ସାଇ ଗାୟତ୍ରୀ ଗ୍ରୁପ୍‌ର ୫କୋଟିରୁ ଊର୍ଦ୍ଧ୍ବ ଠକେଇ: ୩ ନିର୍ଦେଶକଙ୍କୁ ବାନ୍ଧିଲା ସିବି

0

ଭୁବନେଶ୍ୱର : ଚିଟ୍‍ଫଣ୍ଡ ମାମଲାରେ ଗୁରୁବାର ରାଜ୍ୟ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସାଇ ଗାୟତ୍ରୀ ଗ୍ରୁପ ଅଫ୍‍ କମ୍ପାନିଜ୍‍ର ନିର୍ଦେଶକ ଲକ୍ଷ୍ମୀକାନ୍ତ ପାଢୀ, ତାଙ୍କ ପତ୍ନୀ ଅବନ୍ତୀ ପାଢୀ ଓ ଦୁର୍ଗାପ୍ରସନ୍ନ ତ୍ରିପାଠୀଙ୍କୁ ଗିରଫ କରିଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗୁରୁବାର ଉପରୋକ୍ତ ୩ଜଣଙ୍କୁ ବାଲେଶ୍ୱର ଅତିରିକ୍ତ ଜିଲାଜଜ୍‍ ତଥା କ୍ଷମତାପ୍ରାପ୍ତ ଓପିଆଇଡିଙ୍କ ଅଦାଲତରେ ହାଜର କରିବା ପରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ବାଲେଶ୍ୱର ଜିଲା ସୋରୋ ଥାନା ଅନ୍ତର୍ଗତ ପଖରା ଗ୍ରାମର ସ୍ୱର୍ଗତ ଉପେନ୍ଦ୍ର ପ୍ରସାଦ ପାଢୀଙ୍କ ପୁଅ ଲକ୍ଷ୍ମୀକାନ୍ତ ପାଢୀ ଓ ବୋହୂ
ଅବନ୍ତୀ ପାଢୀ ଭଦ୍ରକ ଜିଲା ସମରାଇପୁର ଅନ୍ତର୍ଗତ ଆଚାର୍ଯ୍ୟ ନଗରରେ ରହୁଥିଲା ବେଳେ ଅନ୍ୟତମ ଅଭିଯୁକ୍ତ ସ୍ୱର୍ଗତ ବାସୁଦେବ ତ୍ରିପାଠୀଙ୍କ ପୁଅ ଦୁର୍ଗା ପ୍ରସନ୍ନ ତ୍ରିପାଠୀ ପୁରୀ ଷ୍ଟେସନ ରୋଡ଼ସ୍ଥିତ ୱାଟର ୱାର୍କସ ରୋଡ଼ରେ ରୁହନ୍ତି। ଚିଟ୍‍ଫଣ୍ଡ ମାମଲାରେ ଉପରୋକ୍ତ ବ୍ୟକ୍ତିବିଶେଷ କୋଟି କୋଟି ଟଙ୍କା ସାଧାରଣ ଉପଭୋକ୍ତାଙ୍କ ନିକଟରୁ ଠକି ନେଇ ଥିବା ସଂକ୍ରାନ୍ତ ଅଭିଯୋଗକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଶାଖା ବିଭିନ୍ନ ଦଫାରେ ମୋକଦ୍ଦମା ରୁଜୁ କରି ସେମାନଙ୍କୁ ଗୁରୁବାର ଗିରଫ କରିବାକୁ ସମର୍ଥ ହୋଇଛି।
ପ୍ରକାଶ ଯେ ଉପରୋକ୍ତ ଅଭିଯୁକ୍ତ ସାଇ ଗାୟତ୍ରୀ ଗ୍ରୁଫ ଅଫ୍‍ କମ୍ପାନିଜ୍‍ର ଏକାଧିକ ସଂସ୍ଥାକୁ ପଶ୍ଚିମବଙ୍ଗ,ନୂଆଦିଲ୍ଲୀ ଓ ବାଲେଶ୍ୱରରେ ପଞ୍ଜୀକରଣ କରାଯାଇ ବାସୁଦେବପୁର, ଭଦ୍ରକ,ସୋରୋ, ସିମୁଳିଆ, ବାଲେଶ୍ୱର, କଇରା,ବାରିପଦା ଓ କେନ୍ଦୁଝର ଜିଲାରେ ଶାଖା କାର୍ଯ୍ୟାଳୟ ମାଧ୍ୟମରେ ଜମାକାରୀଙ୍କ ନିକଟରୁ ବେଆଇନ ଭାବେ କୋଟି କୋଟି ଟଙ୍କା ଜମା ବବଦକୁ ଅର୍ଥ ସଂଗ୍ରହ କରିଥିଲେ। ବିଶେଷକରି ଜମାକାରୀଙ୍କୁ ଅଧିକ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇ ସେମାନେ ବିପୁଳ ଅର୍ଥ ସଂଗ୍ରହ କରିଥିଲେ ବୋଲି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପ୍ରାଥମିକ ଅନୁସନ୍ଧାନରୁ ଜାଣିପାରିଥିଲା। ପରବର୍ତ୍ତୀ ସମୟରେ କମ୍ପାନୀ ଜମାକାରୀଙ୍କୁ ପ୍ରତିଶ୍ରୁତି ଅନୁ୍‍ଯାୟୀ ମୂଳ କିମ୍ବା ସୁଧ ବାବଦ ଅର୍ଥ ନ ଦେବାରୁ ସେମାନେ ଅଭିଯୋଗ କରିଥିଲେ।

Leave A Reply