ପ୍ରବେଶିକାରେ ଶିକ୍ଷକ ପ୍ରବେଶ

0
-ଅନ୍‍ଲାଇନରେ ବଦଳି,-ଉଜ୍ଜ୍ୱଳା, ଉତ୍କର୍ଷ ପରେ ଉତ୍ଥାନ
-ଡିପିସି ସହିତ ଡିଇଓ ଏବଂ ୧୪ଟି ନିର୍ଦେଶାଳୟର ମିଶ୍ରଣ,-୧.୭୫ଲକ୍ଷ ଶିକ୍ଷକଙ୍କୁ ଦିଆଯିବ ତାଲିମ
ଶିକ୍ଷକଙ୍କ କ୍ୟାଡ୍‍ର ପୁନର୍ଗଠନ ଖୁବ୍‍ଶୀଘ୍ର : ସଚିବ

ଭୁବନେଶ୍ୱର : ରାଜ୍ୟର ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ମିଳିପାରିବ ସେନେଇ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏଣିକି ୧୦୦ମିଟର ପରିସର ଭିତରେ ଥିବା ସବୁ ବିଦ୍ୟାଳୟକୁ ମିଶାଇ ଗୋଟିଏ ବିଦ୍ୟାଳୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ପ୍ରାଥମିକ ବିଦ୍ୟାଳୟ ହେଉ ଅବା ଉଚ୍ଚ ପ୍ରାଥମିକ ବା ଉଚ୍ଚବିଦ୍ୟାଳୟ, ସବୁ ବିଦ୍ୟାଳୟ ପାଇଁ ଜଣେ ପ୍ରଧାନ ଶିକ୍ଷକ ରହିବେ। ସେହିପରି ପୁରୁଣାକାଳିଆ ପଦ୍ଧତିରେ ଆଉ ଶିକ୍ଷକ ନିଯୁକ୍ତି ହେବେ ନାହିଁ। ମାର୍କକୁ ନେଇ ପୂର୍ବରୁ ଶିକ୍ଷକଙ୍କ ନିଯୁକ୍ତି ହେଉଥିଲା। ଏଥିରେ ବିଭାଗ ପରିଲକ୍ଷିତ କରିଛି ଯେ ବହୁ ଶିକ୍ଷକଙ୍କଠାରେ ବାସ୍ତବିକ ଶିକ୍ଷକତା ଯୋଗ୍ୟତା ନଥିଲେ ମଧ୍ୟ ସେମାନେ ବାହାର ରାଜ୍ୟରୁ ସାର୍ଟିଫିକେଟ୍‍ ଆଣି ଶିକ୍ଷକଭାବେ ନିଯୁକ୍ତ ହୋଇଛନ୍ତି । ଯାହାଫଳରେ କି ଛାତ୍ରଛାତ୍ରୀଙ୍କୁ ଗୁଣବତ୍ତା ଶିକ୍ଷା ମିଳିପାରୁ ନାହିଁ। ନିଯୁକ୍ତି ବେଳେ ଏହିଭଳି କେତେକ ତ୍ରୁଟିକୁ ନେଇ ବିଭାଗ ପକ୍ଷରୁ ସଂସ୍କାର ଅଣାଯାଇଛି। ଏଣିକି ପ୍ରାଥମିକ ଶିକ୍ଷକମାନେ ଓଡ଼ିଶା ଲୋକସେବା ଆୟୋଗଙ୍କ ଜରିଆରେ ଏବଂ ଉଚ୍ଚମାଧ୍ୟମିକ ଶିକ୍ଷକ ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନଙ୍କ ଜରିଆରେ ନିଯୁକ୍ତ ହେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
ଗୁରୁବାର ବିଭାଗ ପକ୍ଷରୁ ଏହିଭଳି ୧୫ସୂତ୍ରୀ ସଂସ୍କାର ପଦ୍ଧତି ଉପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ପରେ ପ୍ରମୁଖ ସଚିବ ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାକୁ ସରକାର ପ୍ରାଥମିକତା ଦେଇଛନ୍ତି। ପୂର୍ବରୁ ପ୍ରାଥମିକ ବିଦ୍ୟାଳୟର ଅବହେଳିତ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ଉଜ୍ଜ୍ୱଳା ଓ ନବମ-ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଉତ୍କର୍ଷ ଯୋଜନା ସହିତ ଏଣିକି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ଥାନ ଯୋଜନା କାର୍ଯ୍ୟକାରୀ ହେବ। ଯାହାଦ୍ୱାରା କି ଶିକ୍ଷା କ୍ଷେତ୍ରରେ ପଛରେ ପଡି ଯାଉଥିବା ଛାତ୍ରଛାତ୍ରୀଙ୍କୁ ବିଶେଷ ପଦ୍ଧତିରେ ଶିକ୍ଷାଦାନ ଯୋଗାଇ ଦିଆଯାଇ ପାରିବ। ସେହିପରି ଶିକ୍ଷକମାନଙ୍କ ବଦଳି ନେଇ ବିଭିନ୍ନ ସମୟରେ ଉଠୁଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ବିଭାଗ ଏଣିକି ଅନ୍‍ଲାଇନ ବଦଳି ବ୍ୟବସ୍ଥା ଆପଣାଇବ। କେଉଁ ବର୍ଗର ଶିକ୍ଷକ କେଉଁଠାରୁ ବଦଳି ହେବାକୁ ଚାହୁଁଛନ୍ତି ତା’ର ବିଶେଷ କାରଣ ସହିତ ପୂର୍ଣ୍ଣାଙ୍ଗ ତଥ୍ୟ ଅନ୍‍ଲାଇନରେ ଅପ୍‍ଲୋଡ କରିବେ। ଯଦି ଶିକ୍ଷକମାନଙ୍କ ଆବେଦନ ଯୁକ୍ତିଯୁକ୍ତ ବୋଲି ତର୍ଜମା ପରେ ଜଣାପଡିବ ତେବେ ନିୟମ ଅନୁଯାୟୀ ଶିକ୍ଷକମାନଙ୍କୁ ବଦଳି କରାଯିବ। ତେବେ ଏହି ବଦଳି ପାଇଁ ୮ଟି ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟାକୁ ସର୍ତ୍ତରେ ବିଭାଗ ରଖିଛି। ଏହାବ୍ୟତୀତ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକ ନଥିବାରୁ ଏହାକୁ ନେଇ ବିଭିନ୍ନ ସମୟରେ ବିଭାଗକୁ ଅପଦସ୍ତ ହେବାକୁ ପଡୁଛି। ଏଥିରୁ ମୁକୁଳିବାପାଇଁ ପ୍ରତି ୧୦ଜଣ ଛାତ୍ରଛାତ୍ରୀରେ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି କରାଯିବ। ତେବେ ୧୦୦ମିଟର ପରିସୀମା ଭିତରେ ଥିବା ବିଦ୍ୟାଳୟଗୁଡିକ ମିଶ୍ରଣ ବେଳେ ସେଠାରେ ଉଚ୍ଚ ଶିକ୍ଷା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ କରାଯିବ। ଏସବୁକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗ ୧ଲକ୍ଷ ୭୫ହଜାର ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ତାଲିମ ଦେବାପାଇଁ ଯୋଜନା କରିଛି। ଆସନ୍ତା ୧୭ତାରିଖରୁ ମେ’ ୫ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ନୂତନ ଶିକ୍ଷା ପଦ୍ଧତି ନେଇ ତାଲିମ ଯୋଗାଇ ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ବିଶେଷକରି ବିଭିନ୍ନ ସମୟରେ ଶିକ୍ଷକମାନେ ସେମାନଙ୍କ କ୍ୟାଡର ପୁନର୍ଗଠନ ନେଇ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଯାହାଫଳରେ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ବାଧାପ୍ରାପ୍ତ ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଶିକ୍ଷକମାନଙ୍କ କ୍ୟାଡର ଖୁବ୍‍ଶୀଘ୍ର ପୁନର୍ଗଠନ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଏହାବାଦ୍‍ ବିଭାଗରେ ଲଦି ହୋଇଥିବା ୬୫ହଜାର ମାମଲା ବୋଝକୁ ହାଲୁକା କରିବାପାଇଁ ବିଭାଗ ଏଣିକି ଏକ ନୂତନ ସେଲ୍‍ ଗଠନ କରି ଅନଲାଇନ୍‍ ଜରିଆରେ ମାମଲାଗୁଡିକୁ ତଳଠାରୁ ଉପର ଯାଏଁ ଅନୁଧ୍ୟାନ କରାଯିବ। ଯାହାଦ୍ୱାରା ବିଭାଗ ଆସନ୍ତା ବର୍ଷେ କିମ୍ବା ୨ବର୍ଷ ମଧ୍ୟରେ ଆଇନଗତ ବୋଝରୁ ମୁକ୍ତି ପାଇବ। ଏହାବ୍ୟତୀତ ଜିଲାସ୍ତରରେ ଜିଲା ଶିକ୍ଷା ଅଧିକାରୀ ଓ ଡିପିସିର ମିଶ୍ରଣ, ବିଭାଗରେ ଥିବା ୧୪ଟି ନିର୍ଦେଶାଳୟର ମିଶ୍ରଣ ଭଳି ସଂସ୍କାରମୂଳକ ପଦକ୍ଷେପ ରହିଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply