Patra electronics

ଟେଲିଫୋନ ଗ୍ରାହକ ସଂଖ୍ୟା ୩.୩୬କୋଟି

0

ଭୁବନେଶ୍ୱର  : ଡାକ ସେବା ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ରାଜ୍ୟରେ ଉନ୍ନତି ଘଟୁଛି। ତେବେ ଓଡ଼ିଶାରେ ଡାକ ସେବାର ସାନ୍ଦ୍ରତା ଜାତୀୟ ସ୍ତରଠୁ ଆଗରେ ଥିବାବେଳେ ଟେଲିଯୋଗାଯୋଗ କ୍ଷେତ୍ରରେ ଜାତୀୟ ହାରଠୁ ପଛରେ ରହିଛି।
୨୦୧୬-୧୭ ସୁଦ୍ଧା ରାଜ୍ୟର ଟେଲିଫୋନ ଗ୍ରାହକ ସଂଖ୍ୟା ୩.୪୬କୋଟିରେ ପହଞ୍ଚିଛି। ଏହା ଦେଶର ମୋଟ ଗ୍ରାହକ ସଂଖ୍ୟାର ୨.୯୦ପ୍ରତିଶତ। ରାଜ୍ୟର ମୋଟ ଗ୍ରାହକଙ୍କ ମଧ୍ୟରୁ ୯୯.୧୫ ପ୍ରତିଶତ ଓୟାରଲେସ୍‍ ଏବଂ ୦.୮୫ ଶତାଂଶ ଓୟାରଲାଇନ ସେବା ଗ୍ରାହକ ବୋଲି ଜଣାପଡ଼ିଛି। ଓଡ଼ିଶା ଅର୍ଥନୀତି ସର୍ଭେ ତଥ୍ୟ ଅନୁସାରେ ରାଜ୍ୟରେ ସାମଗ୍ରିକ ଟେଲି ସାନ୍ଦ୍ରତା(ପ୍ରତି ଶହେ ଜନସଂଖ୍ୟାରେ ଟେଲିଫୋନ ସଂଯୋଗ) ଜାତୀୟ ହାରଠାରୁ କମ୍‍ ରହିଛି। ୨୦୧୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଟେଲି ସାନ୍ଦ୍ରତା ୮୦.୭୪ପ୍ରତିଶତ ଥିବାବେଳେ ସର୍ବଭାରତୀୟ ସ୍ତରରେ ଏହି ହାର ୯୨.୯୮ପ୍ରତିଶତ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଟେଲି ସାନ୍ଦ୍ରତାରେ ବ୍ୟାପକ ବ୍ୟବଧାନ ରହିଛି। ଓଡ଼ିଶାର ଗ୍ରାମାଞ୍ଚଳରେ ୨୦୧୬-୧୭ରେ ଟେଲି ସାନ୍ଦ୍ରତା ୫୮.୨୧ଶତାଂଶ ଥିବାବେଳେ ସହରାଞ୍ଚଳରେ ଏହି ହାର ୧୮୩.୮୬ଶତାଂଶ। ଅନ୍ୟପକ୍ଷରେ ଡାକ ସେବା କ୍ଷେତ୍ରରେ ଓଡ଼ିଶା ଆଗରେ ଅଛି। ୨୦୧୬-୧୭ ସୁଦ୍ଧା ୩୫ଟି ମୁଖ୍ୟ ଡାକ ଘର, ୧୧୬୯ ଉପଡାକ ଘର ସହିତ ଓଡ଼ିଶାରେ ମୋଟ ୮,୧୭୫ଟି ଡାକ କାର୍ଯ୍ୟାଳୟ ଥିଲା। ଏଥିମଧ୍ୟରୁ ୭,୫୭୮ (୯୨.୭ପ୍ରତିଶତ) ରହିଛି ଗ୍ରାମାଞ୍ଚଳରେ। ଅଧିକାଂଶ ପୋଷ୍ଟ ଅଫିସ ମେଲ ସେବା, କର୍ପୋରେଟ ମନି ଅର୍ଡ଼ର, ଉପଗ୍ରହ ମେଲ ସେବା, ଗ୍ରିଟିଂ ପୋଷ୍ଟ ଓ ସାଧାରଣ ଡାକ ସେବା ସହିତ ପ୍ରିମିୟମ ଡାକ ସେବା ଯୋଗାଇଆସୁଛି। ବ୍ରହ୍ମପୁର ଡ଼ାକ ଡ଼ିଭିଜନର ଗୋପାଳପୁର ପୋଷ୍ଟ ଅଫିସ ଜାତୀୟ ସ୍ତରରେ ସର୍ବୋତ୍କୃଷ୍ଟ ବିବେଚିତ ହୋଇଥିବାବେଳେ ପୁରସ୍କାର ଓ ସ୍ୱୀକୃତି ଯୋଜନାରେ ଏହାର କର୍ମଚାରୀମାନଙ୍କୁ ବ୍ୟାଙ୍କକସ୍ଥିତ ଏସିଆ ପାସିଫିକ ପୋଷ୍ଟାଲ କଲେଜରେ ତାଲିମ ପାଇଁ ଡ଼େପୁଟେସନରେ ପଠାଯାଇଛି।

Leave A Reply