ଆଶାରାମଙ୍କ ପାଖ ବାରାକରେ ରହିବେ ସଲମାନ

0

ଯୋଧପୁର : କୃଷ୍ଣସାର ମୃଗ ଶିକାର ମାମଲାର ରାୟ ପ୍ରକାଶ ପରେ ଅଭିନେତା ସଲମାନ ଖାନ୍‌ଙ୍କୁ ଗିରଫ କରାଯାଇ ଯୋଧପୁର କାରାଗାରକୁ ନିଆଯାଇଛି। ସେଠାରେ ପୂର୍ବରୁ ବନ୍ଦି ଥିବା ତଥାକଥିତ ଧର୍ମଗୁରୁ ଆଶାରାମ ବାପୁଙ୍କ ବାରାକ୍‌ ନିକଟସ୍ଥ ବାରାକରେ ସଲମାନଙ୍କୁ ରଖାଯିବ। ଏହି ସେଲ୍‌ରେ ଅନ୍ୟ କୌଣସି ବନ୍ଦି ରହିବେ ନାହିଁ। ଯୋଧପୁର କେନ୍ଦ୍ରୀୟ କାରାଗାରର ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି, ଜେଲ୍‌ରେ ସଲମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସାଧାରଣ କଏଦୀଙ୍କ ଭଳି ତାଙ୍କ ସହିତ ବ୍ୟବହାର କରାଯିବ। ସେ ଚଟାଣରେ ଶୋଇବେ। ବର୍ତ୍ତମାନ ଯୋଧପୁରରେ ତାପମାତ୍ରା ୪୦ ଡିଗ୍ରୀ ଥିବା ବେଳେ ଗରମରୁ ରକ୍ଷା ପାଇବା ଲାଗି ସଲମାନ ସିଲିଂ ଫ୍ୟାନ୍‌ ବ୍ୟବହାର କରିବେ। ନିୟମିତ ସୂଚୀ ଅନୁଯାୟୀ ତାଙ୍କୁ ପ୍ରାତଃ ଭୋଜନରେ ଚା’ ଓ ଜଳଖିଆ ଦିଆଯିବ। ସକାଳ ୯ଟାରୁ ୧୦ଟା ମଧ୍ୟରେ ସେ ମଧ୍ୟାହ୍ନ ଭୋଜନ କରିବେ। ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାରାକ୍‌ରେ ବନ୍ଦି ରହିବେ। ଏହାପରେ ସନ୍ଧ୍ୟା ୭ଟାରେ ସେ ବାହାରେ ବୁଲାବୁଲି କରିପାରିବେ। ଏହି ସମୟରେ ରାତ୍ରିଭୋଜନ ଦିଆଯିବ।
ଶିକାର ସମ୍ବନ୍ଧୀୟ ମାମଲାରେ ପୂର୍ବରୁ ୩ ଥର ସଲମାନଙ୍କୁ ଜେଲ୍‌ ଯିବାକୁ ପଡିଛି। କୃଷ୍ଣସାର ମୃଗ ଶିକାର ମାମଲାରେ ୧୯୯୮ ଅକ୍ଟୋବର ୧୨ରେ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ତାଙ୍କୁ ୪ ଦିନ କାରାଗାରରେ କାଟିବାକୁ ପଡିଥିଲା। ୨୦୦୬ରେ ଚିଙ୍କାରା ଶିକାର ମାମଲାରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ। ଫଳରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ଜେଲ୍‌ ଯିବାକୁ ପଡିଥିଲା। ସେ ଜେଲରେ ତିନି ଦିନ ରହିଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ୨୦୦୭ରେ ଫୋଜଦାରୀ କୋର୍ଟରେ ଖାରଜ ହୋଇଯିବା ପରେ ସଲମାନ ପୁଣି ଗିରଫ ହୋଇଥିଲେ। ଏଥର ତାଙ୍କୁ ପ୍ରାୟ ଏକ ସପ୍ତାହ ଜେଲରେ ବିତାଇବାକୁ ପଡିଥିଲା।
ଗୁରୁବାର ରାୟ ପ୍ରକାଶ ପୂର୍ବରୁ ବୁଧବାର ସଲମାନ ଯୋଧପୁରରେ ପହଞ୍ଚିଥିଲେ। ଏହି ଏକ ରାତି କାଟିବା ତାଙ୍କ ପାଇଁ କାଠିକର ହୋଇପଡିଥିଲା। ବିଚଳିତ ଥିଲେ ସେ। ରାତି ୧୦ଟାରେ ଜିମ୍‌ ଯାଇଥିଲେ। ରାତି ୧୨ଟା ବେଳକୁ ସୁଇମିଂ ପୁଲ୍‌କୁ ଯାଇ ନିଜକୁ ଆଶ୍ୱସ୍ତ କରିବାକୁ ଉଦ୍ୟମ କରିଥିଲେ।

Leave A Reply