nua o banner

ବର୍ତ୍ତମାନ ପରିସ୍ଥିତିରେ ସାର୍କ ସମ୍ମିଳନୀ ସହ ଆଗକୁ ବଢିବା ସମ୍ଭବ ନୁହେଁ : ଭାରତ

BSKY banner  750×100
0

ନୂଆଦିଲ୍ଲୀ : ପାକିସ୍ତାନ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ, ଏଭଳି ପରିସ୍ଥିତିରେ ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ) ସମ୍ମିଳନୀ ସହ ଆଗକୁ ବଢିବା କଷ୍ଟକର ବୋଲି ଭାରତ ପକ୍ଷରୁ ଶନିବାର କୁହାଯାଇଛି । ଚଳିତ ଥର ଇସଲାମାବାଦରେ ସାର୍କ ସମ୍ମିଳନୀ ଆୟୋଜନ ପାଇଁ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ସହ କଥାବାର୍ତ୍ତା କରିବେ ବୋଲି ଶୁଣିବାକୁ ମିଳୁଥିଲା । ଏ କ୍ରମରେ କେପି ଶର୍ମାଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ରୋକଠୋକ୍‌ ଭାବେ ପାକିସ୍ତାନରେ ସାର୍କ ସମ୍ମିଳନୀ ଆୟୋଜନ ସମ୍ଭବ ନୁହେଁ ବୋଲି ସୂଚାଇ ଦେଇଛନ୍ତି । ଉଲ୍ଲେଖ ଯେ ବିଗତ ୨ ବର୍ଷ ହେଲା ସାର୍କ ସମ୍ମିଳନୀ ହୋଇନାହିଁ । ଶନିବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତକାର ସମୟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏହି କଥା ଉଠାଇଥିଲେ । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ପରିସ୍ଥିତିରେ ସାର୍କ ସମ୍ମିଳନୀ ଆଗକୁ ବଢିବା କଷ୍ଟକର ବୋଲି କହିଥିଲେ । ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ସାକ୍ଷାତକାର ପରେ ବିଦେଶ ସଚିବ ବିଜୟ ଗୋଖଲେ ସୂଚନା ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ମଧ୍ୟରେ ସାର୍କ ସମ୍ମିଳନୀ ନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ନରେନ୍ଦ୍ର ମୋଦି କହିଥିଲେ ଯେ କାଠମାଣ୍ଡୁରେ ସାର୍କ ସମ୍ମିଳନୀ ଆୟୋଜିତ ହୋଇଥିବାବେଳେ ସେ ଉତ୍ସାହର ସହ ଯୋଗଦେଇଥିଲେ । କିନ୍ତୁ ବର୍ତ୍ତମାନର ସମୟରେ ସୀମା ପାର ଆତଙ୍କବାଦ ଆଞ୍ଚଳିକ ପରିସ୍ଥିତିକୁ ବିଗାଡ଼ି ଦେଇଛି । ଏଭଳି ପରିସ୍ଥିତି ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ବିପଦଜନକ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ସାର୍କ ସମ୍ମଳନୀ ସହ ଆଗକୁ ବଢିବା କଷ୍ଟକର । ପ୍ରକାଶ ଯେ ପ୍ରତି ୨ ବର୍ଷ ଅନ୍ତରରେ ସାର୍କ ସମ୍ମିଳନୀ କୌଣସି ଏକ ସଦସ୍ୟ ରାଷ୍ଟ୍ର ଦ୍ୱାରା ଆୟୋଜିତ ହୋଇଥାଏ । ୨୦୧୪ରେ ସାର୍କ ସମ୍ମିଳନୀ କାଠମାଣ୍ଡୁରେ ଅନୁଷ୍ଠିତ ହୋଇଥିଲା । ଏହାପର ସାର୍କ ସମ୍ମିଳନୀ ୨୦୧୬ରେ ଇସଲାମାବାଦରେ ହେବାର ଥିଲା । କିନ୍ତୁ ସେହିବର୍ଷ ଭାରତର ଉରି ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ଘଟିଥିଲା । ଏହି ଘଟଣାକୁ ନେଇ ଭାରତ ଏହି ସମ୍ମିଳନୀରେ ଯୋଗ ଦେବାକୁ ମନା କରିଦେଇଥିଲା । ଏହାପରେ ବାଂଲାଦେଶ, ଭୁଟାନ ଏବଂ ଆଫଗାନିସ୍ତାନ ଇସଲାମାବାଦ ସମ୍ମିଳନୀରେ ଯୋଗଦେବାକୁ ମନା କରିଦେଇଥିଲେ । ଫଳରେ ସାର୍କ ସମ୍ମିଳନୀ ରଦ୍ଦ ହୋଇଯାଇଥିଲା । ଗତ ମାସ କାଠମାଣ୍ଡୁ ଗସ୍ତ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ୍‌ ଆବାସି ଇସଲାମାବାଦରେ ସାର୍କ ସମ୍ମିଳନୀର ଆୟୋଜନ ପାଇଁ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ସହଯୋଗ ମାଗିଥିଲେ ।

Leave A Reply