ମୁସଲମାନ ବୋଲି ସଲମାନଙ୍କୁ କଠୋର ଦଣ୍ଡ ମିଳିଛି : ପାକିସ୍ତାନ

0

ଇସଲାମାବାଦ : କ୍ରିକେଟର ସାହିଦ୍‌ ଆଫ୍ରିଦିଙ୍କ ପରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଖ୍ୱାଜା ଆସିଫ୍‌ ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଇଛନ୍ତି । କୃଷ୍ଣସାର ମୃଗ ଶିକାର ମାମଲାର ବଲିଉଡ଼ ଅଭିନେତା ସଲମନ ଖାନଙ୍କୁ ଦଣ୍ଡାଦେଶ ପ୍ରସଙ୍ଗରେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଖ୍ୱାଜା ଆସିଫ କହିଛନ୍ତି ଯେ ସଲମାନ ମୁସଲମାନ ହୋଇଥିବାରୁ ତାଙ୍କୁ କଠୋର ଦଣ୍ଡ ମିଳିଛି। ସଲମାନଙ୍କ ସହ ଶାସକଦଳର ସମ୍ପର୍କ ଥିଲେ ତାଙ୍କୁ କୋହଳ ଦଣ୍ଡାଦେଶ ହୋଇଥାନ୍ତା । କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ଟ୍ୱିଟ୍‌ କରି ପାକିସ୍ତାନ କ୍ରିକେଟର ସାହିଦ୍‌ ଆଫ୍ରିଦି ଭାରତୀୟଙ୍କ ରୋଷର ଶିକାର ହୋଇଥିଲେ । ଏବେ ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କ ଏପରି ଟିପ୍ପଣୀକୁ ବହୁ ଭାରତୀୟ ନାପସନ୍ଦ କରିଛନ୍ତି। ପାକିସ୍ତାନ ବାରମ୍ବାର ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଉଥିବାରୁ ଅନେକ ଲୋକ ଏହାର କଡ଼ା ନିନ୍ଦା କରିଛନ୍ତି। ପ୍ରକାଶ ଯେ ଦୀର୍ଘ ୨୦ ବର୍ଷ ପୁରୁଣା କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଖାନ୍‌ଙ୍କୁ ଗୁରୁବାର ଜେଲ୍‌ ଯିବାକୁ ପଡ଼ିଛି। ଏହି ମାମଲାରେ ଯୋଧପୁରର ଏକ ଅଦାଲତ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଧାରା ୯/୫୧ ଅଧୀନରେ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ତାଙ୍କ ବିରୋଧରେ ୧୦ହଜାର ଟଙ୍କାର ଜୋରିମାନା ଧାର୍ଯ୍ୟ କରାଯାଇଛି। ମାମଲାର ଅନ୍ୟ ୪ ଅଭିଯୁକ୍ତ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌, ଅଭିନେତ୍ରୀ ସୋନାଲି ବେନ୍ଦ୍ରେ, ତବୁ ଓ ନୀଲମଙ୍କୁ ଦୋଷମୁକ୍ତ କରାଯାଇଛି।

Leave A Reply