www.samajalive.in
Monday, December 15, 2025
24.1 C
Bhubaneswar

ସେବା, ସଂଗ୍ରାମ ଓ ତ୍ୟାଗର ବାର୍ତ୍ତା ଦେଉଛି ‘ସମାଜ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶହେ ବର୍ଷ ପୂର୍ବେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ସମାଜ’ ନାମରେ ଯେଉଁ ଚାରା ଲଗାଇଥିଲେ ଆଜି ତାହା ମହାଦ୍ରୁମରେ ପରିଣତ ହୋଇଛି। ଏକ ଶତାବ୍ଦୀ ଧରି ସେବା, ସଂଗ୍ରାମ, ତ୍ୟାଗର ବାର୍ତ୍ତା ଦେଉଛି ଏହି ମହାନ ଅନୁଷ୍ଠାନ। ଏକ ଅଗ୍ରଣୀ ଖବରକାଗଜ ଭାବେ ‘ସମାଜ’ ଆମର ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ଉତ୍କଳ ମଣ୍ଡପଠାରେ ଲୋକସେବକ ମଣ୍ଡଳ ଓ ‘ସମାଜ’ ପରିବାର ପକ୍ଷରୁ ଆୟୋଜିତ ଶତବାର୍ଷିକ ସାଂସ୍କୃତିକ ସମାରୋହର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶା ହେଉଛି କଳାର ଦେଶ ଏବଂ ସବୁ ଓଡ଼ିଆ ହେଉଛନ୍ତି କଳାର ପୂଜାରୀ। ଓଡ଼ିଶାର ମାଟି, ପାଣି, ପବନରେ କଳା ସଂସ୍କୃତିର ମହକ ଭରି ରହିଛି। ଓଡ଼ିଆ ଭାଷା, କଳା ଓ ସଂସ୍କୃତିର ପ୍ରସାର ପାଇଁ ‘ସମାଜ’ ଯେଉଁ ଉଦ୍ୟମ ଆରମ୍ଭ କରିଛି ତାହା ବେଶ୍‌ ପ୍ରଶଂସନୀୟ। ‘ସମାଜ’ କଥା ମନକୁ ଆସିଲେ, ଗୋପବନ୍ଧୁ ମନେପଡ଼ନ୍ତି। ଓଡ଼ିଆ ଭାଷାର ସମୃଦ୍ଧି, ସେବା ଓ ସଂଗ୍ରାମ କଥା ମନକୁ ଆସେ। ଆଜି ମଧ୍ୟ ସମାଜରେ ଗୋପବନ୍ଧୁଙ୍କ ଆଦର୍ଶ ପ୍ରତିଫଳିତ ହେଉଛି। ଏକ ନିର୍ଭରଯୋଗ୍ୟ ଖବରକାଗଜ ଭାବେ ‘ସମାଜ’ର ସୁନାମ ରହିଛି। ସମସ୍ତଙ୍କ ସହଯୋଗରେ ଆମର ସଂସ୍କୃତି ଅଧିକ ମଜଭୁତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ, ‘ସମାଜ’ ଏକ ଖବରକାଗଜ ନୁହେଁ, ଏକ ଆନ୍ଦୋଳନ। ଆଜକୁ ୧୦୦ ବର୍ଷ ପୂର୍ବେ ଜନମତ ସୃଷ୍ଟି ଓ ଦେଶର ସ୍ବାଧୀନତା ହାସଲ ଲକ୍ଷ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏହି ଖବରକାଗଜ ପ୍ରତିଷ୍ଠା କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଆମର ସାମାଜିକ ବ୍ୟବସ୍ଥା ସୁଦୃଢ଼ କରିବା। ନିରପେକ୍ଷତା ଯୋଗୁଁ ଆଜି ପ୍ରତ୍ୟେକ ଓଡ଼ିଆଙ୍କ ମନରେ ‘ସମାଜ’ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ‘ସମାଜ’ ହେଉଛି ଜାତୀୟ ଜୀବନର ଦର୍ପଣ, ଓଡ଼ିଆ ଜାତିର ପ୍ରତିବିମ୍ବ ଓ ଓଡ଼ିଆ ଅସ୍ମିତାର ପରିଚାୟକ। ଆମ ଆଶା ଭରସାର ପ୍ରତୀକ। ଶତବାର୍ଷିକ ଅବସରରେ ଦେଶର ବିବିଧ କଳା ସଂସ୍କୃତିକୁ ଏକତ୍ରିତ କରିବାରେ ସମାଜ ଯେଉଁ ଉଦ୍ୟମ କରିଛି ତାହା ପ୍ରଶଂସନୀୟ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ।

- Advertisement -

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି, ‘ସମାଜ’ ପରିଚାଳନାମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ କହିଥିଲେ ଯେ ସମାଜର ଶତାବ୍ଦୀ ବର୍ଷରେ ଏପରି ଅଭିନବ ପ୍ରୟାସ ଆରମ୍ଭ ପୂର୍ବରୁ ଆମେ ପ୍ରତ୍ୟେକ ବର୍ଗର ଲୋକଙ୍କ ମତାମତ ଗ୍ରହଣ କରିଥିଲୁ। କାରଣ ‘ସମାଜ’ ପାଖରେ ଯଦି କିଛି ପୁଞ୍ଜି ଥାଏ, ତାହା ହେଉଛି ରାଜ୍ୟବାସୀଙ୍କ ଆଶୀର୍ବାଦ, ଯେଉଁମାନେ ଆଜକୁ ୧୦୦ବର୍ଷ ଧରି ଆମ ସହିତ ଚାଲି ଆସିଛନ୍ତି। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗରେ ଆମେ ତିନିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଭାରତର ବିବିଧତା ମଧ୍ୟରେ ଏକତାକୁ ପ୍ରଦର୍ଶିତ କରିବା ଉଦ୍ୟମ କରିଛୁ। ପଣ୍ଡିତ ଗୋପବନ୍ଧୁଙ୍କ ପରମ୍ପରାକୁ ‘ସମାଜ’ ୧୦୦ବର୍ଷ ଆଗେଇ ନେଇଛି। ଲୋକଙ୍କର ଆଶୀର୍ବାଦ ଆମକୁ ଆଉ ୧୦୦ ବର୍ଷ ଚାଲିବା ପାଇଁ ପ୍ରେରଣା ଦେଉଛି ବୋଲି ଶ୍ରୀ ମାଲବ୍ୟ କହିଥିଲେ।

ଏହି ଅବସରରେ ବିଶିଷ୍ଟ ନାଟ୍ୟ ପ୍ରତିଭାଧର ପ୍ରଫେସର କାର୍ତ୍ତିକ ରଥଙ୍କୁ ଜୀବନବ୍ୟାପୀ ମଞ୍ଚ ସାଧନା ନିମନ୍ତେ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କ ଅନୁଷ୍ଠାନ ଉତ୍କଳ ଯୁବ ସାଂସ୍କୃତିକ ସଂଘକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା। ସ୍ବର୍ଗତ ରଥଙ୍କ ପରିବାର ପକ୍ଷରୁ ପୁତ୍ର ଶିଳାଦିତ୍ୟ ରଥ ଓ କନ୍ୟା ଅନୁରୂପା ରଥ ମୁଖ୍ୟମନ୍ତ୍ରୀଙ୍କଠାରୁ ସମ୍ମାନ ଓ ପ୍ରୋତ୍ସାହନ ରାଶି ଗ୍ରହଣ କରିଥିଲେ। ସଭାରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ସ୍ବାଗତ ଭାଷଣ ଦେଇଥିଲେ। କୋଷାଧ୍ୟକ୍ଷ ତଥା ‘ସମାଜ’ ପରିଚାଳନାମଣ୍ଡଳୀର କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ ଯାଦବ, ଲୋକସେବକ ମଣ୍ଡଳ ନୂଆଦିଲ୍ଲୀ ଶାଖା ସଭାପତି ରାଜକୁମାର, ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ଓଡ଼ିଶାର ଲୋକନୃତ୍ୟ ରଣପା, ଦୁଲଦୁଲି, ଘୁମୁରା ସମେତ ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ନୂଆଦିଲ୍ଲୀ, ପଞ୍ଜାବର କଳାକାରମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପ୍ରାରମ୍ଭରେ କଟକସ୍ଥିତ ଏଲ.ଆର ଡିଏଭିର ଶିକ୍ଷୟିତ୍ରୀ ସୌଦାମିନୀ ତ୍ରିପାଠୀଙ୍କ ସଞ୍ଚାଳନରେ ଛାତ୍ରଛାତ୍ରୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିବା ପୃଷ୍ଠପୋଷକ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଶିଳ୍ପୀ ଓ ବିଶିଷ୍ଟ ବ୍ୟକ୍ତିିତ୍ବଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ଓ ଗୁଲଶନ ନଦୀମ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories