ମୋହନ ବାଗାନ କ୍ୱାର୍ଟର ଫାଇନାଲରେ

0

ଭୁବନେଶ୍ୱର : ବର୍ଷା, ବିଜୁଳି ଓ ଘଡ଼ଘଡ଼ିରେ ମଧ୍ୟ ଫିକା ପଡ଼ିନଥିଲା ଫୁଟ୍‍ବଲ। କଳିଙ୍ଗ ଷ୍ଟାଡିୟମରେ ଏଭଳି ପରିବେଶରେ ରବିବାର ରାତିରେ ଖେଳା ଯାଇଥିଲା ସୁପର କପ୍‍ ଫୁଟ୍‍ବଲର ୩ୟ ପ୍ରିକ୍ୱାର୍ଟର୍ରଫାଇନାଲ ମ୍ୟାଚ୍‍। ଏଥିରେ ଶକ୍ତିଶାଳୀ କଲକାତାର ମୋହନ ବାଗାନ ନିକଟରେ ଚର୍ଚ୍ଚିଲ ବ୍ରଦର୍ସ ହାର୍‍ ମାନିଥିଲା। କାମେରୁନ୍‍ ଫରୱାର୍ଡ ଆସେର୍‍ ଡିପାଣ୍ଡାଙ୍କ ଡବଲ୍‍ ଗୋଲ୍‍ ବଳରେ ମୋହନ ବାଗାନ୍‍ ସୁପର କପ୍‍ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଏହି ପରାଜୟ ସହ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ପ୍ରତିଯୋଗିତାରୁ ବିଦାୟ ନେଇଛି।
ମୋହନ ବାଗାନ ପ୍ରାରମ୍ଭରୁ ସୁଚିନ୍ତିତ ରଣନୀତି ସହିତ ଖେଳ ଆରମ୍ଭ କରିଥିଲା। ୧୦ ମିନିଟ୍‍ରେ ମୋହନ ବାଗାନ୍‍ର ଅଷ୍ଟ୍ରେଲିଆନ ମିଡ୍‍ଫିଲ୍‍ଡର ଆଲେକଜାଣ୍ଡାର ଜନ୍‍ ୱାଟସନ ଗୋଲ ଦେବା ନେଇ ସୁଯୋଗ ପାଇଥିଲେ ମଧ୍ୟ ବିଫଳ ହୋଇଥିଲେ। ୨୨ତମ ମିନିଟ୍‍ରେ ଚର୍ଚ୍ଚିଲ ବ୍ରଦର୍ସ ଏକ ନିଶ୍ଚିତ ଗୋଲ ଦେବାର ସୁଯୋଗକୁ ହାତଛଡ଼ା କରିଥିଲା। ଗୋଲ୍‍ରକ୍ଷକ ପରାସ୍ତ ହୋଇଥିଲେ ମଧ୍ୟ ୱିଲ୍‍ସ ଡନ୍‍ ପ୍ଲାଜା ବଲ୍‍କୁ ବାହାରକୁ ମାରି ଦେଇଥିଲେ। ଖେଳର ୩୦ ମିନିଟ୍‍ରେ ଚର୍ଚ୍ଚିଲ ବ୍ରଦର୍ସର ଜାମ୍ବିଆ ଫରୱାର୍ଡ଼ ଦାୱାଦା ସିସାଙ୍କ ଏକ ସୁ୍‍ନ୍ଦର ପାସ୍‍କୁ ତ୍ରିନିଦାଦ୍‍ ଏଣ୍ଡ ତୋବାଗୋ ଫରୱାର୍ଡ ୱିଲ୍‍ସ ଡନ୍‍ ପ୍ଲାଜା ଗୋଲ୍‍ରେ ପରିଣତ କରି ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ପରେ ମୋହନ ବାଗାନ ଗୋଲ୍‍ ସୁଝାଇବାର ଉଦ୍ୟମ କରିଥିଲା। ପ୍ରଥମାର୍ଦ୍ଧର ଇଞ୍ଜୁରୀ ଟାଇମ୍‍ରେ ମୋହନ ବାଗାନକୁ ଗୋଲ ବରାବର କରିବା ନେଇ ସୁଯୋଗ ମିଳିଥିଲା। କାମେରୁନ୍‍ ଫରୱାର୍ଡ ଆସେର ଦିପାଣ୍ଡା ଗୋଲ୍‍ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲେ। ପ୍ରଥମାର୍ଦ୍ଧ ଖେଳ ୧-୧ ଗୋଲରେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ କରିଥିଲେ। ୬୯ ମିନିଟ୍‍ରେ ମୋହନ ବାଗାନକୁ ଗୋଲ୍‍ଦେବାର ସୁଯୋଗ ମିଳିଥିଲା। ନିଖିଲ କଦମଙ୍କ ଏକ ପାସ୍‍କୁ ଆସେର ଦିପାଣ୍ଡା ଗୋଲ୍‍ରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଥିଲେ। ଗୋଲ ବରାବର କରିବା ନେଇ ଚର୍ଚ୍ଚିଲ ବ୍ରଦର୍ସ ଶେଷ ମିନିଟ୍‍ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ମଧ୍ୟ ମୋହନ ବାଗାନ୍‍ ଖେଳାଳି କୌଣସି ସୁଯୋଗ ଦେଇନଥିଲେ। ଅତିଥି ଭାବେ ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ରାଜେନ୍ଦ୍ର ପ୍ରସାଦ ସିଂହ ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ମୋହନ ବାଗାନର ଆସେର ଦିପାଣ୍ଡାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।

Leave A Reply