‘ସମାଜ’ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର : ‘ରାଷ୍ଟ୍ରର ପ୍ରଗତିରେ ଯୁବଶକ୍ତି ବିନିଯୋଗ ହେଉ’

0

ଭୁବନେଶ୍ୱର : ଦେଶର ଗୌରବକୁ ନୂଆ ଶିଖରରେ ପହଞ୍ଚାଇବା ପାଇଁ ଯୁବଶକ୍ତି ପାଖରେ ଉଦ୍ଦାମତା, ସାମର୍ଥ୍ୟ, ଶୌର୍ଯ୍ୟ, ଧୈର୍ଯ୍ୟ ଓ ପ୍ରତିଭା ରହିଛି। ସେମାନଙ୍କୁ ସାମିଲ କରି ସୁନ୍ଦର ଦେଶର ପରିକଳ୍ପନା କରାଯାଉ। ରାଷ୍ଟ୍ରର ପ୍ରଗତିରେ ଯୁବଶକ୍ତିର ବିନିଯୋଗ ହେଉ। ଏଥିପାଇଁ ସେମାନଙ୍କୁ ମାନସିକସ୍ତରରେ ପ୍ରସ୍ତୁତ ହେବାକୁ ପଡ଼ିବ ଓ ନିଜର ଧୀଶକ୍ତି ବଢ଼ାଇବାକୁ ବିଶିଷ୍ଟ ବକ୍ତାମାନେ ପରାମର୍ଶ ଦେଇଛନ୍ତି।
‘ସମାଜ’ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ୮୨ତମ ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ଓଡ଼ିଶାର ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ‘ଭାରତର ସ୍ୱପ୍ନ ସାକାର ଦିଗରେ ଏକବିଂଶ ଶତାବ୍ଦୀର ଉଦୟମାନ ଯୁବଶକ୍ତି’ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନୀତି ଆୟୋଗ ଷ୍ଟାଣ୍ଡିଂ କମିଟି ସଦସ୍ୟ ଜଗଦାନନ୍ଦ, ଅବସରପ୍ରାପ୍ତ ରାଜସ୍ୱ ପର୍ଷଦ ସଦସ୍ୟ ଅରବିନ୍ଦ ବେହେରା, ରାଜ୍ୟ ବାଳ ନ୍ୟାୟ ପରିଷଦ ସଦସ୍ୟା ନମ୍ରତା ଚଢ଼ା, ଭାରତୀୟ ବିଦ୍ୟାଭବନର ମହାନିର୍ଦେଶକ ଏସ୍‍.କେ ତାମୋଟିଆ, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ପୂର୍ବତନ ପୁଲିସ ମହାନିର୍ଦେଶକ ସତ୍ୟନାରାୟଣ ତିୱାରୀ ପ୍ରମୁଖ ରାଷ୍ଟ୍ରଗଠନରେ ଯୁବପିଢ଼ିଙ୍କ ଭୂମିକା ଓ ସ୍ୱପ୍ନର ଭାରତ ଉପରେ ଆଲୋକପାତ କରିଥିଲେ।
‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶଚନ୍ଦ୍ର ମନ୍ତ୍ରୀ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ୧୬ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରି ରାଷ୍ଟ୍ରର ପ୍ରଗତିରେ ସାମିଲ ହେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। କାର୍ଯ୍ୟକ୍ରମରେ ବିସ୍ମୟ ବାଳକ ଆରିଆନ୍‍ ଆଲେକ୍‍ଜାଣ୍ଡର ଓ ଫେମିନା ମିସ୍‍ ଇଣ୍ଡିଆ ଶ୍ରୁତିକ୍ଷା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଢେଙ୍କାନାଳ ସରଗମ୍‍ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। କଣ୍ଠଶିଳ୍ପୀ ଜୟଶ୍ରୀ ସାହୁ ‘ଜୋଛନା ଲୁଚନା’ ଓ ଦେବବ୍ରତ ଦାସ ‘ବିଶ୍ୱ ଗୋବିନ୍ଦ ଗାତେ ରହୋ’ ସଙ୍ଗୀତ ପରିବେଷଣ କରିଥିଲେ।
ଡ. ମୃତ୍ୟୁଞ୍ଜୟ ରଥ, ମୋନାଲିସା ତ୍ରିପାଠୀ, ଦିବ୍ୟାସ୍ୱରୂପା ମହାନ୍ତି, ଅଙ୍କିତା ମହାନ୍ତି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Leave A Reply