ରାଜ୍ୟର ସର୍ବାଙ୍ଗୀଣ ବିକାଶ ପାଇଁ ଏକାଠି ହୁଅ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବିଗତ ୮୦ ବର୍ଷ ମଧ୍ୟରେ ଆମ ରାଜ୍ୟ ଅନେକ ଆହ୍ୱାନକୁ ସଫଳତା ସହ ସମ୍ମୁଖୀନ ହୋଇ ଆଜି ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ପାରିଛି। ତଥାପି ଆମକୁ ଅନେକ ଦୂର ଅତିକ୍ରମ କରିବାର ଅଛି ଏବଂ ଏହା କେବଳ ସମସ୍ତଙ୍କ ସହଯୋଗ ଦ୍ୱାରା ସମ୍ଭବ ହୋଇ ପାରିବ ବୋଲି ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରବିବାର ସଂଧ୍ୟାରେ ଉତ୍କଳ ମଣ୍ଡପ ଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ-୨୦୧୮ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ବହୁ ବରପୁତ୍ରଙ୍କ ତ୍ୟାଗ ଓ ସଂଗ୍ରମା ବଳରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ସ୍ୱପ୍ନ ସକାର ହୋଇଥିଲା। ଓଡିଆ ଭାଷା, ସାହିତ୍ୟ, ନୃତ୍ୟ, ସଂଗୀତ ଓ କଳାକୁ ଯେଉଁମାନେ ସମୃଦ୍ଧ କରି ଯାଇଛନ୍ତି ସେମାନଙ୍କୁ ଆମ ପାଇଁ ପ୍ରେରଣାଦାୟକ। ଆମର ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ଅଧିକ ରହିଥିବା ବେଳେ ଦାରିଦ୍ର୍ୟତା କମିଛି ଓ ମୁଣ୍ଡପିଛା ଆୟ ବଢ଼ିଛି। କ୍ରୀଡ଼ା ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆମକୁ ଅନ୍ତର୍ଜାତୀୟ ପରିଚୟ ମିଳିଛି। ଭୁବନେଶ୍ୱର ଦେଶର ୧ ନଂ ସ୍ମାର୍ଟସିଟି ହେବା ସହ ସହଜରେ ବ୍ୟବସାୟ କ୍ଷେତ୍ରରେ ଓଡ଼ିଶା ବହୁତ ଭଲ ସ୍ଥିତିରେ ଅଛି ବୋଲି ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ରିପୋର୍ଟ କହୁଛି। ଆମ ଭାଷା, ସାହିତ୍ୟ ପାଇଁ ଆମେ ଗର୍ବ କରୁ। ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ଆମେ ଲକ୍ଷ୍ୟ ହାସଲ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ଅନେକ ବୀରଙ୍କ ବଳିଦାନ ଯୋଗୁଁ ୮୦ ବର୍ଷ ପୂର୍ବେ ଭାଷା ଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା। ସେହି ବରପୁତ୍ରଙ୍କ ବଳିଦାନ ଆମ ପାଇଁ ମାର୍ଗଦର୍ଶକ ବୋଲି ସେ କହିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେବା ସହିତ ଉତ୍କଳ ଦିବସ ଅବସରର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଶା-୨୦୧୮ ପତ୍ରିକାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ। ଏଥିରେ ବହୁ ବିରଳ ଚିତ୍ର ସହିତ ଓଡ଼ିଶାର ଇତିହାସ ତଥା ଅନ୍ୟାନ୍ୟ ଉପାଦେୟ ସୂଚନା ସ୍ଥାନ ପାଇଛି। ଏଥିସହ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ ବିଶେଷାଙ୍କ ସମେତ ନୃସିଂହ ସାହୁଙ୍କ ରଚିତ ‘ଆମ ଓଡ଼ିଶା’ ଅତିଥିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଶେଷରେ ବିଭାଗୀୟ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।