www.samajalive.in
Monday, December 15, 2025
24.1 C
Bhubaneswar

ଭାରତ-ନେପାଳ ରେଳ ସଂଯୋଗ ପ୍ରସ୍ତାବ

ନୂଆଦିଲ୍ଲୀ : ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ନିମିତ୍ତ ଖୁବ୍‍ଶୀଘ୍ର ଉଭୟ ଦେଶ ମଧ୍ୟରେ ଏକ ନୂତନ ରେଳମାର୍ଗ ନିର୍ମାଣ ଆରମ୍ଭ ହେବ। ଦୁଇ ରାଷ୍ଟ୍ର ମଧ୍ୟରେ ରହିଥିବା ସମସ୍ତ ଯୋଗାଯୋଗ ସମ୍ବନ୍ଧୀୟ ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ଆଗାମୀ ଦିନରେ ତ୍ୱରାନ୍ୱିତ କରାଯିବ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ଗସ୍ତରେ ଥିବା ନେପାଳ ପ୍ରତିପକ୍ଷ କେ. ପି. ଶର୍ମା ଓଲି ଶନିବାର ଏଠାରେ ଅନୁଷ୍ଠିତ ଏକ ବୈଠକରେ ସହମତି ପ୍ରକାଶ କରିଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିବୃତି ଦେଇ ମୋଦି କହିଛନ୍ତି, ପ୍ରତିରକ୍ଷା ଓ ନିରାପତ୍ତା ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ଘନିଷ୍ଠ ସମ୍ବନ୍ଧ ରହିଛି। ପରସ୍ପର ମଧ୍ୟରେ ରହିଥିବା ମୁକ୍ତ ସୀମାର ଅପବ୍ୟବହାର ରୋକିବା ଦିଗରେ ଭାରତ ଓ ନେପାଳ ମିଳିତ ଭାବେ କାର୍ଯ୍ୟ କରିବେ। ଉଭୟ ଜଳପଥ ଏବଂ ରେଳପଥରେ ପଡୋଶୀ ରାଷ୍ଟ୍ର ନେପାଳ ସହିତ ଯୋଗାଯୋଗ ବ୍ୟବସ୍ଥା ଉନ୍ନତ କରିବା ନେଇ ମଧ୍ୟ ଭାରତ ପ୍ରତିଶ୍ରୁତିବଦ୍ଧ। ଏଣୁ ନେପାଳ ସହିତ ଯୋଗାଯୋଗ ସମ୍ବନ୍ଧୀୟ ସମସ୍ତ ପ୍ରକଳ୍ପଗୁଡିକର ସମୀକ୍ଷା କରାଯାଇଛି।
ସେହିଭଳି ନାନା ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ସହଯୋଗିତା ବୃଦ୍ଧି କରିବା ତଥା ଉଭୟ ରାଷ୍ଟ୍ରର ସମ୍ପର୍କକୁ ଏକ ନୂତନ ସ୍ତରରେ ପହଞ୍ଚାଇବା ଭାରତ ଗସ୍ତର ମୂଳ ଲକ୍ଷ୍ୟ ବୋଲି ଓଲି କହିଛନ୍ତି। ଉଭୟଦେଶ ମଧ୍ୟରେ ସମ୍ପର୍କ ବହୁ ପୁରାତନ। ଏହି ସମ୍ପର୍କକୁ ନେପାଳ ଖୁବ୍‍ ଗୁରୁତ୍ୱ ଦିଏ। ଭାରତ ସହିତ ପ୍ରଗାଢ ଆସ୍ଥା ଉପରେ ପର୍ଯ୍ୟବେଶିତ ଏକ ସୁଦୃଢ ସମ୍ପର୍କର ପ୍ରାସାଦ ଗଢିବାକୁ ନେପାଳ ଚାହେଁ। ପରସ୍ପରକୁ ପ୍ରଦାନ କରିବା ନିମନ୍ତେ ଉଭୟ ରାଷ୍ଟ୍ର ନିକଟରେ ବହୁତ କିଛି ସାମଗ୍ରୀ ରହିଛି; ଯାହାକୁ ବ୍ୟବହାର କରି ଦୁଇ ରାଷ୍ଟ୍ର ଉନ୍ନତି ପଥେ ଆହୁରି ଅଗ୍ରଗତି କରିପାରିବେ ବୋଲି ଓଲି ଦର୍ଶାଇଛନ୍ତି। ଏଥିସହ ଉପଯୁକ୍ତ ସମୟ ଦେଖି ଯଥାଶୀଘ୍ର ନେପାଳ ଗସ୍ତ କରିବା ନିମନ୍ତେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି।
ମିଳିତ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ୍‍ ହାଉସ୍‍ଠାରେ ଓଲିଙ୍କୁ ମୋଦି ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ପରେ ଦୁଇ ନେତା ଏକ ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ନେପାଳ ସହିତ ଐତିହାସିକ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ସ୍ୱତନ୍ତ୍ର ଏବଂ ଲୋକକୈନ୍ଦ୍ରିକ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି। ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନଠାରେ ମୋଦିଙ୍କୁ ଓଲି ଭେଟିଥିଲେ। ଶନିବାର ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ। ରାଷ୍ଟ୍ରପତି ଭବନଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ ବନ୍ଧୁତ୍ୱର ଗୁରୁତ୍ୱ ଦର୍ଶାଇ ଓଲି କହିଥିଲେ, ଯେକୌଣସି ଚୁକ୍ତି ତଥା ରାଜିନାମା ଏହି ବନ୍ଧୁତ୍ୱରୁ ହିଁ ଆରମ୍ଭ ହୋଇଥାଏ। ନେପାଳ ଏହାର ପଡୋଶୀ ରାଷ୍ଟ୍ର ଭାରତଠାରୁ ସର୍ବପ୍ରଥମେ ବନ୍ଧୁତ୍ୱର ଆଶା କରୁଛି। ସୂଚନାଯୋଗ୍ୟ ଯେ, ଓଲି ତିନି ଦିନିଆ ଗସ୍ତରେ ଆସି ଶୁକ୍ରବାର ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ। ଫେବୃଆରୀରେ ଦ୍ୱିତୀୟ ଥର ପାଇଁ ନେପାଳ ପ୍ରଧାନମନ୍ତ୍ରୀ ନିର୍ବାଚତ ହେବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ। ୨୦୧୫ରେ ସୀମା ଅବରୋଧ ଘଟଣାକୁ କେନ୍ଦ୍ର କରି ଦୁଇଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଏଥିଯୋଗୁ ନେପାଳର ଅର୍ଥନୈତିକ ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ଏ ନେଇ ନେପାଳ ଭାରତକୁ ଦାୟୀ କରିଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories