଶ୍ୱରିକ ଶକ୍ତି ରୂପେ ଚମତ୍କାରିତା ଆରମ୍ଭ କରିଛି। ଯାହା ଭେଷଜ ବା ଚିକିତ୍ସା ବିଜ୍ଞାନର ପରିପନ୍ଥୀ ବୋଲି ଗୃହୀତ ହୋଇଛି ତାହା ହିଁ ପରବର୍ତ୍ତୀ ସମୟରେ(ଚଳଚ୍ଚିତ୍ରରେ) ଚିକିତ୍ସା ଜଗତରେ ଅଶ୍ରୁତପୂର୍ବ ଓ ଅଭୂତପୂର୍ବ ସଫଳତାର ଉଦାହରଣ ସୃଷ୍ଟି କରିଛି।

ନବାଗତ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନୀ ସମ୍ଭାଷଣ ଅବସରରେ ମେଡିକାଲ୍ କଲେଜର ଡିନ୍ ଜେ ଡଟ୍ ଆସ୍ତାନା(ବୋମାନ ଇରାନୀ)ଙ୍କ ମନ୍ତ୍ର ଥିଲା, ‘ରୋଗୀ ସହିତ ଆତ୍ମୀୟତା ନୁହେଁ ବରଂ କଠୋର ଭାବରେ ତା’ ଶରୀରରେ ଥିବା ରୋଗର ଚିକିତ୍ସା ହିଁ ଜଣେ ଉତ୍ତମ ଡାକ୍ତରର ଧର୍ମ ଓ କର୍ତ୍ତବ୍ୟ ହେବା ଉଚିତ।’ ୨୫ ବର୍ଷ ଧରି ଏହି ମନ୍ତ୍ର ବଳରେ ସେ(ଆସ୍ତାନା) ଜଣେ ସଫଳ ଓ ଶ୍ରେଷ୍ଠ ଡାକ୍ତର ପଦବାଚ୍ୟ ହୋଇଥିବା ଦାବି କରିଛନ୍ତି। ଅପରପକ୍ଷରେ ତଞ୍ଚକତା ଦ୍ୱାରା ପ୍ରବେଶିକା ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରି ଉକ୍ତ ଡାକ୍ତରୀ କଲେଜର ନାମ ଲେଖାଇଥିବା ସ୍ୱଳ୍ପପାଠୁଆ ମୁନ୍ନାଭାଇ(ସଞ୍ଜୟ ଦତ୍ତ)ଙ୍କର ଦର୍ଶନ ଥିଲା ସମ୍ପୂର୍ଣ୍ଣ ବିପରୀତ। ଡାକ୍ତରୀ ଶାସ୍ତ୍ରର ଧରାବନ୍ଧା ଚିକିତ୍ସା ପଦ୍ଧତି ଓ କଟକଣାର ଧାରାରୁ ଊର୍ଦ୍ଧ୍ବକୁ ଯାଇ ଆତ୍ମୀୟତା, ସହାନୁଭୂତିଶୀଳ ବ୍ୟବହାର ଏବଂ ଆଶ୍ୱାସନାଭରା ମିଠା କଥା ଜରିଆରେ ରୋଗୀ ମନରେ ଆରୋଗ୍ୟ ହେବାର ଅଦମିତ ଆଶା ସଞ୍ଚାର କରିବା ହିଁ ଜଣେ ଡାକ୍ତରର କର୍ତ୍ତବ୍ୟ ହେବା ଉଚିତ ବୋଲି ମୁନ୍ନାଭାଇଙ୍କ ମତ ଥିଲା। ତେଣୁ ଛକିଶୂନ ଓ କ୍ୟାରାମ୍ ଖେଳ ମାଧ୍ୟମରେ ହେଉ କିମ୍ବା ଡାକ୍ତରଖାନା ୱାର୍ଡରେ ନୃତ୍ୟସଙ୍ଗୀତର ଆସର ଜରିଆରେ ରୋଗୀ ମନରେ ବଞ୍ଚିବାର ଉଦ୍ମାଦନା ସୃଷ୍ଟି କରିବାରେ ମୁନ୍ନାଭାଇ ସକ୍ଷମ ହୋଇପାରିଥିଲେ। ଏହି ଦୁଇ ପରସ୍ପର ବିପରୀତମୁଖୀ ଚିନ୍ତାଧାରା ଓ ଆଦର୍ଶର ସଂଘାତ ମଧ୍ୟରେ ଚଳଚ୍ଚିତ୍ରର କାହାଣୀ ଆଗକୁ ବଢ଼ିଛି ଏବଂ ସମୟକ୍ରମେ ଯେଉଁଠାରେ ଆସ୍ତାନାଙ୍କ ଡାକ୍ତରୀ ବିଦ୍ୟା ଓ ଜ୍ଞାନ ବିଫଳ ହୋଇଛି ସେଠାରେ ମୁନ୍ନାଭାଇଙ୍କ ମନସ୍ତାତ୍ତ୍ୱିକ ଚିକିତ୍ସା କୌଶଳ ଅସାଧ୍ୟ ସାଧନ କରିଛି। ଡାକ୍ତରୀ ଶାସ୍ତ୍ରର ସିଦ୍ଧାନ୍ତର ଊର୍ଦ୍ଧ୍ବରେ ଏହା ଏକ ଚମତ୍କାର ବୋଲି ପ୍ରମାଣିତ ହୋଇଛି, ଯାହାକୁ ଶେଷରେ ଆସ୍ତାନାଙ୍କୁ ମଧ୍ୟ ମାନିବାକୁ ବିବଶ କରିଛି। ଡାକ୍ତରୀ ପାଠର ଧାର ଧରୁ ନଥିବା ତଥା ଜଣେ ‘ଭାଇ’(ଗୁଣ୍ଡା) ଭାବରେ କୁଖ୍ୟାତି ଅର୍ଜନ କରିଥିବା ମୁନ୍ନାଙ୍କର କିନ୍ତୁ ବିଶ୍ୱାସ ଥିଲା ଶରୀରକୁ ଆରୋଗ୍ୟ ରଖିବା ଓ ମସ୍ତିଷ୍କକୁ ପ୍ରଖର କରିବାର ମହୌଷଧୀ ହେଉଛି ‘ଭିଟାମିନ୍ ଡି’ ଏବଂ ଏହାର ଗନ୍ତାଘର ହେଉଛି ପ୍ରତ୍ୟକ୍ଷ ସୂର୍ଯ୍ୟକିରଣ।

ଏ ପର୍ଯ୍ୟନ୍ତ ନିଜକୁ ଅପରାଜେୟ ପ୍ରମାଣିତ କରିଥିବା କରୋନା ଭୂତାଣୁର ଚିକିତ୍ସା ପରିପ୍ରେକ୍ଷୀରେ ମୁନ୍ନାଭାଇଙ୍କ ଚିକିତ୍ସା ଶୈଳୀର ପ୍ରାସଙ୍ଗିକତା ଓ ଉପଯୋଗିତା କେତେ ତାହା ଆଲୋଚନା କରାଯାଉ। ପାଠକଙ୍କ ଅବଗତି ନିମନ୍ତେ ଏହା ଏଠାରେ ଉଲ୍ଳେଖ କରିବା ଆବଶ୍ୟକ ଯେ ଏ ପର୍ଯ୍ୟନ୍ତ ଭେଷଜ ବିଜ୍ଞାନ କେବଳ କରୋନା ଭୂତାଣୁର ପ୍ରଭାବରେ ଶରୀରରେ ଦେଖାଦେଉଥିବା ପାର୍ଶ୍ବ ପ୍ରତିକ୍ରିୟାର ଚିକିତ୍ସାର ବାଟ ଦେଖାଇଛି, ଶରୀର ଭିତରେ ଭୂତାଣୁକୁ ମାରିବା ବା ପ୍ରତିହତ କରିବାର ପ୍ରମାଣସିଦ୍ଧ ଓ ବିଧିବଦ୍ଧ ଔଷଧ କିମ୍ବା ପଦ୍ଧତି ଘୋଷଣା ହୋଇନାହିଁ। ଏହି ପୃଷ୍ଠଭୂମିରେ ଭୂତାଣୁ ସଂକ୍ରମଣର ପ୍ରତିକ୍ରିୟାକୁ ଯଥାସମ୍ଭବ ପ୍ରତିହତ କରିବା ପାଇଁ ଶରୀରର ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ସେଥିପାଇଁ ଅଧିକରୁ ଅଧିକ ‘ଭିଟାମିନ୍ ସି’ ସେବନ ଉପରେ ଗୁରୁତ୍ୱାରୋପ କରାଯାଉଛି। ଏପରିକି ସ୍ୱଳ୍ପ ଲକ୍ଷଣ କିମ୍ବା ଲକ୍ଷଣବିହୀନ କରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସାରେ ମଧ୍ୟ କେବଳ ‘ଭିଟାମିନ୍ ସି’ ଉପଯୋଗ ହେଉଛି। ଏହି କାରଣରୁ ଏବେ ହଠାତ୍ ଔଷଧ ବଜାରରେ ‘ଭିଟାମିନ୍ ସି’ ବିକ୍ରି ଓ ବ୍ୟବହାର ଆଶାତୀତ ଭାବେ ବଢ଼ିଯାଇଛି। ଏପରିକି ଏହି ଭିଟାମିନ୍‌ର କଳାବଜାରୀ ହେଉଥିବା ଅଭିଯୋଗ ଆସୁଛି।

prayash

ଧରାଯାଉ, ଯଦି ଚଳଚ୍ଚିତ୍ରରେ ଏବେକାର ପ୍ରାଣଘାତୀ କରୋନା ଭୂତାଣୁରେ ସଂକ୍ରମିତ ଜଣେ ରୋଗୀ ଡାକ୍ତରଖାନାକୁ ଆସିଥା’ନ୍ତା, ତେବେ ମୁନ୍ନାଭାଇ ତାଙ୍କର ସ୍ୱଭାବସୁଲଭ ଚରିତ୍ର ଆଧାରରେ ରୋଗୀକୁ ଅଧିକରୁ ଅଧିକ ‘ଭିଟାମିନ୍ ଡି’ ଖାଇବାକୁ ଏବଂ ସୂର୍ଯ୍ୟାଲୋକରେ ଅଧିକରୁ ଅଧିକ ସମୟ ବିତାଇବାକୁ ପରାମର୍ଶ ଦେଇଥା’ନ୍ତେ – ଏହା ଅନସ୍ୱୀକାର୍ଯ୍ୟ।

କରୋନା ସଂକ୍ରମଣ ଜନିତ ଭୟଙ୍କର ସ୍ଥିତି ଓ ଚିକିତ୍ସା ପ୍ରଣାଳୀର ଦ୍ୱନ୍ଦ୍ୱର ଘନଘଟା ମଧ୍ୟରେ ଏଭଳି କିଛି ଖବର ଆସିଛି ଯାହା ମୁନ୍ନାଭାଇଙ୍କ ଚିକିତ୍ସା ଦର୍ଶନର ସମର୍ଥକମାନଙ୍କୁ ଅଶେଷ ଖୁସି ଓ ଆତ୍ମସନ୍ତୋଷ ପ୍ରଦାନ କରିବ। କରୋନା ସଂକ୍ରମଣ ଚିକିତ୍ସାରେ ମୁନ୍ନାଭାଇ ଦର୍ଶନ ସୁଲଭ ଚିକିତ୍ସା କୌଶଳ ଉପଯୋଗ ଉପରେ ମନସ୍ତତ୍ତ୍ୱବିତ୍‌ମାନେ ଗୁରୁତ୍ୱ ଦେଉଛନ୍ତି। ଏହି ଉପଦେଶ ଆଧାରରେ ସଂକ୍ରମିତଙ୍କୁ ଡାକ୍ତରଖାନା ୱାର୍ଡରେ ସଙ୍ଗୀତ ଶୁଣାଇବା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଅବତାରଣା କରିବା ଦେଖାଯାଉଛି। ଏହି ଉପକ୍ରମରେ ରୁଷ ଦୁଇପାଦ ଆଗକୁ ଯାଇଛି। ସେଠାକାର ନର୍ସମାନେ ବୋଲ୍ଡ(ଉଦ୍ଦୀପକ) ଅବତାରରେ ରୋଗୀଙ୍କୁ ଉପଚାର କରୁଥିବା ଦୃଶ୍ୟ ଓ ଖବର ପ୍ରକାଶ ପାଇଛି। ଏଭଳି ଅନନ୍ୟ ଓ ସ୍ୱତନ୍ତ୍ର ଉପଚାର କୌଶଳ ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ଅନୁସୃତ ହୋଇଛି। ଉଦ୍ଦେଶ୍ୟ ହେଉଛି – ଏସବୁ ଉପକ୍ରମରେ ରୋଗୀର ମନକୁ ସଦା ପ୍ରଫୁଲ୍ଲ ରଖି ବଞ୍ଚିବାର ନୂଆ ଉନ୍ମାଦନା ଜାଗ୍ରତ କରାଯାଇ ପାରିଲେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ଆଶଙ୍କା ଦୂର ହୋଇପାରିବ। ଏହି ପରୀକ୍ଷାରେ ଚିକିତ୍ସକମାନଙ୍କୁ ଅଶେଷ ସଫଳତା ମଧ୍ୟ ମିଳିଥିବା ଦାବି କରାଯାଉଛି।

ମୁନ୍ନାଭାଇଙ୍କ ଉପଚାର ସୁଲଭ ଇସ୍ରାଏଲର ବୈଜ୍ଞାନିକମାନେ ବ୍ୟାପକ ପରୀକ୍ଷାନିରୀକ୍ଷା କରିବା ପରେ ଏବେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ ଶରୀରରେ ‘ଭିଟାମିନ୍ ଡି’ ମାତ୍ରା ଅଧିକ ସେମାନଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଖୁବ୍ କମ୍। ତେଣୁ ଅଧିକରୁ ଅଧିକ ‘ଭିଟାମିନ୍ ଡି’ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ସହିତ ଅତିକମ୍‌ରେ ଜଣେ ବ୍ୟକ୍ତି ପ୍ରତ୍ୟକ୍ଷ ସୂର୍ଯ୍ୟାଲୋକରେ ୨୦ ମିନିଟ୍ ଖାଲିଦେହରେ ଠିଆ ହେଲେ ଶରୀରକୁ ଆବଶ୍ୟକ ‘ଭିଟାମିନ୍ ଡି’ ମିଳିପାରିବ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ସେମାନେ କହିଛନ୍ତି।

ମୁନ୍ନାଭାଇ ପରି କାଳ୍ପନିକ ଚରିତ୍ର ଡାକ୍ତରୀ ଡିଗ୍ରୀ ହାସଲ କରନ୍ତୁ ବା ନ କରନ୍ତୁ ତାଙ୍କର ଦର୍ଶନ ଆଧାରିତ ଚିକିତ୍ସା ପଦ୍ଧତି କରୋନା ଆକ୍ରାନ୍ତଙ୍କୁ ବଞ୍ଚିବାର ନୂଆ ରାହା ଓ ଉଦ୍ଦେଶ୍ୟ ସ୍ଥିର କରିବାରେ ଯଦି ସାହାଯ୍ୟ କରିପାରିଲା ତେବେ ତା’ଠାରୁ ଆଉ ବଡ଼ ଚିକିତ୍ସା ପଦ୍ଧତି କ’ଣ ହୋଇପାରେ। ‘ମୁନ୍ନାଭାଇ ଏମ୍‌ବିବିଏସ୍’ ଚଳଚ୍ଚିତ୍ରର ଶେଷ (କ୍ଲାଇମାକ୍ସ) ମଧ୍ୟ ଏହି ସନ୍ଦେଶ ସହିତ ଶେଷ ହୋଇଛି।

kalyan agarbati

Comments are closed.