ଏସ-୪୦୦ ଟ୍ରାଏମ୍ଫ କ୍ଷେପଣାସ୍ତ୍ର ଚୁକ୍ତିି ଚୂଡାନ୍ତ

0

ନୂଆଦିଲ୍ଲୀ : ବାୟୁସେନା ପାଇଁ ଭାରତ ଖୁବଶୀଘ୍ର ରୁଷରୁ ଅତ୍ୟାଧୁନିକ ଏସ୍‍-୪୦୦ ଟ୍ରାଏମ୍ଫ କ୍ଷେପଣାସ୍ତ୍ର କିଣିବାକୁ ଯାଉଛି। ଏଥିପାଇଁ ଉଭୟ ଦେଶ ମଧ୍ୟରେ ଚୁକ୍ତି ପ୍ରକ୍ରିୟା ଚୂଡାନ୍ତ ହୋଇସାରିଛି। ଆସନ୍ତା ଅକ୍ଟୋବରରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଡିମୀର ପୁତିନଙ୍କ ମଧ୍ୟରେ ହେବାକୁ ଥିବା ଶିଖର ବୈଠକ ପୂର୍ବରୁ ଏହି ଚୁକ୍ତି ସଂକ୍ରାନ୍ତରେ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ପ୍ରକ୍ରିୟାରେ ଆମେରିକା ଲାଗୁ କରିଥିବା କଟକଣା ବର୍ତ୍ତମାନ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଆମେରିକା-ରୁଷ ସମ୍ପର୍କ ଦିନକୁ ଦିନ ତିକ୍ତ ହେଉଥିବା ପରିପ୍ରେକ୍ଷୀରେ ଆମେରିକା ଏଭଳି ନୀତି ଅବଲମ୍ବନ କରିଛି। ରୁଷ ସହ ସାମରିକ ସମ୍ପର୍କ ସ୍ଥାପନ କରୁଥିବା ରାଷ୍ଟ୍ରଗୁଡିକ ଆମେରିକାର କୋପଦୃଷ୍ଟିର ସମ୍ମୁଖୀନ ହେବେ ବୋଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଇତିମଧ୍ୟରେ ସ୍ପଷ୍ଟ କରିସାରିଛନ୍ତି। ତେଣୁ କୂଟନୈତିକ ସ୍ତରରେ ଏହାକୁ କିଭଳି ଏହି କଟକଣାକୁ ମୁକାବିଲା କରାଯାଇପାରିବ, ସେଥିନେଇ ଭାରତ ଚିନ୍ତିତ ହୋଇପଡିଛି। ସାଂପ୍ରତିକ ସ୍ଥିତିରେ ରୁଷ ଅପେକ୍ଷା ଆମେରିକା ସହ ସମ୍ପର୍କକୁ ଅଧିକ ସୁଦୃଢ କରିବାକୁ ଭାରତ ଉଦ୍ୟମ ଜାରି ରଖିଛି। ତେଣୁ କୌଣସି ପରିସ୍ଥିତିରେ ଆମେରିକାକୁ ଅସନ୍ତୁଷ୍ଟ କରିବାକୁ ଭାରତ ଚାହୁଁନାହିଁ। ଭାରତ ୪୦,୦୦୦ କୋଟି ଟଙ୍କା ବ୍ୟୟରେ ରୁଷ ନିକଟରୁ ୪୦ଟି ଏସ୍‍-୪୦୦ ଟ୍ରାଏମ୍ଫ କ୍ଷେପଣାସ୍ତ୍ର କ୍ରୟ କରିବ। ଭାରତ-ଚୀନ ମଧ୍ୟରେ ଥିବା ୪୦୦୦ କିମି ଦୈର୍ଘ୍ୟବିଶିଷ୍ଟ ଆନ୍ତର୍ଜାତିକ ସୀମାକୁ ସୁରକ୍ଷିତ ରଖିବାକୁ ଭାରତ ଏହି କ୍ଷେପଣାସ୍ତ୍ର ମୁତୟନ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି।

Leave A Reply